spot_img
Home Blog Page 4570

ଅଣ୍ଡା ଦରବୃଦ୍ଧିରେ ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ

ଖୋର୍ଦ୍ଧା: କୁକୁଡ଼ା ଅଣ୍ଡାର ସର୍ବନିମ୍ନ ମୂଲ୍ୟ ବୃଦ୍ଧି ଦାବି । ଏନଇସିସିର ମନମାନି ବିରୋଧରେ ଓ ୬ଦଫା ଦାବି ନେଇ ରାଜରାସ୍ତାରେ ଅଲ ଓଡ଼ିଶା ଲେୟର ଫାର୍ମର୍‌ସ ଆସୋସିଏସନ । ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଗଙ୍ଗପଡ଼ାରେ ଲେୟର ଚାଷୀ ମାନେ ଧାରଣା ଦେଇଛନ୍ତି । ରାଜ୍ୟ ବାହାରୁ ଆସୁଥିବା ଅଣ୍ଡା ଟ୍ରକ୍ ଅଟକାଇଛନ୍ତି ଆନ୍ଦୋଳନକାରୀ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶତାଧିକ ଚାଷୀ ଧାରଣାରେ ସାମିଲ ହେଉଛନ୍ତି । ଯେ ପର୍ଯ୍ୟନ୍ତ ଜାତୀୟ ଅଣ୍ଡା ସମନ୍ୱୟ କମିଟି ଚାଷୀଙ୍କ ଦାବି ପୂରଣ ନକରିଛି, ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

ଅଣ୍ଡା ଉତ୍ପାଦନରେ ସ୍ବାବଲମ୍ବୀ ହୋଇଛି ଓଡ଼ିଶା । ରାଜ୍ୟରେ ଦିନକୁ ପ୍ରାୟ ୯୨ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । ୨୦୦ ଚାଷୀ ନିଜ ଫାର୍ମରେ ୫୦ହଜାର ପ୍ରତ୍ୟକ୍ଷ ଓ ୨ଲକ୍ଷ ପରୋକ୍ଷ ନିଯୁକ୍ତି ଦେଇଛନ୍ତି । ହେଲେ ଦେଶରେ ଅଣ୍ଡାର ଦର ସ୍ଥିର କରୁଥିବା ଏନ୍ଇସିସିର ମନମାନି ଓ ପକ୍ଷପାତିତା ଯୋଗୁ ରାଜ୍ୟର ଲେୟର ଚାଷୀ ସଙ୍କଟରେ ପଡ଼ିଛନ୍ତି । ଅଣ୍ଡା ଉତ୍ପାଦନ ଖର୍ଚ୍ଚଠାରୁ କମ ଦରରେ ଅଣ୍ଡା ବିକ୍ରି ହେଉଛି । ଗୋଟିଏ ଅଣ୍ଡାର ଉତ୍ପାଦନ ଖର୍ଚ୍ଚ ପ୍ରାୟ ୪ଟଙ୍କା ୭୦ ପଇସା ପଡୁଥିବା ବେଳେ ଚାଷୀଙ୍କଠାରୁ ବ୍ୟବସାୟୀ ଅଣ୍ଡା କିଣିବାର ଦର ହେଉଛି ମାତ୍ର ୩ ଟଙ୍କା ୭୦ ପଇସା ।

ସେପଟେ ଖାଉଟିଙ୍କୁ ବ୍ୟବସାୟୀ ସାଢ଼େ ୬ଟଙ୍କାରୁ ୭ଟଙ୍କାରେ ବିକୁଛନ୍ତି । ଉତ୍ପାଦନ ଖର୍ଚ୍ଚଠାରୁ କମ୍ ଦରରେ ଅଣ୍ଡା ବିକୁଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି । ବ୍ୟାଙ୍କରୁ ଋଣ ନେଇ ଅନେକ ଚାଷୀ ଶୁଝିନପାରି ଏବେ ଡିଫଲ୍ଟର ତାଲିକାରେ । ବଡ଼ବଡ଼ ବ୍ୟବସାୟୀଙ୍କ ସହ ସଲାସୁତୁରା କରି ଅଣ୍ଡା ଦର ନିୟନ୍ତ୍ରଣ କରୁଥିବା ଏନଇସିସି ବିରୋଧରେ ପ୍ରତିବାଦର ସ୍ବର ଉଠିଛି । ଅଲ୍ ଓଡ଼ିଶା ଲେୟର ଫାର୍ମର୍ସ ସଂଘର ଅଧ୍ୟକ୍ଷ ମାନସ ମଙ୍ଗରାଜଙ୍କ ନେତୃତ୍ବରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଚାଲିଛି ।

ଆଜିଠୁ ପୁଣି ୩ ଦିନିଆ ରିମାଣ୍ଡରେ ଶର୍ମିଷ୍ଠା

ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା । ଆଜିଠୁ ୩ ଦିନ ଧରି ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା ଓ ଝୁନା ଭୋଇକୁ ଘାଣ୍ଟିବ କ୍ରାଇମବ୍ରାଞ୍ଚ । ଦ୍ବିତୀୟ ପର୍ଯ୍ୟାୟର ୩ ଦିନିଆ ରିମାଣ୍ଡର ଆଜି ପ୍ରଥମ ଦିନ । ବିଭିନ୍ନ ଦିଗକୁ ନେଇ ଶର୍ମିଷ୍ଠା ଓ ଝୁନାକୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ଗତକାଲି ୫ ଦନିଆ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା । ହେଲେ ୩ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ ଚାନ୍ଦବାଲି JMFC କୋର୍ଟ । ତେବେ ପ୍ରଥମ ପର୍ଯ୍ୟାରେ ମିଳିପାରିନଥିବା କିଛି ତଥ୍ୟକୁ ଖୋଜିବ କ୍ରାଇମବ୍ରାଞ୍ଚ ।

କୁଆଡେ ଗଲା ମେମୋରୀ ଚିପ୍ ? କଣ ଥିଲା ସେ ଚିପରେ ? କେଉଁ ଦୃଶ୍ୟ ଥିଲା ଯେ, ତାଙ୍କୁ ହତ୍ୟା କରିଲ ? ମାନସ କାହିଁକି ଚିପ ନେଇଥିଲା ? କାହା ପାଖରେ ରହିଛି ସେ ଅଦୃଶ୍ୟ ଚିପ୍ ? ନିରଞ୍ଜନଙ୍କ ଡାଏରୀରେ କଣ ଅଛି ? ଫ୍ଲାଟକୁ କେମିତି ଆସିଲା ଡାଏରୀ ? ଏମିତି କିଛି ପ୍ରଶ୍ନକୁ ନେଇ ଦୁଇ ଅଭିଯୁକ୍ତଙ୍କଠୁ ସତ ଉଗାରିବ କ୍ରାଇମବ୍ରାଞ୍ଚ । ସେପଟେ ସୁଟିଂ ହୋଇଥିବା କିଛି ଫାଇଲ୍ସକୁ ମାନସ ନେଇଯାଇଥିଲା ବୋଲି ଜେରାରେ କହିଛି ଶର୍ମିଷ୍ଠା । କିନ୍ତୁ କଣ ସେ ଦୃଶ୍ୟ ସେ ନେଇ ଶର୍ମିଷ୍ଠା ଖୋଲିନି ମୁହଁ ।

ଝୁନା ବିରୋଧରେ ହତ୍ୟାକାଣ୍ଡ ଭୂମିକାର ପ୍ରମାଣ ମିଳିଥିଲେ ମଧ୍ୟ ରିମାଣ୍ଡରେ କ୍ରସଚେକ କରିବ ତଦନ୍ତକାରୀ ଦଳ । ଏପରିକି ଡାଏରୀରେ ନିରଞ୍ଜନଙ୍କ କିଛି ହାତ ଲେଖା କଥା ଉଲ୍ଲେଖ ରହିଛି । ତାକୁ ନେଇ ମଧ୍ୟ ତନାଘନା କରିବ ଟିମ୍ । ପୂର୍ବରୁ ମୁଖ୍ୟ ହତ୍ୟାକାରୀ ଶର୍ମିଷ୍ଠାକୁ କ୍ରାଇଂବ୍ରାଞ୍ଚ ବିଭିନ୍ନ ସ୍ଥାନକୁ ନେଇ ମାନସ ହତ୍ୟା ସମ୍ବନ୍ଧରେ ସୂଚନା ପାଇସାରିଛି  । କେଉଁଠାରେ ଓ କେମିତି ହତ୍ୟା କରିଥିଲେ  । ହତ୍ୟା ପାଇଁ କେଉଁ କେଉଁ ଉପକରଣ କିଣାଯାଇଥିଲା ଓ କେଉଁଠୁ କିଣାଯାଇଥିଲା  । କିଏ ଓ କେମିତି ଏହି କାର୍ଯ୍ୟରେ ଶର୍ମିଷ୍ଠାକୁ ସାହାଯ୍ୟ କରିଥିଲେ ତାହାର ସମସ୍ତ ଦସ୍ତାବିଜ ସଂଗ୍ରହ କରିସାରିଛି କ୍ରାଇମବ୍ରାଞ୍ଚ  ।

