spot_img
Home Blog Page 4472

ଆମେରିକୀୟ କମ୍ପାନୀ ଟେସଲା ମାଲିକଙ୍କୁ ଭାରତର ଟେସଲା ଦେଖାଇଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଅଧିକ ଚର୍ଚ୍ଚିତ କାର୍ ଟେସଲା କମ୍ପାନୀ ମାଲିକ ଏଲନ୍ ମସ୍କଙ୍କୁ ଭାରତୀୟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କ ଟ୍ୱିଟ୍ । ଆମେରିକୀୟ କମ୍ପାନୀ ଟେସଲା ମାଲିକଙ୍କୁ ଆନନ୍ଦ ଦେଖାଇଲେ ଭାରତର ଟେସଲା । ତେବେ ସେ ଯାହା ଦେଖାଇଛନ୍ତି ତାହା କୌଣସି କାର୍ ନୁହେଁ, ତାହା ହେଉଛି ଶଗଡ଼ ଗାଡ଼ି । ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍ କରି ଏକ ଶଗଡ଼କୁ ଫଟୋକୁ ଟ୍ୱିଟ୍ କରିବା ସହ ଏହା ଅସଲି ଟେସଲା ବୋଲି କହିଛନ୍ତି । ଆଉ ଏହା ପରେ ଆନନ୍ଦଙ୍କ ଟ୍ୱିଟ୍ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏବଂ ଏହା ନେଟିଜନ୍ସଙ୍କ ମନ ମଧ୍ୟ ଜିଣିଛି ।

Image

ସୋସିଆଲ ମିଡ଼ିଆରେ ସବୁ ବେଳେ ଆକ୍ଟିଭ ରହିଆସୁଥିବା ଆନନ୍ଦ ମହିନ୍ଦ୍ରା ଅନେକ ସମୟର ପ୍ରେରଣାଦାୟୀ ଓ ମଜାଳିଆ ପୋଷ୍ଟ ସବୁ କରିଥାନ୍ତି। ଏବେ ସେ ଟେସଲାର ସିଇଓ ଏଲନ ମସ୍କଙ୍କୁ ଏହି ଟ୍ୱିଟ୍‌ କରିଛନ୍ତି। ସେ ନିଜର ଟ୍ୱିଟ୍‌ରେ ଏଲନ ମସ୍କଙ୍କୁ ଟ୍ୟାଗ୍‌ କରି କ୍ୟାପସନ ଦେଇଛନ୍ତି ବ୍ୟାକ୍‌ ଟୁ ଦ ଫ୍ୟୁଚର ବୋଲି ଉଲ୍ଲେଖ କରିଛନ୍ତି ।

ତେବେ ସେ ଟ୍ୟାଗ୍ କରିଥିବା ଫଟୋଟିରେ ଶଗଡ଼ ଗାଡ଼ିର ଫଟୋ ଥିବା ସହ ଏହା ଅସଲି ଟେସଲା ବୋଲି ଲେଖାଯାଇଛି । ଏହା ଚଳାଇବାକୁ କୌଣସି ଇନ୍ଦନର ଆବଶ୍ୟକତା ପଡ଼ୁନଥିବା ବେଳେ ପ୍ରଦୂଷଣ ମଧ୍ୟ ସୃଷ୍ଟି ହୁଏ ନାହିଁ  । ଏବଂ ଏଫ୍‌ଏସ୍‌ଡି ମୋଡରେ ଶଗଡ଼ ଚାଲିଥାଏ ଏଥିଲାଗି କୌଣସି ଗୁଗୁଲ ମ୍ୟାପ୍‌ର ମଧ୍ୟ ଆବଶ୍ୟକତା ନଥାଏ ଏବଂ ଯାତ୍ରା ସଫଳ ହୁଏ ବୋଲି ଲେଖାଯାଇଛି ।

ଦୂର ହେବ ବିଦ୍ୟୁତ ସଙ୍କଟ, ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମିଳିବ ଅନବରତ ବିଜୁଳି

