spot_img
Home Blog Page 4634

ଏବେ ସମସ୍ତ ପରିଚୟ ପତ୍ର ପାଇଁ ହେବ ଗୋଟିଏ ଡିଜିଟାଲ୍ ID

ନୂଆଦିଲ୍ଲୀ: ସମସ୍ତ ପ୍ରକାର ପରିଚୟ ପତ୍ର ପାଇଁ ରହିବ ଗୋଟିଏ ଡିଜିଟାଲ୍ ୟୁନିକ୍ ଆଇଡି । ଏହା ଉପରେ ବିଜ୍ଞାନ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ କାମ କରୁଛି । ମନ୍ତ୍ରଣାଳୟ ଫେଡରେଟେଡ୍ ଡିଜିଟାଲ୍ ଆଇଡେଣ୍ଟିଟ୍ ପ୍ରକଳ୍ପ ନେଇ ପ୍ରସ୍ତାବ ଦେଇଛି । ତଦନୁସାରେ, ନାଗରିକଙ୍କ ସମସ୍ତ ପରିଚୟ ପତ୍ରକୁ ଅନ୍ୟ ଆଇଡି ସହ ଯୋଡ଼ା ଯିବ । ଏହା ଏକ ଡିଜିଟାଲ୍ ଆଇଡି ଜରିଆରେ ହୋଇପାରିବ । ଏଥିରେ ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ଆଧାର ଓ ପ୍ୟାନ କାର୍ଡକୁ ଲିଙ୍କ୍ କରାଯାଇପାରେ ।

ରିପୋର୍ଟ ଅନୁସାରେ, ଅମ୍ବ୍ରେଲା ଡିଜିଟାଲ୍ ଆଇଡି ନାଗରିକଙ୍କ ପରିଚୟ ପତ୍ର ଉପରେ ନିୟନ୍ତ୍ରଣ ରଖିବା ସହ କେଉଁ ଉଦେଶ୍ୟ ଲାଗି ପରିଚୟ ପତ୍ରର ବ୍ୟବହାର ହେବ ସେଥିଲାଗି ବିକଳ୍ପ ଦେବ । ପ୍ରସ୍ତାବକୁ ମନ୍ତ୍ରଣାଳୟ ଖୁବଶୀଘ୍ର ସାର୍ବଜନୀନ କରିବ ବୋଲି ଆଶା କରାଯାଉଛି । ଏନେଇ ମନ୍ତ୍ରଣାଳୟ ଫେବ୍ରୁଆରୀ ୨୭ ପର୍ଯ୍ୟନ୍ତ ମତ ମାଗିବ ।

ପ୍ରସ୍ତାବିତ ଢ଼ାଞ୍ଚା ଅନୁସାରେ, ଫେଡରେଟେଡ୍ ଡିଜିଟାଲ୍ ପରିଚୟପତ୍ର ଏକ ରେଜିଷ୍ଟ୍ରି ଚାବି ଭାବେ କାମ କରିବ । ଯେଉଁଠି ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆଇଡି ସଂଗୃହୀତ ହେବ । ନାଗରିକ ଇ-କେୱାଇସି ମାଧ୍ୟମରେ ଅନ୍ୟ ତୃତୀୟ ପକ୍ଷ ସେବା ପାଇବା ଲାଗି ଏହି ଡିଜିଟାଲ୍ ଆଇଡିର ଉପଯୋଗ କରି ପାରିବେ ।

ଏଥିସହ ଜଣେ ନାଗରିକ ସମସ୍ତ ଡିଜିଟାଲ୍ ଆଇଡିକୁ ଅନ୍ୟ ସହ ଯୋଡ଼ି ପାରିବେ । ଏବେ ବାରମ୍ବାର କୌଣସି କାମ ପାଇଁ ଏହା ବାରମ୍ବାର କରିବାକୁ ପଡ଼ୁଛି । ମନ୍ତ୍ରଣାଳୟ ଏହି ପ୍ରସ୍ତାବ ଇଣ୍ଡିଆ ଏଣ୍ଟରପ୍ରାଇଜ୍ ଆର୍କିଟେକ୍ଚର ୨.୦ ଅନୁସାରେ ଦେଇଛି । ପ୍ରଥମଥର ୨୦୧୭ରେ ଡିଜାଇନ୍ କରାଯାଇଥିଲା ।

ଦେଶରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୨ ଲକ୍ଷ ୩୪ ହଜାର ୨୮୧ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ ଖସୁଛି କରୋନା ଗ୍ରାଫ୍ । ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୩୪ ହଜାର ୨୮୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୮୯୩ ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍ । ଦେଶରେ ବର୍ତ୍ତମାନ ଦୈନିକ ପଜିଟିଭ ହାର ୧୪.୫୦ ପ୍ରତିଶତ ରହିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୫୪ ହଜାର ୭୮୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

ଦେଶରେ ଶନିବାର ୨ ଲକ୍ଷ ୩୫ ହଜାର ୫୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟାରେ ହ୍ରାସ ପାଇଛି । ଆଜି ଦେଶରେ ୨ ଲକ୍ଷ ୩୪ ହଜାର ୨୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ବର୍ତ୍ତମାନ ଭାରତରେ ଆକ୍ଟିଭ୍ କେସ୍ ୧୮ ଲକ୍ଷ ୮୪ ହଜାର ୯୩୭ ରହିଛି ।

ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ରାଜ୍ୟରେ ୪ ହଜାର ୮୪୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୪ ହଜାର ୮୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨ ହଜାର ୮୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨ ହଜାର ୦୨୮ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ସେହିପରି ୦ ରୁ ୧୮ ବର୍ଷ ମଧ୍ୟରେ ରାଜ୍ୟରେ ୬୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯଦି ସୁସ୍ଥ କଥା କହିବା ତାହାଲେ ରାଜ୍ୟରେ ୨୪ ଘଣ୍ଟାରେ ୧୦ ହଜାର ୨୬୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧ ହଜାର ୦୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୫୮, ବାଲେଶ୍ୱରରୁ ୧୫୨, ବରଗଡ଼ରୁ ୮୦, ଭଦ୍ରକରୁ ୬୦, ବଲାଙ୍ଗୀରରୁ ୯୫, ବୌଦ୍ଧରୁ ୪୯, କଟକରୁ ୩୭୯, ଦେଓଗଡ଼ରୁ ୭୩, ଢେଙ୍କାନାଳରୁ ୪୫, ଗଜପତିରୁ ୬୨, ଗଞ୍ଜାମରୁ ୬୭, ଜଗତସିଂହପୁରରୁ ୧୦୦, ଯାଜପୁରରୁ ୧୬୬, ଝାରସୁଗୁଡ଼ାରୁ ୬୧, କଳାହାଣ୍ଡିରୁ ୧୫୮, କନ୍ଧମାଳରୁ ୫୨, କେନ୍ଦ୍ରାପଡ଼ାରୁ ୭୦, କେନ୍ଦୁଝରରୁ ୮୧, କୋରାପୁଟରୁ ୫୦, ମାଲକାନଗିରିରୁ ୧୮, ମୟୁରଭଞ୍ଜରୁ ୧୫୨, ନବରଙ୍ଗପୁରରୁ ୧୩୭, ନୟାଗଡ଼ରୁ ୧୯୪, ନୂଆପଡ଼ାରୁ ୧୬୬, ପୁରୀରୁ ୭୨, ରାୟଗଡ଼ାରୁ ୯୯, ସମ୍ବଲପୁରରୁ ୧୨୮, ସୋନପୁରରୁ ୭୩, ସୁନ୍ଦରଗଡ଼ରୁ ୭୩୫ ଓ ଷ୍ଟେଟ ପୁଲରୁ ୧୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

