ଏମଏସପି ଗ୍ୟାରେଣ୍ଟି ଓ ଅନ୍ୟାନ୍ୟ ଦାବିରେ ଆନ୍ଦୋଳନକୁ ଓହ୍ଲାଇପାରନ୍ତି ଚାଷୀ

ନୂଆଦିଲ୍ଲୀ: ପୁଣି ଦେଶ ଦେଖିବ ବଡ଼ ଧରଣର ଚାଷୀ ଆନ୍ଦୋଳନ । ଏମଏସପି ଗ୍ୟାରେଣ୍ଟି ଓ ଅନ୍ୟାନ୍ୟ ଦାବିକୁ ନେଇ ଦେଶବ୍ୟାପୀ ଅଭିଯାନ ଆରମ୍ଭ ହେବ ବୋଲି ଘୋଷଣା କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ନୂଆଦିଲ୍ଲୀରେ ବସିଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଏପ୍ରିଲ ୧୧ରୁ ୧୭ ଯାଏଁ ପାଳନ ହେବ ଏମଏସପି ଆଇନ ଗ୍ୟାରେଣ୍ଟି ସପ୍ତାହ । ଏହି ସପ୍ତାହ ପାଳନ ଅବସରରେ ଧାରଣା, ବିକ୍ଷୋଭ, ସେମିନାର ଆୟୋଜିତ ହେବ ।

ସ୍ୱାମୀନାଥନ କମିଶନର ସୁପାରିସ ଅନୁସାରେ, ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ଗ୍ୟାରେଣ୍ଟି ପ୍ରଦାନ ଏହି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ହେବ । ଉତ୍ତରପ୍ରଦେଶ ଲଖିମପୁର ଖେରି ଘଟଣାରେ ପ୍ରକୃତ ଦୋଷୀଙ୍କୁ ଘଣ୍ଟ ଘୋଡାଇ ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ପ୍ରତିବାଦରେ ମାର୍ଚ୍ଚ ୨୧ରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଲଖିମପୁର ଖେରି ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କୁ ଜାମିନ ମିଳିଥିବା ବେଳେ ନିରୀହ ଚାଷୀମାନେ ଏବେ ବି ଜେଲରେ ଥିବାରୁ ମୋର୍ଚ୍ଚା କ୍ଷୋଭ ପ୍ରକାଶ କରିଛି ।

ସେହିପରି  ଆନ୍ଦୋଳନ ସମୟରେ ଚାଷୀଙ୍କ ବିରୋଧରେ ହୋଇଥିବା ମାମଲାକୁ ଦିଲ୍ଲୀ ପୋଲିସ ସମେତ ଅନେକ ରାଜ୍ୟ ପ୍ରତ୍ୟାହାର କରି ନଥିବାରୁ ତାତିଛି ମୋର୍ଚ୍ଚା । ମାର୍ଚ୍ଚ ୨୮ ଓ ୨୯ରେ ବିଭିନ୍ନ ଟ୍ରେଡ ୟୁନିଅନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦକୁ ମଧ୍ୟ ସଂଯୁକ୍ତ କିଷାନ ମୋର୍ଚ୍ଚା ସମର୍ଥନ କରିଛି । ଏବଂ ବୈଠକରେ ଦେଶର ପ୍ରାୟ ସମସ୍ତ ରାଜ୍ୟର ପ୍ରତିନିଧି ଯୋଗ ଦେଇଥିଲେ ।