୨୪ ଘଣ୍ଟା ମଧ୍ୟରେ ମୁହଁତୋଡ ଜବାବ ଦେଲା ସେନା

ନୂଆଦିଲ୍ଲୀ: କାଶ୍ମୀରୀ ପଣ୍ଡିତଙ୍କ ହତ୍ୟାର ଜବାବ ଏନକାଉଣ୍ଟରରେ । ପୋଲିସ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ୩ ଜଣଙ୍କ ମଧ୍ୟରୁ ୨ ଜଣ ଥିଲେ କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ । ଆଜି ବାନ୍ଦିପୋରାର ବ୍ରାର ଆରାଗମ ଅଞ୍ଚଳରେ ନିରାପତ୍ତା ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ ।

ସୂଚନା ଅନୁଯାୟୀ, ଗତ ଗୁରୁବାର ଆତଙ୍କବାଦୀ ମାନେ ରାହୁଲଙ୍କୁ ହତ୍ୟା କରିବା ପରେ ନିରାପତ୍ତା ଯବାନ କରିଥିଲେ ସର୍ଚ୍ଚ ଅପରେସନ । ଗତ ବୁଧବାର ଏନକାଉଣ୍ଟର ବେଳେ ଏହି ୨ ଆତଙ୍କବାଦୀ ଖସିଯାଇଥିଲେ । ବୁଦଗାଓଁର ରାଜସ୍ବ ବିଭାଗ କାର୍ଯ୍ୟାଳୟରେ ପଶି ଆତଙ୍କବାଦୀମାନେ ଗୁରୁବାର ଦିନ ଏହି ବିଭାଗରେ କାର୍ଯ୍ୟରତ ରାହୁଲଙ୍କୁ ହତ୍ୟା କରିଥିଲେ । ପରେ ଏହି ହତ୍ୟା ଲାଗି ନିଜକୁ ଦାୟୀ କରିଥିଲା କାଶ୍ମୀର ଟାଇଗର୍ସ ।

ଏହି ହତ୍ୟାକାଣ୍ଡକୁ ନେଇ କାଶ୍ମୀରରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ସହ ଆନ୍ଦୋଳନ ହୋଇଛି। ବିଭିନ୍ନ ସ୍ଥାନରେ ପୋଲିସ ଲାଠିଚାର୍ଜ କରିବା ସହ ଲୁହବୁହା ବାଷ୍ପ ପ୍ରୟୋଗ କରିଛି । ତେଣେ ପୁଲଓ୍ବାମାରେ ଆଜି ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଛନ୍ତି ସ୍ପେସାଲ ପୋଲିସ ଅଫିସର ତିଆଜ ଅହମ୍ମଦ ଥୋକର। ଗଦୋରାସ୍ଥିତ ବାସଭବନ ନିକଟରେ ତାଙ୍କୁ ଗୁଳି କରାଯାଇଥିଲା। ଗାର୍ଡ ଅଫ ଅନର ପ୍ରଦାନ ପରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡିଛି।