spot_img
Home Blog Page 4659

ରାଜ୍ୟରେ ବଦଳିଲା ପାଗ; ବଢ଼ିବ ତାପମାତ୍ରା, କମିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ପୁଣି ବଦଳିଲା ପାଗ । ଅଦିନିଆ ବର୍ଷା ସାଙ୍ଗକୁ ବଢିବ ତାପମାତ୍ରା । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ  ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଗତ ପଶ୍ଚିମାଝଡଠାରୁ ଏହାର ପ୍ରଭାବ କମ୍ ରହିଲେ ବି  ଆସନ୍ତାକାଲି ବିଶେଷ କରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ବର୍ଷାର ପ୍ରକୋପ ଅଧିକ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ପଶ୍ଚିମ ଓଡିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବ ବୋଲି ଆକଳନ କରାଯାଇଛି ।  ଆସନ୍ତାକାଲି ଓ ୨୪ ତାରିଖରେ ବର୍ଷା ବଢିବ । ଏଥିପାଇଁ ୮ ଟି ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କଟକ ଏବଂ କେନ୍ଦ୍ରାପଡା ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ସହ ସ୍ୱାଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ ।

ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ଦଳ ଛାଡ଼ିଲେ ମନୋହର ପାରିକରଙ୍କ ପୁଅ

ପାନାଜୀ: ଗୋଆ ବିଧାନସଭା ପୂର୍ବରୁ ବିଜେପିକୁ ଝଟକା । ବିଜେପି ଛାଡିଲେ ଗୋଆ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର । ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବେ । ଉତ୍ପଳ କହିଛନ୍ତି ଯେ କ୍ଷମତା କିମ୍ବା କୌଣସି ପଦବୀ ପାଇଁ ଲଢ଼ୁନାହିଁ । ପିତାଙ୍କ ମୂଲ୍ୟବୋଧ ପାଇଁ ଲଢ଼ୁଛି, ପୁରୁଣା ବିଜେପି କର୍ମୀମାନେ ମୋ ସହ ଅଛନ୍ତି ବୋଲି କହିଛନ୍ତି ଉତ୍ପଳ ପାରିକର । ଉତ୍ପଳଙ୍କୁ ବିଜେପି ପାନାଜୀ ଆସନ ପାଇଁ ଟିକେଟ୍ ଦେଇନଥିଲା । ଯାହାକୁ ନେଇ ଅସନ୍ତୋଷ ଥିଲେ ଉତ୍ପଳ । ଏହା ପରେ ଆମ୍ ଆଦମୀ ପାର୍ଟି ମଧ୍ୟ ଉତ୍ପଲଙ୍କୁ ଆପ୍ ଟିକେଟରେ ପ୍ରତିଦ୍ୱନ୍ଦିତା କରିବାକୁ ଅଫର ଦେଇଥିଲା ।

ଅନ୍ୟପକ୍ଷରେ ପାରିକରଙ୍କ ପରିବାରକୁ ବିଜେପି ଅବହେଳା କରିଥିବା ଅଭିଯୋଗ ହୋଇଛି । ବିଜେପିର ଏହି ଦିବଙ୍ଗତ ନେତାଙ୍କ ପରିବାରକୁ ଦଳ ପକ୍ଷରୁ କୌଣସି ସମର୍ଥନ ମିଳୁନଥିବା ଅଭିଯୋଗ ହୋଇଛି । ସେପଟେ ୟୁପିରେ ନିର୍ବାଚନୀ ମାହୋଲ ସରଗରମ ହେଲାଣି । କଂଗ୍ରେସ ପକ୍ଷରୁ ମହିଳା ଓ ଯୁବଗୋଷ୍ଠୀଙ୍କ ପାଇଁ ଘୋଷଣା ପତ୍ର ଜାରି ପରେ ବିଜେପି ଓ ସମାଜବାଦୀ ପାର୍ଟି ପାଇଁ ଚିନ୍ତା ବଢିଛି । ବିଜେପି ପକ୍ଷରୁ ଆଜିଠୁ ଘର ଘର ବୁଲି ପ୍ରଚାର ଆରମ୍ଭ ହେବ । ଖୁବ୍‌ଶୀଘ୍ର ବାକିଥିବା ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି  ।

