ଭିଜିଲାନ୍ସ ରେଡ: ସହକାରୀ ଯନ୍ତ୍ରୀଙ୍କ ଘରୁ ୨ କୋଟି ଜବତ, ଗଣିବାକୁ ଲାଗିଲା ମେସିନ

ବ୍ରହ୍ମପୁର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରିବାକୁ ଯାଇଥିଲା ଭିଜିଲାନ୍ସ ଟିମ୍ । ଚଡାଉ ବି ହେଲା । ତା’ ପରେ ଯାହା ଆଖି ଆଗରେ ଘଟିଲା ଭିଜିଲାନ୍ସ ଟିମର ଆଖି ଟେରା ହୋଇଗଲା । ଯାଞ୍ଚ ଯେତେ ବଢିଲା ଘରୁ ବାହାରିଲା ଗଦା ଗଦା ଟଙ୍କା । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୨ କୋଟି୍ କ୍ୟାସ୍ ଘରେ ଛୁପାଇ ରଖିଥିଲେ ବାବୁ । ଆଜି ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଚଢାଉ ବେଳେ ଏମିତି ଟଙ୍କା ଦେଖି ଭିଜିଲାନ୍ସ ଟିମ୍ ଆବାକାବା ।

ଏ ବାବୁ ଜଣଙ୍କ ନାଁ ହେଉଛି କାର୍ତ୍ତିକେଶ୍ବର ରାଉଳ । ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ । ବାବୁ ଟଙ୍କା ଚାପିବାରେ ସିଧହସ୍ତ । ସେତିକି ନୁହେଁ, ଦୁଇଟି ବାହା ମଧ୍ୟ ହୋଇଛନ୍ତି । ଆଜି ଭିଜିଲାନ୍ସ ଟିମ୍ କାର୍ତ୍ତିକେଶ୍ବର ଓ ତାଙ୍କ ଦ୍ବିତୀୟ ପତ୍ନୀଙ୍କ ବାସଭବନରେ ଚଢାଉ କରିଥିଲେ । ତା ପରେ ଆଉ କ’ଣ ? ଯେଉଁଠି ଅଣ୍ଡାଳିଲେ ଖାଲି ଟଙ୍କା ଆଉ ଟଙ୍କା । ଏତେ ଟଙ୍କା କେମିତି ଗଣାଯିବ ଭାବି ଭିଜିଲାନ୍ସ ଟିମଙ୍କ ମୁଣ୍ଡ ବୁଲାଇ ପକାଇଥିଲା । ଶେଷରେ ଟଙ୍କା ଗଣିବାକୁ ମେସିନ ମଗାଯାଇଥିଲା । ଗୋଟିଏ ଟଙ୍କା ଗଣା ମେସିନ ନିୟୋଜିତ ହୋଇଥିବା ବେଳେ ୬ ଜଣ ଅଧିକାରୀ ମଧ୍ୟ ଟଙ୍କା ଗଣାରେ ଲାଗିଛନ୍ତି ।

ପୂର୍ବରୁ କାର୍ତ୍ତିକେଶ୍ବରଙ୍କ ଘରୁ ୫ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଠାବ ହୋଇଥିଲା । ସହକାରୀ ଯନ୍ତ୍ରୀଙ୍କ ଭୁବନେଶ୍ବର ଖଣ୍ଡଗିରିରେ ଦୁଇଟି ଫ୍ଲାଟ୍ ଓ ଜାଗମରାରେ ଗୋଟିଏ ଦ୍ବିତଳ ଅଟ୍ଟାଳିକା ରହିଛି । ଭୁବନେଶ୍ବରରେ ୭ଟି ପ୍ଲଟ ସହ ରହିଛି ୩୭ ଲକ୍ଷ ୨୩ ହଜାର ଟଙ୍କାର ଇନସୁରାନ୍ସ ଜମା । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗତକାଲି କାର୍ତ୍ତିକେଶ୍ବରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଗଞ୍ଜାମ ଓ ଭୁବନେଶ୍ବରରେ ଏକକାଳୀନ ୬ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ।