spot_img
Home Blog Page 4707

ରାଜ୍ୟରେ ପୁଣି ଉପରମୁହାଁ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୨୭୦୩ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ନୂଆବର୍ଷ ପରଠାରୁ ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୭୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୧୫୭୯ ଚିହ୍ନଟ ହୋଇଥିବାବେଳେ ଲୋକାଲରୁ ୧୧୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୦ ରୁ ୧୮ ବର୍ଷ ବୟସର ୪୦୯ ଜଣ ସଂକ୍ରମିତ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ ୫ ଜିଲ୍ଲାରେ ଶହେ ଉପରେ ସଂକ୍ରମଣ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୯୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରେ ୪୫୪, କଟକରେ ୧୯୧, ସମ୍ବଲପୁରରେ ୧୭୯, ଝାରସୁଗୁଡାରେ ୧୦୬ ଓ ଷ୍ଟେଟପୁଲରୁ ୨୧୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୭୮, ବରଗଡ଼ରୁ ୭୫, ବାଲେଶ୍ବରରୁ ୭୩, ବଲାଙ୍ଗୀର ଓ ପୁରୀରୁ ୫୪ଜଣ ଲେଖାଏଁ, ମୟୂରଭଞ୍ଜରୁ ୪୨, ଦେବଗଡ଼ରୁ ୩୭, କେନ୍ଦୁଝରରୁ ୩୩, ନବରଙ୍ଗପୁରରୁ ୨୯, ଗଞ୍ଜାମରୁ ୨୭, ରାୟଗଡ଼ାରୁ ୨୨, କୋରାପୁଟରୁ ୧୯, ଜଗତସିଂହପୁର ଓ କଳାହାଣ୍ଡିରୁ ୧୩ଜଣ ଲେଖାଏଁ, ନୂଆପଡା ଓ ସୋନପୁରରୁ ୧୦ଜଣ ଲେଖାଏଁ, ଗଜପତିରୁ ୯, ଅନୁଗୁଳ ଓ ବୌଦ୍ଧରୁ ୭ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା ଓ ନୟାଗଡ଼ରୁ ୬ଜଣ ଲେଖାଏଁ, ଭଦ୍ରକରୁ ୫, ଢେଙ୍କାନାଳ ଓ କନ୍ଧମାଳରୁ ୩ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମାଲକାନଗିରିରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ଗତ ୨୪ଘଣ୍ଟାରେ ୨୦୪ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ୮୨୩୭ ରହିଛି ।

ସେହିପରି ଯଦି ଟିକାକରଣ କଥା କହିବା ତାହାଲେ ରାଜ୍ୟରେ ବର୍ତ୍ତମାନ ୨ ହଜାର ୩୨୦ କେନ୍ଦ୍ରରେ ଟିକାକରଣ ଚାଲିଛି । ଏଥିମଧ୍ୟରୁ ୧୧ ଶହ ୯୧ଟି କେନ୍ଦ୍ରରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକା ଦିଆଯାଉଛି । ଏ ବର୍ଗର ୩ ଲକ୍ଷ ୪୨ ହଜାର ୨୩୨ ଜଣଙ୍କୁ ଟିକା ଦିଆସରିଲାଣି । ପ୍ରଥମ ଡୋଜ ଟିକା କଥା ଯଦି କହିବା ତାହାଲେ ବର୍ତ୍ତମାନ ସୁଦ୍ଧା ୯୧ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଛି । ସେଥି ମଧ୍ୟରୁ ଦ୍ଵିତୀୟ ଡୋଜ ନେବା ପାଇଁ ସମୟ ହୋଇଥିବା ଲୋକଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକ ନେଇ ସାରିଛନ୍ତି । ଅନ୍ୟପକ୍ଷରେ ଆସନ୍ତା ୧୦ ତାରିଖରେ ଆରମ୍ଭ ହେବ ବୁଷ୍ଟର ଡୋଜ । ସମ୍ମୁଖ ଯୋଦ୍ଧା, ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଦିଆଯିବ ପ୍ରିକସନ ଡୋଜ ।

ଆହୁରି ବଢ଼ିବ ସଂକ୍ରମଣ

ଅନ୍ୟ ରାଜ୍ୟ ଗୁଡିକର ସ୍ଥିତିକୁ ଦେଖିଲେ ସ୍ପଷ୍ଟ ଯେ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି । ମାତ୍ର କହି ହେବନି ଯେ ଏହା କେବେ ପିକ ନେବ । ଯେବେ ଗୋଟିଏ ଲହର ଆସେ ବଢେ, କିଛିଦିନ ରହେ ଓ ତା ପରେ ତଳକୁ ଖସେ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରି କହିଛନ୍ତି, ‘କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ସଂକ୍ରମଣ ବଢୁଥିବା ବା ସମ୍ବେଦନଶୀଳ ସ୍ଥାନ ଗୁଡିକ ଉପରେ ରାଜ୍ୟ ସର୍ଭିଲାନ୍ସ ଟିମ ନଜର ରଖିଛନ୍ତି । ଖୋର୍ଦ୍ଧା, ସୁନ୍ଦରଗଡ, ସମ୍ବଲପୁରରେ ସଂକ୍ରମଣ ବଢୁଛି । ମାତ୍ର ଆମେ ସବୁ ଜିଲ୍ଲାଗୁଡିକୁ ସମ୍ବେଦନଶୀଳ ଭାବେ ନେଇ କାମ କରୁଛୁ । ରାଜ୍ୟର ଟ୍ରାନ୍ସମିସନ ରେଟ ବହୁତ ହାଇ ରହିଛି । ଆଗକୁ ନିଶ୍ଚିତ ଆହୁରି ଅଧିକ କେସ ଆସିବ ଓ ସବୁ ବର୍ଗରେ ସଂକ୍ରମଣ ବଢ଼ିବ । ମେଡିକାଲରେ ବେଡ଼ ବହୁତ ଫାଙ୍କା ରହିଛି । ତଥାପି ଆମେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରୁଛୁ । ରାଜ୍ୟର ପ୍ରତ୍ୟେକ ସ୍ଥାନରେ ବ୍ଲକରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ କଣ୍ଟ୍ରୋଲ ରୁମ ଖୋଲା ରହିଛି ।’

ବାତିଲ ହେଲା ଭିସୁଟ୍ ଅଫଲାଇନ୍ ପରୀକ୍ଷା

ସମ୍ବଲପୁର: ବୁର୍ଲା ଭିସୁଟରେ ବାତିଲ ହେଲା ଅଫଲାଇନ ପରୀକ୍ଷା ଓ ପାଠପଢା | କ୍ୟାମ୍ପସ ଛାଡିଲେ ଛାତ୍ରଛାତ୍ରୀ । ଭିସୁଟରେ ଲଗାତାର ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୦ ତାରିଖ ଯାଏଁ ସମସ୍ତ ଅଫଲାଇନ କ୍ଲାସ ବାତିଲ କରାଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଓମିକ୍ରନ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଯଦିଓ ରାଜ୍ୟରେ ଓମିକ୍ରନ ସଂକ୍ରମଣ ସେମିତି ହୋଇନାହିଁ, ହେଲେ ଅନ୍ୟ ରାଜ୍ୟରେ ଏହାର ହାରକୁ ଦେଖି ରାଜ୍ୟ ସରକାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି ।

ଓମିକ୍ରନ୍ ଆକ୍ରାନ୍ତ ହେଲେ ବଦଳି ଯିବ ଓଠର ରଙ୍ଗ

ନୂଆଦିଲ୍ଲୀ: ଦିନକୁ ଦିନ ଆହୁର ଭୟଙ୍କର ହେଉଛି କରୋନା । ବିଭିନ୍ନ ଭାରିଆଣ୍ଟର ରୂପ ନେଇ ଲୋକଙ୍କୁ କରୁଛି ସଂକ୍ରମଣ । ବର୍ତ୍ତମାନ ଭାରତରେ ଓମିକ୍ରନ ଭାରିଆଣ୍ଟକୁ ନେଇ କୋକୁଆ ଭୟ । ଓମିକ୍ରନର କିଛି ଲକ୍ଷଣ ସାମ୍ନାକୁ ଆସିଥିଲା । ଏବେ ଆସିଛି ଆଉ କିଛି ନୂଆ ଲକ୍ଷଣ । ଶରୀରର ରଙ୍ଗରୁ ଜାଣି ହେବ ଆପଣ ଓମିକ୍ରନ ଆକ୍ରାନ୍ତ କି ନୁହେଁ । ଓଠ, ଚର୍ମ ଓ ନଖରୁ ମିଳିବ କରୋନା ସଂକ୍ରମଣର ସୂଚନା ।

ଆମେରିକାରର ଡାକ୍ତରଙ୍କ କହିବା ଅନୁଯାୟୀ, ଯଦି ଓଠ, ଚର୍ମ ଓ ନଖର ରଙ୍ଗ ବଦଳି ଧୂସର ହୋଇଯାଉଛି ତେବେ ଏହା ଓମିକ୍ରନ୍ ସଂକ୍ରମଣର ସଙ୍କେତ ହୋଇପାରେ । ଡାକ୍ତରୀ ଟଇମ୍ ଏହାକୁ ଏମର୍ଜେନ୍ସି ୱାର୍ଣ୍ଣିଂ ସାଇନ ବୋଲି କହିଛନ୍ତି । ଆମେରିକା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ରଙ୍ଗ ପରିବର୍ତ୍ତନକୁ ତତ୍କାଳ ମେଡିକାଲ ଆଟେନସନର ଆବଶ୍ୟକତା ବୋଲି କହିଛନ୍ତି ।

ମହାମାରୀ ଆରମ୍ଭ ହେବା ପରଠାରୁ ଆମେରିକାର ସ୍ବାସ୍ଥ୍ୟ ମୁଖ୍ୟ ମଧ୍ୟ ଏହି ଲକ୍ଷଣଗୁଡିକୁ ଏମେର୍ଜେନ୍ସି ମେଡିକାଲର ଆବଶ୍ୟକତା ବୋଲି କହିଥିଲେ । ତେବେ ଓମିକ୍ରନ ମାମଲାରେ ଏଭଳି ଲକ୍ଷଣ ଚିହ୍ନଟ କରାଯାଇଛି ।

ସିଡିଏସ କୋଭିଡ ପାଇଁ ୧୧ ଲକ୍ଷଣ ଚିହ୍ନଟ କରିଛନ୍ତି ଯେଉଁଥିରେ ମୁଣ୍ଡବିନ୍ଧା, ଗଳାରେ ଯନ୍ତ୍ରଣା, ଅସହଜ ଆଦି ସାମିଲ । ଅପରପକ୍ଷରେ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ସେବା (NHS) ମଧ୍ୟ ୩ଟି ଲକ୍ଷଣ ଚେତାବନୀର ଘଣ୍ଟି ବୋଲି କହିଛି। ଏହି ସଂକେତଗୁଡିକ ହେଲା ଜ୍ବର, ଲଗାତାର କାଶ, ସ୍ବାଦ ଓ ଗନ୍ଧ ବାରି ନ ପାରିବା। ଓଠ, ଚର୍ମ ଓ ନଖର ରଙ୍ଗ ପରିବର୍ତ୍ତନକୁ ଏନଏଚଏସ ୱାର୍ଣ୍ଣିଂ ସାଇନ ବୋଲି ମାନୁନାହିଁ । କିନ୍ତୁ ରିପୋର୍ଟରେ କୁହାଯାଇଛି ଯେ, ଯଦି ଶିଶୁଙ୍କ ଓଠ, ଚର୍ମ ଓ ନଖର ରଙ୍ଗ ଧୂସର, ନୀଳ ବା ଗ୍ରେ ହୋଇଯାଉଛି ତାହେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ ।

