spot_img
Home Blog Page 487

ତେଲଙ୍ଗାନାରେ ମର୍ମନ୍ତୁଦ ବସ ଦୁର୍ଘଟଣା : ୨୦ ଜଣ ଯାତ୍ରୀଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ତେଲଙ୍ଗାନାରେ ମର୍ମନ୍ତୁଦ ବସ ଦୁର୍ଘଟଣା। ରଂଗାରେଡ୍ଡି ଜିଲ୍ଲା ଚେଭଲା ନିକଟରେ ଯାତ୍ରୀବାହୀ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୨୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନେକ ଯାତ୍ରୀ ଆହତ ହୋଇଛନ୍ତି। ବସରେ ଥିଲେ ପ୍ରାୟ ୭୦ ଜଣ ଯାତ୍ରୀ। ଭୟଙ୍କର ସଡ଼କ ଦୁର୍ଘଟଣାରେ ଟିପ୍ପର ଡ୍ରାଇଭରଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଚେଭେଲା ମଣ୍ଡଳର ମିର୍ଜାଗୁଡ଼ା ନିକଟରେ ହାଇଦ୍ରାବାଦ-ବିଜାପୁର ରାଜପଥରେ ଏହି ଦୁଃଖଦ ଘଟଣା ଘଟିଛି।

ତନ୍ଦୁର ଡିପୋରୁ ସରକାରୀ ବସ୍ ବାହାରି ଯାଉଥିବାବେଳେ ପଥର ବୋଝେଇ ଟିପ୍ପର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋର ଥିଲା ଯେ ଟିପ୍ପର ଟ୍ରକରେ ବୋଝେଇ ପଥର ବସ୍ ଭିତରେ ଆସି ପଡ଼ିଥିଲା। ଫଳରେ ଅନେକ ଯାତ୍ରୀ ଚାପି ହୋଇଯାଇଥିଲେ। ଟିପ୍ପର ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ସମୟରେ ବସ୍‌ରେ ୭୦ରୁ ଅଧିକ ଯାତ୍ରୀ ଥିଲେ। ଧକ୍କା ଯୋଗୁଁ ବସ୍ ଭିତରେ କାନ୍ଦବୋବାଳି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଅନେକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ଏବଂ ପୋଲିସ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ଚେଭେଲାର ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ତୁରନ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।.

ଉତ୍ତେଜନା ଭିତରେ ଜାରି ହେଲା ଗ୍ରେଟର ଆଫଗାନିସ୍ତାନର ମାନଚିତ୍ର , ଆହୁରି ବଢିପାରେ ବିବାଦ !

ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ, ଆଫଗାନିସ୍ତାନ ଉପ-ସ୍ୱରାଷ୍ଟ୍ର ମନ୍ତ୍ରୀ ମହମ୍ମଦ ନବି ଓମାରି ଏକ ସରକାରୀ କାର୍ଯ୍ୟକ୍ରମରେ ଗ୍ରେଟର ଆଫଗାନିସ୍ତାନର ମାନଚିତ୍ର ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମ ଅକ୍ଟୋବର ୨୮ ତାରିଖରେ ପାକିସ୍ତାନ ସୀମା ନିକଟରେ ଆଫଗାନିସ୍ତାନର ଖୋସ୍ତ ପ୍ରଦେଶରେ ହୋଇଥିଲା।

ଭିଡିଓରେ ସାମରିକ ପୋଷାକ ପିନ୍ଧିଥିବା ଦୁଇଜଣ ପିଲା ମନ୍ତ୍ରୀଙ୍କୁ ଏକ ଢାଲ ପ୍ରଦାନ କରୁଥିବାର ଦେଖାଯାଉଛି। ଏହି ଢାଲରେ ଆଫଗାନିସ୍ତାନର ଏକ ମାନଚିତ୍ର ଦର୍ଶାଯାଇଛି, ଯେଉଁଥିରେ ପାକିସ୍ତାନର ଖାଇବର ପଖତୁନଖ୍ୱା, ବେଲୁଚିସ୍ତାନ ଏବଂ ଗିଲଗିଟ-ବାଲ୍ଟିସ୍ତାନର ଅଞ୍ଚଳ ଅନ୍ତର୍ଭୁକ୍ତ। ହେଲେ ଏହି ଗ୍ରେଟର ଆଫଗାନିସ୍ତାନ ମାନଚିତ୍ରକୁ ନେଇ ବିବାଦ ସୃଷ୍ଟି ହୋଇଛି ।

ଆହୁରି ବଢିପାରେ ବିବାଦ !

ଏହି ଭିଡିଓ ଭାଇରାଲ ହେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ତଥାପି, ପାକିସ୍ତାନ ଏବଂ ଆଫଗାନିସ୍ତାନ ବର୍ତ୍ତମାନ ଯୁଦ୍ଧବିରତି ପାଳନ କରୁଛନ୍ତି। କିଛି ସପ୍ତାହ ପୂର୍ବେ ଦୋହା ଆଲୋଚନା ପରେ ମଧ୍ୟ, ତାଲିବାନ ସ୍ପଷ୍ଟ ଭାବରେ କହିଥିଲା ​​ଯେ ଡୁରାଣ୍ଡ ରେଖାକୁ ଏକ ଅନ୍ତର୍ଜାତୀୟ ସୀମା ଭାବରେ ସ୍ୱୀକାର କରେ ନାହିଁ। ଅନ୍ୟପଟେ ଆଫଗାନିସ୍ତାନ କହିଛି ଯେ, ଏହା ଦୁଇ ଦେଶ ମଧ୍ୟରେ ସୀମା ବିବାଦ ରହିଛି, କିନ୍ତୁ ପାକିସ୍ତାନ ଦାବି କରୁଛି ଯେ ଏହି ସମସ୍ୟାର ସମାଧାନ ବହୁ ପୂର୍ବରୁ ହୋଇସାରିଛି ଏବଂ ଡୁରାଣ୍ଡ ରେଖା ହେଉଛି ପ୍ରକୃତ ସୀମା।

ଡୁରାଣ୍ଡ ରେଖା କ’ଣ?

୧୮୯୩ ମସିହାରେ ବ୍ରିଟିଶ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଡୁରାଣ୍ଡ ରେଖା ସୃଷ୍ଟି ହୋଇଥିଲା। ଏହାକୁ ବ୍ରିଟିଶ ଅଧିକାରୀ ସାର୍ ହେନେରୀ ମୋର୍ଟିମର ଡୁରାଣ୍ଡଙ୍କ ନାମରେ ନାମିତ କରାଯାଇଥିଲା। ସେତେବେଳେ ଆଫଗାନିସ୍ତାନର ଅମୀର ଅବଦୁଲ ରହମାନ ଖାନ ଏକ ଚୁକ୍ତି ସ୍ୱାକ୍ଷର କରିଥିଲେ ଯାହା ବ୍ରିଟିଶ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସୀମା ସ୍ଥାପନ କରିଥିଲା।

ଆଫଗାନିସ୍ତାନ ଏବେ ବି କହୁଛି ଯେ ଏହି ସୀମା ବ୍ରିଟିଶମାନେ ବଳପୂର୍ବକ ଟାଣିଥିଲେ। ଏହି ରେଖା ପଶ୍ଚିମରେ ଇରାନରୁ ପୂର୍ବରେ ଚୀନ ସୀମା ପର୍ଯ୍ୟନ୍ତ ଲମ୍ବିଛି। ଗୋଟିଏ ପାର୍ଶ୍ୱରେ ୧୨ଟି ଆଫଗାନ ପ୍ରଦେଶ ଅଛି, ଏବଂ ଅନ୍ୟ ପାର୍ଶ୍ୱରେ ପାକିସ୍ତାନର ଖାଇବର ପଖତୁନଖ୍ୱା, ବେଲୁଚିସ୍ତାନ ଏବଂ ଗିଲଗିଟ-ବାଲ୍ଟିସ୍ତାନ ଅଞ୍ଚଳ ଅଛି।

ଆଫଗାନିସ୍ତାନ କାହିଁକି ଡୁରାଣ୍ଡ ରେଖାକୁ ଗ୍ରହଣ କରୁନାହିଁ?

ଏକ ବୃହତ୍ ଆଫଗାନିସ୍ତାନର ଧାରଣା ବହୁତ ପୁରୁଣା। ଯେତେବେଳେ 1947 ମସିହାରେ ପାକିସ୍ତାନ ସୃଷ୍ଟି ହୋଇଥିଲା, ଆଫଗାନିସ୍ତାନ ଏହାକୁ ତୁରନ୍ତ ସ୍ୱୀକୃତି ଦେଇନଥିଲା କାରଣ ଡୁରାଣ୍ଡ ରେଖା ପାସ୍ତୁନ ଜନଜାତିଙ୍କୁ ଦୁଇଟି ଭାଗରେ ବିଭକ୍ତ କରିଥିଲା, ଅଧା ପାକିସ୍ତାନରେ ଏବଂ ଅଧା ଆଫଗାନିସ୍ତାନରେ। ଆଫଗାନ ଲୋକମାନେ ଏହି ବିଭାଜନକୁ କେବେ ଗ୍ରହଣ କରିନଥିଲେ।

ଆଫଗାନିସ୍ତାନର ଶେଷ ରାଜା ମହମ୍ମଦ ଜାହିର ଶାହଙ୍କ ଶାସନ କାଳରେ ମଧ୍ୟ ସଂସଦ ଏହି ସୀମାକୁ ବିରୋଧ କରିଥିଲା। ଦୁଇ ଦେଶ ମଧ୍ୟରେ ସାମ୍ପ୍ରତିକ ବିବାଦ ପରଠାରୁ, ପାକିସ୍ତାନ ୧୦ ଲକ୍ଷରୁ ଅଧିକ ଆଫଗାନ ଶରଣାର୍ଥୀଙ୍କୁ ବାହାର କରିଦେଇଛି।

୧୩ ଜୀବନ ନେଲା ମଦ୍ୟପ ଡ୍ରାଇଭର , ଯମ ପରି ଆସିଲା ଦଳି ଦେଇଗଲା

ନନ୍ଦିଘୋଷ ବ୍ୟୁରୋ : ଜୟପୁରରେ ମଦ୍ୟପ ଡ୍ରାଇଭରର କାରନାମା । ୫ କିମି ଯାଏଁ ୧୩ ଜଣଙ୍କୁ ଦଳି ଦେଲା ଡ୍ରମ୍ପର ଡ୍ରାଇଭର । ସୋମବାର ଦିନ ରାଜସ୍ଥାନର ଜୟପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୩ ଜଣ ପ୍ରାଣ ହରାଇଛନ୍ତି। ପ୍ରାୟ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସମସ୍ତେ ଜୟପୁରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଦୁର୍ଘଟଣାର ଏକ ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଏକ ଦ୍ରୁତଗାମୀ ଡମ୍ପର ମୃତ୍ୟୁ ପରି ରାସ୍ତାରେ ମାଡ଼ି ଯାଉଥିବାର ଦେଖାଯାଉଛି। ରିପୋର୍ଟ ଅନୁଯାୟୀ ଡମ୍ପରଟି ପ୍ରାୟ ୫ କିଲୋମିଟର ପର୍ଯ୍ୟନ୍ତ ଏହି ବେଗରେ ଚାଲିଥିଲା ​​ଏବଂ ୫୦ ଜଣଙ୍କୁ ଧକ୍କା ଦେଇଥିଲା। କେତେକଙ୍କୁ ସାମାନ୍ୟ ଆଘାତ ଲାଗିଥିଲା, ଯେତେବେଳେ ୩୫ ଜଣ ଗୁରୁତର ଆହତ ହୋଇଥିଲେ, ଯେଉଁଥିରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା।

