spot_img
Home Blog Page 4552

ଭେଣ୍ଟିଲେଟରରେ ଭର୍ତ୍ତି ହେଲେ ମଲୟାଲାମ ଅଭିନେତା  ଶ୍ରୀନିବାସନ

ଭେଣ୍ଟିଲେଟରରେ ଭର୍ତ୍ତି ହେଲେ ମଲୟାଲାମ ଅଭିନେତା  ଶ୍ରୀନିବାସନ । ତେବେ ଗତ ମାର୍ଚ୍ଚ ୩୧ରେ କାର୍ଡ଼ିଆକ୍‌ ଆରେଷ୍ଟର ଶିକାର ହେବାପରେ ତାଙ୍କର ବାଇପାସ୍‌ ସର୍ଜରୀ କରାଯାଇଥିଲା ଏବଂ ବୁଧବାର ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି ।  ଶ୍ରୀନିବାସନ ହେଉଛନ୍ତି ଦକ୍ଷିଣ ଭାରତୀୟ ସିନେମାର ଜଣେ ପ୍ରସିଦ୍ଧ ଅଭିନେତା ଏବଂ ପ୍ରଯୋଜକ ।

ରିପୋର୍ଟ ଅନୁସାରେ ଗତ ମାର୍ଚ୍ଚ ୩୧ରେ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ଶ୍ରୀନିବାସନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଞ୍ଜିଓଗ୍ରାମ ପରୀକ୍ଷାରେ ୬୬ ବର୍ଷୀୟ ଶ୍ରୀନିବାସନ ଟ୍ରିପଲ ଭେସେଲ ରୋଗରେ ପିଡ଼ିତ ଥିବା ଜଣା ପଡ଼ିଥିଲା । ଯାହାପରେ ତାଙ୍କର ବାଇପାସ ସର୍ଜରୀ କରାଯାଇଥିଲା । ଏହି ସର୍ଜରୀ ପରେ ତାଙ୍କୁ ତିନିଦିନ ପାଇଁ ଭେଣ୍ଟିଲେଟରକୁ ସ୍ଥାନାନ୍ତରିତ କରାଯାଇଛି । ଶ୍ରୀନିବାସନଙ୍କୁ ଭେଣ୍ଟିଲେଟରରୁ ବାହାରକୁ ଆଣିବା ପରେ ଏକ ସଂକ୍ରମଣ କାରଣରୁ ପୁଣିଥରେ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ତାଙ୍କ ସମ୍ପର୍କୀୟ କହିଛନ୍ତି ।

ଏହି ଖବର ପ୍ରସାରିତ ହେବା ପରେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ ମାନେ ‘ଗେଟ ୱେଲ ସୁନ’ ମେସେଜ ଲେଖିବା ସହ ତାଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।

ସୂଚନାଯୋଗ୍ୟ  ୧୯୮୪ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଫ୍ଲିକ ଓଡାରୁଥମ୍ମାବା ଆଲାରିୟମ’,୧୯୮୬ ରେ ହୋଇଥିବା ଫିଲ୍ମ ‘ସନମାନସୁଲ୍ଲାବରସ୍କୁ ସମାଧାନମ ଗାନ୍ଧିନଗର ୨ ଷ୍ଟ୍ରିଟ’ ଓ ‘ନାଡୋଦିକାଟ୍ଟୁ’  ଭଳି ଅନେକ ଚଳଚ୍ଚିତ୍ରରେ ସେ ସଂଳାପ ରଚନା କରିଛନ୍ତି। ୨୦୧୮ରେ ରିଲିଜ ହୋଇଥିବା ତାଙ୍କର ଫିଲ୍ମ ନଜମ ପ୍ରକାଶନ ବହୁତ ଲୋକପ୍ରିୟ ହୋଇଥିଲା। ଏହି ଫିଲ୍ମଟି ବର୍ତ୍ତମାନ ସୁଦ୍ଧା ସବୁ ସର୍ବାଧିକ  ରୋଜଗାର କରିଥିବା ମାଲାୟାଲାମ ଫିଲ୍ମ ବୋଲି ଜଣାପଡ଼ିଛି ।

ରାୟ ପୂର୍ବରୁ ହାତାହାତି, ସୁପ୍ରିମକୋର୍ଟ ବାହାରେ ଓକିଲ-ପୋଲିସ ଖଣ୍ଡଯୁଦ୍ଧ

ଇସଲାମାବାଦ: କଣ ହେବ ଇମ୍ରାନଙ୍କ ଭାଗ୍ଯ ? କୌଣସି ବି ମୁହୂର୍ତ୍ତରେ ଆସିପାରେ ସୁପ୍ରିମକୋର୍ଟଙ୍କ ରାୟ । ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଇମ୍ରାନ ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ଓ ସଂସଦ ଭଙ୍ଗ ଉପରେ ରାୟ ଶୁଣାଇବେ । ରାୟ ପୂର୍ବରୁ ପାକିସ୍ତାନରେ ରାଜନୈତିକ ଗତିବିଧି ଜୋର୍ ଧରିଛି । ଇମ୍ରାନ ଖାନ କହିଛନ୍ତି, କୋର୍ଟ ଯାହା ନିଷ୍ପତ୍ତି ନେବେ ତାହା ମୁଁ ଓ ମୋ ଦଳ ମାନିବ । ରାୟ ପୂର୍ବରୁ ପାକିସ୍ତାନ ସୁପ୍ରିମକୋର୍ଟ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଅତିରିକ୍ତ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Imran Khan Said Before The Verdict Says Every Decision Of Supreme Court Will Be Accepted

