ଓଡ଼ିଶା ଆଦିବାସୀଙ୍କ ହକ୍ ମାରୁଛି କେନ୍ଦ୍ର

ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟ, ମନରେଗା, ଆବାସ ପରେ ଏବେ ରାଜ୍ୟର ଅନୁସୂଚିତ ଜନଜାତି ବର୍ଗଙ୍କୁ କେନ୍ଦ୍ରର ଅବହେଳା । ବର୍ଷ ପରେ ବର୍ଷ କମି ଚାଲିଛି କେନ୍ଦ୍ରୀୟ ଅନୁଦାନ। ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ୪ଟି ଯୋଜନାରେ ନିୟମିତ ଭାବେ ହ୍ରାସ ପାଉଛି ଅନୁଦାନ । ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଲିଖିତ ଉତ୍ତରରେ ଏହା ସ୍ପଷ୍ଟ ହୋଇଛି । ଆଦିବାସୀ ବ୍ୟାପାର ମନ୍ତ୍ରୀ ଓଡ଼ିଶାରୁ ଥାଇ ବି ରାଜ୍ୟ ପ୍ରତି କେନ୍ଦ୍ରର ଏମିତି ଅବହେଳାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ରାଜ୍ୟବାସୀ । ଆଦିବାସୀ ଜନଜାତିଙ୍କ ବିକାଶ ପାଇଁ ସମ୍ବିଧାନରେ ବି କେନ୍ଦ୍ରକୁ ଅଧିକ କ୍ଷମତା ଦିଆଯାଇଛି । ହେଲେ ଅନୁଦାନ ହ୍ରାସ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ପଦାରେ ପକାଇଛି । ଆଦିବାସୀଙ୍କୁ କେନ୍ଦ୍ର ଅବହେଳା କରି ଚାଲିଥିବା ବେଳେ ବର୍ଷକୁ ବର୍ଷ କମୁଛି ଅନୁଦାନ ।

ଓଡ଼ିଶାରୁ ମନ୍ତ୍ରୀ, ହେଲେ ଓଡ଼ିଶା ପାଉନି ହକ୍‌ । ରାଜ୍ୟରେ ମାରୁଛନ୍ତି ବାହାଦୁରୀ, ହେଲେ  କେନ୍ଦ୍ରରେ ମୁହଁ ବନ୍ଦ । ରାଜ୍ୟରେ ୨୨ ପ୍ରତିଶତରୁ ଅଧିକ ଅନୁସୂଚିତ ଜନଜାତି ବର୍ଗ ଲୋକ ଅଛନ୍ତି । ହେଲେ ଅଧିକ ଅନୁଦାନ ତ ଦୂରର କଥା, ପ୍ରତିବର୍ଷ କମି ଚାଲିଛି କେନ୍ଦ୍ରୀୟ ଅଂଶଧନ । ସ୍ବତନ୍ତ୍ର କେନ୍ଦ୍ରୀୟ ଅନୁଦାନ ପାଇଁ ୨୦୧୮ରେ ୧୭୫ କୋଟି ରାଜ୍ୟକୁ ମିଳିଥିବା ବେଳେ ୨୦୧୯ରେ ଏହା ୮୬କୋଟିକୁ ଖସି ଆସିଥିଲା । ୨୦୨୧ରେ ଏହା ୯୦ କୋଟିରେ ସୀମିତ ରହିଛି । ସେପଟେ ଆଦିବାସୀଙ୍କ ଜୀବନଧାରଣ କ୍ଷମତା ବଢାଇବା ପାଇଁ ସମ୍ବିଧାନର ୨୭୫ ଧାରା ଅନୁସାରେ ରାଜ୍ୟକୁ ମିଳୁଥିବା ପାଣ୍ଠି ବି କମିଛି । ୨୦୧୮ରେ ୨୧୪ କୋଟି ଟଙ୍କା ମିଳିଥିବା ବେଳେ ୨୦୧୯ରେ ୧୫୧ କୋଟି, ୨୦୨୦ରେ ୬୩ କୋଟି ଓ ୨୦୨୧ରେ ୫୯ କୋଟି ମିଳିଛି । ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଓଡ଼ିଶାରୁ ଥିଲେ ବି ରାଜ୍ୟକୁ ଅନୁଦାନ କମିଛି । ଏନେଇ ସ୍ବର ଉଠାଇବା ଦରକାର ବୋଲି ସମୀକ୍ଷକ କହିଛନ୍ତି ।

ରାଜ୍ୟର ଆଦିମ ଅଧିବାସୀଙ୍କ ପାଇଁ ୨୦୧୮ରେ ୩୬ କୋଟି ମିଳିଥିବା ବେଳେ ଏଥର ଏହା ୭୦ ପ୍ରତିଶତ କମିଛି। ସେହିପରି ଆଦିବାସୀ ଗବେଷଣା ପ୍ରତିଷ୍ଠାନକୁ ୨୦୧୮ ମସିହାରେ ୮ କୋଟି ମିଳିଥିବା ବେଳେ ଏବେ ଏହା ୬ କୋଟିକୁ ଖସିଛି । ସମାଜର ପଛୁଆ ବର୍ଗ ଭାବେ ଆଦିବାସୀଙ୍କ ସାମଗ୍ରିକ ଉନ୍ନତି ପାଇଁ ଅଧିକ ଅନୁଦାନ ବ୍ୟବସ୍ଥା ସମ୍ବିଧାନରେ ଥିବା ବେଳେ କେନ୍ଦ୍ର ସରକାର ଅନୁଦାନ କମାଇ ଚାଲିଛନ୍ତି। କେନ୍ଦ୍ର ସରକାରଙ୍କ ଏଭଳି ନୀତିକୁ ସବୁ ମହଲରେ ସମାଲୋଚନା କରାଯାଉଛି ।

ମହିଳା ଓ ଆଦିବାସୀଙ୍କ ବିକାଶ ପାଇଁ ଡିଣ୍ଡିମ ପିଟୁଛନ୍ତି କେନ୍ଦ୍ର ସରକାର । ହେଲେ ବିଭାଗର ମନ୍ତ୍ରୀ ଓଡ଼ିଶାକୁ ପ୍ରତିନିଧିତ୍ବ କରୁଥିବା ସତ୍ତ୍ବେ ରାଜ୍ୟକୁ କ୍ରମାଗତ ଭାବେ ଅନୁଦାନ କମି ଚାଲିଛି।