୨୬ ଦିନରେ ଯୁଦ୍ଧ: ମାରିଉପୋଲର ସୁରକ୍ଷା ପାଇଁ ୟୁକ୍ରେନ ସୈନ୍ୟଙ୍କ ପ୍ରାଣମୂର୍ଚ୍ଛା ଲଢେଇ

1 min read
Russia Ukraine War Former Female Spy Revealed Putin's Secret

କିଭ୍: ୨୬ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନର ବିଭିନ୍ନ ସହରରେ ଜାରି ରହିଛି ଧ୍ୱଂସଲୀଳା । ୟୁକ୍ରେନ ପକ୍ଷରୁ ତୀବ୍ର ପ୍ରତିରୋଧ ହେବା ଯୋଗୁ ଋଷ ସୈନ୍ୟଙ୍କୁ ଦେବାକୁ ପଡୁଛି ମୂଲ୍ୟ । ଗଳିକନ୍ଦିରେ ଟ୍ୟାଙ୍କ ବୁଲିବା ଦେଖାଯାଉଛି । ୟୁକ୍ରେନର ବିଭିନ୍ନ ସହର ଓ ସାମରିକ ପ୍ରତିଷ୍ଠାନ ଉପରେ ହାଇପରସୋନିକ ଓ କ୍ରୁଜ ମିସାଇଲ ମାଡ଼ କରାଯାଇଛି । ଆଗକୁ ଏହି ଆକ୍ରମଣ ତୀବ୍ରତର କରିବାକୁ ସୂଚନା ଦେଇଛି ଋଷ ।

ସେପଟେ ଋଷର ହାଇପରସୋନିକ ମିସାଇଲର ବ୍ୟବହାରରେ ଉତ୍ତ୍ୟକ୍ତ ହୋଇଛି ଆମେରିକା । ଏହି ଅସ୍ତ୍ର ଗେମ ଚେଞ୍ଜର ହେବ ନାହିଁ ବରଂ ଅଧିକ ବିପତ୍ତି ଆଣିବ ବୋଲି କହିଛନ୍ତି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲିଡ ଅଷ୍ଟିନ । କିବର ପୋଦିଲ ଅନ୍ତର୍ଗତ ଆବାସିକ ଅଞ୍ଚଳରେ ଗୋଳାବର୍ଷଣ ହେଉଛି ବୋଲି ଅଭିଯୋଗ କରିଛନ୍ତି ମେୟର ଭିତାଲି କ୍ଲିସିକୋ । କିବର ଉତ୍ତର ପଶ୍ଚିମରେ ଥିବା ଏକ ୧୦ ମହଲା କୋଠା ଉପରେ ହୋଇଛି ଏୟାର ଷ୍ଟ୍ରାଇକ । ବିସ୍ଫୋରଣ ଯୋଗୁ କୋଠାର ବ୍ୟାପକ କ୍ଷତି ଘଟିଛି । ଆତ୍ମସମର୍ପଣ କରିବା ଲାଗି ମାରିଉପୋଲ କର୍ତ୍ତୃପକ୍ଷଙ୍କୁ ଋଷ ଦେଇଥିବା ଡେଡଲାଇନ ଶେଷ ହୋଇଥିବା ସତ୍ତ୍ୱେ ଏହା ଘଟିନଥିବାରୁ ଋଷ ପୁଣି ଜୋରଦାର ଆକ୍ରମଣ କରିଛି ।

Ukraine Russia War Melitpol Town

ଅନ୍ୟପଟେ ମାରିଉପୋଲର ସୁରକ୍ଷା ଲାଗି ୟୁକ୍ରେନ ସୈନ୍ୟ ପ୍ରାଣମୂର୍ଚ୍ଛା ଲଢେଇ ଜାରି ରଖିଛନ୍ତି । ମାରିଆପୋଲର ପ୍ରାୟ ୧ ହଜାର ଲୋକଙ୍କୁ ଋଷକୁ ବଳପୂର୍ବକ ପଠାଇ ଦିଆଯାଇଥିବା ବେଳେ ସେମାନଙ୍କ ପାସପୋର୍ଟ ଜବତ କରାଯାଇଛି ବୋଲି ଅଭିଯୋଗ କରିଛି ୟୁକ୍ରେନ । ୟୁକ୍ରେନର ଉତ୍ତରାଞ୍ଚଳ ଅନ୍ତର୍ଗତ ଚେର୍ଣ୍ଣିହିବରେ ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁ ୨୪ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ୟୁକ୍ରେନ ଛାଡି ଚାଲିଯାଇଥିବା ଲୋକଙ୍କ ସଂଖ୍ୟା ୩୪ ଲକ୍ଷରେ ପହଞ୍ଚିଛି । ସେମାନେ ପୋଲାଣ୍ଡ, ସ୍ଲୋଭାକିଆ, ରୋମାନିଆ ଓ ହଙ୍ଗେରୀ ଆଦି ରାଷ୍ଟ୍ରକୁ ଚାଲିଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ କୋଟି ଲୋକ ବାସହରା ହୋଇଛନ୍ତି ।