ପାରାଦୀପ : ପାରାଦୀପ ଆଇଓସିଏଲ ଗେଟରେ ଯୁବକଙ୍କ ବ୍ୟାଗରୁ ମିଳିଲା ଗୁଳି । ଯାଞ୍ଚ ବେଳେ ବ୍ୟାଗରୁ ଗୁଳି ଜବତ କଲା ସିଆଇଏସଏଫ। ଯୁବକ ଜଣଙ୍କ ଆଇଓସିଏଲରେ ଠିକା କାମରେ ନିଯୁକ୍ତ ଥିବା ଟେକନୋମାଉଣ୍ଟ କମ୍ପାନୀର ସୁପରଭାଇଜର ଦେବାଶିଷ ଦାସ । ପାରାଦୀପ ରିଫାଇନାରୀ ୨ନଂ ଗେଟ୍ ଦେଇ ରିଫାଇନାରୀ ଭିତରକୁ ଯିବା ସମୟରେ ଯାଞ୍ଚ ବେଳେ ବ୍ୟାଗରୁ ଗୁଳି ଜବତ ହୋଇଛି। ଦେବାଶିଷକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଅଭୟଚାନ୍ଦପୁର ପୋଲିସ। ଆଇଓସିଏଲ ଭିତରେ ଗ୍ୟାସ, ପେଟ୍ରୋଲ, ଡିଜେଲ ପ୍ରଭୃତି ସାମଗ୍ରୀ ରହିଥିବାରୁ ଏହା ଭିତରକୁ ମୋବାଇଲ, ଇଲୋକ୍ଟ୍ରୋନିକ୍ସ ଡିଭାଇସ୍ ସମେତ କୌଣସି ସାମଗ୍ରୀ ନେବା ଉପରେ ସମ୍ପୂର୍ଣ୍ଣ କଟକଣା ରହିଛି। ତେବେ ସୁପରଭାଇଜର ଜଣଙ୍କ କାହିଁକି ନିଜ ବ୍ୟାଗରେ ଗୁଳି ନେଇଥିଲେ ତାହା ଜଣାପଡ଼ିନାହିଁ। ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ବିହାର ନିର୍ବାଚନରେ ଏନଡିଏ ମେଣ୍ଟରେ ବିଗ୍ ବ୍ରଦର ଭୂମିକା ନେଇପାରେ ଜେଡିୟୁ
ନନ୍ଦିଘୋଷ ବ୍ୟୁରାେ : ବିହାର ନିର୍ବାଚନରେ ଏନଡିଏ ମେଣ୍ଟରେ ବିଗ୍ ବ୍ରଦର ଭୂମିକା ନେଇପାରେ ଜେଡିୟୁ । ଏନଡିଏରେ ଆସନ ବୁଝାମଣା ଏକ ପ୍ରକାର ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି । ୨୪୩ ଆସନ ବିଶିଷ୍ଟ ବିଧାନସଭା ଲାଗି ସମ୍ଭବତଃ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ଆସନ ବୁଝାମଣା ସଂକ୍ରାନ୍ତ ଘୋଷଣା କରିପାରେ ଏନଡିଏ । ଦ୍ବିତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ବିହାର ଗସ୍ତ କାର୍ଯ୍ୟକ୍ରମ ପରେ ଆସନ ବୁଝାମଣା ଘୋଷଣା ହେବ ବୋଲି ସୂଚନା ମିଳିଛି । ଜେଡିୟୁ ୧୦୨, ବିଜେପି ୧୦୧, ଚିରାଗ ପାଶଓ୍ବାନଙ୍କ ଲୋକଜନଶକ୍ତି ପାର୍ଟି (ରାମବିଳାସ) ୨୦ ଆସନରେ ଲଢିପାରନ୍ତି । ସେହିପରି ଜିତନରାମ ମାନଝିଙ୍କ ହିନ୍ଦୁସ୍ତାନୀ ଆଓ୍ବାମି ମୋର୍ଚ୍ଚା ହାମ-ଏସ ଏବଂ ଉପେନ୍ଦ୍ର କୁସବାହାଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ୧୦ଟି ଲେଖାଏଁ ଆସନ ପାଇବା ଏକ ରକମ ଚୂଡ଼ାନ୍ତ ହୋଇଥିବା କୁହାଯାଉଛି । ଉପେନ୍ଦ୍ର ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି । ସେପଟେ ଜିତନରାମ ମାନଝୀ କେନ୍ଦ୍ରମନ୍ତ୍ରୀ ଥିବାବେଳେ ତାଙ୍କ ପୁଅ ସନ୍ତୋଷ ସୁମନ ବିହାରରେ ମନ୍ତ୍ରୀ ଅଛନ୍ତି । ଗତ ବିଧାନସଭା ନିର୍ବାଚନରେ ଜେଡିୟୁ ୧୧୫ ଆସନରେ ଲଢି ୪୩ ଆସନ ପାଇଥିଲା । ବିଜେପି ୧୧୦ ଆସନରେ ଲଢି ପାଇଥିଲା ୭୪ ଆସନ । ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଆରଜେଡି ୭୫ ଆସନ ପାଇଥିଲା ।
ଆଜିଠାରୁ ଆରମ୍ଭ ହେବ ଏସସିଓ ସମ୍ମିଳନୀ, ବଢ଼ିବ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ
ନନ୍ଦିଘୋଷ ବ୍ୟୁରୋ : ବଢ଼ିବ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ। ଚୀନର ତିଆନଜିନରେ ଆଜିଠାରୁ ଆରମ୍ଭ ହେବ ସାଂଘାଇ ସହଯୋଗ ସଂଗଠନ ବା ଏସସିଓର ସମ୍ମିଳନୀ। ଏହି ଅବସରରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତିଆନଜିନରେ ପହଞ୍ଚିବା ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଛନ୍ତି ମୋଦି। ଏହା ସହ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ସେ ଆଲୋଚନା କରିଥିବା ସୂଚନା ମିଳିଛି। ଗତବର୍ଷ ଅକ୍ଟୋବରରେ ଜିନପିଙ୍ଗଙ୍କ ସହ ମୋଦିଙ୍କ ଭେଟଘାଟ ହୋଇଥିଲା। ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଓସିରେ ଦୁଇ ଦେଶ ମଧ୍ୟରେ ସ୍ଥିରତା ବଜାୟ ରଖିବା ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିଲା ସହମତି। ଏସସିଓ ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ କେନ୍ଦ୍ର ଏସିଆର ବହୁ ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ୨୦୨୦ରେ ଗଲୱାନ ସଂଘର୍ଷ ପରଠାରୁ ଦୁଇ ଦେଶ ମଧ୍ଯରେ କୂଚନୈତିକ ତିକ୍ତତା ଲାଗି ରହିଥିଲା। ଭାରତ ଉପରେ ଆମେରିକାର ୫୦ ପ୍ରତିଶତ ଟାରିଫ ଲାଗୁ ପରିପ୍ରେକ୍ଷୀରେ ଏହି ଆଲୋଚନା ଗୁରୁତ୍ବପୂର୍ଣ୍ଣ ହେବ। ଏସସିଓର ମୋଟ ସଦସ୍ୟ ସଂଖ୍ୟା ରହିଛି ୯। ସେମାନେ ହେଲେ ଚୀନ, ଭାରତ, କାଜାକସ୍ତାନ, କିରଗୀଜସ୍ତାନ, ପାକିସ୍ତାନ, ରୁଷ, ତାଜିକିସ୍ତାନ, ଉଜବେକିସ୍ତାନ ଓ ଇରାନ। ଏହାକୁ ୨୦୦୧ରେ ପ୍ରତିଷ୍ଠା କରାଯାଇଥିଲା।
କ୍ୟାନସର ଚିକିତ୍ସାରେ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୁନି ଝିଅର ଚିଠି…
ନନ୍ଦିଘୋଷ ବ୍ୟୁରୋ: ମୁଁ ପାଠ ପଢିବି, ସ୍କୁଲ ଯିବି । ପୁଣି ପିଲାଙ୍କ ସହ ମିଶି ଖେଳିବି । ମୋତେ ବଞ୍ଚାଇ ଦିଅ ସରକାର । ଆଖିର ଲୁହକୁ ଅକ୍ଷରରେ ସଜାଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଟିଏ ଲେଖିଛି କୁନିଝିଅ ଚିନ୍ମୟୀ । ସେ କର୍କଟ ରୋକରେ ପୀଡିତ । ଗରିବ ପରିବାର ତା ଚିକିତ୍ସା ପାଇଁ ସମ୍ବଳ ଯୋଗାଡ କରିବାରେ ସକ୍ଷମ ହେଉନି । ଆୟୁଷ୍ମାନ କାର୍ଡରୁ ଟଙ୍କା ବି ସରିବାକୁ ବସିଲାଣି । ଏବେ ସରକାରୀ ସହାୟତା ହିଁ ଏକମାତ୍ର ଭରସା । ଏହି ରୋଗର ଚିକିତ୍ସା ପାଇଁ ଏବେ ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବଦେନ କରିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର ନହଙ୍ଗ ଗାଁର ନବମ ଶ୍ରେଣୀ ଛାତ୍ରୀ ଚିନ୍ମୟୀ ସାହୁ । ସେ ମେଧାବୀ । ପାଠ ଯେମିତି, ଖେଳ କୁଦରେ ବି ସେମିତି। ସହପାଠୀଙ୍କ ଠୁ ଶିକ୍ଷକ ପର୍ଯ୍ୟନ୍ତ, ସମସ୍ତଙ୍କ ପ୍ରିୟ ସେ । ତାଙ୍କ ଦେହ ଏବେ ଗୁରୁତର ହୋଇପଡ଼ିଛି । ଡାକ୍ତରଖାନାରେ ଚିକିତ୍ସା ପରେ, ସେ କର୍କଟ ରୋଗରେ ପୀଡିତ ଥିବା ଜଣାପଡିଛି । ସେହି ଦିନଠାରୁ ତାଙ୍କ ପାଠ ପଢାରେ ଡୋରି ପଡିଛି । ତେବେ ଚିନ୍ମୟୀଙ୍କ ଚିକତ୍ସା ପାଇଁ ଏବେ ସରକାରଙ୍କ ସହାୟତା ଏକ ମାତ୍ର ଭରସା ପାଲଟିଛି । …
ଚିକିତ୍ସା ପାଇଁ ପ୍ରଥମେ କଟକ, ଏବେ କିମ୍ସ ହସ୍ପିଟାଲ। ସରକାରଙ୍କ ଆୟୁଷ୍ମାନ କାର୍ଡରେ ଯେତିକି ଟଙ୍କା ଥିଲା ସେତକ ସରିଗଲାଣି । ଧାର କରଜ କରିସାରିବା ପରେ ନିଜ ସୁନା ଗହଣା ବି ବିକ୍ରି କରିସାରିଲେଣି ପରିବାର ଲୋକେ । ଏବେ ସେମାନେ ସର୍ବସ୍ବାନ୍ତ । ବାହାର ରାଜ୍ୟରେ କାମ କରି ଘରର ଗୁଜୁରାଣ ମେଣ୍ଟାଇବା ବି ତାଙ୍କ ବାପାଙ୍କ ପାଇଁ ସକ୍ଷମ ହେଉନି । ଏଭଳି କ୍ଷେତ୍ରରେ ଚିକିତ୍ସା ଅର୍ଥ କିଭଳି ଯୋଗାଡ କରିବେ ସେହି ଚିନ୍ତାରେ ପରିବାର । ଏହାରି ଭିତରେ ଚିନ୍ମୟୀ ନିଜ ମନକୁ ଦୃଢ଼ କରିଛନ୍ତି । ନିଜ ଜୀବନ ବଞ୍ଚାଇବାକୁ ଯାଇ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି, ଜୀବନ ଭିକ୍ଷା କରିଛନ୍ତି।….