ସୁବର୍ଣ୍ଣପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ମୃତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ମହାନଦୀ ପୋଲ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୋଲେରୋ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଆହତ ହୋଇଥିବା ୫ ଜଣ ଗୁରୁତରଙ୍କୁ ପ୍ରଥମେ ସୋନପୁର ମୁଖ୍ୟ ଚିକିତ୍ସାଳୟ ପରେ ବୁର୍ଲ୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତେ ଉଲୁଣ୍ଡା ବ୍ଲକ ନିମ୍ନା ଗାଁରୁ ବିନିକା ବ୍ଲକ କୌଡ଼ିଆମୁଣ୍ଡା ଗାଁକୁ ବାହାଘର ଭୋଜି ଖାଇବାକୁ ଯାଇଥିଲେ । ଭୋଜି ଖାଇ ରାତି ୧୨.୩୦ରୁ ଗୋଟାଏ ମଧ୍ୟରେ ଫେରିବା ସମୟରେ ମହାନଦୀ ପୋଲ ମଝିରେ ଏହି ଦୁର୍ଘଟଣା ଘଟିଛି ।

ଦୁର୍ଘଟଣାରେ ଗୁରୁତରମାନେ ହେଲେ ପ୍ରମୋଦ ହୋତା, ଅମିତ୍ ବାଘ, ମହାଦେବ ପୁରୋହିତ, ଆଲିଶା ପାଣ୍ଡିଆ ଓ ଓମ୍ ପ୍ରକାଶ ପାଣ୍ଡିଆ ବୋଲି ଜଣାପଡିଛି । ସେହିପରି ମୃତକ ମାନେ ହେଲେ ନିମ୍ନା ଗାଁର ଆଶିଷ ପାଣ୍ଡିଆ, ପ୍ରମୋଦ ପାଣ୍ଡିଆ, ସିଦ୍ଧି ପାଣ୍ଡିଆ, ତ୍ରୟମ୍ବକ ମେହେର ଓ ଶୁଭମ ପାଣ୍ଡିଆ ବୋଲି ଜଣାପଡିଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୩ଜଣ ଥିବା ଜଣାପଡିଛି । ଘଟଣାସ୍ଥଳରେ ସୋନପୁର ପୋଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି ।

ସିରିଜ ହାରିଲା ଭାରତ, ୨-୦ରେ ପୋଛିଲା ଦକ୍ଷିଣ ଆଫ୍ରିକା

କେପଟାଉନ: ଟେଷ୍ଟ ପରେ ଏବେ ଦିନିକିଆ ସିରିଜ୍ ବି ହାତରୁ ଗଲା । ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆରେ ୭ ଓ୍ବିକେଟରେ ପରାସ୍ତ ହୋଇଛି ଟିମ୍‌ ଇଣ୍ଡିଆ । ଟେଷ୍ଟ ସିରିଜ୍‌କୁ ୨-୧ରେ ହାରିବା ପରେ ୩ ଟିକିଆ ଦିନିକିଆ ସିରିଜ୍‌କୁ ୨-୦ରେ ହାରି ସିରିଜ୍‌ ହାତଛଡା କରିଛି ଭାରତ । ଦ୍ବିତୀୟ ଦିନିକିଆରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ ।

ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୨୮୭ ରନ ସଂଗ୍ରହ କରିଥିଲା ଭ୍ରମଣକାରୀ ଦଳ । ଜବାବରେ ଘରୋଇ ଦକ୍ଷିଣ ଆଫ୍ରିକା ୪୮ ଓବର ଗୋଟିଏ ବଲ୍‌ରେ ୩ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ୨୮୮ ରନ ସଂଗ୍ରହ କରିନେଇଛି । ଦଳ ପକ୍ଷରୁ ୨ ଓପନର ଜାନେମନ୍‌ ମଲାନ୍‌ ଏବଂ କ୍ବିଣ୍ଟନ୍‌ ଡି କକ୍‌ ଚମତ୍କାର ଆରମ୍ଭ କରିଥିଲେ । ଡି କକ୍‌ ବ୍ୟକ୍ତିଗତ ଭାବେ ୭୮ ରନ କରି ଆଉଟ ହୋଇଥିବା ବେଳେ ମଲାନ୍‌ ୯୧ ରନ କରି ଆଉଟ ହୋଇଛନ୍ତି ।