ଆସନ୍ତାକାଲିଠୁ ବଜେଟ ଅଧିବେଶନ, ଫେବ୍ରୁଆରୀ ୧ରେ ଆସିବ ବଜେଟ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସଂସଦର ଆରମ୍ଭ ବଜେଟ ଅଧିବେଶନ । ସଂସଦର ଉଭୟ ଗୃହର ମିଳିତ ଅଧିବେଶନରେ ଉଦବୋଧନ ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଫେବ୍ରୁଆରୀ ୧ରେ ୨୦୨୨-୨୩ ବର୍ଷ ପାଇଁ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଅଧିବେଶନର ପ୍ରଥମ ଦୁଇଦିନ ଅର୍ଥାତ ଜାନୁଆରୀ ୩୧ ଓ ଫେବ୍ରୁଆରୀ ୧ରେ କୌଣସି ଶୂନ୍ୟକାଳ ରହିବ ନାହିଁ । ଫେବ୍ରୁଆରୀ ୨ ତାରିଖରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୂନ୍ୟକାଳରେ ଉଠାଯାଇପାରିବ ବୋଲି କୁହାଯାଇଛି ।

ଅଧିବେଶନ ପରିପ୍ରେକ୍ଷୀରେ ରାଜ୍ୟସଭା ସଚିବାଳୟ ପକ୍ଷରୁ ଜାରି କରାଯାଇଛି ଆଚରଣ ସଂହିତା । ଅଧିବେଶନ ପୂର୍ବରୁ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିରଲା । ସେପଟେ ଅଧିବେଶନରେ ବେଶ୍ ହଟଚମଟ ସୃଷ୍ଟି କରିବ ପେଗାସସ୍ ମାମଲା । ଏହି ସ୍ପାଏଓ୍ବେୟାରକୁ ନେଇ ବିସ୍ଫୋରକ ତଥ୍ୟ ମିଳିଥିବା ବେଳେ ଏହି ପ୍ରସଙ୍ଗକୁ ଅସ୍ତ୍ର କରିବେ ବିରୋଧୀ । ଏହାସହ ଚାଷୀ, ଏମଏସପି ଆଦି ସମସ୍ୟାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇପାରେ ।

ଅସମ୍ଭାଳ ଶୀତରେ ଥରୁଛି ଓଡ଼ିଶା, ୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା । ଆସନ୍ତାକାଲି ପର୍ଯ୍ୟନ୍ତ ଜାରି ରହିବ ଶୀତ ଲହରୀ । ପାହାଡିଆ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଅନୂଭୁତ ହେବ ପ୍ରବଳ ଜାଡ । ରାଜ୍ୟରେ ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଓଡ଼ିଶା ମଧ୍ୟକୁ କ୍ରମାଗତ ଭାବରେ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ପାରଦ କମିବା ସହ ବିଭିନ୍ନ ଜିଲ୍ଲାରେ ଶୀତ ଲହରୀ ଜାରି ହୋଇଛି । ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ଶୀତ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବରଗଡ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ, ଝାରସୁଗୁଡା, ସୁନ୍ଦରଗଡ, ଅନୁଗୁଳ ଏବଂ କେନ୍ଦୁଝରରେ ପ୍ରବଳ ଶୀତ ଅନୁଭୂତ ହେବ ।

ସେହିପରି ପ୍ରବଳ ଶୀତକୁ ଦୃଷ୍ଟି ରଖି ୬ଟି ଜିଲ୍ଲାକୁ ତୀବ୍ର ଶୀତ ଲହରୀ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ରାତ୍ରୀ ସମୟରେ ବାଇକ୍ କିମ୍ବା ଖୋଲା କାରରେ ଯାତାୟତ କରିବାକୁ ବାରଣ କରାଯାଇଛି । ସେହିପରି ୨୪ ଘଣ୍ଟାରେ ଫୁଲବାଣୀରେ ସବୁଠାରୁ କମ୍ ତାପମାତ୍ରା ରେକର୍ଡ କରାଯାଇଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ର ୬.୨ ରେକର୍ଡ କରାଯାଇଛି । ସେହିପରି ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଛି ।

 

ପୋଲିସ ସୁରକ୍ଷା ନୁହେଁ ଈଶ୍ୱରଙ୍କ ଉପରେ ଥିଲା ମହାତ୍ମା ଗାନ୍ଧୀଙ୍କ ଭରସା

ନୂଆଦିଲ୍ଲୀ: ଗାନ୍ଧୀ ଗୋଟିଏ ଯୁଗର ନାଁ । ଯେଉଁ ଯୁଗ ପ୍ରତିଟି ଭାରତୀୟଙ୍କ ଲାଗି ଅଭୁଲା, ଅବିସ୍ମରଣୀୟ । ଖଦି ଧୋତି ପିନ୍ଧୁଥିବା ଜଣେ ମଣିଷଙ୍କ ଲାଗି ଭାରତ ଏକ ହୋଇଥିଲା । ଆଉ ଇଂରେଜ ଶାସନରୁ ମୁକ୍ତ ହୋଇଥିଲା । ଆଜି ସେହି ଦେଶର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ । ଆଜି ସିନା ଗାନ୍ଧୀ ନାହାଁନ୍ତି କିନ୍ତୁ ତାଙ୍କ ସ୍ମୃତି ଅଛି । ଗଗନ ପବନ ଗାନ୍ଧୀଙ୍କ ନାରାରେ ଗୁଞ୍ଜରିତ ହେଉଛି ।

Mahatma Gandhi Had Faith In God Not On The Security Of The Police

ଆମରଣ ଅନଶନ, ଆନ୍ଦୋଳନ ଦ୍ୱାରା ଇଂରେଜ ଉପରେ ଚାପ ପକାଇଥିଲେ ବାପୁଜୀ । ଶେଷରେ ବ୍ରିଟିଶ୍ ସରକାର ଦେଶ ଛାଡ଼ିଯିବା ସହ ଭାରତ ସ୍ୱାଧୀନତା ଲାଭ କରିଥିଲା । ପରାଧୀନ ଭାରତରେ ଗାନ୍ଧୀଜୀଙ୍କ ପରାକ୍ରମ ଆମେ ସମସ୍ତେ ଜାଣିଛେ । ଆସନ୍ତୁ ଜାଣିବା ଭାରତ ସ୍ୱାଧୀନତା ପାଇବା ପରେ କଣ ଥିଲା ଗାନ୍ଧୀଜୀଙ୍କ ଆଭିମୁଖ୍ୟ ।

Mahatma Gandhi Had Faith In God Not On The Security Of The Police

ସ୍ୱାଧୀନ ଭାରତର ଉପପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଏକଦା ଗାନ୍ଧୀଜୀ ଧମକ ଦେଇ କହିଥିଲେ, ଯଦି ପ୍ରାର୍ଥନା ସଭାକୁ ଆସୁଥିବା କୌଣସି ବ୍ୟକ୍ତିଙ୍କ ଯାଞ୍ଚ ହେବ ତ ମୁଁ ସେଇଠି ଆମରଣ ଅନଶନ ଆରମ୍ଭ କରିବି । ଯାହାକୁ ନେଇ ପଟେଲଙ୍କ ସମେତ ପୂରା ନେହରୁ ସରକାର ଭୟଭୀତ ହୋଇ ପଡ଼ିଥିଲା । ସମସ୍ତେ ଜାଣିଥିଲେ ବାପୁ ଯାହା କହୁଛନ୍ତି, ତାହା କରି ହିଁ ରହିବେ । ଆଉ ସେହି ବୟସରେ ଅନଶନ ମହାତ୍ମା ଗାନ୍ଧୀଜୀଙ୍କ ସ୍ୱାସ୍ଥ୍ୟ ପ୍ରତି ଖରାପ ହୋଇପାରେ । ତେଣୁ, ବାପୁଜୀଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଗାନ୍ଧୀଜୀଙ୍କ ସୁରକ୍ଷା ପାଇଁ କୌଣସି ବିଶେଷ ବ୍ୟବସ୍ଥା ହୋଇ ନଥିଲା ।