ବନ୍ଧୁକ ଦେଖାଇ ଲୁଟିନେଲେ ୭ ଲକ୍ଷ ଟଙ୍କା, ବିପୁଳ ସୁନା ଅଳଙ୍କାର

ରାୟଗଡ଼ା: ବନ୍ଧୁକ ମୁନରେ ଲୁଟିନେଲେ ନଗଦ ୭ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର । ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟିନେଇଛନ୍ତି ଲୁଟେରା  । ମିଳିଥିବା ସୂଚନା ମୁତାବକ ସୁନାର ମୁଲ୍ୟ ପାଖାପାଖି ୫୦ ଲକ୍ଷ ଟଙ୍କ ହେବ ବୋଲି ଅନୁମାନ କରାଯାଉଛି । ରାୟଗଡା ଜିଲ୍ଲା ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତ ଜେମାଦେଇପେଣ୍ଠରେ ଘଟିଛି ଏଭଳି ଘଟଣା ।

ସୁନା ବ୍ୟବସାୟୀ ବାଲାଜୀ କାଲି ଟଙ୍କା ଆଦାୟ ପାଇଁ ତାଙ୍କ ସହଯୋଗୀଙ୍କ ସହ ସ୍କୁଟିରେ ଯାଉଥିବା ବେଳେ ପେଟ୍ରୋଲ ପମ୍ପରେ ତେଲ ପକାଇ ଫେରୁଥିଲେ । ସେହି ସମୟରେ ବୁଲେଟରେ ୨ ଜଣ ଦୁର୍ବୁତ୍ତ ମୁଖା ପିନ୍ଧି ଆସି ସ୍କୁଟିକୁ ପ୍ରଥମେ ଧକ୍କା ଦେଇଥିଲେ । ପରେ ବ୍ୟବସାୟୀଙ୍କ ମୁଣ୍ଡରେ ଏକ ବନ୍ଧୁକ ଲଗାଇ ଟଙ୍କା ବ୍ୟାଗ ଓ ସୁନା ଲୁଟି ନେଇଥିଲେ । ଥାନାରେ ଏନେଇ ବ୍ୟବସାୟୀ ଜଣଙ୍କ  ଅଭିଯୋଗ କରିଥିଲେ  ।  ଅଭିୟୋଗ ପାଇବା ପରେ ପୋଲିସ ତଦନ୍ତ ଜାରି ରଖିଛି  ।

 

ଶ୍ରୀଲଙ୍କା କ୍ୟାବିନେଟରୁ ୨୬ ମନ୍ତ୍ରୀଙ୍କ ଇସ୍ତଫା

କଲମ୍ବୋ: ସଙ୍କଟ ଜର୍ଜରିତ ଶ୍ରୀଲଙ୍କା କ୍ୟାବିନେଟର ସମୂହ ଇସ୍ତଫା । ରବିବାର ମଧ୍ୟରାତ୍ରୀରେ କେନ୍ଦ୍ର କ୍ୟାବିନେଟରୁ ସମସ୍ତ ୨୬ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ମହିନ୍ଦା ରାଜପକ୍ଷ ଦାୟିତ୍ବ ତୁଲାଇବେ । ସମୂହ ଇସ୍ତଫା ପୂର୍ବରୁ ପ୍ରଧାନମନ୍ତ୍ରୀ ମହିନ୍ଦା ଇସ୍ତଫା ଦେବେ ବୋଲି ଜୋରଦାର ଚର୍ଚ୍ଚା ଧରିଥିଲା । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କୁ ପ୍ରଧାନମନ୍ତ୍ରୀ ମହିନ୍ଦା ସାକ୍ଷାତ କରିବା ପରେ ପରେ ମନ୍ତ୍ରିମଣ୍ଡଳ ସମୂହ ଇସ୍ତଫା ଦେଇଛି । ଦୁଇ ନେତାଙ୍କ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି ।

ଅର୍ଥନୈତିକ ସଂକଟରେ ସଢୁଥିବା ଶ୍ରୀଲଙ୍କାରେ ଅଶାନ୍ତି ଜାରି ରହିଛି । ଗତକାଲି ପେରାଦେନିୟା ବିଶ୍ବବିଦ୍ୟାଳୟ ବାହାରେ ଶହ ଶହ ଛାତ୍ରଛାତ୍ରୀ ଆନ୍ଦୋଳନ କରିବା ପରେ ସେମାନଙ୍କୁ ଘଉଡାଇବା ଲାଗି ପୋଲିସକୁ ଲୁହବୁହା ଗ୍ୟାସ ଓ ଜଳତୋପ ମାରିବାକୁ ପଡିଥିଲା । ବିରୋଧୀଦଳ ନେତାଙ୍କ ନେତୃତ୍ବରେ ବି ଲୋକମାନେ ଆନ୍ଦୋଳନ କରିବା ପ୍ରକ୍ରିୟା ଜାରି ରହିଛି । ପୂର୍ବରୁ ଜାରି ରହିଥିବା 36 ଘଣ୍ଟିଆ କର୍ଫ୍ୟୁର ଅବଧି ଆଜି ସରିଥିବାବେଳେ ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀଙ୍କୁ ଦମନ କରିବା ଲାଗି ପୋଲିସ ସଜାଗ ରହିଛି ।

ସେପଟେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ୍ବିମାଲ ଓ୍ବିରାଓ୍ବାନସା । ଦେଶର ଏଭଳି ଅର୍ଥନୈତିକ ସଙ୍କଟର ମୁକାବିଲା ଲାଗି ଏକ ଅନ୍ତରୀଣ ସର୍ବଦଳୀୟ ମନ୍ତ୍ରିମଣ୍ଡଳ ଗଠନ ଲାଗି ପ୍ରସ୍ତାବ ଦେଇଛନ୍ତି । ତେଣେ ଦେଶରେ ପ୍ରାୟ ସମସ୍ତ ସାମଗ୍ରୀର ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଲୋକମାନେ ଖାଦ୍ୟ ଓ ମେଡିସିନ ଅଭାବରୁ ଛଟପଟ ହେଉଥିବାବେଳେ ଇନ୍ଧନ ଲାଗି ଘଣ୍ଟାଘଣ୍ଟା ଅପେକ୍ଷା କରୁଥିବା ଦେଖାଯାଉଛି । ସେପଟେ ଶ୍ରୀଲଙ୍କାରେ ଦେଖାଦେଇଥିବା ଅଲ୍ଥିର ପରିସ୍ଥିତିରେ ସେନାକୁ ଅଖଣ୍ଡ କ୍ଷମତା ପ୍ରଦାନ କରାଯାଇଛି  ।

ଏହି ରାଶିର ବ୍ୟକ୍ତି ସତର୍କ ରୁହନ୍ତୁ ନହେଲେ…

• ମେଷ – ସ୍ବ-ଗୃହସ୍ଥ ରାହୁ ଏବଂ ସପ୍ତମସ୍ଥ କେତୁ
– ଦାମ୍ପତ୍ୟ ଏବଂ ପ୍ରେମ କରୁଥିବା ଜୀବନ, ବାଣିଜ୍ୟ ବ୍ୟବସାୟ, ରୋଜଗାର ଏବଂ ରାଜନିତି ଜୀବନ ରେ କୁ-ପ୍ରଭାବ ରହିବ ।

• ବୃଷ – ଦ୍ବାଦଶ(ବ୍ୟୟ ବାଦବିବାଦ) ଗୃହସ୍ଥ ରାହୁ ଏବଂ ୬ଷ୍ଠସ୍ଥ କେତୁ
– ସ୍ବ-ପରିଜନ ରେ ଏବଂ କର୍ମକ୍ଷେତ୍ରରେ ଅସହଯୋଗ ମିଳିବ, ବ୍ୟୟଭାର ବଢିବ, ସଂକ୍ରାମକ ରୋଗରେ ପିଡିତ ହେବେ, କଳହ ସ୍ଥିତି ଉପୁଜିବ ମାତ୍ର ରୋଜଗାର ବୃଦ୍ଧି ସହିତ ପଦୋନ୍ନତି ଏବଂ ରାଜନିତିରେ ସଫଳତା ।