ବିପୁଳ ସୁରକ୍ଷା କର୍ମୀ ମୁତୟନ ସତ୍ତ୍ୱେ କୋର୍ଟ ବାହାରେ ଓକିଲ ଓ ପୋଲିସ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି । ମାମଲାର ଶୁଣାଣି କରୁଥିବା ୫ ଜଣିଆ ଖଣ୍ଡପୀଠ ସ୍ଥିତି ବିଗୁଡ଼ିଥିବା ଦେଖି କୋର୍ଟ କବାଟକୁ ବନ୍ଦ କରି ଦେଇଛନ୍ତି । ନିଷ୍ପତ୍ତି ଶୁଣାଇବା ପୂର୍ବରୁ ଖଣ୍ଡପୀଠରେ ଥିବା ସମସ୍ତ ବିଚାରପତି ପରସ୍ପର ମଧ୍ୟରେ ଆଲୋଚନା କରୁଛନ୍ତି ।

ଏଥିସହ ବଢ଼ନ୍ତୁ: ଅନାସ୍ଥା ପ୍ରସ୍ତାବ ଖାରଜ ନିଷ୍ପତ୍ତିକୁ ଭୁଲ୍ କହିଲେ ପାକିସ୍ତାନ ସୁପ୍ରିମକୋର୍ଟ

ନିଷ୍ପତ୍ତି ଶୁଣାଇବା ପୂର୍ବରୁ ପ୍ରଧାନ ବିଚାରପତି ନିର୍ବାଚନ ଆୟୋଗଙ୍କୁ ଜବାବ ମାଗିଥିଲେ । ନିର୍ବାଚନ ଆୟୋଗର ସଚିବ ଆଇନ୍ ଟିମ୍ ସହିତ କୋର୍ଟରେ ପହଞ୍ଚିଛନ୍ତି । ନିର୍ବାଚନ ଆୟୋଗ କହିଛନ୍ତି, ୯୦ ଦିନ ମଧ୍ୟରେ ନିର୍ବାଚନ ସମ୍ଭବ ନୁହେଁ । କୋର୍ଟରେ ନିର୍ବାଚନ ଆୟୋଗ ପକ୍ଷ ରଖି କହିଛନ୍ତି, ନିର୍ବାଚନ ପାଇଁ ୪ ମାସ ସମୟ ଦରକାର । ଅକ୍ଟୋବର ସୁଦ୍ଧା ସମସ୍ତ ପ୍ରକ୍ରିୟା ସରିଯିବ ।

ଭିଜିଲାନ୍ସ ରେଡ: ସହକାରୀ ଯନ୍ତ୍ରୀଙ୍କ ଘରୁ ୨ କୋଟି ଜବତ, ଗଣିବାକୁ ଲାଗିଲା ମେସିନ

ବ୍ରହ୍ମପୁର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରିବାକୁ ଯାଇଥିଲା ଭିଜିଲାନ୍ସ ଟିମ୍ । ଚଡାଉ ବି ହେଲା । ତା’ ପରେ ଯାହା ଆଖି ଆଗରେ ଘଟିଲା ଭିଜିଲାନ୍ସ ଟିମର ଆଖି ଟେରା ହୋଇଗଲା । ଯାଞ୍ଚ ଯେତେ ବଢିଲା ଘରୁ ବାହାରିଲା ଗଦା ଗଦା ଟଙ୍କା । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୨ କୋଟି୍ କ୍ୟାସ୍ ଘରେ ଛୁପାଇ ରଖିଥିଲେ ବାବୁ । ଆଜି ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଚଢାଉ ବେଳେ ଏମିତି ଟଙ୍କା ଦେଖି ଭିଜିଲାନ୍ସ ଟିମ୍ ଆବାକାବା ।

ଏ ବାବୁ ଜଣଙ୍କ ନାଁ ହେଉଛି କାର୍ତ୍ତିକେଶ୍ବର ରାଉଳ । ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ । ବାବୁ ଟଙ୍କା ଚାପିବାରେ ସିଧହସ୍ତ । ସେତିକି ନୁହେଁ, ଦୁଇଟି ବାହା ମଧ୍ୟ ହୋଇଛନ୍ତି । ଆଜି ଭିଜିଲାନ୍ସ ଟିମ୍ କାର୍ତ୍ତିକେଶ୍ବର ଓ ତାଙ୍କ ଦ୍ବିତୀୟ ପତ୍ନୀଙ୍କ ବାସଭବନରେ ଚଢାଉ କରିଥିଲେ । ତା ପରେ ଆଉ କ’ଣ ? ଯେଉଁଠି ଅଣ୍ଡାଳିଲେ ଖାଲି ଟଙ୍କା ଆଉ ଟଙ୍କା । ଏତେ ଟଙ୍କା କେମିତି ଗଣାଯିବ ଭାବି ଭିଜିଲାନ୍ସ ଟିମଙ୍କ ମୁଣ୍ଡ ବୁଲାଇ ପକାଇଥିଲା । ଶେଷରେ ଟଙ୍କା ଗଣିବାକୁ ମେସିନ ମଗାଯାଇଥିଲା । ଗୋଟିଏ ଟଙ୍କା ଗଣା ମେସିନ ନିୟୋଜିତ ହୋଇଥିବା ବେଳେ ୬ ଜଣ ଅଧିକାରୀ ମଧ୍ୟ ଟଙ୍କା ଗଣାରେ ଲାଗିଛନ୍ତି ।

ପୂର୍ବରୁ କାର୍ତ୍ତିକେଶ୍ବରଙ୍କ ଘରୁ ୫ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଠାବ ହୋଇଥିଲା । ସହକାରୀ ଯନ୍ତ୍ରୀଙ୍କ ଭୁବନେଶ୍ବର ଖଣ୍ଡଗିରିରେ ଦୁଇଟି ଫ୍ଲାଟ୍ ଓ ଜାଗମରାରେ ଗୋଟିଏ ଦ୍ବିତଳ ଅଟ୍ଟାଳିକା ରହିଛି । ଭୁବନେଶ୍ବରରେ ୭ଟି ପ୍ଲଟ ସହ ରହିଛି ୩୭ ଲକ୍ଷ ୨୩ ହଜାର ଟଙ୍କାର ଇନସୁରାନ୍ସ ଜମା । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗତକାଲି କାର୍ତ୍ତିକେଶ୍ବରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଗଞ୍ଜାମ ଓ ଭୁବନେଶ୍ବରରେ ଏକକାଳୀନ ୬ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ।

୧ କୋଟି ଶିବଲିଙ୍ଗରେ ସ୍ଥାପିତ ଦକ୍ଷିଣ ଭାରତର ଏହି ଅଲୌକିକ ଶିବ ମନ୍ଦିର

ଆପଣ  ଭଗବାନ ଶିବଙ୍କ ଅନେକ ମନ୍ଦିର ଦେଖିଥିବେ । କିନ୍ତୁ ଏହି ମନ୍ଦିରର ଆକୃତି କହେ ଭିନ୍ନ କାହାଣୀ  । ଚମତ୍କାରରେ ଭରା ଏହି ମନ୍ଦିର । କର୍ଣ୍ଣାଟକର କୋଲାର ଜିଲ୍ଲାର ଏହି ମନ୍ଦିରରେ ବିଶ୍ୱର ସର୍ବାଧିକ ଶିବଲିଙ୍ଗ ସ୍ଥାପିତ ହୋଇଛି । ପ୍ରାୟ ୧ କୋଟି ବୋଲି କୁହାଯାଏ । ଯାହା କୋଟିଲିଙ୍ଗେଶ୍ୱର ଧାମ ନାମରେ ଜଣାଶୁଣା । ଆସନ୍ତୁ ଆଲୋଚନା କରିବା ଏହି ଚମତ୍କାରୀ ବନ୍ଦିର ବିଷୟରେ ।

କର୍ଣ୍ଣାଟକର କୋଲାରରେ ଥିବା କୋଟିଲେଶ୍ବର ମନ୍ଦିରରେ ପାଖାପାଖି ୧ କୋଟି ଶିବଲିଙ୍ଗ ସ୍ଥାପନା କରାଯାଇଛି। ଏହି ମନ୍ଦିରର ସ୍ଥାପନା ଏକ ଅଭିଶାପ କାରଣରୁ ହୋଇଥିଲା ବୋଲି କୁହାଯାଉଛି। କିମ୍ବଦନ୍ତୀ ଅନୁସାରେ ଭଗବାନ ଇନ୍ଦ୍ରଙ୍କୁ ଗୌତମ ନାମକ ଜଣେ ଜ୍ଞାନୀ ଋଷି ଅଭିଶାପ ଦେଇଥିଲେ। ଇନ୍ଦ୍ର ଦେବ ଏହି ଅଭିଶାପରୁ ମୁକ୍ତି ପାଇବା ଲାଗି କୋଟିଲେଶ୍ବର ମନ୍ଦିରରେ ଶିବଲିଙ୍ଗ ସ୍ଥାପନ କରିଥିଲେ।  ଏହି ମନ୍ଦିରରେ ସ୍ଥିତ ଶିବଲିଙ୍ଗର ଉଚ୍ଚତା ୧୦୮ ଫୁଟ୍‌ ରହିଥିବା ବେଳେ ଏହାକୁ ସବୁଠୁ ଉଚ୍ଚ ଶିବଲିଙ୍ଗ ବୋଲି କୁହାଯାଏ। ମନ୍ଦିରର ଚତୁଃପାର୍ଶ୍ବରେ ପାଖାପାଖି ୧ କୋଟି ଶିବଲିଙ୍ଗ ସ୍ଥାପିତ କରାଯାଇଛି। ଏଥିସହିତ ଦେବୀ ମା’, ଶ୍ରୀ ଗଣେଶ ଏବଂ ଶ୍ରୀ କୁମାରସ୍ବାମୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ରହିଛି। ଛୋଟ ଛୋଟ ଶିବଲିଙ୍ଗ ମଝିରେ ନନ୍ଦୀ ଭଗବାନଙ୍କ ମୂର୍ତ୍ତି ରହିଛି। ଏଠାରେ ସ୍ଥାପନା ହୋଇଥିବା ନନ୍ଦୀ ଭଗବାନଙ୍କ ଏହି ମୂର୍ତ୍ତି ୩୫ ଫୁଟ୍‌ ଉଚ୍ଚ, ୬୦ ଫୁଟ୍‌ ଲମ୍ବ, ୪୦ ଫୁଟ୍‌ ଚଉଡ଼ାରେ ତିଆରି କରାଯାଇଛି।

ଏହି ମନ୍ଦିରରେ ଦିନକୁ ଦିନ ଶିବଲିଙ୍ଗ ସଂଖ୍ୟା ବଢ଼ିବାରେ ଲାଗିଛି। ଲୋକେ ନିଜ ମାନସିକ ପୂରଣ ହେଲା ପରେ ଏଠାରେ ଶିବଲିଙ୍ଗ ସ୍ଥାପନା କରିବାରେ ଲାଗିଛନ୍ତି। ଏହାର କାରଣ ହେଉଛି ଯେ ଏଠାକୁ ଆସୁଥିବା ଭକ୍ତମାନେ ସେମାନଙ୍କର କୌଣସି ମନସ୍କକାମନା ପୂର୍ଣ୍ଣ କରିବା ପାଇଁ ମାଗିଥାନ୍ତି ଏବଂ ଯେତେବେଳେ ସେମାନଙ୍କର ଇଚ୍ଛା ପୂରଣ ହୁଏ, ସେତେବେଳେ ସେମାନେ ନିଜ ନାମରେ ୧ ଫୁଟରୁ ୩ ଫୁଟ ପର୍ଯ୍ୟନ୍ତ ଏହି ମନ୍ଦିରରେ ଶିବଲିଙ୍ଗ ପ୍ରତିଷ୍ଠା କରନ୍ତି।

କୋଟିଲିଙ୍ଗଶ୍ୱର ଧାମ ମନ୍ଦିର ପରିସରେ ଥିବା ଦୁଇଟି ବୃକ୍ଷରେ ହଳଦିଆ ସୂତା ବାନ୍ଧିବା ଦ୍ୱାରା ପ୍ରତ୍ୟେକ ଇଚ୍ଛା ପୂରଣ ହୁଏ ବୋଲି ଏଠାକୁ ଆସିଥିବା ଭକ୍ତ ମାନେ କୁହନ୍ତି । ବିଶେଷ କରି ବିବାହ କ୍ଷେତ୍ରରେ ଆସୁଥିବା ବାଧା ବିଘ୍ନ ଦୂର ହୋଇଯାଏ। ମହାଶିବରାତ୍ରୀ ଅବସରରେ ଲକ୍ଷ ଲକ୍ଷ ଭକ୍ତ କେବଳ ଦେଶରୁ ନୁହେଁ ସମଗ୍ର ବିଶ୍ୱରୁ ଏହି ମନ୍ଦିରକୁ ଆସି ଭଗବାନ ଶିବଙ୍କୁ ପ୍ରାର୍ଥନା କରନ୍ତି।

 

ମହଙ୍ଗା ଯୁଗରେ ଶସ୍ତା ପ୍ଲାନ, ୧୬ ଟଙ୍କାରେ ମିଳୁଛି ୩୦ ଦିନ ବୈଧତା

ନୂଆଦିଲ୍ଲୀ: ଜିଓ ଟେଲିକମ୍ ମାର୍କେଟକୁ ଆସିବା ପରେ ବିଏସଏନଏଲ୍ ଚମକ ହରାଇଥିଲା । ସମୟ ବଦଳିବା ସହ ଘରୋଇ ପ୍ରଥମେ ମାଗଣା ଓ ଶସ୍ତା ସେବା ଦେଉଥିବା ଘରୋଇ ଟେଲିକମ୍ କମ୍ପାନୀ ଏବେ ଦର ବେଶ୍ ବଢ଼ାଇଛନ୍ତି । ମହଙ୍ଗା ଯୁଗରେ ଏବେ ଲୋକଙ୍କୁ ପୁଣି ଆକୃଷ୍ଟ କରୁଛି ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ । ଏୟାରଟେଲ୍, ଜିଓ ଓ ଭୋଡ଼ାଫୋନ୍ ଆଇଡିଆ ଉପରେ ବିଏସଏନ୍ଏଲ୍ ଭାରି ପଡ଼ିବାରେ ଲାଗିଛି ।

BSNL Offers The Most Affordable 30 Day Prepaid Plan Telecom

ବିଏସଏନ୍ଏଲ୍ ମାତ୍ର ୧୬ ଟଙ୍କାରେ ସବୁଠୁ ଶସ୍ତା ୩୦ ଦିନ ବୈଧତା ବିଶିଷ୍ଟ ପ୍ଲାନ୍ ଦେଉଛି । ତେବେ ଏହି ପ୍ୟାକରେ ଡାଟା ଓ ମେସେଜ୍ ଉପଲବ୍ଧ ନାହିଁ । ତେବେ ଏହି ପ୍ୟାକର ବୈଧତା ଏକ ମାସ । ବିଏସଏନଏଲ୍ ମୁତାବକ ଆପଣ ୧୬ ଟଙ୍କା ରିଚାର୍ଜ କଲେ ଆପଣ ମିନିଟ୍ ପିଛା ୨୦ ପଇସା ଦେଇ କଲ୍ କରିପାରିବେ ।

ଯଦି ଆପଣଙ୍କ ପାଖେ ଅନ୍ୟ ସିମ୍ ସହ ବିଏସଏନଏଲ୍ ନମ୍ବର ରହିଛି । ଆଉ ତାକୁ ଆପଣ ସକ୍ରିୟ ରଖିବାକୁ ଚାହୁଁଛନ୍ତି । ତାହେଲେ ଏହି ପ୍ଲାନ୍ ଆପଣଙ୍କ ପାଇଁ ବେଶ୍ ଉପଯୋଗୀ । ଏହାଛଡ଼ା ବିଏସ୍ଏନ୍ଏଲ୍ ପାଖରେ ଆହୁରି ଭଲ ଅଫର୍ ମଧ୍ୟ ରହିଛି । ମାତ୍ର ୧୪୭ ଟଙ୍କାରେ ୩୦ ଦିନ ବୈଧତା ବିଶିଷ୍ଟ ପ୍ୟାକରେ ବିଏସ୍ଏନ୍ଏଲ୍ ଡାଟା ଓ ଭଏସ୍ କଲିଂ ସୁବିଧା ଦେଉଛି । ଏହି ପ୍ଲାନରେ ଅସୀମିତ ଭଏସ୍ କଲିଂ ସହ ୧୦ ଜିବି ଡାଟା ସହ ବିଏସ୍ଏନ୍ଏଲ୍ ଟ୍ୟୁନ୍ ରହିଛି । ତେବେ ଏଥିରେ ମେସେଜ୍ ସୁବିଧା ନାହିଁ ।