ଆଦିବାସୀ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ମିଳୁନି ନ୍ୟାୟ ; ପୀଡିତାଙ୍କୁ ଜୀବନରୁ ମାରିଦେବାକୁ ଧମକ

ନନ୍ଦିଘୋଷ ବ୍ୟୁରୋ : ଆଦିବାସୀ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ମିଳୁନି ନ୍ୟାୟ । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଆସି ନ୍ୟାୟ ଭିକ୍ଷା କଲେ ଯୁବତୀ । ଗତ ସେପ୍ଟେମ୍ବର ୨ ତାରିଖରେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ମୁକୁନ୍ଦପୁର ପଞ୍ଚାୟତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିଲା । ପୀଡିତା ଛେଳି ଚରାଇବାକୁ ଯାଇଥିବା ବେଳେ ଗାଁର ଜଣେ ଯୁବକ ଅକ୍ଷୟ ନାୟକ ଜୋରଜବରଦସ୍ତ ଏକ କୁଡିଆ ଘରକୁ ନେଇ ପୀଡିତାକୁ ଦୁର୍ଷ୍କମ କରିଥିଲେ । ଏନେଇ ପୀଡିତା ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ସଂପୃକ୍ତ ଯୁବକ ପୀଡିତାକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ପୀଡିତା ୩ତାରିଖ ଦିନ ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଦୁର୍ଷ୍କମ ଘଟଣାକୁ ୨ମାସ ବିତିଯାଇଥିଲେ ସୁଦ୍ଧା ଚାନ୍ଦିଲି ପୁଲିସ ଦୁର୍ଷ୍କମକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ତେବେ ପୀଡିତାକୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ପରିବାର ଲୋକ ଦାବି କରିଛନ୍ତି ।

ପାଇଖାନା ଟାଙ୍କିରେ ପଡି ୩ ଶିଶୁଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : କଟକ ଜିଲ୍ଲା ବଡମ୍ବା ବ୍ଲକ ରଗଡିପଡା ଗାଁରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କିରେ ପଡି ୩ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ନାବାଳକ ଥିବା ବେଳେ ଜଣେ ନାବାଳିକା ରହିଛନ୍ତି । ମୃତକ ତିନି ଜଣ ହେଲେ ବଡମ୍ବା ଥାନା ବଡ଼ବାରେଣା ଓ ଇଛାପୁର ଗାଁର ଶୁଭମ ନାୟକ , ଶିବାନୀ ନାୟକ ଓ ଅଙ୍କିତ ନାୟକ । ସମସ୍ତଙ୍କୁ ବଡମ୍ବା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ ସେଠାରେ ପହଞ୍ଚି ଶବ ବ୍ୟବଚ୍ଛେଦ ସହ ପୃଥକ ପୃଥକ ଅପମୃତ ମାମଲା ରୁଜୁ କରିଛି । ଏନେଇ ଆଠଗଡ଼ ଏସଡିପିଓ ବିଶ୍ୱଜିତ ମହାନ୍ତି ସୂଚନା ଦେଇଛନ୍ତି ।

ଆମାଜନ କର୍ମଚାରୀଙ୍କ ଲାଗି ବ୍ଲାକ ମଣ୍ଡେ ; ୧୪ ହଜାର କର୍ମଚାରୀ ବିଦା

ନନ୍ଦିଘୋଷ ବ୍ୟୁରୋ : ଆମାଜନ କର୍ମଚାରୀଙ୍କ ଲାଗି ବ୍ଲାକ ମଣ୍ଡେ। କେଇ କ୍ଷଣ ଭିତରେ ଛଟେଇ ହୋଇଗଲେ ୧୪ ହଜାର କର୍ମଚାରୀ। ସାରା ବିଶ୍ବରେ ଏହି ବଡ଼ ଧରଣର ଛଟେଇ ହୋଇଛି। ସକାଳୁ ସକାଳୁ ଏହି ମେସେଜ ପାଇ ଛାନିଆ ହୋଇଯାଇଥିଲେ ବିଶ୍ବର ଅନ୍ୟତମ ସର୍ବବୃହତ କମ୍ପାନୀର କର୍ମଚାରୀ। ସକାଳୁ ଆସିଥିବା ଦୁଇଟି ଟେକ୍ସଟ ମେସେଜରେ ଏହି ଛଟେଇ ହୋଇଛି। ପ୍ରଥମେ କର୍ମଚାରୀଙ୍କ ନିକଟକୁ ଆସିଥିଲା ଏକ ମେସେଜ। ସେଥିରେ ଲେଖାଥିଲା ଅଫିସ ଯିବା ପୂର୍ବରୁ ନିଜର ବ୍ୟକ୍ତିଗତ ବା ଅଫିସ ମେଲ ଚେକ କରନ୍ତୁ। ଏହାର କିଛି ମିନଟ ପରେ ଆସିଥିଲା ଆଉ ଏକ ମେସେଜ। ସେଥିରେ ଲେଖାଥିଲା- ଯଦି ଇ-ମେଲ ମେସେଜ ପାଇନାହାନ୍ତି ତେବେ ହେଲ୍ପଡେସ୍କ ନମ୍ବରକୁ ଫୋନ କରନ୍ତୁ। ଏହା ସହ ସେମାନଙ୍କର ବ୍ଯାଜଗୁଡ଼ିକୁ ବି ଡିଆକ୍ଟିଭେଟ କରିଦିଆଯାଇଥିଲା। କମ୍ପାନୀର ଏହି ଧରଣର ଛଟେଇ ପ୍ରକ୍ରିୟାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି। ଏହି ଧରଣର ମନୋବୃତ୍ତି ଗୁଗୁଲ ଓ ଟେସଲାରେ ବି ଦେଖିବାକୁ ମିଳୁଛି। ଗତବର୍ଷଠାରୁ ଆମାଜନର ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା

ବାଘ ଛାଲ ଡିଲ ବେଳେ ମାଡିବସିଲା ସ୍ପେଶାଲ କ୍ରାଇମ ୟୁନିଟ୍

ନନ୍ଦିଘୋଷ ବ୍ୟୁରୋ : ତାରକା ହୋଟେଲରେ ଖାଉଥିଲେ, ରାଜଧାନୀରେ ଡିଲ କରୁଥିଲେ । ବାଘ ଛାଲ ଡିଲ ବେଳେ ମାଡିବସିଲା ସ୍ପେଶାଲ କ୍ରାଇମ ୟୁନିଟ । ମୁଖ୍ୟ ଅଭିଯୁକ୍ତ ରୋହିତ ମହାପାତ୍ର, ମଞ୍ଜିତ ସାବତ ଓ ଶମ୍ଭୁ ବିଶୋଇଙ୍କୁ ଗିରଫ କରାଯାଇଛି । ଜବତ ବାଘ ଛାଲର ଦାମ ହେଉଛି ୩୦ ଲକ୍ଷ ଟଙ୍କା । କାରବାର କରିଥିଲେ ଦଲାଲଙ୍କୁ ମିଳିଥାନ୍ତା ୫ ଲକ୍ଷ ଟଙ୍କା। ତାରକା ହୋଟେଲରୁ ବାହାରି ସାଲିଆ ସହି ବସ୍ତି ଭିତରେ କାରବାର ବେଳେ ୩ ଅଭିଯୁକ୍ତଙ୍କୁ କାବୁ କରିଛି ସ୍ପେଶାଲ କ୍ରାଇମ ୟୁନିଟ । ଡିସିପି ଅନୁପ କାନୁନଗୋଙ୍କ ନେତୃତ୍ୱରେ ହୋଇଥିଲା ଚଢ଼ାଉ । ତେବେ ବାଘଟିକୁ ବାହାର ରାଜ୍ୟରେ ମାରି ଏଠାକୁ ଅଣାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର । ଏ ନେଇ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ରିମାଣ୍ଡରେ ଆଣିବା ପରେ ବାଘ ମୃତ୍ୟୁ ସହ ଶରୀରର ଅନ୍ୟ ଅଂଶ କୁ କେଉଁଠାରେ ଓ କେତେ ଟଙ୍କାର ବିକ୍ରି କରାଯିବ, ସେ ନେଇ ଅଧିକ ସୂଚନା ମିଳିପାରିବ ବୋଲି କହିଛନ୍ତି ପୋଲିସ କମିଶନର ।

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା : ମାଷ୍ଟର ମାଇଣ୍ଡ ଉମା ବିଷୋୟୀ ଓ ସୁଟର କୁରୁପତି ଭୂୟାଁ ଗିରଫ

ବ୍ରହ୍ମପୁର : ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା । ମାଷ୍ଟର ମାଇଣ୍ଡ ଉମା ବିଷୋୟୀ ଓ ସୁଟର କୁରୁପତି ଭୂୟାଁ ଗିରଫ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଏହି ଦୁଇ ଅଭିଯୁକ୍ତ ବହୁଦିନ ଧରି ଫେରାର ରହିଥିଲେ । ଶେଷରେ ପୋଲିସ ଉଭୟଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଉଭୟ ଅଭିଯୁକ୍ତଙ୍କୁ ପୋଲିସ ଜେରା କରୁଥିବା ସୂଚନା ମିଳିଛି । ଉମା ବିଷୋୟୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରିବାରେ ସାର୍ପ ସୁଟରକୁ ନିୟୋଜିତ କରିଥିଲା । ପ୍ରଥମେ ବିହାର ଓ ପରେ ବନ୍ଥପଲ୍ଲୀର ଦୁଇ ସାର୍ପ ସୁଟରଙ୍କୁ ପୀତବାସ ପଣ୍ଡା ହତ୍ୟା କରିବା ନିମନ୍ତେ ନିୟୋଜିତ କରିଥିଲା ଉମା । ଉମାଙ୍କୁ ଧରିବା ପାଇଁ ପୋଲିସ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ।
ଉମାଙ୍କୁ ଧରିବା ପାଇଁ ଦୁଇଟି ଟିମ ଗଠନ ହୋଇଥିଲା । ବ୍ରହ୍ମପୁରର ବିଶିଷ୍ଟ ଓକିଲ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗତ ୬ ତାରିଖରେ ଗୁଳି କରି ହତ୍ୟା କରାଯାଇଥିଲା। ବ୍ରହ୍ମପୁରରେ ଥିବା ତାଙ୍କ ବାସଭବନରୁ ଅଳ୍ପ ଦୂରରେ ହିଁ ତାଙ୍କୁ ଦୁର୍ବୃତ୍ତମାନେ ଗୁଳି କରିଥିଲେ। ଏହି ମାମଲାରେ ଗିରଫ ସଂଖ୍ୟା ୧୬ରେ ପହଞ୍ଚିଛି

ପାକିସ୍ତାନ କରୁଛି ଆଣବିକ ବୋମା ପରୀକ୍ଷଣ : ଡୋନାଲ୍ଡ ଟ୍ରମ୍ପ

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନ କରୁଛି ଆଣବିକ ବୋମା ପରୀକ୍ଷଣ। ଏହି ବିସ୍ଫୋରକ ବୟାନ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି, ପାକିସ୍ତାନ ସମେତ ଅନେକ ଦେଶ ଆଣବିକ ବୋମା ପରୀକ୍ଷଣ କରୁଛନ୍ତି। ରୁଷିଆ, ଚୀନ, ଉତ୍ତର କୋରିଆ ପରି ଦେଶ ଆଣବିକ ପରୀକ୍ଷଣ କରୁଛନ୍ତି। ଏଥିପାଇଁ ମୃଦୁ ଭୂମିକମ୍ପ ହେଉଛି। ଏ ସଂପର୍କରେ କିନ୍ତୁ ଚୀନ କି ରୁଷିଆ କିଛି କହୁ ନାହାନ୍ତି। ମାଟି ତଳେ କେଉଁଠି ଟେଷ୍ଟ କରାଯାଉଛି, ତାହା ଜଣାପଡୁନି। ଆମେରିକା ବି ଏପରି ଟେଷ୍ଟ କରିବା ଦରକାର ବୋଲି କହିଛନ୍ତି ଟ୍ରମ୍ପ। ଆମେ ଯଦି ଟେଷ୍ଟ କରିବୁ, ତାହା କହିବୁ। ଅନ୍ୟ ଦେଶ ଯେହେତୁ ଆଣବିକ ପରୀକ୍ଷା କରୁଛନ୍ତି, ଆମେରିକା ବି ଏପରି କରିବ ବୋଲି କହିଛନ୍ତି ଟ୍ରମ୍ପ। କିଛି ତିନ ତଳେ ରୁଷିଆ ଆଣବିକ ଶକ୍ତି ସଂପନ୍ନ ମିସାଇଲ ଟେଷ୍ଟ କରିଥିଲା। ଏହା ପରେ ସାରା ବିଶ୍ଵରେ ପୁଣି ଥରେ ଆଣବିକ ଅସ୍ତ୍ର ପ୍ରତିଯୋଗିତା ଆରମ୍ଭ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ରୁଷିଆର ପରୀକ୍ଷଣ ପରେ ଟ୍ରମ୍ପ କହିଲେଣି ୩୦ ବର୍ଷ ପରେ ପୁଣି ଆମେରିକା ବି ଏପରି ଟେଷ୍ଟ କରିବ। ତେବେ ବିଶ୍ଵରେ ଯେତେ ଆଣବିକ ଅସ୍ତ୍ର ଅଛି, ତାହା ସାରା ବିଶ୍ଵକୁ ଶତାଧିକ ଥର ଧ୍ଵଂସ କରିପାରିବ। ତେଣୁ ବିଶ୍ଵକୁ ଆଣବିକ ନିରସ୍ତ୍ରୀକରଣ ପାଇଁ ମଧ୍ୟ ଆହ୍ଵାନ ଦେଇଛନ୍ତି ଟ୍ରମ୍ପ। ଏ ସଂପର୍କରେ ସେ ରୁଷିଆ ଓ ଚୀନ ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କରିଥିବା କହିଛନ୍ତି ଟ୍ରମ୍ପ।

ଆଗରୁ ଭୋଟ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି କରିଛନ୍ତି : ନବୀନ

ତରବୋଡା(ନୂଆପଡ଼ା ): ଆଜି ନୂଆପଡା ପ୍ରଚାର ମଇଦାନକୁ ଓହ୍ଲାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପି ସରକାର ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ, ଆଗରୁ ଭୋଟ ଚୋରି କରି ସରକାର କରିଥିଲେ,ଆଉ ଏବେ ପ୍ରାର୍ଥୀ ଚୋରି କରିଛନ୍ତି ।ବିଜେପି ସରକାର ପବ୍ଲିସିଟିରେ ହିରୋ, କାମରେ ଜିରୋ ।
କୋମନା ତରବୋଡାରେ ନୂଆପଡାବାସୀଙ୍କୁ ନବୀନ ସମ୍ବୋଧନ କରି ଏଭଳି ଜୋରଦାର ଆକ୍ରମଣ କରିଛନ୍ତି । ଜୟ ମା’ ମାଣିକେଶ୍ଵରୀ ସମ୍ବୋଧନ ସହ ଆରମ୍ଭ ହୋଇଥିଲା ନବୀନଙ୍କ ଆକ୍ରମଣ ।ସେ କହିଥିଲେ, ନୂଆପଡ଼ା ଆସିଲେ ବିଜୁବାବୁଙ୍କ କଥା ମନେପଡ଼େ । ବିଜୁବାବୁ ହିଁ ନୂଆପଡ଼ା ଜିଲ୍ଲା ଗଢ଼ିଥିଲେ । ବିଜେଡି ସରକାରରେ ନୂଆପଡ଼ାର ବିକାଶ ଯୋଡ଼ି ହୋଇଥିଲା । ଆମ ସରକାର ସମୟରେ ବିଜୁ ଏକ୍ସପ୍ରେସ ୱେ ହୋଇଥିଲା । ୧୦ ହଜାରରୁ ଅଧିକ ହେକ୍ଟର ଜମି ଜଳସେଚିତ ହୋଇଥିଲା । ଲୋକଙ୍କ ଲାଗି ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ହୋଇଥିଲା । ପିଲାଙ୍କ ପାଠପଢ଼ା ଲାଗି ଭଲ ସ୍କୁଲ ନିର୍ମାଣ ହେବା ସହ ଆଦିବାସୀ ଭାଇ ଓ ଭଉଣୀଙ୍କୁ ଜଙ୍ଗଲ ଜମି ଅଧିକାର ମିଳିଥିଲା । ମିଶନ ଶକ୍ତି ମହିଳାଙ୍କୁ ଋଣ ପ୍ରଦାନ କରାଯାଇଥିଲା ।
ବିଜେପିକୁ ଆକ୍ରମଣ କରି ସେ କହିଥିଲେ ଯେ, ଆଗରୁ ଭୋଟ ଚୋରି କରି ସରକାର କରିଥିଲେ,ଆଉ ଏବେ ପ୍ରାର୍ଥୀ ଚୋରି କରିଛନ୍ତି ।ବିଜେପି ସରକାର ପବ୍ଲିସିଟିରେ ହିରୋ, କାମରେ ଜିରୋ । ବିଜେପି ସରକାରରେ ବିକାଶ କିଛି ନାହିଁ । ଏହା ସହ ସେ ବିଜେପିକୁ ଅନେକ ପ୍ରଶ୍ନ ପଚାରିଥିଲେ ।
ନବୀନଙ୍କ ପ୍ରଶ୍ନ ମଧ୍ୟରେ ପ୍ରମ୍ମୁଖ ଥିଲା :
-୩ ଶହ ୟୁନିଟ ମାଗଣା ବିଜୁଳି କୁଆଡ଼େ ଗଲା ?
-ସବୁ ବରିଷ୍ଠ ନାଗରିକଙ୍କୁ ୩,୫୦୦ ଟଙ୍କାର ପେନସନ ମିଳୁଛି କି ?
-କଟନୀ ଛଟନୀ ବନ୍ଦ ହେଲା କି ?
-ଗାଁ ଗାଁରେ କେତେ ଯୁବକ ଚାକିରି ପାଇଛନ୍ତି ?
-ମିଶନ ଶକ୍ତି ମାଆମାନଙ୍କୁ ଋଣ ମିଳୁଛି କି ?
-BSKY ଭଲ ଥିଲା ନା ଆୟୁଷ୍ମାନ ?
– ଆଇନଶୃଙ୍ଖଳା ପରିସ୍ଥିତ କଥା ନକହିବା ଭଲ ?
-ରାଜ୍ୟରେ କେତେ ସୁରକ୍ଷିତ ମହିଳା
-ସମସ୍ତ ଚାଷୀ ଭାଇଙ୍କୁ ସାର ମିଳିଛି କି ?
ଶେଷରେ ସେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରି କହିଥିଲେ ଯେ, ଆପଣ ମାନେ ବିଜୁ ଜନତା ଦଳକୁ ଆଶୀର୍ବାଦ କରନ୍ତୁ । ମାଆ ମାନଙ୍କୁ ମୋର ଗୁହାରୀ, ମୋତେ ଆଶୀର୍ବାଦ କରନ୍ତୁ । ଶେଷ ଜୀବନ ଯାଏଁ ମୁଁ ଓଡ଼ିଶା ମାଆର ସେବା ଜାରି ରଖିବି ।