Mahatma Gandhi Had Faith In God Not On The Security Of The Police

ଦିଲ୍ଲୀର ବିଡଲା ହାଉସରେ ପ୍ରାର୍ଥନ ସଭାରେ ବାପୁଜୀ ସୁରକ୍ଷା ନେବାକୁ ମନା କରି ଦେଇଥିଲେ । କାରଣ ସେ ନିଜ ସୁରକ୍ଷା ଲାଗି ସରକାରୀ ସମ୍ବଳର ଉପଯୋଗ ବିପକ୍ଷରେ ଥିଲେ । ଅନ୍ୟପଟେ ବିଡଲା ହାଉସ୍ ଆଖପାଖରେ ସୁରକ୍ଷା ବ୍ୟବସ୍ଥା କରିବା ଲାଗି ସର୍ଦ୍ଦାର ପଟେଲ ଗାନ୍ଧୀଜୀଙ୍କୁ ଅନୁମତି ମାଗିଥିଲେ । ଯଦି ସେଦିନ ଯାଞ୍ଚ ବ୍ୟବସ୍ଥା ହୋଇଥାନ୍ତା ତ ଗୋଡସେ ବନ୍ଧୁକ ଧରି ବିଡ଼ଲା ଭବନର ଭିଡ଼ ଭିତରେ ପଶି ଗାନ୍ଧୀଜୀଙ୍କୁ ଗୁଳି କରିପାରି ନଥାନ୍ତା ।

ଘାଟିରେ ସେନାକୁ ବଡ଼ ସଫଳତା, ୧୨ ଘଣ୍ଟାରେ ଟଳିଲେ ୫ ଆତଙ୍କବାଦୀ

ଶ୍ରୀନଗର: ଘାଟିରେ ସେନାକୁ ମିଳିଲା ବଡ଼ ସଫଳତା । ଜାମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀ ପକ୍ଷରୁ ଚାଲିଥିବା ଆତଙ୍କୀ ବିରୋଧୀ ଅଭିଯାନକୁ ମିଳିଛି ଏକ ବଡ଼ ସଫଳତା । ଗତ ୧୨ ଘଣ୍ଟାରେ ଆତଙ୍କୀ ସଂଗଠନ ଲସ୍କର-ଇ-ତୈବା ଓ ଜୈଶ-ଇ-ମହମ୍ମଦର ୫ ଆତଙ୍କୀ ନିହତ ହୋଇଛନ୍ତି । ସେନାର ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଥିବା ଆତଙ୍କୀଙ୍କ ମଧ୍ୟରେ ଜୈଶ-ଇ-ମହମ୍ମଦର କମାଣ୍ଡର ଜାହିଦ ଓ୍ୱାନି ଓ ଜଣେ ପାକିସ୍ତାନୀ ଆତଙ୍କବାଦୀ ସାମିଲ ଅଛନ୍ତି ।

ଜାମ୍ମୁ-କାଶ୍ମୀରରେ ହୋଇଥିବା ଏନକାଉଣ୍ଟରକୁ ନେଇ କାଶ୍ମୀର ଜୋନ ପୋଲିସ ଟ୍ୱିଟ କରି ସୂଚନା ଦେଇଛି । ଟ୍ୱିଟ୍ କରି କାଶ୍ମୀର ପୋଲିସ କହିଛଇ କି “୧୨ ଘଣ୍ଟା ମଧ୍ୟରେ ହୋଇଥିବା ଦୁଇଟି ଏନକାଉଣ୍ଟରରେ ପାକିସ୍ତାନ ପ୍ରାୟୋଜିତ ଲସ୍କର-ଇ-ତୈବା ଓ ଜୈଶ-ଇ-ମହମ୍ମଦର ୫ ଜଣ ଆତଙ୍କୀ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜୈଶ କମାଣ୍ଡର ଜାହିଦ ୱାନି ଓ ଆଉ ଜଣେ ପାକିସ୍ତାନୀ ଆତଙ୍କୀ ସାମିଲ ଥିଲେ । ଏହା ଆମ ପାଇଁ ଏକ ବଡ଼ ସଫଳତା ବୋଲି କହିଛନ୍ତି କଶ୍ମୀର ଆଇଜିପି ।”

ସୂଚନା ଅନୁସାରେ, କଶ୍ମୀରର ପୁଲୱାମା ଜିଲ୍ଲା ଅନ୍ତର୍ଗତ ନୈରା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଥିବା ଆତଙ୍କବାଦୀଙ୍କଠାରୁ ବିପୁଳ ପରିମାଣର ବିସ୍ଫୋରକ ଓ ଆପତ୍ତିଜନକ ସାମଗ୍ରୀ ମିଳିଛି। ସେନାର ଏନକାଉଣ୍ଟର ପରେ ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ପ୍ରତିଶୋଧ ନେଲା ଭାରତ, ବାଂଲାଦେଶକୁ ୫ ଓ୍ୱିକେଟରେ ହରାଇ ସେମିରେ ଭାରତ

ଆଣ୍ଟିଗୁଆ: ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ । ୨୦୨୦ ଅଣ୍ଡର-୧୯ ବିଶ୍ୱକପ ଫାଇନାଲର ପରାଜୟର ବଦଲା ନେଇଛି ଭାରତ । ଶନିବାର ଅଣ୍ଡର-୧୯ ବିଶ୍ୱକପରେ ଖେଳାଯାଇଥିବା କ୍ୱାଟର ଫାଇନାଲରେ ଭାରତ ବାଂଲାଦେଶକକୁ ୫ ଓ୍ୱିକେଟରେ ପରାସ୍ତ କରିଥିଲା । ଏହି ବିଜୟ ସହ ଭାରତ ଚଳିତ ଅଣ୍ଡର-୧୯ ବିଶ୍ୱକପ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି । ଏହି ବିଜୟରେ ଭାରତୀୟ ବୋଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଫଳରେ ବାଂଲାଦେଶ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା ।

ଶନିବାର ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଫଳରେ ବ୍ୟାକଫୁଟକୁ ଚାଲି ଯାଇଥିଲା ବାଂଲାଦେଶ । ଭାରତୀୟ ବୋଲିଂ ଆଟାକ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲା ବାଂଲାଦେଶ ।  ମାତ୍ର ୧୧୧ ରନ କରି ଅଲଆଉଟ ହୋଇଥିଲା ବାଂଲାଦେଶ । ଭାରତ ପକ୍ଷରୁ ରବି କୁମାର ୩ଟି ଓ୍ୱିକେଟ ନେଇଥିବାବେଳେ ଭିକି ଓସ୍ତାଲ ୨ଟି, କୌଶାଲ ତାମ୍ବେ, ଅଙ୍ଗକ୍ରିଶ ରଘୁବଂଶୀ ଓ ରାଜବର୍ଦ୍ଧନ ହଙ୍ଗରଗେକର ଗୋଟିଏ ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ । ୧୧୨ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଭାରତ ମାତ୍ର ୩୦.୫ ଓଭରରେ ଏହି ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଏହି ବିଜୟ ସହ ଭାରତ ଅଣ୍ଡର-୧୯ ବିଶ୍ୱକପ ସେମି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ସେମିଫାଇନାଲରେ ଭାରତ ବୁଧବାର ଅଷ୍ଟ୍ରେଲିଆକୁ ଭେଟିବ ।