ଜୁଲାଇ ୧୭ରେ NEET-UG, ଆରମ୍ଭ ହେଲା ପଞ୍ଜିକରଣ

ନୂଆଦିଲ୍ଲୀ: ୨୦୨୨ ନିଟ୍ ୟୁଜି ପରୀକ୍ଷା ଲାଗି ପଞ୍ଜିକରଣ ଆରମ୍ଭ ହୋଇଛି । ଜୁଲାଇ ୧୭ରେ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟରାନ୍ସ ଟେଷ୍ଟ (NEET) ପରୀକ୍ଷା ହେବ । ଦେଶବ୍ୟାପୀ ୧୩ଟି ଭାଷାରେ ଚଳିତଥର ନିଟ୍ ପରୀକ୍ଷା ହେବ । ତେବେ ଚଳିତବର୍ଷ ନିଟ୍ ଆବେଦନ ଲାଗି କୌଣସି ବୟସସୀମା ରଖାଯାଇ ନାହିଁ । ପୂର୍ବରୁ ୨୫ ବର୍ଷରୁ ଅଧିକ ବୟସ୍କ ନିଟ୍ ଏଣ୍ଟରାନ୍ସ ଲାଗି ଆବେଦନ କରିପାରୁ ନଥିଲେ ।

ଓପନ୍ ସ୍କୁଲରୁ ଦ୍ୱାଦଶ ପାସ୍ କରିଥିଲେ ନିଟରେ ଭାଗ ନେଇପାରିବେ ନାହିଁ । ଦଶମ ବୋର୍ଡ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ ଆବେଦନ କରିପାରିବେ । ଏପରିକି ବୋର୍ଡ ପରୀକ୍ଷାରେ ବିଫଳ ପରୀକ୍ଷାର୍ଥୀ ନିଟ୍ ଲାଗି ଆବେଦନ କରିପାରିବେ ନାହିଁ ।

ନିଟ୍ ଆବେଦନ ଲାଗି ସାଧାରଣ ବର୍ଗ ପରୀକ୍ଷାର୍ଥୀ ୧୬୦୦ ଟଙ୍କା ଦେବାକୁ ଥିବାବେଳେ ଆର୍ଥିକ ପଛୁଆ ବର୍ଗ, ଓବିସି ପରୀକ୍ଷାର୍ଥୀଙ୍କୁ ୧୫୦୦ ଟଙ୍କା ଆବେଦନ ଖର୍ଚ୍ଚ ଦେବାକୁ ପଡ଼ିବ । ଅନୁସୂଚିତ ଜାତି, ଜନଜାତି, ତୃତୀୟ ଲିଙ୍ଗ ପରୀକ୍ଷାର୍ଥୀ ଆବେଦନ ପାଇଁ ୯୦୦ ଟଙ୍କା ଦେବେ । ଏନଆରଆଇ ପରୀକ୍ଷାର୍ଥୀଙ୍କୁ ୮ ହଜାର ୫୦୦ ଟଙ୍କା ଦେବାକୁ ପଡ଼ିବ ।

ଓଡ଼ିଶା ଆଦିବାସୀଙ୍କ ହକ୍ ମାରୁଛି କେନ୍ଦ୍ର

ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟ, ମନରେଗା, ଆବାସ ପରେ ଏବେ ରାଜ୍ୟର ଅନୁସୂଚିତ ଜନଜାତି ବର୍ଗଙ୍କୁ କେନ୍ଦ୍ରର ଅବହେଳା । ବର୍ଷ ପରେ ବର୍ଷ କମି ଚାଲିଛି କେନ୍ଦ୍ରୀୟ ଅନୁଦାନ। ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ୪ଟି ଯୋଜନାରେ ନିୟମିତ ଭାବେ ହ୍ରାସ ପାଉଛି ଅନୁଦାନ । ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଲିଖିତ ଉତ୍ତରରେ ଏହା ସ୍ପଷ୍ଟ ହୋଇଛି । ଆଦିବାସୀ ବ୍ୟାପାର ମନ୍ତ୍ରୀ ଓଡ଼ିଶାରୁ ଥାଇ ବି ରାଜ୍ୟ ପ୍ରତି କେନ୍ଦ୍ରର ଏମିତି ଅବହେଳାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ରାଜ୍ୟବାସୀ । ଆଦିବାସୀ ଜନଜାତିଙ୍କ ବିକାଶ ପାଇଁ ସମ୍ବିଧାନରେ ବି କେନ୍ଦ୍ରକୁ ଅଧିକ କ୍ଷମତା ଦିଆଯାଇଛି । ହେଲେ ଅନୁଦାନ ହ୍ରାସ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ପଦାରେ ପକାଇଛି । ଆଦିବାସୀଙ୍କୁ କେନ୍ଦ୍ର ଅବହେଳା କରି ଚାଲିଥିବା ବେଳେ ବର୍ଷକୁ ବର୍ଷ କମୁଛି ଅନୁଦାନ ।