ଭୁବନେଶ୍ୱର: ବିଦ୍ୟୁତ ସଙ୍କଟକୁ ନେଇ ଶକ୍ତି ବିଭାଗ ପକ୍ଷରୁ ହୋଇଛି ସମୀକ୍ଷା ବୈଠକ। ଏହି ବୈଠକରେ ରାଜ୍ୟର ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଅନବରତ ବିଜୁଳି ଯୋଗାଣକୁ ସୁନିଶ୍ଚିତ କରିବାକୁ ସମସ୍ତ ଡିସକମ ମାନଙ୍କୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶ। ଖରା ତାତି ବଢୁଥିବାରୁ ଓ ପିଲାଙ୍କ ପରୀକ୍ଷା ଥିବାରୁ ବିଜୁଳି ଯୋଗାଣକୁ ନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Electricity

ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ଭିସିରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରୁଥିବା ବେଳେ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇଥିଲେ। ଗ୍ରୀଡକୋ, ଓପିଟିସିଏଲ୍, ଓଏଚପିସି, ଓପିଜିସି, ବିଦ୍ୟୁତ ଉତ୍ପାଦନ କମ୍ପାନୀ ସମେତ ଡିସକମ ମାନେ ସାମିଲ ହୋଇଥିଲେ ।

ସୂଚନା ଅନୁସାରେ, ଆଜି ବସିଥିବା ଏହି ବୈଠକରେ ବିଦ୍ୟୁତ ବିଭାଗର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଦ୍ୟୁତ ଚାହିଦା ବଢ଼ୁଛି । ପିକ୍‌ ସମୟରେ ୧୦ ପ୍ରତିଶତ ଅଧିକ ଚାହିଦା ରହୁଛି । ରାଜ୍ୟରେ ବର୍ତ୍ତମାନ ବିଜୁଳି ଯୋଗାଣରେ ଯେଉଁ ସମସ୍ୟା ରହିଛି ତାହା ସାମୁହିକ ସମସ୍ୟା । ଦିନ ସମୟରେ ବିଜୁଳି ଯୋଗାଣରେ ଯେପରି କୌଣସି ଅସୁବିଧା ନ ହେବ ସେ ନେଇ ଡ଼ିସକମ ମାନଙ୍କୁ ନିର୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ । ସମସ୍ତ ଆଇଆଇପି ବା ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାଙ୍କୁ କୋଇଲା ଯୋଗାଇ ଦେବା ପାଇଁ ନିର୍ଦେଶ ଦିଆଯାଇଛି।

 

ଦେଶରେ ବଢୁଛି କରୋନା ସଂକ୍ରମଣ; ଦିନକରେ ୨୫୪୧ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୪୧ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସମୟରେ ସଂକ୍ରମଣ ୦.୮୪ ପ୍ରତିଶତ ରହିଥିବା ବେଳେ ଆକ୍ଟିଭ କେସ୍ ୧୬ ହଜାର ୫୨୨ ରହିଛି । ଦିନକରେ ସୁସ୍ଥ ହୋଇଛନ୍ତି ୧,୮୬୨ ଲୋକ।

ସେହିପରି ଦିଲ୍ଲୀରେ ମଧ୍ୟ ସଂକ୍ରମଣ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧ ହଜାର ୦୮୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ବର୍ତ୍ତମାନ ସକ୍ରିୟ ପଜିଟିଭଙ୍କ ସଂଖ୍ୟା ରହିଛି ୩ ହଜାର ୯୭୫ । ପ୍ରତିଦିନ ସଂକ୍ରମଣ ୧ ହଜାର ଉପରେ ରହୁଥିବାରୁ ଏଥିରେ ରୋକ ଲଗାଇବା ଲାଗି ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ସରକାର ।

Mumbai Reports Second Case Of XE Variant Corona

ତେବେ କୋଭିଡ ସ୍ଥିତିର ମୁକାବିଲା ଲାଗି ଆସନ୍ତା ବୁଧବାର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଦେଶରେ କୋଭିଡ ମୁକାବିଲା ଓ ପଦକ୍ଷେପ ସମ୍ପର୍କରେ ଏହି ସମ୍ମିଳନୀରେ ରିପୋର୍ଟ ଉପସ୍ଥାପନ କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଗତ ଜାନୁଆରୀ ୧୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଏକ ସମ୍ମିଳନୀରେ କୋଭିଡ ସମ୍ପର୍କରେ ଆଲୋଚନା କରିଥିଲେ ।

ସ୍କୁଲର ରୋଷେଇ ଘରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ବଲାଙ୍ଗୀର: ସ୍କୁଲ ରୋଷେଇ ଘରେ ଲାଗିଲା ନିଆଁ। ବଲାଙ୍ଗୀର ପୁଇଁତଳା ଶଙ୍କରଭୋଜି ପ୍ରାଥମିକ ସ୍କୁଲର ରୋଷେଇ ଘରେ ହଠାତ୍ ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗିଥିଲା। ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ।

ସୂଚନା ଅନୁସାରେ, ରୋଷେଇ କରୁଥିବା ମହିଳାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି ସ୍କୁଲ ପିଲା I ନିଆଁ ଲାଗିବା ପରେ ରୋଷେୟା ପାଟି କରିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ସଙ୍ଗେସଙ୍ଗେ ବାହାରକୁ ବାହାର କରି ଦେଇଥିଲେ । ତେବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ରାଜଧାନୀରେ ଡବଲ ମର୍ଡର, ଜବତ ହେଲା ରକ୍ତଭିଜା ଟାଙ୍ଗିଆ

ଭୁବନେଶ୍ୱର: ରାଜଧାନୀରେ ଡବଲ ମର୍ଡର ଘଟଣାରେ ଜବତ ହୋଇଛି ରକ୍ତଭିଜା ଟାଙ୍ଗିଆ। ପତ୍ନୀ ଓ ଶାଳୀକୁ ହତ୍ୟା କରିବା ପାଇଁ ଉକ୍ତ ଟାଙ୍ଗିଆକୁ ବ୍ୟବହାର କରିଥିଲା ଅଭିଯୁକ୍ତ ବିଜୟ ସେଠୀ। ହତ୍ୟା ପରେ ଟାଙ୍ଗିଆକୁ ଲୁଚାଇ ଦେଇଥିଲା ବିଜୟ । ତେବେ ଆଜି ଅଭିଯୁକ୍ତ ବିଜୟଙ୍କୁ କୋର୍ଟ ଚାଲାଣ କରିବ ପୋଲିସ।

୪ ଦିନ ପୂର୍ବରୁ ଟାଙ୍ଗିଆରେ ହାଣି ବିଜୟ ଉଭୟଙ୍କୁ ହତ୍ୟା କରିଥିଲେ । ଘରୁ ପଚା ଗନ୍ଧ ବାହାରିବାରୁ ଶବକୁ ଗାଏବ କରିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡି ଯାଇଥିଲେ। ଏହାପରେ ଜଣାପଡିଥିଲା ସଇତାନ ବିଜୟର ହତ୍ୟା କାହାଣୀ । ପାରିବାରିକ କଳହରୁ ବିଜୟ ସ୍ତ୍ରୀ ଓ ଶାଳୀଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି । ବିବାହର ୧୧ ବର୍ଷ ପରେ ବି ବିଜୟ ବାପା ହୋଇ ପାରିନଥିଲେ । ଏହାକୁ ନେଇ ଉଭୟ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ସବୁ ସମୟରେ ଝଗଡା ହେଉଥିଲା । ଗୁରୁବାର ଦିନ ଏମିତି କିଛି ହୋଇଥିବା ଓ ରାଗରେ ବିଜୟ ଦୁଇ ଭଉଣୀଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ମୃତ ଶାଳୀ ସରସ୍ବତୀ ସେଠୀ ଦୁଇ ମାସ ତଳେ ବିବାହ କରିଥିଲେ । ଘରୋଇ ହସ୍ପିଟାଲରେ ଚାକିରି କରୁଥିବାରୁ ସେ ଭୁବନେଶ୍ବରରେ ଏକ ହଷ୍ଟେଲରେ ରହୁଥିଲେ । ଗତ ଗୁରୁବାର ଦିନ ବିଜୟ ଯାଇ ତାଙ୍କୁ ଘରକୁ ଆଣିଥିଲେ । ଅପରାହ୍ଣରେ ସରସ୍ବତୀ ଏବଂ ତାଙ୍କ ଭଉଣୀ ଘର ଲୋକଙ୍କ ସହ ଶେଷ କଥା ହୋଇଥିଲେ । ଏହାପରଠାରୁ ଉଭୟଙ୍କ ଫୋନ ଅଫ୍ ଥିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ପତ୍ନୀ ନିଖୋଜ ଥିବା ନେଇ ସରସ୍ବତୀଙ୍କ ସ୍ବାମୀ ଥାନାରେ ନିଖୋଜ ଏତଲା ଦେଇଥିଲେ । ପରିବାର ଲୋକେ ଆସି ବିଜୟଙ୍କ ପଡୋଶୀଙ୍କୁ ପଚରାଉଚରା କରି ନିରାଶ ହୋଇଥିଲେ । ଏହାପରେ ସେମାନେ ବିଜୟଙ୍କ ଘର ଉପରେ ନଜର ରଖିଥିଲେ । ଆଜି ବିଜୟ ଘରକୁ ଆସିଥିବା ବେଳେ ତାଙ୍କ ଶ୍ବଶୁର ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଧରିଥିଲେ । କେବଳ ଏତିକି ନୁହେଁ ହତ୍ୟା ପରେ ଏକ ଚିଠି ମଧ୍ୟ ଲେଖିଥିଲା ଅଭିଯୁକ୍ତ ।

ଯେଉଁଥିରେ ଉଲ୍ଲେଖ ଥିଲା- ‘ମୁଁ ହତ୍ୟା କରିଛି । ହତ୍ୟାକାଣ୍ଡ ପାଇଁ ମୁଁ ଦାୟୀ । ସ୍ତ୍ରୀ ଓ ଶାଳୀ ମାନସିକ ନିର୍ଯାତନା ଦେଉଥିବାରୁ ହତ୍ୟା କରିଛି ।’  ଶାଳୀ ଓ ସ୍ତ୍ରୀକୁ ହତ୍ୟା କରିବା ପରେ ପୋଲିସ ଉଦ୍ଦେଶ୍ୟରେ ଏମିତି ଚିଠି ଲେଖିଥିଲା ଅଭିଯୁକ୍ତ ବିଜୟ ସେଠୀ ।

ମୁମ୍ବାଇର ଅଷ୍ଟମ ପରାଜୟ ପରେ ଆଇପିଏଲରେ ପ୍ରଥମ ଦଳ ଭାବେ ପ୍ଲେ ଅଫରୁ ବାଦ୍

ମୁମ୍ବାଇ:  ଏଥର ପୁଣି ଫେଲ । ମଇଦାନରେ କାମ କରୁନି ରୋହିତଙ୍କ ମନ୍ତ୍ର । ନିଜର ଖରାପ ପଦର୍ଶନ ପାଇଁ ପୁଣି ପରାଜୟର ସ୍ୱାଦ ଚାଖିଛି ମୁମ୍ବାଇ ଇଣ୍ଡିଆନସ । ପ୍ରଶଂସକକୁ ପୁଣି ନିରାଶ କରିଛି ଦଳ । ଚଳିତ ସିଜିନରେ ପ୍ରଥମ ବିଜୟ ହାସଲ କରିବା ମୁମ୍ବାଇ ପାଇଁ ସ୍ୱପ୍ନ ହୋଇଯାଇଛି । ନିଜ ଘରୋଇ ଗ୍ରାଉଣ୍ଡ ଓ୍ଵାଙ୍ଖଡେ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ମ୍ୟାଚରେ ମଧ୍ୟ ମୁମ୍ବାଇକୁ ପରାଜୟର ସ୍ଵାଦ ଚାଖିବାକୁ ପଡିଛି । ଏହି ପରାଜୟ ସହ ମୁମ୍ବାଇ ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବେ ପ୍ଲେ ଅଫରୁ ବାଦ୍ ପଡିଛି ।

