ଦେଶରେ ଉଦବେଗଜନକ ବାଲ୍ୟ ବିବାହ ସ୍ଥିତି: ସଜାଗ ରହିବାକୁ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଚିଠି

ଭୁବନେଶ୍ବର: ଶିକ୍ଷା ହେଉ କି ଜୀବନ ଧାରଣମାନ, ଭାରତରେ ବହୁତ ଆଗେଇଛି । ବିଜ୍ଞାନ ବଳରେ ଆମେ ମଙ୍ଗଳ ଗ୍ରହରେ ପହଞ୍ଚି ସାରିଲେଣି । ଆଜି ବିଶ୍ବର ପ୍ରତିଷ୍ଠିତ ସଂସ୍ଥାରେ ରହିଛି ଭାରତୀୟଙ୍କ ଗୁରୁତ୍ବପୂର୍ଣ୍ଣ ଯୋଗଦାନ । ଏତେ ପରେ ବି ଆମେ ଆଜି ବି ବାଲ୍ୟ ବିବାହ ଭଳି କୁତ୍ସିତ ପ୍ରଥାରୁ ମୁକୁଳି ପାରିନାହାନ୍ତି । ଜୀବନ କ’ଣ ଜାଣିବା ପୂର୍ବରୁ ସଂସାର ଜଞ୍ଜାଳରେ ଛନ୍ଦି ଦେଉଛନ୍ତି କୋମଳମତି ପିଲାଙ୍କୁ । ଦେଶରେ ବାଲ୍ୟ ବିବାହ ସ୍ଥିତି ଉଦବେଗଜନକ ରହିଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିବାର ସମୟ ଆସିଛି ।

ଓଡ଼ିଶାରେ ବାଲ୍ୟ ବିବାହ ହ୍ରାସ ପାଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ । ଏହାକୁ ବନ୍ଦ କରିବାକୁ ହେଲେ ଆହୁରି ଅଧିକ ସଚେତନତାର ଆବଶ୍ୟକତା ରହିଛି । ଏପରି କୁତ୍ସିତ ପ୍ରଥାକୁ ସମୂଳେ ହଟାଇବାକୁ ହେଲେ ସମସ୍ତଙ୍କର ମିଳିତ ଉଦ୍ୟମର ଆବଶ୍ୟକତା ରହିଛି । ତେବେ ବାଲ୍ୟ ବିଭାଗକୁ ଚକ୍ ଦେବାକୁ ରାଜ୍ୟ ସରକାରଙ୍କ ତରଫରୁ ଅହରହ ଉଦ୍ୟମ ଜାରି ରହିଛି । ଏହି କ୍ରମରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସମସ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ସଜାଗ ରହିବାକୁ ଚିଠି ଲେଖିଛନ୍ତି ।

ଚିନ୍ତା ବଢାଉଛି ଦେଶର ବାଲ୍ୟ ବିବାହ ସ୍ଥିତି । ଦୈନିକ ହେଉଛି ୨୯ ହଜାର ବାଲ୍ୟ ବିବାହ । ଓଡିଶାରେ ହ୍ରାସ ପାଇଥିଲେ ବି ଆଜି ବି ଜାରି ରହିଛି ଏହି କୁତ୍ସିତ ପ୍ରଥା । ଏହାକୁ ରୋକିବାକୁ ବିଭିନ୍ନ ସ୍ତରରେ ଚାଲିଛି ଉଦ୍ୟମ । ଆମ ରାଜ୍ୟରେ ତୁଳନାତ୍ମକ ଭାବେ ଏହି ହାର ହ୍ରାସ ପାଉଥିବା ସର୍ଭେରୁ ଜଣାପଡିଛି । ତଥାପି ସମସ୍ତଙ୍କର ମିଳିତ ଉଦ୍ୟମ ରହିଲେ ଏହାକୁ ରୋକା ଯାଇପାରିବ ବୋଲି ମତ ପ୍ରକାଶ ପାଇଛି ।

ଆଗକୁ ଅକ୍ଷୟ ତୃତୀୟା । ଏହିଦିନ ବହୁ ସଂଖ୍ୟାରେ ବିବାହ ହୋଇଥାଏ । ଏଣୁ ରାଜ୍ୟ ଶିଶୁ ଅଧିକର ଆୟୋଗ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କ ସମେତ ସିଡିପିଓମାନଙ୍କୁ ସଜାଗ ରହିବାକୁ ଚିଠି ଲେଖିଛନ୍ତି ।

ଓଡିଶାରେ ଆଦିବାସୀଙ୍କ ସଂଖ୍ୟା ଅଧିକ ଥିବାରୁ ଏଠାରେ ମଧ୍ୟ କାଁ ଭାଁ ଏପରି ଘଟଣା ସାମ୍ନାକୁ ଆସିଥାଏ । ସଚେତନତାର ଅଭାବ ଏକ ପ୍ରମୁଖ କାରଣ କୁହାଯାଉଥିବା ବେଳେ ଶିକ୍ଷିତ ଓ ସଚେତନ ବ୍ୟକ୍ତି ମଧ୍ୟ ଏଥିରେ ସମ୍ପୃକ୍ତି ଥିବା ଚିନ୍ତାର ବିଷୟ ପାଲଟିଛି । ସେପଟେ ବାଲ୍ୟ ବିବାହ ନିରୋଧ ଆଇନକୁ ସଂଶୋଧନ କରାଯାଇ କଡାକଡି କରାଯାଇଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବାରେ ରହିଛି ସମସ୍ୟା । ତେଣୁ ବିଭିନ୍ନ ବିଭାଗ ଓ ସଂସ୍ଥା ମଧ୍ୟରେ ସମନ୍ବୟ ରକ୍ଷା କରାଗଲେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ମତ ରଖିଛନ୍ତି ଚାଇଲ୍ଡ ଲାଇନ୍ ନିର୍ଦ୍ଦେଶକ ଡଃ ବେଣୁଧର ସେନାପତି ।