ଓଡ଼ିଶାରୁ ମନ୍ତ୍ରୀ, ହେଲେ ଓଡ଼ିଶା ପାଉନି ହକ୍‌ । ରାଜ୍ୟରେ ମାରୁଛନ୍ତି ବାହାଦୁରୀ, ହେଲେ  କେନ୍ଦ୍ରରେ ମୁହଁ ବନ୍ଦ । ରାଜ୍ୟରେ ୨୨ ପ୍ରତିଶତରୁ ଅଧିକ ଅନୁସୂଚିତ ଜନଜାତି ବର୍ଗ ଲୋକ ଅଛନ୍ତି । ହେଲେ ଅଧିକ ଅନୁଦାନ ତ ଦୂରର କଥା, ପ୍ରତିବର୍ଷ କମି ଚାଲିଛି କେନ୍ଦ୍ରୀୟ ଅଂଶଧନ । ସ୍ବତନ୍ତ୍ର କେନ୍ଦ୍ରୀୟ ଅନୁଦାନ ପାଇଁ ୨୦୧୮ରେ ୧୭୫ କୋଟି ରାଜ୍ୟକୁ ମିଳିଥିବା ବେଳେ ୨୦୧୯ରେ ଏହା ୮୬କୋଟିକୁ ଖସି ଆସିଥିଲା । ୨୦୨୧ରେ ଏହା ୯୦ କୋଟିରେ ସୀମିତ ରହିଛି । ସେପଟେ ଆଦିବାସୀଙ୍କ ଜୀବନଧାରଣ କ୍ଷମତା ବଢାଇବା ପାଇଁ ସମ୍ବିଧାନର ୨୭୫ ଧାରା ଅନୁସାରେ ରାଜ୍ୟକୁ ମିଳୁଥିବା ପାଣ୍ଠି ବି କମିଛି । ୨୦୧୮ରେ ୨୧୪ କୋଟି ଟଙ୍କା ମିଳିଥିବା ବେଳେ ୨୦୧୯ରେ ୧୫୧ କୋଟି, ୨୦୨୦ରେ ୬୩ କୋଟି ଓ ୨୦୨୧ରେ ୫୯ କୋଟି ମିଳିଛି । ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଓଡ଼ିଶାରୁ ଥିଲେ ବି ରାଜ୍ୟକୁ ଅନୁଦାନ କମିଛି । ଏନେଇ ସ୍ବର ଉଠାଇବା ଦରକାର ବୋଲି ସମୀକ୍ଷକ କହିଛନ୍ତି ।

ରାଜ୍ୟର ଆଦିମ ଅଧିବାସୀଙ୍କ ପାଇଁ ୨୦୧୮ରେ ୩୬ କୋଟି ମିଳିଥିବା ବେଳେ ଏଥର ଏହା ୭୦ ପ୍ରତିଶତ କମିଛି। ସେହିପରି ଆଦିବାସୀ ଗବେଷଣା ପ୍ରତିଷ୍ଠାନକୁ ୨୦୧୮ ମସିହାରେ ୮ କୋଟି ମିଳିଥିବା ବେଳେ ଏବେ ଏହା ୬ କୋଟିକୁ ଖସିଛି । ସମାଜର ପଛୁଆ ବର୍ଗ ଭାବେ ଆଦିବାସୀଙ୍କ ସାମଗ୍ରିକ ଉନ୍ନତି ପାଇଁ ଅଧିକ ଅନୁଦାନ ବ୍ୟବସ୍ଥା ସମ୍ବିଧାନରେ ଥିବା ବେଳେ କେନ୍ଦ୍ର ସରକାର ଅନୁଦାନ କମାଇ ଚାଲିଛନ୍ତି। କେନ୍ଦ୍ର ସରକାରଙ୍କ ଏଭଳି ନୀତିକୁ ସବୁ ମହଲରେ ସମାଲୋଚନା କରାଯାଉଛି ।

ମହିଳା ଓ ଆଦିବାସୀଙ୍କ ବିକାଶ ପାଇଁ ଡିଣ୍ଡିମ ପିଟୁଛନ୍ତି କେନ୍ଦ୍ର ସରକାର । ହେଲେ ବିଭାଗର ମନ୍ତ୍ରୀ ଓଡ଼ିଶାକୁ ପ୍ରତିନିଧିତ୍ବ କରୁଥିବା ସତ୍ତ୍ବେ ରାଜ୍ୟକୁ କ୍ରମାଗତ ଭାବେ ଅନୁଦାନ କମି ଚାଲିଛି।

ରାପର ହନି ସିଂଙ୍କ ସହିତ ଦିଲ୍ଲୀ କ୍ଲବରେ ମାରପିଟ୍‌

ନୂଆଦିଲ୍ଲୀ: ପ୍ରସିଦ୍ଧ ରାପର ସିଙ୍ଗର ହନି ସିଂଙ୍କ ସହିତ ମାରପିଟ୍‌ ମାମଲା ସାମ୍ନାକୁ ଆସିଛି ।  ଘଟଣା ଦିଲ୍ଲୀର ଏକ କ୍ଲବରେ ଘଟିଛି । ପୋଲିସ୍‌ ଏହି ମାମଲାରେ ୪ରୁ ୫ ଜଣ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ଗଣମାଧ୍ୟମ ଖବର ଅନୁସାରେ ଘଟଣା ୨୭ ମାର୍ଚ୍ଚର । ହନି ସିଂ ଦିଲ୍ଲୀର ସାଉଥ୍‌ ଏକ୍ସଟେନସନ ସ୍ଥିତ ସ୍କୋଲ କ୍ଲବରେ ଲାଇଭ୍‌ ପର୍ଫମାନ୍ସ ଦେବାକୁ ପହଞ୍ଚିଥିଲେ ।  ତାଙ୍କ ଅଭିଯୋଗ ଅନୁସାରେ ମାରପିଟ୍‌ କରିବା ସହିତ ଖରାପ ବ୍ୟବହାର ମଧ୍ୟ ହୋଇଥିଲା ।

ଖବର ଅନୁସାରେ କିଛି ଯୁବକ ଜବରଦସ୍ତ ମଞ୍ଚ ଉପରେ ଚଢ଼ି ଯାଇଥିଲେ ଏବଂ ହନି ସିଂଙ୍କୁ ସହିତ ମାରପିଟ୍‌ କରିବା ଆରମ୍ଭ କରିଦେଲେ । କେବଳ ସେତିକି ନୁହେଁ ‘ଶୋ’ ବନ୍ଦ କରିବାକୁ  ମଧ୍ୟ ଉଦ୍ୟମ କରିଥିଲେ । କେବଳ ସେତିକି ନୁହେଁ ବରଂ ମଞ୍ଚ ଉପରେ ମଦ ବୋତଲ ଦେଖାଇ ଉପସ୍ଥିତ କଳାକାରଙ୍କୁ ତଳକୁ ଧକ୍କା ମାରି ଦେଇଥିଲେ । ହନି ସିଂ’ଙ୍କୁ ଟଣାଓଟରା କରିବା ଆରମ୍ଭ କରିଦେଲେ । ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ହନି । କିନ୍ତୁ ସେମାନେ ତାଙ୍କୁ ମାରପିଟ୍‌ କରିବାକୁ ଉସୁକାଇଥିଲେ । ତେବେ କିଭଳି ହେଉ ସେଠାରୁ ଏମାନେ ନିଜକୁ ବଞ୍ଚାଇ ଚାଲି ଆସିଥିଲେ ।

ସିଏମସି ସ୍ବଚ୍ଛତା ଦାୟିତ୍ବରେ ମହିଳା

ସମ୍ବଲପୁର: ସ୍ବଚ୍ଛତା ଓ ପରିମଳ କ୍ଷେତ୍ରରେ ମହିଳାଙ୍କୁ ଗୁରୁଦାୟିତ୍ବ । ସ୍ବଚ୍ଛସାଥୀ ଓ ଜଳସାଥୀ ମାଧ୍ୟମରେ ଘରକୁ ଘର ବୁଲି ସଂଗ୍ରହ କରୁଛନ୍ତି ଆବର୍ଜନା । ସମ୍ବଲପୁର ମହାନଗର ନିଗମରେ ପ୍ରଥମ ଥର ପାଇଁ ଏଥିରେ ସାମିଲ ହୋଇଛନ୍ତି ମହିଳା । ଏହାଦ୍ବାରା ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହ ସହରକୁ ସ୍ବଚ୍ଛ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉଛନ୍ତି । ସିଏମସିର ଏପରି ପଦକ୍ଷେପକୁ ମହିଳାମାନେ ସ୍ବାଗତ କରିଛନ୍ତି ।

ସମ୍ବଲପୁର ମହାନଗର ନିଗମ ସ୍ବଚ୍ଛତାର ଦାୟିତ୍ବ ମହିଳାଙ୍କୁ । ସ୍ବଚ୍ଛସାଥୀ କାର୍ଯ୍ୟକ୍ରମ ଜରିଆରେ ସହରକୁ ସ୍ବଚ୍ଛ ରଖିବାରୁ ପ୍ରଥମ ଥର ପାଇଁ ମହିଳାଙ୍କୁ ଦିଆଯାଇଛି ଦାୟିତ୍ବ । ସକାଳ ୭ଟାରୁ ତିନ ଚକିଆ ସ୍ବଚ୍ଛ ସବାରୀ ଧରି ଘରକୁ ଘର ବୁଲି ସଂଗ୍ରହ କରୁଛନ୍ତି ଆବର୍ଜନା । ଏହି ଯୋଜନା ଦ୍ବାରା ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହ ନିଜ ପରିବାର ପ୍ରତିପୋଷଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇ ପାରିବେ ବୋଲି କହିଛନ୍ତି ମହାନଗର ନିଗମ କମିଶନର  ପ୍ରଦୀପ ସାହୁ ।

ଆହର କେନ୍ଦ୍ରଠାରୁ ଆରମ୍ଭ କରି ମୁକ୍ତା ଯୋଜନା, ସବୁ ବିଭାଗରେ ମହିଳାଙ୍କୁ ରାଜ୍ୟ ସରକାର ଦେଇଛନ୍ତି ଗୁରୁତ୍ବ । ମଶନ ଶକ୍ତି ଜରିଆରେ ମହିଳାମାନେ ମଧ୍ୟ ନିଜର କାର୍ଯ୍ୟ ଦକ୍ଷତାକୁ ପ୍ରତିପାଦନ କରିପାରିଛନ୍ତି । ଆଗକୁ ଅନ୍ୟ ବିଭାଗରେ ମଧ୍ୟ ମହିଳାଙ୍କୁ ଅଗ୍ରାଧିକାର ଦେବାକୁ ସମ୍ବଲପୁର ମହାନଗର ଲକ୍ଷ୍ୟ ରଖିଛି ।

ଦେଶରେ ଉଦବେଗଜନକ ବାଲ୍ୟ ବିବାହ ସ୍ଥିତି: ସଜାଗ ରହିବାକୁ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଚିଠି

ଭୁବନେଶ୍ବର: ଶିକ୍ଷା ହେଉ କି ଜୀବନ ଧାରଣମାନ, ଭାରତରେ ବହୁତ ଆଗେଇଛି । ବିଜ୍ଞାନ ବଳରେ ଆମେ ମଙ୍ଗଳ ଗ୍ରହରେ ପହଞ୍ଚି ସାରିଲେଣି । ଆଜି ବିଶ୍ବର ପ୍ରତିଷ୍ଠିତ ସଂସ୍ଥାରେ ରହିଛି ଭାରତୀୟଙ୍କ ଗୁରୁତ୍ବପୂର୍ଣ୍ଣ ଯୋଗଦାନ । ଏତେ ପରେ ବି ଆମେ ଆଜି ବି ବାଲ୍ୟ ବିବାହ ଭଳି କୁତ୍ସିତ ପ୍ରଥାରୁ ମୁକୁଳି ପାରିନାହାନ୍ତି । ଜୀବନ କ’ଣ ଜାଣିବା ପୂର୍ବରୁ ସଂସାର ଜଞ୍ଜାଳରେ ଛନ୍ଦି ଦେଉଛନ୍ତି କୋମଳମତି ପିଲାଙ୍କୁ । ଦେଶରେ ବାଲ୍ୟ ବିବାହ ସ୍ଥିତି ଉଦବେଗଜନକ ରହିଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିବାର ସମୟ ଆସିଛି ।

ଓଡ଼ିଶାରେ ବାଲ୍ୟ ବିବାହ ହ୍ରାସ ପାଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ । ଏହାକୁ ବନ୍ଦ କରିବାକୁ ହେଲେ ଆହୁରି ଅଧିକ ସଚେତନତାର ଆବଶ୍ୟକତା ରହିଛି । ଏପରି କୁତ୍ସିତ ପ୍ରଥାକୁ ସମୂଳେ ହଟାଇବାକୁ ହେଲେ ସମସ୍ତଙ୍କର ମିଳିତ ଉଦ୍ୟମର ଆବଶ୍ୟକତା ରହିଛି । ତେବେ ବାଲ୍ୟ ବିଭାଗକୁ ଚକ୍ ଦେବାକୁ ରାଜ୍ୟ ସରକାରଙ୍କ ତରଫରୁ ଅହରହ ଉଦ୍ୟମ ଜାରି ରହିଛି । ଏହି କ୍ରମରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସମସ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ସଜାଗ ରହିବାକୁ ଚିଠି ଲେଖିଛନ୍ତି ।

ଚିନ୍ତା ବଢାଉଛି ଦେଶର ବାଲ୍ୟ ବିବାହ ସ୍ଥିତି । ଦୈନିକ ହେଉଛି ୨୯ ହଜାର ବାଲ୍ୟ ବିବାହ । ଓଡିଶାରେ ହ୍ରାସ ପାଇଥିଲେ ବି ଆଜି ବି ଜାରି ରହିଛି ଏହି କୁତ୍ସିତ ପ୍ରଥା । ଏହାକୁ ରୋକିବାକୁ ବିଭିନ୍ନ ସ୍ତରରେ ଚାଲିଛି ଉଦ୍ୟମ । ଆମ ରାଜ୍ୟରେ ତୁଳନାତ୍ମକ ଭାବେ ଏହି ହାର ହ୍ରାସ ପାଉଥିବା ସର୍ଭେରୁ ଜଣାପଡିଛି । ତଥାପି ସମସ୍ତଙ୍କର ମିଳିତ ଉଦ୍ୟମ ରହିଲେ ଏହାକୁ ରୋକା ଯାଇପାରିବ ବୋଲି ମତ ପ୍ରକାଶ ପାଇଛି ।

ଆଗକୁ ଅକ୍ଷୟ ତୃତୀୟା । ଏହିଦିନ ବହୁ ସଂଖ୍ୟାରେ ବିବାହ ହୋଇଥାଏ । ଏଣୁ ରାଜ୍ୟ ଶିଶୁ ଅଧିକର ଆୟୋଗ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କ ସମେତ ସିଡିପିଓମାନଙ୍କୁ ସଜାଗ ରହିବାକୁ ଚିଠି ଲେଖିଛନ୍ତି ।

ଓଡିଶାରେ ଆଦିବାସୀଙ୍କ ସଂଖ୍ୟା ଅଧିକ ଥିବାରୁ ଏଠାରେ ମଧ୍ୟ କାଁ ଭାଁ ଏପରି ଘଟଣା ସାମ୍ନାକୁ ଆସିଥାଏ । ସଚେତନତାର ଅଭାବ ଏକ ପ୍ରମୁଖ କାରଣ କୁହାଯାଉଥିବା ବେଳେ ଶିକ୍ଷିତ ଓ ସଚେତନ ବ୍ୟକ୍ତି ମଧ୍ୟ ଏଥିରେ ସମ୍ପୃକ୍ତି ଥିବା ଚିନ୍ତାର ବିଷୟ ପାଲଟିଛି । ସେପଟେ ବାଲ୍ୟ ବିବାହ ନିରୋଧ ଆଇନକୁ ସଂଶୋଧନ କରାଯାଇ କଡାକଡି କରାଯାଇଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବାରେ ରହିଛି ସମସ୍ୟା । ତେଣୁ ବିଭିନ୍ନ ବିଭାଗ ଓ ସଂସ୍ଥା ମଧ୍ୟରେ ସମନ୍ବୟ ରକ୍ଷା କରାଗଲେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ମତ ରଖିଛନ୍ତି ଚାଇଲ୍ଡ ଲାଇନ୍ ନିର୍ଦ୍ଦେଶକ ଡଃ ବେଣୁଧର ସେନାପତି ।