ଅଧିନାୟକ ଲୋକେସ ରାହୁଲ ଏବଂ ଋଷଭ ପନ୍ତଙ୍କ ଦମଦାର ଅର୍ଦ୍ଧଶତକ ବଳରେ ସାଉଥ୍‌ ଆଫ୍ରିକାକୁ ବଡ ଟାର୍ଗେଟ୍ ଦେଇଥିଲା ଭାରତ । ଶାର୍ଦ୍ଦୁଲ ଠାକୁରଙ୍କ ଜବରଦସ୍ତ ଇନିଂସ ଦଳ ପାଇଁ ବେଶ୍ ସହାୟକ ହୋଇଥିଲା । ହେଲେ ସାଉଥ ଆଫ୍ରିକା ଚମତ୍କାର ପ୍ରଦର୍ଶନ କରି ମ୍ୟାଚ୍‌କୁ ହାତେଇ ନେଇଛନ୍ତି ।

ମହାତ୍ମାଗାନ୍ଧୀ ମାର୍ଗରେ ହେବ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ୱର: ମହାତ୍ମାଗାନ୍ଧୀ ମାର୍ଗରେ ଚଳିତ ବର୍ଷ କରୋନା କଟକଣା ଭିତରେ ପାଳିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଆସନ୍ତାକାଲି ଅର୍ଥାତ ୨୨ ଓ ୨୩ ତାରିଖ ଦୁଇଦିନ ଧରି ଅଭ୍ୟାସ ପରେଡ୍ ଅନୁଷ୍ଠିତ ହେବ । ଏଥିପାଇଁ ମହାତ୍ମାଗାନ୍ଧୀ ମାର୍ଗ ଓ ଏହାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାଗୁଡିକ ସର୍ବସାଧାରଣ ଯାତାୟାତ ପାଇଁ ବନ୍ଦ ରହିବ । ଆମନ୍ତ୍ରିତ ଅତିଥିମାନଙ୍କ ବ୍ୟତିତ କୌଣସି ପ୍ରକାର ଯାନବାହାନ ଏହି ରାସ୍ତା ଦେଇ ଯାତାୟାତ କରିପାରିବ ନାହିଁ ।

ହାଉସିଂବୋର୍ଡ ଛକ ପଛପଟୁ ରବୀନ୍ଦ ମଣ୍ଡପ ଆଡକୁ ଆସୁଥିବା ସମସ୍ତ ଗାଡି କେଶରୀ ଟକିଜ ବାମପଟ ଗଳି ଦେଇ ଯିବାଆସିବା କରିବେ । ଏଜି ଛକ ପଟୁ ପିଏମଜି ଛକ ଆଡକୁ ଆସୁଥିବା ଗାଡ଼ିଗୁଡିକ ଇଡକଲ ଅଡିଟୋରିୟମ ରାସ୍ତା ଦେଇ ଯିବେ । ୧୨୦ ବାଟାଲିଅନ ପଛପଟୁ ରବୀନ୍ଦ ମଣ୍ଡପ ଆଡକୁ ଆସୁଥିବା ଗାଡିଗୁଡିକ ଏମଏଲଏ କଲୋନୀ ବାମପଟ ଗଳି ଦେଇ ଯାଇପାରିବେ । ସେହିପରି ଜନପଥ ରାସ୍ତାରେ ଆସୁଥିବା ଗାଡି ମହପଥରେ ପ୍ରବେଶ କରିପାରିବେ ନାହିଁ ।

ସକାଳ ୬ଟା ୩୦ ପରେଡ ସରିବା ପର୍ଯ୍ୟନ୍ତ ପିଏମଜି ଏବଂ ମାଷ୍ଟରକ୍ୟାଣ୍ଟିନ ଛକ ଓ ଏହାର ଆଖପାଖ ଅଞ୍ଚଳରେ କେହି ଗ୍ୟାସ ବେଲୁନ୍ ବିକ୍ରି କରିପାରିବେ ନାହିଁ । ଆମନ୍ତ୍ରୀତ ଅତିଥିମାନେ ମଞ୍ଚ ନିକଟରେ ନିର୍ଦ୍ଧାରିତ ପାର୍କିଂ ସ୍ଥାନମାନଙ୍କରେ ଗାଡି ରଖିପାରିବେ ବୋଲି କମିଶନରେଟ୍ ପୋଲିସ୍ ପକ୍ଷରୁ କୁହାଯାଇଛି । ସେହିପରି କେଉଁ ମନ୍ତ୍ରୀ କେଉଁ ସ୍ଥାନରେ ପତାକା ଉତ୍ତୋଳନ କରିବେ ତାହାର ତାଲିକା ମଧ୍ୟ ପ୍ରକାଶ ପାଇଛି  ।

ପୋଲିସ ବାବୁଙ୍କ ପତ୍ନୀଙ୍କୁ ଲୁଟିଲା ସାଇବର ଠକ

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ସାଇବର ଅପରାଧୀ । ସାଇବର ଠକଙ୍କ ଟାର୍ଗେଟରେ ଏବେ ପୋଲିସ ପରିବାର ସଦସ୍ୟ । କ୍ରେଡିଟ କାର୍ଡ ଆକ୍ଟିଭ କରେଇ ଦେବାକୁ କହି ୪୯ ହଜାର ଟଙ୍କା ଚୂନ ଲଗାଇଛି ଠକ  । ସୂଚନା ମୁତାବକ ଠକେଇର ଶିକାର ହୋଇଛନ୍ତି ରାଜ୍ୟ କ୍ରାଇମ ବ୍ୟୁରୋରେ କାର୍ଯ୍ୟରତ ଏଏସଆଇ ବିଜୟ ମହାଳିକଙ୍କ ପତ୍ନୀ ।

ସାଇବର ଠକ ଚାଲରେ ପଡିଯାଇଥିଲେ ପୋଲିସ ଅଧିକାରୀଙ୍କ ପତ୍ନୀ  । କ୍ରେଡିଟ କାର୍ଡ ଆକ୍ଟିଭ କରାଇବା ନେଇ ଏଏସଆଇଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ଯାଇଥିବା ଟଙ୍କା ସମ୍ପର୍କରେ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଛନ୍ତି ।

କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ, ପୁଣି ବ୍ୟାନ ହେଲା ୩୫ଟି ୟୁଟ୍ୟୁବ୍ ଚ୍ୟାନେଲ

ନୂଆଦିଲ୍ଲୀ: ଦେଶରୁ ପୁଣି ବ୍ୟାନ ହେଲା ୩୫ଟି ୟୁଟ୍ୟୁବ୍ ଚ୍ୟାନେଲ  । ଏ ସମସ୍ତ ଚ୍ୟାନେଲକୁ ବନ୍ଦ କଲେ କେନ୍ଦ୍ର ସରକାର । ଦେଶ ବିରୋଧରେ ମିଥ୍ୟା ଓ ଆପତ୍ତିଜନକ ଖବର ପ୍ରସାରଣ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୩୫ଟି ୟୁଟ୍ୟୁବ ଚେନେଲକୁ ବନ୍ଦ କରିଛନ୍ତି ସରକାର । ଏହାସହ ୨ଟି ଟୁଇଟର ଆକାଉଣ୍ଟ, ୨ଟି ଇନଷ୍ଟାଗ୍ରାମ ଆକାଉଣ୍ଟ ସହ ୨ଟି ଓ୍ୱେବସାଇଟ ଓ ଗୋଟିଏ ଫେସବୁକ ଆକାଉଣ୍ଟକୁ ବନ୍ଦ କରିଛନ୍ତି ସରକାର ।

ଦେଶ ବିରୋଧି କାର୍ଯ୍ୟକଳାପ କରୁଥିବା ଏହି ସମସ୍ତ ଚ୍ୟାନେଲ ଗୁଡିକ ବିରୋଧରେ କେନ୍ଦ୍ର ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି  । ଲଗାତାର ଉକ୍ତ କାର୍ଯ୍ୟରେ ଲିପ୍ତ ସଂସ୍ଥାୟ ଗୁଡିକ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଛି  । ତୁରନ୍ତ କେନ୍ଦ୍ର ସରକାର ଏହି ସଂସ୍ଥା ଗୁଡିକୁ ଚିହ୍ନଟ କରିବା ସହ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି  ।

ଆଲବମ ହିରୋଇନ କରିବାକୁ କହି ଦୁଷ୍କର୍ମ କରୁଥିଲେ ରିପୋର୍ଟର !

ଭୁବନେଶ୍ୱର: ପୁଣି ଜଣେ  ୱେବ୍ ଚ୍ୟାନେଲ ରିପୋର୍ଟର ନାଁରେ ସାଙ୍ଘାତିକ ଅଭିଯୋଗ । ଫୁଲବାଣୀରୁ ୨୦୨୦ ଡିସେମ୍ବରରେ ଜଣେ ମହିଳାଙ୍କୁ ଅପହରଣ କରି ଦୀର୍ଘ 8 ମାସ ଧରି ସୁନ୍ଦରପଦାରେ ରଖି ଦୁଷ୍କର୍ମ କରୁଥିଲେ ମିଲନ କଂହର । ଆଲବମ ହିରୋଇନ କରେଇ ଦେବାକୁ ପ୍ରଲୋଭନ ଦେଖାଇ 8 ମାସ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଶାରୀରିକ ସମ୍ପର୍କ ରଖିବା ସହ ଏହାର ଭିଡ଼ିଓ କରି ତାଙ୍କୁ ଅନ୍ୟ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବ୍ଲାକମେଲ କରୁଥିବା ଅଭିଯୋଗ ଆଣିଛନ୍ତି ମହିଳା । କୌଣସି ପ୍ରକାରେ ମିଲନଙ୍କ ଠାରୁ ଖସି ଫୁଲବାଣୀକୁ ଚାଲିଯିବାପରେ ଥାନାରେ ଏତଲା ଦେଇଥିଲେ ମହିଳା । ତେବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।

ଫଳରେ ଫୁଲବାଣୀରୁ ପୁଣି 8 ଦିନ ପୂର୍ବରୁ ମିଲନ କଂହର ବନ୍ଧୁକ ଦେଖାଇ ତାଙ୍କୁ ଅପହରଣ କରି ସମ୍ବଲପୁର ନେଇ ମାରିଦେବାକୁ ଧମକ ଦେଇଥିଲା । ଏନେଇ ପୁଣି ଏୟାର ଫିଲଡ଼ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ମହିଳା କମିଶନଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ପୀଡିତା । ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବାକୁ ସେ ଚେତାବନୀ ଦେଇଛନ୍ତି ।

ବାପାକୁ କାଠ ଫାଳିଆରେ ପିଟି ହତ୍ୟା କଲା ପୁଅ

ସୁନ୍ଦରଗଡ଼: ସଇତାନ ସାଜିଲା ପୁଅ । ବାପାକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛି ପୁଅ । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ ବାଙ୍ଗୁରକେଲା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସେହି ଗାଁର ବୁଧରାମ ମୁଣ୍ଡାରୀ, ବାପା ମଙ୍ଗଳ ମୁଣ୍ଡାରୀଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରିଥିବା ଜଣାପଡିଛି ।

ସୂଚନା ମୁତାବକ ପାରିବାରିକ କଳହରୁ ପୁଅ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି । ପୋଲିସ ଅଭିଯୁକ୍ତ ପୁଅ ଵୁଧରାମ ମୁଣ୍ଡାରୀକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ପୁଣି କେନ୍ଦ୍ରମନ୍ତ୍ରୀଙ୍କ ଗୁଣ୍ଡାଗିରି, ଦୁଇ ଅଧିକାରୀଙ୍କୁ ମାଡ ମାରିଲେ

ବାରପଦା: ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗୁଣ୍ଡାଗିରି ଅଭିଯୋଗ । ମନ୍ତ୍ରୀଙ୍କ ମାଡରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଦୁଇ କର୍ମଚାରୀ ଗୁରୁତର ଆହତ । ସେମାନେ ପିଆରଏମ ମେଡ଼ିକାଲରେ ଭର୍ତି ହୋଇଛନ୍ତି । ଉପ ନିର୍ଦେଶକ ଅଶ୍ୱନି କୁମାର ମଲ୍ଲିକ ଓ ଓ ସହକାରୀ ନିର୍ଦେଶକ ଦେବାଶିଷ ମହାପାତ୍ର ଆହତ ହୋଇଛନ୍ତି ।

ସୂଚନା ମୁତାବକ ଦେବାଶିଷଙ୍କ ବାମ ହାତ ଭାଙ୍ଗି ଯାଇଥିବା ବେଳେ କଟକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ବିଜେପି ପାର୍ଟି ଅଫିସ ମଧ୍ୟରେ କବାଟ ବନ୍ଦ କରି ଚେୟାରରେ ମନ୍ତ୍ରୀ ଆକ୍ରମଣ କରି ହାତ ଭାଙ୍ଗିଦେଇଥିବା ଅଭିୟୋଗ ହୋଇଛି  । ଏହା ସହିତ କେନ୍ଦ୍ରମନ୍ତ୍ରୀ ଜୀବନରୁ ମାରିଦେବା ନେଇ ଧମକ ଦେଇଥିବା ଅଭିଯୋଗ କରିଛନ୍ତି  ।