ଶ୍ରୀଲଙ୍କା କ୍ୟାବିନେଟରୁ ୨୬ ମନ୍ତ୍ରୀଙ୍କ ଇସ୍ତଫା

କଲମ୍ବୋ: ସଙ୍କଟ ଜର୍ଜରିତ ଶ୍ରୀଲଙ୍କା କ୍ୟାବିନେଟର ସମୂହ ଇସ୍ତଫା । ରବିବାର ମଧ୍ୟରାତ୍ରୀରେ କେନ୍ଦ୍ର କ୍ୟାବିନେଟରୁ ସମସ୍ତ ୨୬ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ମହିନ୍ଦା ରାଜପକ୍ଷ ଦାୟିତ୍ବ ତୁଲାଇବେ । ସମୂହ ଇସ୍ତଫା ପୂର୍ବରୁ ପ୍ରଧାନମନ୍ତ୍ରୀ ମହିନ୍ଦା ଇସ୍ତଫା ଦେବେ ବୋଲି ଜୋରଦାର ଚର୍ଚ୍ଚା ଧରିଥିଲା । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କୁ ପ୍ରଧାନମନ୍ତ୍ରୀ ମହିନ୍ଦା ସାକ୍ଷାତ କରିବା ପରେ ପରେ ମନ୍ତ୍ରିମଣ୍ଡଳ ସମୂହ ଇସ୍ତଫା ଦେଇଛି । ଦୁଇ ନେତାଙ୍କ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି ।

ଅର୍ଥନୈତିକ ସଂକଟରେ ସଢୁଥିବା ଶ୍ରୀଲଙ୍କାରେ ଅଶାନ୍ତି ଜାରି ରହିଛି । ଗତକାଲି ପେରାଦେନିୟା ବିଶ୍ବବିଦ୍ୟାଳୟ ବାହାରେ ଶହ ଶହ ଛାତ୍ରଛାତ୍ରୀ ଆନ୍ଦୋଳନ କରିବା ପରେ ସେମାନଙ୍କୁ ଘଉଡାଇବା ଲାଗି ପୋଲିସକୁ ଲୁହବୁହା ଗ୍ୟାସ ଓ ଜଳତୋପ ମାରିବାକୁ ପଡିଥିଲା । ବିରୋଧୀଦଳ ନେତାଙ୍କ ନେତୃତ୍ବରେ ବି ଲୋକମାନେ ଆନ୍ଦୋଳନ କରିବା ପ୍ରକ୍ରିୟା ଜାରି ରହିଛି । ପୂର୍ବରୁ ଜାରି ରହିଥିବା 36 ଘଣ୍ଟିଆ କର୍ଫ୍ୟୁର ଅବଧି ଆଜି ସରିଥିବାବେଳେ ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀଙ୍କୁ ଦମନ କରିବା ଲାଗି ପୋଲିସ ସଜାଗ ରହିଛି ।

ସେପଟେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ୍ବିମାଲ ଓ୍ବିରାଓ୍ବାନସା । ଦେଶର ଏଭଳି ଅର୍ଥନୈତିକ ସଙ୍କଟର ମୁକାବିଲା ଲାଗି ଏକ ଅନ୍ତରୀଣ ସର୍ବଦଳୀୟ ମନ୍ତ୍ରିମଣ୍ଡଳ ଗଠନ ଲାଗି ପ୍ରସ୍ତାବ ଦେଇଛନ୍ତି । ତେଣେ ଦେଶରେ ପ୍ରାୟ ସମସ୍ତ ସାମଗ୍ରୀର ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଲୋକମାନେ ଖାଦ୍ୟ ଓ ମେଡିସିନ ଅଭାବରୁ ଛଟପଟ ହେଉଥିବାବେଳେ ଇନ୍ଧନ ଲାଗି ଘଣ୍ଟାଘଣ୍ଟା ଅପେକ୍ଷା କରୁଥିବା ଦେଖାଯାଉଛି । ସେପଟେ ଶ୍ରୀଲଙ୍କାରେ ଦେଖାଦେଇଥିବା ଅଲ୍ଥିର ପରିସ୍ଥିତିରେ ସେନାକୁ ଅଖଣ୍ଡ କ୍ଷମତା ପ୍ରଦାନ କରାଯାଇଛି  ।