ଅଣ୍ଡା ଦରବୃଦ୍ଧିରେ ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ

ଖୋର୍ଦ୍ଧା: କୁକୁଡ଼ା ଅଣ୍ଡାର ସର୍ବନିମ୍ନ ମୂଲ୍ୟ ବୃଦ୍ଧି ଦାବି । ଏନଇସିସିର ମନମାନି ବିରୋଧରେ ଓ ୬ଦଫା ଦାବି ନେଇ ରାଜରାସ୍ତାରେ ଅଲ ଓଡ଼ିଶା ଲେୟର ଫାର୍ମର୍‌ସ ଆସୋସିଏସନ । ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଗଙ୍ଗପଡ଼ାରେ ଲେୟର ଚାଷୀ ମାନେ ଧାରଣା ଦେଇଛନ୍ତି । ରାଜ୍ୟ ବାହାରୁ ଆସୁଥିବା ଅଣ୍ଡା ଟ୍ରକ୍ ଅଟକାଇଛନ୍ତି ଆନ୍ଦୋଳନକାରୀ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶତାଧିକ ଚାଷୀ ଧାରଣାରେ ସାମିଲ ହେଉଛନ୍ତି । ଯେ ପର୍ଯ୍ୟନ୍ତ ଜାତୀୟ ଅଣ୍ଡା ସମନ୍ୱୟ କମିଟି ଚାଷୀଙ୍କ ଦାବି ପୂରଣ ନକରିଛି, ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

ଅଣ୍ଡା ଉତ୍ପାଦନରେ ସ୍ବାବଲମ୍ବୀ ହୋଇଛି ଓଡ଼ିଶା । ରାଜ୍ୟରେ ଦିନକୁ ପ୍ରାୟ ୯୨ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । ୨୦୦ ଚାଷୀ ନିଜ ଫାର୍ମରେ ୫୦ହଜାର ପ୍ରତ୍ୟକ୍ଷ ଓ ୨ଲକ୍ଷ ପରୋକ୍ଷ ନିଯୁକ୍ତି ଦେଇଛନ୍ତି । ହେଲେ ଦେଶରେ ଅଣ୍ଡାର ଦର ସ୍ଥିର କରୁଥିବା ଏନ୍ଇସିସିର ମନମାନି ଓ ପକ୍ଷପାତିତା ଯୋଗୁ ରାଜ୍ୟର ଲେୟର ଚାଷୀ ସଙ୍କଟରେ ପଡ଼ିଛନ୍ତି । ଅଣ୍ଡା ଉତ୍ପାଦନ ଖର୍ଚ୍ଚଠାରୁ କମ ଦରରେ ଅଣ୍ଡା ବିକ୍ରି ହେଉଛି । ଗୋଟିଏ ଅଣ୍ଡାର ଉତ୍ପାଦନ ଖର୍ଚ୍ଚ ପ୍ରାୟ ୪ଟଙ୍କା ୭୦ ପଇସା ପଡୁଥିବା ବେଳେ ଚାଷୀଙ୍କଠାରୁ ବ୍ୟବସାୟୀ ଅଣ୍ଡା କିଣିବାର ଦର ହେଉଛି ମାତ୍ର ୩ ଟଙ୍କା ୭୦ ପଇସା ।

ସେପଟେ ଖାଉଟିଙ୍କୁ ବ୍ୟବସାୟୀ ସାଢ଼େ ୬ଟଙ୍କାରୁ ୭ଟଙ୍କାରେ ବିକୁଛନ୍ତି । ଉତ୍ପାଦନ ଖର୍ଚ୍ଚଠାରୁ କମ୍ ଦରରେ ଅଣ୍ଡା ବିକୁଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି । ବ୍ୟାଙ୍କରୁ ଋଣ ନେଇ ଅନେକ ଚାଷୀ ଶୁଝିନପାରି ଏବେ ଡିଫଲ୍ଟର ତାଲିକାରେ । ବଡ଼ବଡ଼ ବ୍ୟବସାୟୀଙ୍କ ସହ ସଲାସୁତୁରା କରି ଅଣ୍ଡା ଦର ନିୟନ୍ତ୍ରଣ କରୁଥିବା ଏନଇସିସି ବିରୋଧରେ ପ୍ରତିବାଦର ସ୍ବର ଉଠିଛି । ଅଲ୍ ଓଡ଼ିଶା ଲେୟର ଫାର୍ମର୍ସ ସଂଘର ଅଧ୍ୟକ୍ଷ ମାନସ ମଙ୍ଗରାଜଙ୍କ ନେତୃତ୍ବରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଚାଲିଛି ।