spot_img
Home Blog Page 4407

ବାତ୍ୟା ଅସାନି ପାଇଁ ମାଲକାନଗିରି ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ, ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ଛୁଟି

ମାଲକାନଗିରି: ବାତ୍ୟା ‘ଆସାନି’ର ମୁକାବିଲା କରିବା ଲାଗି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ବିଶାଲ ସିଂଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ବିଡିଓ, ତହସିଲଦାର ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ସମସ୍ତ ପ୍ରକାର ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଅସୁରକ୍ଷିତ ଘରେ ରହୁଥିବା ଲୋକ, ଗର୍ଭବତୀ ମହିଳା ଏବଂ ଭିନ୍ନକ୍ଷମମାନଙ୍କୁ  ଅସୁରକ୍ଷିତ ସ୍ଥାନରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ  ନିଷ୍ପତ୍ତି ନିଆଯାଇଛି । କଚା ଘରେ ବାସ କରୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବା ସହ ସବୁ ବ୍ଲକମାନଙ୍କରେ ଅଫିସରମାନେ ରହି ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକଳ୍ପ ନିର୍ଦେଶକ, ଡ଼ିଆରଡିଏଙ୍କୁ ଚିତ୍ରକୋଣ୍ଡା ବ୍ଲକ, ଅତିରିକ୍ତ ଜିଲ୍ଲାପାଳଙ୍କୁ କାଲିମେଳା ବ୍ଲକରେ ରହି ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଏସଆରସିଙ୍କ ନିର୍ଦ୍ଦେଶରେ ମାଲକାନଗିରି ଜିଲ୍ଲାରେ ଦୁଇଟି ଓଡ୍ରାଫ ଟିମକୁ ନିୟୋଜିତ କରାଯାଇଛି । ଗୋଟିଏ ଟିମ୍ କାଲିମେଳାରେ ସଜାଗ୍ ହୋଇ ରହିଥିବାବେଳେ ଆଉ ଏକ ଟିମ୍ ମାଲକାନଗିରି ହେଡକ୍ୱାର୍ଟରରେ ଜରୁରୀକାଳୀନ ଭାବେ ମୁତୟନ ହୋଇଛି ।

ତେବେ ବାତ୍ୟା ଆସାନିକୁ ଦୃଷ୍ଟିରେ ରଖି ମାଲକାନଗିରିରେ ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ବାତ୍ୟା ଯୋଗୁଁ ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେଣୁ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।

ବାତ୍ୟା ଅସାନି ପ୍ରଭାବରେ ରାଜଧାନୀରେ ଲଗାଣ ବର୍ଷା

ଭୁବନେଶ୍ୱର: ଦୁର୍ବଳ ହେଲା ଭୀଷଣ ବାତ୍ୟା ’ଅସାନି’ । ବର୍ତ୍ତମାନ ଏହା ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୫୪୦ କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ । ଗତ ୬ ଘଣ୍ଟାରେ ଏହା ୧୨ କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି l ବାତ୍ୟା ଅସାନି ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ଜାରି ରହିଛି ଲଗାଣ ବର୍ଷା । ରାଜଧାନୀରେ ଜାରି ରହିଥିବା ଲଗାଣ ବର୍ଷା ମଧ୍ୟରେ ତଳିଆ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ମେୟର ସୁଲୋଚନା ଦାଶ । ମେୟରଙ୍କ ସାଙ୍ଗରେ କର୍ପୋରେଟର ଓ ବିଏମସିର ବିଭାଗୀୟ ଯନ୍ତ୍ରୀ ମଧ୍ୟ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ଜଳମଗ୍ନ ସ୍ଥିତି ଉପୁଜିନାହିଁ । ସମ୍ବେଦନଶୀଳ ସ୍ଥାନରେ ମୋଟର ପମ୍ପ ମହଜୁଦ ରହିଛି । ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ ବୋଲି ମେୟର ସୁଲୋଚନା ଦାଶ କହିଛନ୍ତି । ଆବଶ୍ୟକ ପଡ଼ିଲେ ତଳିଆ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର କରାଯିବ । ସେଥିପାଇଁ ଆଶ୍ରୟସ୍ଥଳ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ ।

ବୁର୍ଲାରେ ଆଉ ଏକ ହତ୍ୟାକାଣ୍ଡ, ବିବାହ ଭୋଜିରେ ସାମାନ୍ୟ ବଚସାକୁ ନେଇ ହତ୍ୟା

ବୁର୍ଲା: ବୁର୍ଲାରେ ଆଉ ଏକ ହତ୍ୟାକାଣ୍ଡ । ବିବାହ ଭୋଜି ପାଲଟିଲା ଶେଷ ଭୋଜି । ବୁର୍ଲା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପରେ ଗତକାଲି ଏକ ବିବାହ ଭୋଜି ଚାଲିଥିବା ବେଳେ ମାଂସ ଖାଇବାକୁ ନେଇ ଘଟିଛି ହତ୍ୟାକାଣ୍ଡ । ମୃତକ ସୁମିତ ଓ ଜଣେ ନାବାଳକଙ୍କ ମଧ୍ୟରେ ହୋଇଥିଲା କଟାକଟି । ଏହି ସମୟରେ ଉତକ୍ଷିପ୍ତ ହୋଇ ନାବାଳକ ଜଣକ ସୁମିତ ଷଣ୍ଢକୁ ଭୁଜଲିରେ ମରଣାତ୍ମକ ଆକ୍ରମଣ କରି ହତ୍ୟା କରିଥିଲେ । ମୃତକ ହେଲେ ସଦେଇପାଳିର ସୁମିତ ଷଣ୍ଢ । ଖବରପାଇ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ସୁମିତର ମୃତଦେହକୁ ଜବତ କରିଥିବା ବେଳେ ହତ୍ୟାକାରୀ ନାବାଳକକୁ ବୁର୍ଲା ଥାନାରେ ଅଟକ ରଖିଛି । ଅନ୍ୟପଟେ ହତ୍ୟାକାଣ୍ଡ ଘଟିଥିବା କଲ୍ୟାଣମଣ୍ଡପକୁ ମଧ୍ୟ ସିଲ୍ କରିଛି ବୁର୍ଲା ପୋଲିସ ।

ବରଗଡ଼ ଜିଲ୍ଲା ବରପାଲିରେ ଚାଞ୍ଚଲ୍ୟ, ଦୁଇଦିନରେ ମିଳିଲା ଦୁଇଜଣଙ୍କ ମୃତଦେହ

ବରଗଡ଼: ବରଗଡ଼ ଜିଲ୍ଲା ବରପାଲିରେ ଚାଞ୍ଚଲ୍ୟ । ଗତ ସୋମବାର ଯୁବତୀଙ୍କ ମୃତଦେହ ମିଳିଥିବା ବେଳେ ଗତକାଲି ପୋଲିସ ଖୋଜୁଥିବା ପୁରୁଷ ବନ୍ଧୁଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାଟି ଥିଲା ଏଭଳି । ଗତ ସୋମବାର ମହଦା ଗାଁ ନିକଟରେ ଥିବା ରାଞ୍ଜଜୋର ପୋଲତଳୁ ରକସା ପଞ୍ଚାୟତ ତେଜଙ୍ଗ ଗାଁର ଅନ୍ଧାରୀ ଦୀପଙ୍କ ମୃତଦେହ ମିଳିଥିଲା । ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ୍ ହତ୍ୟା ମାମଲା ରୁଜ୍ଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ମୃତ ଅନ୍ଧାରୀଙ୍କ ପୁରୁଷ ବନ୍ଧୁଙ୍କୁ ଖୋଜୁଥିଲା ପୋଲିସ ।

କିନ୍ତୁ ଗତକାଲି ସେହି ପରୁଷ ବନ୍ଧୁଙ୍କ ମୃତଦେହ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସ୍ଥିତ ଏକ ଭଡ଼ା ଘରୁ ଉଦ୍ଧାର କରିଛି ପୋଲିସ । ମୃତକ ହେଲେ ଅତାବିରା ରୁଗୁଡିଟିକିରାର ଗୁଣନାଥ ମିର୍ଦ୍ଧା । ସେ ତେଜଙ୍ଗ ହାଇସ୍କୁଲରେ ଶିକ୍ଷକ ଥିଲେ । ଆଶ୍ଚର୍ଯ୍ୟର କଥା ହେଲା, ଗୁଣନାଥଙ୍କ ଶବ ଝୁଲନ୍ତା ଅବସ୍ଥାରେ ରହିଥିଲା । ହେଲେ ହାତ ଓ ଗୋଡ଼କୁ ଧାରୁଆ ଅସ୍ତ୍ରରେ କଟା ଯାଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିଲା ।

ଯୁବତୀଙ୍କ ମୃତ୍ୟୁ ଖବର ପାଇ ଗୁଣନାଥ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ଗଳିତ ମୃତଦେହକୁ ଦେଖି ପୋଲିସ୍ ଯୁବତୀଙ୍କ ମୃତ୍ୟୁ ପୂର୍ବରୁ ଗୁଣନାଥଙ୍କ ମୃତ୍ୟୁ ହୋଇଥିବା ବି ସନ୍ଦେହ କରୁଛି । ଅନ୍ୟପକ୍ଷରେ ଚଳିତ ମାସ ୧୨ ତାରିଖରେ ଗୁଣନାଥ ଅନ୍ୟଜଣେ ଯୁବତୀଙ୍କୁ ବିବାହ କରିଥାନ୍ତେ । ହେଲେ ଏହା ପୂର୍ବରୁ ସନ୍ଦେହଜନକ ଭାବେ ମୃତ୍ୟୁ ଏବେ ସସପେନ୍ସ ବଢାଇଛି । ଅନ୍ଧାରୀ ଓ ଗୁଣନାଥଙ୍କ ମଧ୍ୟରେ କ’ଣ ସଂପର୍କ ଥିଲା ଓ ଏହି ମୃତ୍ୟୁ ପଛରେ କ’ଣ କାରଣ ରହିଛି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଣ୍ଡିତ ସୁଖରାମଙ୍କ ଦେହାନ୍ତ

ନୂଆଦିଲ୍ଲୀ:  ବିଶିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଣ୍ଡିତ ସୁଖରାମଙ୍କ ଦେହାନ୍ତ ।  ୯୪ ବର୍ଷିୟ ସୁଖରାମଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ  ସୋମବାର ଦିନ ନୂଆଦିଲ୍ଲୀସ୍ଥିତ ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’ରେ (ଏମ୍‌ସ୍‌) ଭର୍ତ୍ତି କରାଯାଇଥିଲା। ସେ ସମୟରେ ତାଙ୍କ ଅତ୍ୟନ୍ତ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବା କଥା ତାଙ୍କ ନାତି କହିଛନ୍ତି ।

ମଙ୍ଗଳବାର ରାତିରେ ହିମାଚଳ ପ୍ରଦେଶର କଂଗ୍ରେସ ନେତା ସୁଖରାମଙ୍କ ନାତି ଆଶ୍ରୟ ଶର୍ମା ‘ଫେସ୍‌ବୁକ୍‌ ପୋଷ୍ଟ୍‌’ରେ ଲେଖଛନ୍ତି: ବିଦାୟ ଜେଜେ, ଏବେ ଆଉ ଫୋନ୍‌ ବାଜିବ ନାହିଁ। ଏଥିସହ ସେ ସୁଖରାମଙ୍କ ସହିତ ନିଜ ପିଲାବେଳର ଗୋଟାଏ ଫଟୋ ମଧ୍ୟ ପୋଷ୍ଟ୍‌ କରିଛନ୍ତି। କିନ୍ତୁ, କ‌େତେବେଳେ ସୁଖରାମ ପରଲୋକ ହୋଇଛି ତାହା ସେ ଉଲ୍ଲେଖ କରିନାହାନ୍ତି।

ତେବେ, ମେ’ ୪ରେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ତାଙ୍କୁ ଉତ୍ତରପ୍ରଦେଶ ମଣ୍ଡି ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଏୟାରଲିଫ୍ଟ କରି ଦିଲ୍ଲୀ ଏମ୍ସ ନିଆଯାଇଥିଲା । ସେବେଠାରୁ ତାଙ୍କର ଚିକିତ୍ସା ଚାଲିଥିଲା ।

୧୯୨୭ ମସିହା ଜୁଲାଇ ୨୭ ତାରିଖରେ ସୁଖରାମ ଶର୍ମା ଜନ୍ମ ଗ୍ରହଣ କରିଥିଲେ । ସୁଖରାମ ଶର୍ମା ୧୯୯୩ରୁ ୧୯୯୬ ମଧ୍ୟରେ କେନ୍ଦ୍ରୀୟ ରାଜ୍ୟ ମନ୍ତ୍ରୀ, ସ୍ବତନ୍ତ୍ର ପ୍ରଭାରୀ ଥିଲେ । ସେ ଉତ୍ତରପ୍ରଦେଶ ମଣ୍ଡିରୁ ଲୋକସଭା ସାଂସଦ ମଧ୍ୟ ଥିଲେ । ତାଙ୍କ ରାଜନୈତିକ ଜୀବନରେ ସୁଖରାମ ୫ଥର ବିଧାନସଭା ଏବଂ ୩ଥର ଲୋକସଭା ନିର୍ବାଚନ ଜିତିଥିଲେ । ତେବେ ସୁଖରାମ ଶର୍ମାଙ୍କ ପାର୍ଥିବ ଶରୀର ବୁଧବାର ଅପରାହ୍ନ ସୁଦ୍ଧା ହିମାଚଳ ପ୍ରଦେଶର ମଣ୍ଡିକୁ ଅଣାଯିବ । ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବା ନେଇ ସୂଚନା ରହିଛି ।

ବିରୋଧ ପ୍ରଦର୍ଶନକାରୀଙ୍କୁ ଗୁଳି କରିବାକୁ ନିର୍ଦ୍ଦେଶ ଦେଲା ଶ୍ରୀଲଙ୍କାର ପ୍ରତିରକ୍ଷା ମନ୍ତ୍ରଣାଳୟ

କଲମ୍ବୋ: ଜଳୁଛି ଶ୍ରୀଲଙ୍କା । ସବୁଠି ବିରୋଧ ଅସନ୍ତୋଷ ଓ ହିଂସାକାଣ୍ଡ । ଗୁରୁତର ଆର୍ଥିକ ସଙ୍କଟର ସାମ୍ନା କରୁଥିବା ସିଂହଳ ରାଷ୍ଟ୍ରରେ ଅଧିକରୁ ଅଧିକ ଉଗ୍ର ହେଉଛି ସରକାର ବିରୋଧୀ ଆନ୍ଦୋଳନ । ଦେଶରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ଆସନ୍ତା କାଲି ସକାଳ ସୁଦ୍ଧା ବଢାଇ ଦିଆଯାଇଛି । ବିରୋଧ ପ୍ରଦର୍ଶନକାରୀଙ୍କୁ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛି ଶ୍ରୀଲଙ୍କାର ପ୍ରତିରକ୍ଷା ମନ୍ତ୍ରଣାଳୟ ।

ଦେଶର ସାମରିକ ବିଭାଗର ସ୍ଥଳ ସେନା, ଜଳ ସେନା ଓ ବାୟୁ ସେନାକୁ ଏହି ନିର୍ଦ୍ଦେଶ ଦେଇଛି ମନ୍ତ୍ରାଳୟ । ଯଦି କେହି ସର୍ବସାଧାରଣ ସମ୍ପତ୍ତିକୁ ଲୁଟୁଛି କିମ୍ୱା ହିଂସା ପ୍ରଦର୍ଶନ କରୁଛି ତେବେ ତାଙ୍କୁ ଗୁଳି କରିଦିଅ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ପ୍ରଧାନମନ୍ତ୍ରୀ ପଦରୁ ମାହିନ୍ଦାଙ୍କ ଇସ୍ତଫା ପରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଇସ୍ତଫା ଦାବି ବି ଜୋର ହୋଇଛି । ସରକାରଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଯୋଗୁ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଶହରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି ।

ଖାଦ୍ୟ, ଔଷଧ, ତେଲ ଓ ବିଜୁଳି ସଙ୍କଟ ଭିତରେ ସନ୍ତୁଳି ହେଉଛି ଶ୍ରୀଲଙ୍କା । କୋଇଲା ସଙ୍କଟ ଯୋଗୁ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ କରାଯାଉଛି । ପ୍ରଧାନମନ୍ତ୍ରୀ ପଦରୁ ମାହିନ୍ଦାଙ୍କ ଇସ୍ତଫା ପରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଇସ୍ତଫା ଦାବି ବି ଜୋର ହୋଇଛି । ଖାଦ୍ୟ, ଔଷଧ, ତେଲ ଓ ବିଜୁଳି ସଙ୍କଟ ଭିତରେ ସନ୍ତୁଳି ହେଉଛି ଶ୍ରୀଲଙ୍କା । କୋଇଲା ସଙ୍କଟ ଯୋଗୁ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ କରାଯାଉଛି

ଉଷ୍ମ ହେଉଛି ବ୍ରଜରାଜନଗର ଗ୍ରାଉଣ୍ଡ, ଆଜି ଶେଷ ଦିନରେ ନାମାଙ୍କନ ଦାଖଲ କରିବେ ୩ ପ୍ରମୁଖ ଦଳର ପ୍ରାର୍ଥୀ

ବ୍ରଜରାଜନଗର: ଉଷ୍ମ ହେଉଛି ବ୍ରଜରାଜନଗର ଗ୍ରାଉଣ୍ଡ । ବିଗ୍ ଫାଇଟ୍ ପାଇଁ ମଇଦାନରେ ଯୋଦ୍ଧା । ଆଜି ନାମାଙ୍କନର ଶେଷ ଦିନ । ଅନ୍ତିମ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଓ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ୍ ଆଜି ନାମାଙ୍କନ ଦାଖଲ କରିବେ । ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଏହା ପରେ କମ୍ପିବ ପ୍ରଚାର ମଇଦାନ ।

ଚଳିତ ଉପ ନିର୍ବାଚନରେ ନୂଆ ଯୋଜନାରେ ମଇଦାନକୁ ଓହ୍ଲାଇବ ବିଜେଡି । ପୂର୍ବ ଉପନିର୍ବାଚନ ଅପେକ୍ଷା ଏଥର ଦଳ ରଣନୀତିରେ ପରିବର୍ତ୍ତନ କରିବ । ଅଧିକାଂଶ ପଶ୍ଚିମ ଓଡ଼ିଶା ନେତାଙ୍କୁ ଦାୟିତ୍ୱ ଦେବ ଦଳ । ପଶ୍ଚିମ ଓଡ଼ିଶାର ସ୍ଥିତି ଓ ସେଠାର ଲୋକଙ୍କ ଆବଶ୍ୟକତାକୁ ସେହି ଅଞ୍ଚଳର ନେତା ହିଁ ଠିକ୍ ଭାବେ ବୁଝିପାରିବେ । ତେଣୁ ଏପରି ରଣନୀତି ପ୍ରସ୍ତୁତ କରୁଛି ବିଜେଡି ।

ସେପଟେ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ପାଇଁ କେନ୍ଦ୍ରୀୟ ନେତାଙ୍କ ଦେଖାନଥିଲା । ଉପନିର୍ବାଚନରେ ବି ସମାନ ସ୍ଥିତି ଦେଖାଦେଇପାରେ । ଅନ୍ୟପଟେ କଂଗ୍ରେସ ଦଳୀୟ କନ୍ଦଳରୁ ବାହାରିପାରୁନି । ତଥାପି ଦଳ ରାଜ୍ୟସ୍ତରୀୟ ନେତାଙ୍କୁ ନେଇ ପ୍ରଚାର କରିପାରେ । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ସୁଯୋଗ ରହିବ। ମେ’ ୩୧ରେ ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ହେବ ମତଦାନ । ଜୁନ ୩ ତାରିଖରେ ପ୍ରକାଶ ପାଇବ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ।

ଦୁର୍ବଳ ହେଲା ଭୀଷଣ ବାତ୍ୟା ଅସାନି, ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି ବାତ୍ୟା

ଭୁବନେଶ୍ୱର: ଦୁର୍ବଳ ହେଲା ଭୀଷଣ ବାତ୍ୟା ’ଅସାନି’ । ବର୍ତ୍ତମାନ ଏହା ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୫୪୦ କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ । ଗତ ୬ ଘଣ୍ଟାରେ ଏହା ୧୨ କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି l ଉପକୂଳ ଜିଲ୍ଲାଗୁଡ଼ିକ ସହ ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି । ଏସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଲର୍ଟ କରାଯାଇଛି ।

ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ଗଞ୍ଜାମ, ଗଜପତି ଓ ପୁରୀର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ଆସନ୍ତକାଲି  ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ବାତ୍ୟା ଅସାନି ପ୍ରଭାବରେ ଏବେଠାରୁ କିଛି ସ୍ଥାନରେ ବର୍ଷା ହେବାରେ ଲାଗିଛି ।

ଜୀବନସାଥୀଙ୍କ ସହ କରିପାରନ୍ତି ଧାର୍ମିକ ଯାତ୍ରା

ମେଷ : ପରିବାରରେ କୌଣସି ଶୁଭ କାର୍ଯ୍ୟ ହେବାର ସମ୍ଭାବନା ରହିଛି । ଖର୍ଚ୍ଚ ବଢ଼ିପାରେ । ଭଉଣୀଙ୍କୁ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟା ଦେଖାଦେଇପାରେ । ବନ୍ଧୁଙ୍କ ସହଯୋଗରେ ସମ୍ପତ୍ତି ଏବଂ ଆୟ ବୃଦ୍ଧି ହେବ । ପ୍ରେମ ସମ୍ୱନ୍ଧରେ ନିବିଡ଼ତା ଆସିପାରେ । ସମ୍ପର୍କୀୟଙ୍କ ସହ ବୁଝାମଣାରେ ଅସୁବିଧା ଦେଖାଦେଇପାରେ ।

ବୃଷ : କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିବ । ମନ ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ । ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସଚେତନ ରୁହନ୍ତୁ । କୌଣସି ପୁରୁଣା କଥାକୁ ନେଇ ପରିବାରରେ କଳହ ଦେଖାଦେଇପାରେ । ଜୀବନସାଥୀଙ୍କ ସହ ବିବାଦ ଉପୁଜିପାରେ ।

ମିଥୁନ : ଜୀବନସାଥୀଙ୍କ ସହ ଦିନଟି ଭଲରେ କଟିବ । ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ମଧୁର ବାଣୀରେ ଅର୍ଦ୍ଧାଙ୍ଗିନୀ ପ୍ରସନ୍ନ ହେବେ । କୌଣସି ଛୋଟ ଯାତ୍ରାରେ ଯାଇପାରନ୍ତି । ବାପାଙ୍କ ଉନ୍ନତି ହୋଇପାରେ ।

କର୍କଟ : ଆଜି ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ । ଜୀବନସାଥୀଙ୍କଠାରୁ ଆପଣଙ୍କୁ କୌଣସି ମନଛୁଆଁ ଉପହାର ମିଳିପାରେ । ପାରିବାରିକ ଦୃଷ୍ଟିକୋଣ ଭଲ ରହିବ ଏଥିସହ ପରିବାରରେ ସୁଖ ପ୍ରାପ୍ତି ହେବ । ସାମାଜିକ କାର୍ଯ୍ୟରେ ଆପଣ ଆଗକୁ ଯିବେ ।

ସିଂହ : କୌଣସି ଯୋଜନା କରିପାରନ୍ତି । ଏଥିପାଇଁ ଖର୍ଚ୍ଚ ବଢ଼ିପାରେ । ସମ୍ପର୍କରେ ମଧୁରତା ଆସିବ । ଶୁଭ କାର୍ଯ୍ୟରେ ରୁଚି ରହିବ । ଜୀବନସାଥୀଙ୍କ ସହ କୌଣସି ମନ୍ଦିର କିମ୍ୱା ଧାର୍ମିକ ସ୍ଥାନ ଯାଇପାରନ୍ତି । ଛୋଟ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ନଚେତ୍ ଆଗକୁ ବଡ଼ ସମସ୍ୟା ଦେଖାଦେଇପାରେ ।

କନ୍ୟା : ଆଜି ଆଳସ୍ୟ ଅନୁଭବ କରିପାରନ୍ତି । ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଏଥିପାଇଁ ଧନ ଖର୍ଚ୍ଚ ହୋଇପାରେ । ଜୀବନସାଥୀଙ୍କ ସହ ସୁନ୍ଦର ସମୟ ଅତିବାହିତ କରିବେ ।

ତୁଳା : ଜୀବନସାଥୀଙ୍କ ସହ ଦିନଟି ଭଲରେ କଟିବ । ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ମଧୁର ବାଣୀରେ ଅର୍ଦ୍ଧାଙ୍ଗିନୀ ପ୍ରସନ୍ନ ହେବେ । କୌଣସି ଛୋଟ ଯାତ୍ରାରେ ଯାଇପାରନ୍ତି । ବାପାଙ୍କ ଉନ୍ନତି ହୋଇପାରେ ।

ବିଛା : ଅଧିକ ଧନ ଖର୍ଚ୍ଚ ହୋଇପାରେ । ଏଥିପାଇଁ ସାବଧାନ ରୁହନ୍ତୁ । ପରିବାର ସଦସ୍ୟଙ୍କ ପାଇଁ କୌଣସି ଜିନିଷ କ୍ରୟ କରିପାରନ୍ତି । ପ୍ରେମ ସମ୍ପର୍କ ନିବିଡ଼ ହେବ । ଆଜି ଆପଣଙ୍କ ଜୀବନସାଥୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ ।

ଧନୁ : ଭରଷାଯୋଗ୍ୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ, ନଚେତ୍ କେହି ଠକିଦେଇପାରନ୍ତି । ବାପା, ମା’ଙ୍କ କୌଣସି କଥାକୁ ନେଇ ରାଗିଯାଇପାରନ୍ତି । ଜୀବନସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ । ବିବାହିତ ଦାମ୍ପତ୍ୟଙ୍କ ମଧ୍ୟରେ ଅଯଥା କଳହ ଦେଖାଦେଇପାରେ ।

କୁମ୍ଭ : ଆଜି ମନରେ କ୍ରୋଧ ରହିପାରେ ଏଥିସହ କ୍ରୋଧରେ କୌଣସି ଭୁଲ୍ ନିଷ୍ପତ୍ତି ନେଇପାରନ୍ତି । ଯେ କୌଣସି ନିଷ୍ପତ୍ତି ନେବା ଆଗରୁ ଭାବିଚନ୍ତି ନିଷ୍ପତ୍ତି ନିଅନ୍ତୁ । ଜୀବନସାଥୀଙ୍କ ସହ କଳହ ଦେଖାଦେଇପାରେ । କାର୍ଯ୍ୟକ୍ଷେତ୍ର ଏବଂ ପରିବାର ଉଭୟ ସ୍ଥାନରେ ସନ୍ତୁଳନ ରକ୍ଷା କରନ୍ତୁ ।

ମୀନ : ନୂଆ ବନ୍ଧୁଙ୍କ ସହ ପରିଚୟ ହେବ । ଘରେ କଳହ ଦେଖାଦେଇପାରେ । ଏଥିପାଇଁ ଘରର ଯେ କୌଣସି ନିଷ୍ପତ୍ତି ଭାବିଚିନ୍ତି ସ୍ଥିର କରନ୍ତୁ । ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ, ନଚେତ୍ ଆଗକୁ ବିବାଦ ଉପୁଜିପାରେ

ଏଲନ ମସ୍କଙ୍କ ଭୟ,ହୋଇପାରେ ହତ୍ୟା !

ୱାସିଂଟନ: ଟ୍ୱିଟର କିଣିବା ପର ଠାରୁ ଆହୁରି ଅଧିକ ଚର୍ଚ୍ଚାରେ ଏଲନ୍ ମସ୍କ । ଟେଲସା ସିଇଓ ଏଲନ୍ ମସ୍କ ଗୋଟିଏ ଦିନରେ ଏକାଧିକ ଟ୍ୱିଟ୍ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ତେବେ ଏଲନ୍ ମସ୍କଙ୍କ ଏଭଳି ସିରିୟସ୍ ଟ୍ୱିଟ୍ ସମସ୍ତଙ୍କୁ ଚକିତ କରିଛି । ଯେଉଁ ଟ୍ୱିଟରେ ମସ୍କ, ତାଙ୍କର ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ କଥା କହିଛନ୍ତି । ଯାହାକି ମସ୍କଙ୍କ ମାଆଙ୍କୁ ପସନ୍ଦ ଆସିନାହିଁ । ତାଙ୍କ ମାଆ ଲେଖିଛନ୍ତି, ଏଭଳି ମଜା କରିବା ଠିକ୍ ନୁହେଁ । ଯାହାର ରିପ୍ଲାଏ ଦେଇ ମସ୍କ କହିଛନ୍ତି, ସରି- ମୁଁ ବଞ୍ଚି ରହିବାକୁ ସମସ୍ତ ଚେଷ୍ଟା କରିବି ।

ତେବେ ମସ୍କ ଏଭଳି ଟ୍ୱିଟ୍ କରିବା ପଛର କାରଣ କଣ ? କାହାକୁ ଇଙ୍ଗିତ କରି ମସ୍କ ରହସ୍ୟମୟ ମୃତ୍ୟୁ କଥା ଲେଖିଛନ୍ତି ? ସତରେ କଣ କେହି ମସ୍କଙ୍କୁ ମାରିବାକୁ ଚକ୍ରାନ୍ତ କରୁଛି ? କାରଣ ମସ୍କ ଟ୍ୱିଟ୍ କରି ଲେଖିଛନ୍ତି, ଯଦି ମୁଁ ରହସ୍ୟମୟ ପରିସ୍ଥିତିରେ ମରିଯାଏ, ଏହା ଜାଣି ଖୁସି ଲାଗିଲା । ଏହା ପୂର୍ବରୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ରୋଗୋଜିନ ମସ୍କଙ୍କୁ ଧମକ ଦେଇଥିବା ନେଇ ତଥ୍ୟ ସେୟାର କରିଥିଲେ । ଯେଉଁଥିରେ ୟୁକ୍ରେନ୍ ସୈନିକଙ୍କୁ ଯୋଗାଯୋଗ ଯନ୍ତ୍ରପାତି ଦେଇଥିବାରୁ ମସ୍କଙ୍କୁ ଧମକ ଦେଇଥିଲେ ରୋସ୍କୋସ୍ମୋସର ନିର୍ଦ୍ଦେଶକ ଓଲେଗୋବିଚ୍ ରୋଗୋଜିନ ।

ରୋସ୍କୋସ୍ମୋସର ନିର୍ଦ୍ଦେଶକ ରୋଗୋଜିନ ଋଷ ମିଡିଆକୁ କହିଥିଲେ, ୟୁକ୍ରେନ୍ ନୌସେନାର ୩୬ ଜଣ ସୈନିକ, କର୍ଣ୍ଣେଲ ଦିମିତ୍ରୀ କୋମ୍ର୍ୟାନକୋବ ଧରାପଡ଼ିଛନ୍ତି । ଚିଫ୍ ଅଫ୍ ଷ୍ଟାଫଙ୍କ ବୟାନରୁ ଜଣାପଡ଼ିଛି ମସ୍କଙ୍କ ସାଟେଲାଇଟ୍ କନଷ୍ଟେଲେସନ୍ ମାରିୟୁପୋଲରେ ୟୁକ୍ରେନ ସୈନିକଙ୍କୁ ଇଣ୍ଟରନେଟ୍ ପ୍ରଦାନ କରୁଛି । ଯେଉଁଥିରେ ସେ ମସ୍କଙ୍କୁ ଉତ୍ତର ମାଗିବାକୁ କହୁଛନ୍ତି ।

ସୂଚନାଯୋଗ୍ୟ, ୟୁକ୍ରେନରେ ଋଷ ଆକ୍ରମଣ କରିବା ପରେ ଇଣ୍ଟରନେଟ୍ ସେବାକୁ ଧ୍ୱଂସ କରି ଦେଇଥିଲା । ଯାହାପରେ ସେଠାରେ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ସେନାକୁ ଯୋଗାଇଥିଲା ଇଣ୍ଟରନେଟ୍ । ଯେଉଁଥିପାଇଁ ଟେଲସା ସିଇଓଙ୍କୁ ଋଷ ଧମକ ଦେଉଥିବା କୁହାଯାଉଛି । ଏବେ ମସ୍କ ରହସ୍ୟମୟ ମୃତ୍ୟୁକୁ ନେଇ ଟ୍ୱିଟ୍ କରିବା ପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଆସିବାରେ ଲାଗିଛି ।