• ମିଥୁନ – ଏକଅଦଶ ଲାଭଗୃହସ୍ଥ ରାହୁ ଏବଂ ପଞ୍ଚମ ଗୃହସ୍ଥ କେତୁ
– ପ୍ରତି କାର୍ଯ୍ଯରେ ପରିଶ୍ରମ ଅନୁଯାୟୀ ସଫଳତା, ସମସ୍ୟା ରୁ ମୁକ୍ତି, ବିବାହାଦି ଶୁଭକର୍ମ, ରୋଜଗାର ଆଶାଜନକ ବୃଦ୍ଧି, ସନ୍ତାନ ମାନଙ୍କୁ ସଫଳତା ପ୍ରାପ୍ତି ମାତ୍ର ଜୀବନସାଥିର ସ୍ବାସ୍ଥ୍ୟ ସହିତ ନିଜର ସ୍ବାସ୍ଥ୍ୟ ପ୍ରଭାବିତ ହେବ ।
• କର୍କଟ – ଶୁଭ ଦଶମ ଗୃହସ୍ଥ ରାହୁ ଏବଂ ଚତୁର୍ଥ ଗୃହସ୍ଥ କେତୁ
– କର୍ମକ୍ଷେତ୍ର ଏବଂ ରୋଜଗାର ରେ ଆଶାତିତ ଉର୍ଣ୍ଣତି, ଭୂମି ଯାନବାହାନ କଳକବଜା ଗୃହନିର୍ମାଣ ମାତୃ ସ୍ଥାନିୟାଙ୍କ ଦ୍ବାରା ଲାଭ ଇତ୍ୟାଦି ଶୁଭଫଳ ପ୍ରାପ୍ତି ଯୋଗ ରହିବ । ଛୋଟମୋଟ ଦୁର୍ଘଟଣା ସ୍ଥିତି ଘଟିବ ।

• ସିଂହ – ନବମ ଗୃହସ୍ଥ ରାହୁ ଏବଂ ତୃତୀୟ ଗୃହସ୍ଥ କେତୁ
– ଆଧ୍ୟାତ୍ମୀକତା ପ୍ରତି ଅଗ୍ରହ ବୃଦ୍ଧି, ବିଦେଶ ଯାତ୍ରା ଓ ବୈଦେଶିକ ବ୍ୟାପାର ରେ ସଫଳତା । ଚୋରି ଭୟ ରହିଛି, ଭାଇଭଉଣି ସଂପର୍କରେ ତିକ୍ତତା ।

• କନ୍ୟା – ଅଶୁଭ ୮ମସ୍ଥ ରାହୁ ଏବଂ ୨ସ୍ଥ କେତୁ
– ସ୍ବାସ୍ଥ୍ୟ, ଯାନବାହାନ ଚଳାଚଳ, ପାରିବାରିକ ତଥା ଜନସଂପର୍କ ଏବଂ କର୍ମକ୍ଷେତ୍ର ମଧ୍ୟ ସତର୍କ ରହିବାକୁ ପଡ଼ିବ । ମାତ୍ର ଆଷାଢ ମାସରୁ ଚୈତ୍ର ମାସ ସ୍ଥିତି କିଛି ଅଂଶରେ ଶୁଭଙ୍କର ରହିବ ।
• ତୁଳା – ସପ୍ତମ ଗୃହସ୍ଥ ରାହୁ ଏବଂ ସ୍ବ-ଗୃହ ତୁଳାସ୍ଥ କେତୁ
–  ସଂକ୍ରାମକ ବ୍ୟାଧି, ଦାମ୍ପତ୍ୟ ତଥା ପ୍ରେମ ଜୀବନରେ ଫାଟ ଏବଂ ସ୍ବାସ୍ଥ୍ୟକୁ ନେଇ ବ୍ୟୟ ବୃଦ୍ଧି, ବାଣିଜ୍ୟ ବ୍ୟବସାୟରେ, ଭାଗିଦାରି ବ୍ୟବସାୟରେ ଫାଟ, ବିବାହାଦି ଶୁଭକର୍ମରେ ବିଭ୍ରାଟ ଆଦି ଅଶୁଭ ପ୍ରଭାବ ରହିବ ।

• ବିଛା – ଶୁଭ ୬ଷ୍ଠ ଗୃହସ୍ଥ ରାହୁ ଏବଂ ୧୨ଶ ସ୍ଥ କେତୁ
– ଶୁଭ ଫଳ ଅନେକ କ୍ଷେତ୍ରରେ ପ୍ରାପ୍ତ କରିବେ, ବ୍ଯୟ ବୃଦ୍ଧି ହେବ ମାତ୍ର ଆୟ ପରିମାଣ ଅଧିକ ରହିବ, ବିବାହାଦି ଶୁଭକର୍ମ ହେବ । ଚଳନର ଶେଷଭାଗରେ ଆଇନ ଅଦାଲତର ସ୍ଥିତି ଉପୁଜିବ କିଛିକିଛି ସମସ୍ୟା ଆସିବ ।

• ଧନୁ – ୫ମସ୍ଥ ରାହୁ ଏବଂ ଅତିଶୁଭ ଏକାଦଶ ଲାଭ ଗୃହସ୍ଥ କେତୁ
– ବ୍ୟବସାୟିକ ଅଧିକ ସଫଳ ହେବ, ରୋଜଗାର ବୃଦ୍ଧି ହେବ, କର୍ମକ୍ଷେତ୍ର ରେ ସ୍ଥାୟିତ୍ବ ଆସିବ, ସନ୍ତାନ ମାନଙ୍କର ସର୍ବୋପରି ଉର୍ଣ୍ଣତି ଘଟିବ, ଚଳନର ଶେଷଭାଗ ଅଧିକ ସଫଳତା ପୂର୍ଣ୍ଣ ରହିବ ।
• ମକର – ୪ର୍ଥସ୍ଥ ରାହୁ ଏବଂ ୧୦ମସ୍ଥ କେତୁ
– ଶୁଭାଶୁଭ ମିଶ୍ରଫଳ ରହିବ, କର୍ମକ୍ଷେତ୍ର ସଫଳତା ପୂର୍ଣ୍ଣ ରହିବ, ଘରପରିବାର ଜ୍ଞାତିକୁଟୁମ୍ବ ଏବଂ ସହଭାଗି ମାନଙ୍କର ସହଯୋଗ ବଳରେ ବଳିୟାନ ହେବେ, ଆର୍ଥିକସ୍ଥିତି ସୁଦୃଢ ହେବ । ଗୃହନିର୍ମାଣ ଏବଂ ଭୂମି କ୍ରୟରେ ବାଧା ରହିବ ।

• କୁମ୍ଭ – ୩ୟସ୍ଥ ଶୁଭ ରାହୁ ଏବଂ ୯ମସ୍ଥ କେତୁ
– ସମ୍ପର୍କ ବୃଦ୍ଧି, ସାହାର୍ଯ୍ୟ ସହଯୋଗ ଏବଂ ଭାଇଭଉଣି ସହୋଦର ସମ୍ପର୍କରେ ଉର୍ଣ୍ଣତି, ବ୍ୟବସାୟ ଚାକିରିରେ ସଫଳ,ବିବାହାଦି ଶୁଭକର୍ମ ସମ୍ପର୍ଣ୍ଣ ହେବ, ରୋଜଗାର ବୃଦ୍ଧି । ଦୁର୍ଘଟଣା ଏବଂ ଚୋରିଭୟ ରହିବ ।

ମୀନ – ୨ୟସ୍ଥ ରାହୁ ଏବଂ ୮ମସ୍ଥ କେତୁ
– ରୋଜଗାରରେ ଅବନତି, ବ୍ୟବସାୟରେ କ୍ଷତି, ଚାକିରିରେ ଅପମାନ ଏବଂ ସ୍ଥାନାନ୍ତର ସ୍ଥିତି ଏବଂ ବାଦବିବାଦ ସ୍ଥିତି ସହଜରେ ଉପୁଯିବ, ସ୍ବାସ୍ଥ୍ୟହାନି ଘଟିବ, ଅଭାବି ସ୍ଥିତି ଲାଗିରହିବ, ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବଢିବ ।

କନ୍ଧମାଳରେ ଆରମ୍ଭ ହୋଇଛି ଦଣ୍ଡ ଉପାସନା 

କନ୍ଧମାଳ: ଜିଲ୍ଲାରେ ଆରମ୍ଭ ହୋଇଛି ଦଣ୍ଡ ଉପାସନା  । ଦଣ୍ଡ ଉପାସନା କରି ଭକ୍ତ ମାନେ ମାଆଙ୍କ ଆଶିଷ ଲାଭ କରନ୍ତି  । କାହିଁ କେଉଁ କାଳରୁ ଏହି ପରମ୍ପରା ଆଦିବାସୀ ମାନେ ପାଳି ଆସୁଛନ୍ତି ଏହି ଉପାସନା କରିବାକୁ ହେଲେ ଦଣ୍ଡରେ ଥିବା ଗୁହାରିଆ ମାନେ 14 ଦିନ କାଳ ବାହାରେ ବୁଲି ଦିନକୁ ଗୋଟଏ ବେଳେ ପଣା ପାଣି ପିଇ ଏହି ଉପାସନା କରନ୍ତି । ଏହି 14 ଦିନ ରେ ବାହରେ ବୁଲି ଧୂଳି ଦଣ୍ଡ କରନ୍ତି  । ଗୁମାଗଡ଼ର ବହୁ ପୁରାତନ ଦଣ୍ଡ ହେଲା ଅଗ୍ନି ଦଣ୍ଡ । ଏହି ଦଣ୍ଡରେ ମାଙ୍କ ଆଦେଶରେ 120 ଗୁହାରିଆ ପ୍ରତେକ ଦିନ ଧୂଳି ଦଣ୍ଡ ବେଳେ ନିଆଁ ରେ ଚାଲନ୍ତି ।

ବିଶ୍ୱାସ ରହିଛି ମାଆଙ୍କ ସ୍ୱପ୍ନ ହେବାପରେ ଦଣ୍ଡରେ ଥିବା ସବୁ ଗୁହାରୀଆ ନିଆଁରେ ଚାଲିବା ବାଧ୍ୟତାମୂଳକ । ମାର୍ଚ୍ଚ ୨୮ରୁ ବାହାରି ଏପ୍ରିଲ ୧୪ ତାରିଖ ପଣା ସଂକ୍ରାନ୍ତି ଯାଏ ଏହି ଯାତ୍ରା ଚାଲିବ । ମାନସିକ ରଖିଲେ ମା ପୂରଣ କରନ୍ତି ବୋଲି ଭକ୍ତଙ୍କ ବିଶ୍ବାସ ରହିଛି  । ତେଣୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏହିଠାରେ ପହଁଚିଥାନ୍ତି  । ଆବାହନ କାଳରୁ ରହିଆସିଥିବା ଏହି ପରମ୍ପରାକୁ ନିଷ୍ଠାର ସହ ପାଳନ କରିଆସନ୍ତି ଦଣ୍ଡ ଉପାସକ  ।

୧୪ ଦିନରେ ୧୨ ଥର ବଢିଲାଣି ପେଟ୍ରୋଲ, ମାଲକାନଗିରିରେ ଦର ୧୧୬ ଟଙ୍କା

ଭୁବନେଶ୍ୱର: ଆଜି ପୁଣି ବଢିଲା ତେଲ ଦର । ୧୪ ଦିନରେ ୧୨ ଥର ବଢିଲାଣି ଦର । ଦିଲ୍ଲୀରେ ୪୦ ପଇସା ଲେଖାଏ ବଢିଲା ପେଟ୍ରୋଲ ଓ ଡିଜେଲ ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୩ ଟଙ୍କା ୮୧ ପଇସା ହୋଇଥିବା ବେଳେ, ଡିଜେଲ ଲିଟର ୯୫ଟଙ୍କା ୭ପଇସା ହୋଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୮୪ ପଇସା ବଢି ୧୧୮ଟଙ୍କା ୮୩ ପଇସା ହୋଇଥିବା ବେଳେ, ଡିଜେଲ ଦର ୪୩ ପଇସା ବଢି ୧୦୩ଟଙ୍କା ୭ ପଇସାରେ ପହଞ୍ଚିଛି ।  ସେହିପରି ମାଲକାନଗିରିରେ ପେଟ୍ରୋଲ ଦର ୧୧୬ ଟଙ୍କା ଟପିଛି ।

ଭାରତ ବୟୋଟେକର କୋଭିଡ ଟିକା କୋଭାକ୍ସିନ୍ ଉପରେ କଟକଣା ଲଗାଇଲା WHO

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତ ବାୟୋଟେକର କୋଭିଡ ଟିକା କୋଭାକ୍ସିନର ଯୋଗାଣ ଉପରେ କଟକଣା ଲଗାଇଛି । ଜାତିସଂଘର ବିଭିନ୍ନ ଏଜେନ୍ସି ଜରିଆରେ କୋଭାକ୍ସିନର ଯୋଗାଣ ଉପରେ ରୋକ୍ ଲଗାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହାଦ୍ୱାରା ଭାରତ ବାୟୋଟେକ ଟିକା ପ୍ରସ୍ତୁତ ପାଇଁ ଥିବା ବ୍ୟବସ୍ଥାକୁ ଅପଗ୍ରେଡ୍ କରି ତ୍ରୁଟିବିଚ୍ୟୁତି ଦୂର କରିପାରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି  । ତେବେ କୋଭାକ୍ସିନ ପ୍ରଭାବୀ ଟିକା  ।

ଏଥିରେ କୌଣସି ସନ୍ଦେହ ରହିବା ଉଚିତ ନୁହେଁ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  । କୋଭାକ୍ସିନ ଟିକା ଗ୍ରହଣ କରୁଥିବା ଦେଶଗୁଡିକ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସଂଗଠନ କହିଛି  । ମାର୍ଚ୍ଚ ୧୪ରୁ ୨୨ ଯାଏଁ ପୋଷ୍ଟ ଇମରଜେନସୀ ୟୁଜ୍ ଲିଷ୍ଟିଂ- ଇୟୁଏଲ ତଦାରଖ ପରେ କୋଭାକ୍ସିନ ଯୋଗାଣ ସ୍ଥଗିତ ରଖିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଷ୍ପତ୍ତି ନେଇଛି  । ଏଣେ ଟିକାର ଗୁଣାତ୍ମକ ମାନ ସହ କୌଣସି ସାଲିସ କରାଯାଇନାହିଁ ବୋଲି ଭାରତ ବାୟୋଟେକ କହିଛି  ।

ଏଥିସହିତ ପଢ଼ନ୍ତୁ: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ବନ୍ଧୁକରେ ଗୁଳି ଫୁଟାଇ ପ୍ରାଣ ହାରିଲେ ଯୁବକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା କୁକୁଡ଼ାଖଣ୍ଡି ପେଟ୍ରୋଲ ପମ୍ପ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି  । ପାରିବାରିକ କଳହକୁ କେନ୍ଦ୍ରକରି ଯୁବକ ଜଣକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି  । ବନ୍ଧୁକରେ ଗୁଳି ଫୁଟାଇ ପ୍ରାଣ ହାରିଲେ ଯୁବକ । ମୃତ ଯୁବକ ଜଣଙ୍କ ହେଲେ ଇ. ଜଗନ୍ନାଥ । ତାଙ୍କ ଘର ଗୋପୀନାଥପୁର ହୋଇଥିବା ବେଳେ ସେ କୁକୁଡ଼ାଖଣ୍ଡିରେ ଘର ଭଡ଼ା ନେଇ ରହୁଥିଲେ । ଘଟଣା ନିକଟରେ ଏକ ବନ୍ଧୁକ ପଡ଼ିରହିଥିବା ଦେଖିବାକୁ ମିଳିଛି  ।

ଏଥିସହିତ ପଢ଼ନ୍ତୁ: ଗ୍ରୀଷ୍ମ ତାତିଠୁ ବଢ଼ିଲାଣି ତେଲ ତାତି: ୧୧୦ ଟପିଲା ଦର

ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଶୁଖିଲା ପାଗ ସାଙ୍ଗକୁ ବଢ଼ୁଛି ତାପମାତ୍ରା । ଆଭ୍ୟନ୍ତରୀଣ ଓଡ଼ିଶାରେ ପାରା ସ୍ୱାଭାବିକ ତାପମାତ୍ରା ଠାରୁ ୨ରୁ ୩ ଡିଗ୍ରୀ ବଢ଼ିଛି । ଆସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ. କୋରାପୁଟ, ଗଜପତି, ରାୟଗଡା ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

ସେହିପରି କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ବାଲେଶ୍ୱର, ଭଦ୍ରକରେ ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ । ଆଜି ରାଜ୍ୟର ୮ଟି ସହରରେ ୪୦ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ୪୧. ୬ ଡିଗ୍ରୀ ଟିଟିଲାଗଡ଼ ରହିଛି ସବୁଠାରୁ ଉତ୍ତପ୍ତ ସହର । ସେହିପରି ବଲାଙ୍ଗୀରରେ ୪୧.୫, ବୌଦ୍ଧରେ ୪୧.୫, ସମ୍ବଲପୁରରେ ୪୧.୧, ସୋନପୁରରେ ୪୧ ଓ ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଅନ୍ୟପକ୍ଷରେ ୬ ଏପ୍ରିଲ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।

ଏଥିସହିତ ପଢ଼ନ୍ତୁ: ତାତିରୁ ମିଳିବ ତ୍ରାହି, ୬ରେ ସୃଷ୍ଟି ହୋଇପାରେ ଲଘୁଚାପ