ପୌର ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆସିବ ପରେ ଜମୁଛି ପ୍ରଚାର

ଭୁବନେଶ୍ୱର: ଖରା ସାଙ୍ଗକୁ ସହରରେ ବଢୁଛି ନିର୍ବାଚନ ତାତି । ପୌର ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆସିବ ପରେ ଏବେ ଆହୁରି ଜମୁଛି ପ୍ରଚାର ମାହୋଲ  । ଭୁବନେଶ୍ୱର ମହାନଗର ନିଗମ ମଇଦାନରେ ଏବେ ୧୨ ମେୟର ଓ ୨୮୯ କର୍ପୋରେଟର ପ୍ରାର୍ଥୀ  । ସେହିପରି କଟକରେ ୧୬ ଜଣ ମେୟର ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି ।

ସାରା ରାଜ୍ୟରେ ଏବେ ୫୬୯ଟି ଅଧ୍ୟକ୍ଷ ଓ ମେୟର ପାଇଁ ପ୍ରାର୍ଥିପତ୍ର କାଏମ ରହିଥିବାବେଳେ ୫ହଜାର ୮୪୨ଟି କାଉନସିଲର ଓ କର୍ପୋରେଟର ପାଇଁ ନାମାଙ୍କନ କାଏମ ରହିଛି  । ଚୂଡାନ୍ତ ତାଲିକା ଆସିବା ପରେ ଏବେ ପ୍ରଚାର ମଇଦାନରେ ଚାଲିଛି ଜୋରଦାର କସରତ । ବିଏମସି ଓ ସିଏମସି ଦଖଲ କରିବାକୁ ସବୁ ଦଳ କରିଛନ୍ତି ସ୍ବତନ୍ତ୍ର ରଣନୀତି  । ନିଜ ନିଜ ଦଳର ପ୍ରର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ହେଭିୱେଟ  ।

ଜିଲ୍ଲାପରିଷଦ ପରି ସବୁ ପୌର ପରିଷଦ ମଧ୍ୟ ବିଜେଡି ଦଖଲ କରିବାକୁ ଦୃଢୋକ୍ତି କରିଛି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓ ବିକାଶମୂଳକ କାର୍ଯ୍ୟକ୍ରମକୁ ରାଜ୍ୟବାସୀ ଗ୍ରହଣ କରିଛନ୍ତି  । ଜିଲ୍ଲାର ସବୁ ପୌର ପରିଷଦରେ ଦଳ ବାଜିମାତ୍ କରିବ ବୋଲି ବିଜେଡି କହିଛି । ସେପଟେ ନିର୍ବାଚନ ପୂର୍ବରୁ ହାତ ଟେକିଦେଇଛି କଂଗ୍ରେସ  । ବିଜେପିରେ ଦଳୀୟ ଅସନ୍ତୋଷ ମଧ୍ୟ ତୀବ୍ର ରହିଛି  ।