ମାସକରେ ୭ଟି ବାଲିଷ୍ଟିକ ମିସାଇଲର ପରୀକ୍ଷଣ କଲାଣି ଉତ୍ତର କୋରିଆ

ନୂଆଦିଲ୍ଲୀ: ଦୁନିଆକୁ ଡରାଉଛି ଉତ୍ତର କୋରିଆ । ମାସକରେ ଉତ୍ତର କୋରିଆ ୭ଟି ମିସାଇଲର ପରୀକ୍ଷଣ କରିଛି । ତେବେ ଉତ୍ତର କୋରିଆ କେଉଁ ମିସାଇଲର ପରୀକ୍ଷଣ କରିଛି ତାହା କାହାରିକୁ ଜଣାନାହିଁ । କିନ୍ତୁ ଉତ୍ତର କୋରିଆ ମିସାଇଲ ପରୀକ୍ଷଣ କରିଥିବା ସୂଚନା ଦେଇଛି ପଡ଼ୋଶୀ ଦକ୍ଷିଣ କୋରିଆ । ଗୋଟିଏ ମାସରେ ଲଗାତାର ୭ଟି ମିସାଇଲ୍ ପରୀକ୍ଷଣ କରି ଅନ୍ତର୍ଜାତୀୟ ଶାନ୍ତି ପ୍ରତି କିମ୍ ଜୋଙ୍ଗ ଉନ୍ ବିପଦ ସୃଷ୍ଟି କରିଛନ୍ତି ।

ଶେଷଥର ପାଇଁ ୨୦୧୯ରେ ଉତ୍ତର କୋରିଆ ଏମିତି ଗୋଟିଏ ମାସରେ ଏକାଧିକ ପରୀକ୍ଷଣ କରିଥିଲା । ସେତେବେଳେ ଉତ୍ତର କୋରିଆର କ୍ରୁର ଶାସକ କିମ୍ ଜୋଙ୍ଗ ଉନ୍ ଏବଂ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଉଚ୍ଚସ୍ତରୀୟ କଥାବାର୍ତ୍ତା ବିଫଳ ହୋଇଥିଲା । ସେବେଠୁ ଆମେରିକା ସହ କିମ୍ ଜୋଙ୍ଗଙ୍କ ଆଲୋଚନା ଅଟକି ରହିଛି ।

 North Korea Fires Unidentified Projectile Ballistic Missiles Into East Sea In January
Kim Jong-un, Supreme Leader of North Korea

ଦକ୍ଷିଣ କୋରିଆ ଅନୁସାରେ, ଉତ୍ତର କୋରିଆ ପୂର୍ବ ସାଗର ଅର୍ଥାତ୍ ଜାପାନ ସାଗରରେ ଆଉ ଏକ ଅଜ୍ଞାତ ମିସାଇଲ୍ ଉତକ୍ଷେପଣ କରିଛି । ଉତ୍ତର କୋରିଆ ବାଲିଷ୍ଟିକ ମିସାଇଲ୍ ପରୀକ୍ଷଣ କରିଥିବା ଆଶଙ୍କା କରିଛି ଜାପାନ । ଦେଶ ଭୟଙ୍କର ଆର୍ଥିକ ସ୍ଥିତିର ସମ୍ମୁଖୀନ ହୋଇଥିବା ବେଳେ ଲଗାତାର ମିସାଇଲ୍ ପରୀକ୍ଷଣ କରିଛି । ଗତ ସପ୍ତାହରେ କିମ୍ ଜୋଙ୍ଗ ଉନ୍ ପରମାଣୁ ବିସ୍ଫୋଟକ ଓ ଦୂରଗାମୀ ମିସାଇଲ୍ ପରୀକ୍ଷଣ ନେଇ ଆମେରିକାକୁ ପରୋକ୍ଷ ଧମକ ଦେଇଥିଲେ ।

ଏତିକି ନୁହେଁ, କିମ୍ ଜୋଙ୍ଗ ଉନ୍ କିଛିଦିନ ତଳେ ଯୁଦ୍ଧ ସାମଗ୍ରୀ ସମ୍ବନ୍ଧିତ କାରଖାନାକୁ ବି ଯାଇଥିଲେ । ନୂଆ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ନେଇ ସୂଚନା ଦେଇଥିଲେ । ଜାନୁଆରୀ ମାସରେ ଉତ୍ତର କୋରିଆ ଟାକ୍ଟିକଲ ଗାଇଡେଡ୍ ମିସାଇଲ୍, ହାଇପରସୋନିକ୍ ମିସାଇଲ୍ର ପରୀକ୍ଷଣ କରିଛି । ଗୁରୁବାର ଉତ୍ତର କୋରିଆ ୨ଟି ସନ୍ଦିଗ୍ଧ ମିସାଇଲ୍ ପରୀକ୍ଷଣ କରିଥିବା ଦକ୍ଷିଣ କୋରିଆ ସେନା କହିଛି । ଅଚାନକ ଉତ୍ତର କୋରିଆ ଏତେ ମାତ୍ରାରେ ଅସ୍ତ୍ରଶସ୍ତ୍ର ପରୀକ୍ଷଣ କରି ଆମେରିକା ଉପରେ ଚାପ ପକାଇବାକୁ ଚେଷ୍ଟା କରୁଥିବା କହିଛନ୍ତି ବିଶେଷଜ୍ଞ ।

ଭିଣେଇର ଛୁରା ମାଡରେ ଶାଳୀ ଗୁରୁତର

କେନ୍ଦ୍ରାପଡ଼ା: ସମ୍ପର୍କୀୟ ଭିଣେଇର ଛୁରା ମାଡରେ ଶାଳୀ ଗୁରୁତର। ମହାକାଳପଡ଼ା ଥାନା ଅନ୍ତର୍ଗତ ଦେଉଳପଡା ପଞ୍ଚାୟତ ଓଳିଆ ଗାଁରେ ଶନିବାର ଅପରାହ୍ନରେ ଘଟଛି ଏହି ଅଘଟଣ। ଗୁରୁତର ଯୁବତୀ ସସ୍ମିତା ମହାପାତ୍ରଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି। ତେବେ ଶାଳୀକୁ ଛୁରାମାଡ କରି ସାରି ସେହି ଛୁରୀରେ ନିଜ ଗଳା କାଟିବା ପାଇଁ ଉଦ୍ୟମ କରିଛି ଅଭିଯୁକ୍ତ ଭିଣେଇ ଦିବାକର ତ୍ରିପାଠୀ।

ମିଳିଥିବା ସୂଚନା ଅନୁଯାୟୀ ସସ୍ମିତା ଗରଦପୁର ସ୍ଥିତ ନିଜ ସମ୍ପର୍କୀୟ ଭିଣେଇ ଦିବାକରଙ୍କ ଘରେ ଦୀର୍ଘ ୧୨ ବର୍ଷ ଧରି ରହି ଦରଜି କାମ କରି ଆସୁଥିଲେ। ଶନିବାର ଦିନ ସସ୍ମିତା ସମ୍ପର୍କୀୟ ଭିଣେଇ ଦିବାକରଙ୍କ ସହ ନିଜ ଘର ଓଳିଆକୁ ଆସିଥିଲେ। ସେଠାରେ ସସ୍ମିତାଙ୍କୁ ଛାଡି ଦେଇ ଦିବାକର କେଉଁଆଡ଼େ ଚାଲି ଯାଇଥିଲେ। କିଛି ସମୟ ପରେ ଫେରି ଆସି ଏକ ଧାରୁଆ ଛୁରୀରେ ସସ୍ମିତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ସସ୍ମିତାଙ୍କ ଗାଲ , ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

ଘଟଣା ଘଟିବା ପରେ ଗାଁ ଲୋକେ ଦିବାକରଙ୍କୁ ଅଟକ ରଖିଥିବା ବେଳେ ସେହି ଛୁରୀରେ ଦିବାକର ନିଜ ବେକ କାଟିବା ପାଇଁ ଉଦ୍ୟମ କରିଥିଲା। ଖବର ପାଇ ପୋଲିସ ଅଭିଯୁକ୍ତ ଦିବାକର କୁ ନିଜ ହେପାଜତକୁ ନେଇ ଚିକିତ୍ସା ପାଇଁ ୧୦୮ ଯୋଗେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ନେଇଛି । ତେବେ ଏହି ଆକ୍ରମଣ ପଛରେ କଣ କାରଣ ରହିଛି ତାହା ସ୍ପଷ୍ଟ ହୋଇ ନାହିଁ। ପୀଡ଼ିତା ସସ୍ମିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ମେଡ଼ିକାଲ ପକ୍ଷରୁ ସୂଚନା ମିଳିଛି।