ଲଣ୍ଡନ କିଙ୍ଗ୍ସ କଲେଜର ରିସର୍ଚ୍ଚର ନିଜ ବିଶ୍ଳେଷଣ ଆଧାରରେ ଜାଣିବାକୁ ପାଇଛନ୍ତି ଯେ ଭ୍ୟାକସିନ ନେଇଥିବା ଲୋକଙ୍କ ମଧ୍ୟରେ ସାଧାରଣତଃ ସାମାନ୍ୟ ଲକ୍ଷଣ ଦେଖାଦେଉଛି । ଏଗୁଡିକ ହେଲା ଛିଙ୍କ, ମୁଣ୍ଡବିନ୍ଧା, ଥଣ୍ଡା, ସ୍ବାଦ ବାରି ନ ପାରିବା, ଜ୍ବର ହେବା, ଗଳାରେ ଯନ୍ତ୍ରଣା ଇତ୍ୟାଦି। ଅପରପକ୍ଷରେ ନଖର ରଙ୍ଗ ବଦଳିବା ଆଇରନ ଅଭାବର ସଂକେତ ମଧ୍ୟ ହୋଇଥାଏ । ନଖର ରଙ୍ଗ ଗ୍ରେ ହେବା ଅର୍ଥ ଉକ୍ତ ବ୍ୟକ୍ତିଙ୍କ ଶରୀରର ପ୍ରମୁଖ ଅଙ୍ଗରେ ଅକ୍ସିଜେନ ଅଭାବ ରହିଛି । ଚର୍ମ ଓ ଓଠ ଗ୍ରେ ହେବାର ଅର୍ଥ ଶରୀରରେ ରକ୍ତ ସଂଚାଳନ ଠିକ ଭାବେ ହେଉନାହିଁ ଏବଂ ଅକ୍ସିଜେନ ସପ୍ଲାଏ ମଧ୍ୟ ଠିକ ଭାବେ ହେଉନାହିଁ । ଏହାଦ୍ବାରା ଶ୍ବାସ ରୋଗ, ନିମୋନିଆ ଓ ହୃଦରୋଗର ବିପଦ ରହିଛି ।

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କରୋନା

ଭୁବନେଶ୍ବର: ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ କରୋନା । ଟ୍ବିଟ୍ କରି ଆକ୍ରାନ୍ତ ହୋଇଥିବା ସୂଚନା ଦେଲେ ମନ୍ତ୍ରୀ । ଲକ୍ଷଣବିହୀନ କୋଭିଡ ଆକ୍ରାନ୍ତ ହୋଇଥିବା ସେ ଜଣାଇଛନ୍ତି । ଏବେ ସେ ହୋମ୍ ଆଇସୋଲେସନରେ ଅଛନ୍ତି । ଗତ ୩ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ନିଜକୁ ଆଇସୋଲେଟ୍ କରନ୍ତୁ ଏବଂ କୋଭିଡ ଟେଷ୍ଟ କରାଇନିଅନ୍ତୁ ବୋଲି ଟ୍ବିଟ୍ କରି ଜଣାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଦେଶରେ ଲକ୍ଷେ ଟପିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: କଲବଲ କରୁଛି କରୋନା ଭୂତାଣୁ । ମାଡ଼ି ମାଡ଼ି ଚାଲିଛି । ଲୋକଙ୍କ ପାଖରୁ ଲୋକଙ୍କ ପାଖକୁ ଡେଉଁଛି । ଦେଶରେ ଲକ୍ଷେ ଟପିଛି ଦୈନିକ ସଂକ୍ରମଣ । ଦିନକରେ ଏକ ଲକ୍ଷ ୧୭ ହଜାର ଶହେ ପିଜିଟିଭ ଚିହ୍ନଟ ହୋଇଛନ୍ତି । ୩୦୨ ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର କରୋନା । ୩୦ ହଜାର ୮୩୬ ସଂକ୍ରମିତ ସୁସ୍ଥ ହୋଇଥିବା ସୂଚନା ମିଳିଛି ।

ଦେଶର ଦୈନିକ ପିଜିଟିଭିଟି ୭.୭୪ ପ୍ରତିଶତ ରହିଛି । କରୋନା ଆକ୍ଟିଭ କେସ୍ ୩ ଲକ୍ଷ ୭୧ ହଜାର ୩୬୩ ଥିବା ବେଳେ ମୋଟ୍ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୩ ହଜାର ୧୭୮ । ଏପଟେ ଜୋରସୋରରେ ଚାଲିଛି ଟିକାକରଣ  । ୧୪୯.୬୬ କୋଟି ଟିକାକରଣ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୭କୁ ବୃଦ୍ଧି ପାଇଛି । ୧୧୯୯ ଜଣ ଓମିକ୍ରନରୁ ସୁସ୍ଥ ହୋଇଥିବା ସୂଚନା ମିଳିଛି । ମହାରାଷ୍ଟ୍ରରୁ ସର୍ବାଧିକ ୮୭୬ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସୁସ୍ଥ ହେଲେଣି ୩୮୨ ଓମିକ୍ରନ ଆକ୍ରାନ୍ତ ।

ସରିଲା ଶିଶିର ସରସ ମେଳା

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ ତରଫରୁ ଆୟୋଜିତ ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଶିଶିର ସରସ ଉଦଯାପିତ ହୋଇଯାଇଛି । ମେଳାରେ ମୋଟ ୮ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି । ୨୨ଟି ରାଜ୍ୟର ଗ୍ରାମୀଣ କାରିଗରଙ୍କ ସହ ଓଡ଼ିଶାର ସମସ୍ତ ଜିଲ୍ଲାର ସ୍ବୟଂ ସହାୟିକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନେ ଅଂଶଗ୍ରହଣ କରି ହାତ ତିଆରି ଜିନିଷ ବିକ୍ରି କରିଥିଲେ । ଚଳିତବର୍ଷ ମେଳାରେ ମୋଟ ୩୦୦ଟି ଷ୍ଟଲ ଖୋଲିଥିଲା । ଶେଷ ଦିନରେ ମୋଟ ୯ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି । ମେଳାରେ କୋଭିଡ ନିୟମାବଳୀ କଡ଼ାକଡ଼ି କରାଯିବା ସହ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସୁରକ୍ଷାକର୍ମୀ ଓ ପୋଲିସ ନିୟୋଜିତ ହୋଇଥିଲେ ।

ଘର ମରାମତି ପାଇଁ ୩ ହଜାର ଟଙ୍କା ଦେବେ ସରକାର

ଭୁବନେଶ୍ବର: ସରକାର ଦେବେ ଟଙ୍କା । ଲୋକେ କରିବେ ଘର ମରାମତି । ବିଜୁ ପକ୍କା ଘର ପାଇଥିବା ଓ ପାଇନଥିବା ଯୋଗ୍ୟ ପରିବାରଙ୍କ ପାଇଁ ରାଜ୍ୟ ସରକାର ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ପକ୍କା ଘର ପାଇଥିବା ପ୍ରତ୍ୟେକ ପରିବାରଙ୍କୁ ୩ ହଜାର ଟଙ୍କାର ଘର ମରାମତି ସହାୟତା ଦେବେ ସରକାର । ଆଜି ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏଥିପାଇଁ ସରକାର ୧ ହଜାର ୪୪୪ କୋଟି ଟଙ୍କା ଖର୍ଚ୍ଚ କରିବେ । ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଯିବ ଏହି ସହାୟତା ଟଙ୍କା । ଏହାଦ୍ବାରା ଉପକୃତ ହେବେ ରାଜ୍ୟର ୩୦ ଲକ୍ଷ ପରିବାର । ଗତ ୨୧ ତାରିଖରେ ହୋଇଥିବା କ୍ୟାବିନେଟ୍ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା । ବିଜୁ ପକ୍କା ଘର ପାଇଥିବା ହିତାଧିକାରୀଙ୍କୁ ଘର ମରାମତି ପାଇଁ ୩ ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା ପରେ ସବୁଠି ଖୁସିର ଲହରୀ ଖେଳିଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ହିତାଧିକାରୀ ।

ଘର ଭିତରେ ତପସ୍ବିନୀ, ବାହାରେ ଶ୍ବଶୁର

ବ୍ରହ୍ମପୁର: ବ୍ରହ୍ମପୁର ବ୍ରହ୍ମାନଗରର ଚର୍ଚ୍ଚିତ ସୁମିତ ତପସ୍ବିନୀଙ୍କ ପାରିବାରିକ ବିବାଦରେ ନୂଆ ଟ୍ବିଷ୍ଟ । ତପସ୍ବିନୀଙ୍କ ଘର ପ୍ରବେଶ ପରେ ରାତି ଅଧରେ ଘର ଛାଡ଼ି ରାତିରେ ବାହାରେ ବୁଲିଲେ ଶ୍ବଶୁର କୁମାର ସାହୁ । ଆଣିଲେ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ।

ରାତିରେ ରାସ୍ତାରେ ବୁଲିବା ସହ ଭିଡିଓ ଜାରି କହି ଅସହାୟତା ପ୍ରକାଶ କଲେ ପ୍ରମୋଦ । କହିଲେ-ପ୍ରଶାସନିକ ଅଧିକାରୀ ବେଆଇନ୍ ଭାବେ ବୋହୂକୁ ଘରେ ପ୍ରବେଶ କରାଇଛନ୍ତି । କୋର୍ଟଙ୍କ ରାୟକୁ ନେଇ ଦ୍ବନ୍ଦରେ ଥିଲି । ବୁଝିବାକୁ ଚେଷ୍ଟା କରିଥିଲି । ହେଲେ ସେମାନେ ଇଚ୍ଛା ବିରୋଧରେ ତପସ୍ପିନୀଙ୍କୁ ଘରେ ପୁରାଇଛନ୍ତି ।

ସେ ଆହୁରି କହିଛନ୍ତି, ‘ନିଜକୁ ସୁରକ୍ଷିତ ନମଣି ଅଧରାତିରେ ଘର ଛାଡ଼ି ପଳାଇ ଆସିଛି । ପୂର୍ବରୁ ମୋ ବୋହୂ ମୋ ନାଁରେ ଓ ମୋ ପରିବାର ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି । ଏଥିପାଇଁ ମୁଁ ଅତ୍ୟନ୍ତ ଭୟଭୀତ ହୋଇ ଘର ଛାଡ଼ି ପଳାଇ ଆସିଛି । ପରବର୍ତ୍ତୀ ସମୟରେ ମୁଁ ଘରକୁ ଫେରିବିନି ।’

ପୁଣି ହେବ ବର୍ଷା, ଭିଜିବ ଉପାନ୍ତରୁ ଉପକୂଳ 

ଭୁବନେଶ୍ବର: ପୁଣି ଭିଜିବ ଓଡ଼ିଶା । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଉପାନ୍ତରୁ ଉପକୂଳ ସବୁଠି ହେବ ବର୍ଷା  । ଏକ ଘନୀଭୂତ ପଶ୍ଚିମା ଝଡ ଆଜିଠୁ ଅଧିକ ଘନୀଭୁତ ହୋଇ ଉତ୍ତର ପଶ୍ଚିମ ରାଜସ୍ଥାନ ତଥା ତାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ରୂପ ନେବ । ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖରୁ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।

ବିଶେଷ କରି ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ଦେବଗଡ, ସମ୍ବଲପୁର, ବରଗଡ, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି  ଏବଂ ନବରଙ୍ଗପୁରରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏହାସହ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୧ ତାରିଖରୁ ୧୪ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ ।

ଅନ୍ୟପଟେ ଓଡିଶାକୁ ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ଣ ପବନ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବାରୁ ତାପମାତ୍ରା ବୃଦ୍ଧି ପାଉଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡି ପାଇଁ ୪ଟି ଜିଲ୍ଲା କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟକୁ ୟେଲୋ ଆଲର୍ଟ ଜାରି ହୋଇଛି । କୁହୁଡି ପାଇଁ ଗାଡିଚାଳକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ

ଭୁବନେଶ୍ବର: ରାଜ୍ୟରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ହେବାକୁ ଯାଉଛି । ବିଶେଷ କରି ଭୁବନେଶ୍ବରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଥିବାରୁ ଗାଇଡଲାଇନ୍ ଜାରି କରିଛି ବିଏମସି । ବିମାନରେ ଭୁବନେଶ୍ବର ଆସୁଥିବା ସମସ୍ତ ଯାତ୍ରୀଙ୍କର ଆଜିଠୁ ଆରଟିପିସିଆର୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ବିଏମସି ପକ୍ଷରୁ ସମସ୍ତ ଯାତ୍ରୀଙ୍କ ଆରଟିପିସିଆର୍ ଟେଷ୍ଟ କରାଯିବ । ଯାତ୍ରୀମାନେ ଡବଲ ଡୋଜ ଟିକା ନେଇଥିଲେ ବା ନେଗେଟିଭ ରିପୋର୍ଟ ଥିଲେ ମଧ୍ୟ ସେମାନଙ୍କର ଆର୍ଟିପିସିଆର୍ ଟେଷ୍ଟ କରାଯିବ। ରିପୋର୍ଟ ଆସିବା ପର୍ଯ୍ୟନ୍ତ ଯାତ୍ରୀମାନେ ହୋମ୍ ଆଇସୋଲେସନରେ ରହିବେ । ଯଦି ରିପୋର୍ଟ ପଜିଟିଭ୍ ଆସେ, ତେବେ ପରବର୍ତ୍ତୀ ସମୟରେ ସମସ୍ତ ନିୟମ ମାନିବାକୁ କୁହାଯାଇଛି ।