ବୟଫ୍ରେଣ୍ଡ୍ ସହ ସ୍ତ୍ରୀ ଫେରାର, ଭୋ ଭୋ କାନ୍ଦୁଛି ସ୍ୱାମୀ

ଭଦ୍ରକ: ସ୍ବାମୀ ଆଗରେ ସ୍ତ୍ରୀ ଫେରାର । କଲେଜରେ ପରୀକ୍ଷା ଦେଇସାରି ଗେଟ୍‌ ବାହାରେ ଅପେକ୍ଷା କରିଥିବା ସ୍ବାମୀକୁ ବାଏ ବାଏ କରି କାରରେ ବସି ଫେରାର ହୋଇଗଲା ସ୍ତ୍ରୀ । ଦୁଇ ଦିନ ତଳେ ସାବିତ୍ରୀ ବ୍ରତ କରିଥିବା ସ୍ତ୍ରୀକୁ ଫେରାର ହେଇଥିବା ଦେଖି ଭୋ ଭୋ ହୋଇ କାନ୍ଦୁଛି ସ୍ବାମୀ । ଭଦ୍ରକ ଜିଲ୍ଲା ଧୁଷୁରୀ ବଜାରରେ ଘଟିଛି ଘଟଣା । ଆଜି ଯୁକ୍ତ ତିନି ପରୀକ୍ଷା ଦେବାକୁ ସ୍ବାମୀଙ୍କ ସହ ସ୍କୁଟିରେ ବସି କଲେଜ ଯାଇଥିଲେ ଦେବବ୍ରତ ଗୋଛାୟତଙ୍କ ବୋହୂ । ହେଲେ ପରୀକ୍ଷା ସରିବା ପରେ ସ୍ବାମୀ ରାହୁଲ ସ୍କୁଟିରେ ବାହାରେ ଅପେକ୍ଷା କରିଥିବା ବେଳେ ସେ ଅନ୍ୟ ଏକ ଧଳା ରଙ୍ଗର କାରରେ ବସି ଫେରାର ହୋଇଯାଇଥିଲେ ।

ରାହୁଲ ପିଛା କରିବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇନଥିଲେ । ଏନେଇ ରାହୁଲଙ୍କ ପରିବାର ପକ୍ଷରୁ ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଦେବବ୍ରତ ଗୋଛାୟତଙ୍କ ପୁଅ ରାହୁଲ ବ୍ରାହ୍ମଣୀପାଳ ଗାଁର ଯୁବତୀଙ୍କୁ ଭଲପାଉଥିଲେ । ଉଭୟେ ଘରେ ନଜଣାଇ ଫେରାର ହୋଇଯାଇଥିଲେ । କିଛି ଦିନର ବ୍ୟବଧାନ ପରେ ପରିବାର ଲୋକେ ଉଭୟଙ୍କ ସନ୍ଧାନ ପାଇଥିଲେ । ତେବେ ପୁଅର ପରିବାର ଲୋକେ ଉଭୟଙ୍କୁ ପୁରୀର ନୃସିଂହ ନାଥ ମନ୍ଦିରରେ ବାହା କରାଇଥିଲେ ।

ପୁଅ ବୋହୂ ଖୁସିରେ ଦୀର୍ଘ ୬ ମାସ ଧରି ଘରେ ରହିବା ପରେ ବୋହୂ ପାଠ ପଢିବାକୁ ଜିଦ କରିଥିଲେ । ପରିବାର ଲୋକ ଅନୁମତି ପରେ ନିକଟସ୍ଥ ଆଖଣ୍ଡଳମଣି ମହାବିଦ୍ୟାଳୟରେ ତାଙ୍କୁ ଯୁକ୍ତ ତିନି କଳାରେ ଆଡମିଶନ କରାଇଥିଲେ । ପ୍ରତିଦିନ ଭଳି ସ୍ବାମୀଙ୍କ ସ୍କୁଟିରେ ବସି ମଙ୍ଗଳବାର ପରୀକ୍ଷା ଦେବାକୁ ଯାଇଥିଲେ । ହେଲେ ପରୀକ୍ଷା ସରିବା ପରେ ସେ କଲେଜରୁ ଫେରାର ହୋଇଯାଇଛନ୍ତି ସ୍ତ୍ରୀ । ପରିବାର ନିଜ ବୋହୁର ଫେରିବା ବାଟକୁ ଅନେଇ ବସିଥିବା ବେଳେ ସ୍ବାମୀ ରାହୁଲ ନିଜ ସ୍ତ୍ରୀର ଫୋଟକୁ ଧରି କାନ୍ଦୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।