ଆଇପିଏଲର ୩୭ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ମୁମ୍ବାଇକୁ ୩୬ ରନରେ ହରାଇଛି । ଏବଂ ଏଥିସହ ଚଳିତ ସିଜିନରେ ଲକ୍ଷ୍ନୌ ମୁମ୍ବାଇ ବିପକ୍ଷରେ ନିଜର ଦ୍ଵିତୀୟ ବିଜୟ ହାସଲ କରିଛି । ପଞ୍ଚମ ବିଜୟ ସହ ଲକ୍ଷ୍ନୌ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଉପରକୁ ଉଠିଛି । ପ୍ରଥମେ ଲକ୍ଷ୍ନୌ ସୁପର ଜାଏଣ୍ଟସର ଅଧିନାୟକ ଲୋକେଶ ରାହୁଲଙ୍କ ଅପରାଜିତ ଶତକୀୟ ଇନିଂସ ପରେ ଲକ୍ଷ୍ନୌ ଟୁର୍ଣ୍ଣାମେଣ୍ଟରେ ଅଷ୍ଟମ ମ୍ୟାଚରୁ ପଞ୍ଚମ ବିଜୟ ହାସଲ କରିଛି । ଅନ୍ୟପଟେ ମୁମ୍ବାଇ ଖେଳିଥିବା ସମସ୍ତ ଆଠଟି ମ୍ୟାଚରେ ପରାଜୟ ହୋଇଛି ।

ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଅଧିନାୟକ ଲୋକେଶ ରାହୁଲଙ୍କ ଅପରାଜିତ ୧୦୩ ରନର ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୬୮ ରନ କରିଥିଲା।  ୧୬୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇକୁ ଏଥର ଦୁଇ ଓପନର ରୋହିତ ଶର୍ମା ଏବଂ ଇଶାନ କିଷନ  ୭.୧ ଓଭରରେ ୪୯ ରନ କରି୦ଥିଲେ ।

ଏବଂ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ୧୩୬ ରନ କରିବାକୁ ସକ୍ଷମ ହୋଇଥିଲା। ରୋହିତ ଶର୍ମା(୩୯) ଏବଂ ତିଳକ ବର୍ମା(୩୮) କରିଥିଲେ ହେଁ ଦଳକୁ ପରାଜୟରୁ ବଞ୍ଚାଇ ପାରିନଥିଲେ । ଗୁଜରାଟ ପକ୍ଷରୁ କୃଣାଲ ପାଣ୍ଡ୍ୟା ୩ ସଫଳତା ପାଇଥିଲେ। ତାଙ୍କ ବ୍ୟତୀତ ପ୍ରାୟ ସମସ୍ତ ବୋଲର ମାପଚୁପ ବୋଲିଂ କରିଥିଲେ

ମାଓବାଦୀଙ୍କ ଲଙ୍କାକାଣ୍ଡ, ଜାଳିଦେଲେ ଯାତ୍ରୀବାହୀ ବସ

ମାଲକାନଗିରି: ଲାଲବାହିନୀଙ୍କ ଲଙ୍କାକାଣ୍ଡ ପୁଣିଥରେ ଦେଖିବାକୁ ମିଳିଛି। ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶର କୋଥୁର ଗ୍ରାମ ନିକଟରେ ଯାତ୍ରୀବାହୀ ବସକୁ ଜାଳି ଦେଇଛନ୍ତି ମାଓବାଦୀ । ମାଓବାଦୀମାନେ ଦଣ୍ଡକାରଣ୍ୟ ବନ୍ଦ ଡାକରା ଦେଇଥିଲା ବେଳେ ଏହି ସମୟରେ ନବରଙ୍ଗପୁରରୁ ଭାୟା ମାଲକାନଗିରି ଦେଇ ହାଇଦ୍ରାବାଦ ଯାଉଥିଲା ବସ୍‌ ।

ଯାହା ପରେ ଗାଡିକୁ ଅଟକାଇଥିଲେ ମାଓବାଦୀ । ପରେ ସମସ୍ତ ୪୦ ଯାତ୍ରୀଙ୍କୁ ତଳକୁ ଓହ୍ଲାଇଦେଇ ବସରେ ନିଆଁ ଲଗାଇ ଦେଇଥିଲେ ମାଓବାଦୀ । ଆନ୍ଧ୍ର ଚିନ୍ତୁରୁ ମଣ୍ଡଳର ୩୦ ନମ୍ବର ଜାତୀୟ ରାଜପଥରେ ମାଓବାଦୀ ଏଭଳି କାଣ୍‌ଡ ଭିଆଇଥିବା ସୂଚନା ମିଳିଛି ।

ଭୁଲରେ ବି ଅନ୍ୟର ଏହି ୬ଟି ଜିନିଷ ବ୍ୟବହାର କରନ୍ତୁନି ! ହୋଇଯିବେ କାଙ୍ଗାଳ

କିଛି ଏମିତି ଜିନିଷ ଅଛି ଯାହା କାହାଠାରୁ ମାଗି ଆଣି ବ୍ୟବହାର କରିବା ଅନୁଚିତ । ଏନେଇ ଆମ ବଡ଼ମାନେ ମଧ୍ୟ କିଛି କ୍ଷେତ୍ରରେ ବାରଣ କରିଥାନ୍ତି  ।  କେବଳ ସେତି ନୁହେଁ ବାସ୍ତୁ ଶାସ୍ତ୍ରରେ ମଧ୍ୟ ଏହା କରିବା ନିଷେଧ । ବାସ୍ତୁ ଅନୁଯାୟୀ, ଅନ୍ୟମାନଙ୍କଠାରୁ ମାଗି ଆଣି କିଛି ଜିନିଷ ବ୍ୟବହାର କରିବା ଦ୍ୱାରା ନକାରାତ୍ମକ ଶକ୍ତି ଆମ ଭିତରେ ଜାଗ୍ରତ ହୁଏ । ଆଉ ଏହି ଛୋଟ ଜିନିଷଗୁଡ଼ିକ ଆମର ବଡ କ୍ଷତିର କାରଣ ହୋଇପାରେ । ଅନ୍ୟର କେଉଁ ଜିନିଷକୁ ଆମେ କେବେବି ବ୍ୟବହାର କରିବା ଉଚିତ୍ ନୁହେଁ  ।

ଜାଣନ୍ତୁ କେଉଁ ଜିନିଷ ଗୁଡ଼ିକୁ ଏଥିରେ ସାମିଲ କରାଯାଇଛି ?

ରୁମାଲ- ବାସ୍ତୁ ଶାସ୍ତ୍ରଙ୍କ ଅନୁଯାୟୀ, ଅନ୍ୟ ଜଣଙ୍କ ରୁମାଲକୁ ପାଖରେ ରଖିବା ଦ୍ୱାରା ସମ୍ପର୍କ ଛିନ୍ନ ହୋଇପାରେ । ଏହି କାରଣରୁ ପରସ୍ପର  ମଧ୍ୟରେ ଝଗଡା ହେବା ସହ ସମ୍ପର୍କରେ ତିକ୍ତତା ଆସିପାରେ ବୋଲି କୁହାଯାଏ । ତେଣୁ ଆମେ କଦାପି ଅନ୍ୟର ରୁମାଲକୁ ଆମ ପାଖରେ ରଖିବା ଅନୁଚିତ୍ ।

ଘଣ୍ଟା- ବାସ୍ତୁ ଶାସ୍ତ୍ରରେ ଘଣ୍ଟାକୁ ମଧ୍ୟ ସକରାତ୍ମକ ଏବଂ ନକାରାତ୍ମକ ଶକ୍ତି ଆଧାରରେ ଦେଖାଯାଏ । ହାତରେ ଅନ୍ୟର ଘଣ୍ଟା ପିନ୍ଧିବା ଅତ୍ୟନ୍ତ ଅଶୁଭ ବୋଲି ଧରାଯାଏ । କୁହାଯାଏ ଯେ ଏହା କରିବା ଦ୍ୱାରା ଜଣେ ବ୍ୟକ୍ତିର ଖରାପ ସମୟ ଆରମ୍ଭ ହୋଇପାରେ ।

ମୁଦି- ଅନ୍ୟର ମୁଦି ମାଗି ପିନ୍ଧିବା ମଧ୍ୟ ବାସ୍ତୁ ଶାସ୍ତ୍ରରେ ଅଶୁଭ ବୋଲି ବିବେଚନା କରାଯାଏ  । ଏହା କରିବା ଦ୍ୱାରା ମଣିଷର ସ୍ୱାସ୍ଥ୍ୟ, ଜୀବନ ଏବଂ ଅର୍ଥିକ ସମସ୍ୟାକୁ ସାମ୍ନା କରିବାକୁ ପଡ଼ିଥାଏ ।

ପେନ୍- ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଆମେ କେବେବି ଅନ୍ୟର କଲମକୁ ଆମ ସହ ରଖିବା ଅନୁଚିତ୍ । କ୍ୟାରିୟର ଦୃଷ୍ଟିରୁ ଏହା କେବଳ ଅପ୍ରୀତିକର ବୋଲି ବିବେଚନା କରାଯାଏ ନାହିଁ, ବରଂ ଆପଣଙ୍କ ଧନହାନୀ ମଧ୍ୟ ହୋଇପାରେ ।

ପୋଷାକ- ସେହିପରି ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଆମେ ଅନ୍ୟର ପୋଷାକ କେବେ ବି ପିନ୍ଧିବା ଉଚିତ୍ ନୁହେଁ । ଏହି କାରଣରୁ, ନକାରାତ୍ମକ ଶକ୍ତି ଆମ ଭିତରେ ପ୍ରବେଶ କରେ ଏବଂ ଜୀବନରେ ଅନେକ ପ୍ରକାରର ଅସୁବିଧା ଆସିବା ଆରମ୍ଭ ହୋଇଥାଏ ।

ଲୋକଙ୍କୁ ସଚେତନ କରିବାକୁ ପାଳନ କରାଯାଉଛି ବିଶ୍ୱ ମ୍ୟାଲେରିଆ ଦିବସ

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ ମ୍ୟାଲେରିଆ ଦିବସ । ୨୦୦୭ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଘ ଏହି ଦିବସ ପାଳନ କରିବା ପାଇଁ ପ୍ରସ୍ତାବ ଦେଇଥିଲା । ଏହାପରେ  ୟୁନେସ୍କୋ ଅନୁମୋଦନରେ ପ୍ରତିବର୍ଷ ଏପ୍ରିଲ ୨୫ରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ କରାଯାଏ । ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ପରାମର୍ଶ ନିଆଯିବା ପରେ ଏପ୍ରିଲ ୨୫ ମ୍ୟାଲେରିଆ ଦିବସ ଭାବେ ପାଳିତ ହୋଇଛି । ବିଶ୍ବର ୧୦୬ଟି ଦେଶରେ ଏହି ରୋଗ ବ୍ୟାପିବାର ସବୁଠୁ ଅଧିକ ଭୟ ରହିଛି।

୨୦୧୨ରେ ମ୍ୟାଲୋରିଆରେ ଆକ୍ରାନ୍ତ ହୋଇ ଆଫ୍ରିକାରେ ୬ଲକ୍ଷରୁ ଅଧିକ ଶିଶୁ ପ୍ରାଣ ହରାଇଥିଲେ। ଲୋକଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଆଫ୍ରିକାରେ ଗାଁଗହଳିରେ ଲୋକମାନଙ୍କୁ ସରକାରଙ୍କ ତରଫରୁ ମଶାରି ଓ ଅନ୍ୟାନ୍ୟ ପ୍ରତିଷେଧକମୂଳକ ମାଗଣାରେ ଦିଆଯାଏ। ଘର ପାଖରେ ପାଣି ଜମିବା, ଅପରିଷ୍କାର ନାଳନର୍ଦମା କାରଣରୁ ଏହି ମ୍ୟାଲେରିଆ ରୋଗ ବ୍ୟାପେ। ପରିଷ୍କାର, ସ୍ବଚ୍ଛ ପରିବେଶ ସହ ପ୍ରତିଦିନ ମଶାରୀ ଟାଙ୍ଗି ଶୋଇବା ମ୍ୟାଲେରିଆରୁ ରକ୍ଷା ପାଇବାର ମୂଳ ଉପାୟ।

ସେହିପରି ଦେଶରେ ମଧ୍ୟ ମ୍ୟଲେରିଆରେ ଅନେକ ଆକ୍ରାନ୍ତ ହୋଇଥାନ୍ତି । ବିଶେଷ କରି ସହର ଅଞ୍ଚଳ ଯେଉଁ ସ୍ଥାନରେ ସବୁ ନାଳ ନର୍ଦ୍ଦମା ଦିର୍ଘ ଦିନଧରି ଅପରିଷ୍କାର ରହେ ସେଠାରେ ମଧ୍ୟ ମ୍ୟେଲେରିଆ ବ୍ୟାପିବାର ଭୟ ରହିଥାଏ ।

ଦ୍ୱିତୀୟ ଥର ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ହେଲେ ଇମାନୁଏଲ୍ ମାକ୍ରୋନ

ପ୍ୟାରିସ୍: ଫ୍ରାନ୍ସର ରାଷ୍ଟ୍ରପତି ନିର୍ବାଚନ ପାଇଁ ରବିବାର ଦିନ ମତଦାନ ହୋଇଥିଲା । ଏଥିପାଇଁ ବର୍ତ୍ତମାନର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏବଂ ଲେ ପେନଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ଏକ ରିପୋର୍ଟ ଅନୁଯାୟୀ, ଫ୍ରାନ୍ସ ରାଷ୍ଟ୍ରପତି ନିର୍ବାଚନରେ ଇମାନୁଏଲ୍ ମାକ୍ରୋନ୍ ​​୫୭-୫୮% ଭୋଟ୍ ରେ ବିଜୟ ହାସଲ କରିଛନ୍ତି । ବିଜୟ ପରେ ଏକ ଶୋଭାଯାତ୍ରାରେ ଯାଇ ମାକ୍ରନ ଇଫେଲ ଟାଓ୍ବାର ନିକଟସ୍ଥ ଚାମ୍ପ ଡି ମାର୍ସରୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମାକ୍ରୋନଙ୍କ ପୂର୍ବରୁ କେବଳ ଦୁଇ ଜଣ ବ୍ୟକ୍ତି ଫ୍ରାନ୍ସର ରାଷ୍ଟ୍ରପତି ଭାବେ ଦ୍ୱିତୀୟ କାର୍ଯ୍ୟକାଳ ସମ୍ଭାଳିଥିଲେ। ତେବେ ଚଳିତ ଥର ଫ୍ରାନ୍ସ ନିର୍ବାଚନରେ ​​ସ୍ୱାସ୍ଥ୍ୟ, ଦରଦାମ୍ ବୃଦ୍ଧି, ଆୟ ପରି ମୌଳିକ ଜିନିଷକୁ ପ୍ରାଥମିକତା ଦିଆଯାଇଥିଲା ।  ସୂଚନାଯୋଗ୍ୟ, ଏପ୍ରିଲ୍ ୧୦ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଥମ ରାଉଣ୍ଡ ଭୋଟିଂ ହୋଇଥିଲା। ଏହି ନିର୍ବାଚନରେ ​​ଦେଶର ୪.୮୦ କୋଟି ଭୋଟର ନୂଆ ରାଷ୍ଟ୍ରପତିଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥିଲେ । ଚଳିତ ଥର ୧୨ ଜଣ ପ୍ରାର୍ଥୀ ରାଷ୍ଟ୍ରପତି ଦୌଡରେ ଥିଲେ।

୪୪ ବର୍ଷୀୟ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ପୁଣିଥରେ ରାଷ୍ଟ୍ରପତି ପଦବୀରେ ବସିବା ପାଇଁ ନିର୍ବାଚନ ଲଢିଥିଲେ । ଆଉ ତାଙ୍କ ବିପକ୍ଷରେ ଥିଲେ ଦକ୍ଷିଣପନ୍ଥୀ ରାଷ୍ଟ୍ରପତି ପ୍ରାର୍ଥୀ ମେରାଇନ୍ ଲେ ପେନ । ୫୩ ବର୍ଷୀୟା ମରିନ୍ ଲେ ପେନ୍ ପ୍ରବାସୀଙ୍କ ବିରୁଦ୍ଧରେ କଠୋର ବୟାନବାଜିକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥିଲେ ।

ତେବେ ଇଏାନୁଏଲଙ୍କ ଏହି ବିଜୟରେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ରାଷ୍ଟ୍ରର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି।