ବ୍ରଜରାଜନଗର ଉପନିର୍ବାଚନ: ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ

ବ୍ରଜରାଜନଗର: କିଏ ଜିତିଛି ବ୍ରଜରାଜନଗରବାସୀଙ୍କ ଦିଲ୍ । କାହାକୁ ବିଧାୟକ ରୂପେ ବାଛିଛନ୍ତି ଜନତା । ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ପରେ ଏବେ ଚାଲିଛି ଇଭିଏମ କାଉଣ୍ଟିଂ । ପ୍ରଥମ ରାଉଣ୍ଡ ଭୋଟ ଗଣିତ ଶେଷ ସୁଦ୍ଧା ଆଗୁଆ ରହିଛି ବିଜୁ ଜନତା ଦଳ । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪ ହଜାର ୭୩୩ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ୧ ହଜାର ୧୪୪ ଖଣ୍ଡ ଭୋଟ ଓ କଂଗ୍ରେସ ୧ ହଜାର ୧୪ ଖଣ୍ଡ ଭୋଟ ପାଇଛି ।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ମୋଟ ୧୪ଟି ଟେବୁଲରେ ଭୋଟ ଗଣତି ହେଉଛି । ୨୭୯ ବୁଥର ଭୋଟ୍ ୨୦ ରାଉଣ୍ଡରେ କାଉଣ୍ଟିଂ ହେଉଛି । ପ୍ରତି ଟେବୁଲରେ ଅଛନ୍ତି ୪ ଜଣ କାଉଣ୍ଟିଂ ଅଫିସର । ପ୍ରତି ରାଉଣ୍ଡର ଫଳାଫଳ ମାଇକ ଯୋଗେ ଘୋଷଣା କରାଯିବ । ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଗଣତି କେନ୍ଦ୍ରରେ କେନ୍ଦ୍ରୀୟ ଅର୍ଦ୍ଧ ସୁରକ୍ଷା ବଳ, ସଶସ୍ତ୍ର ପୋଲିସ ବାହିନୀ ସହ ଓଡ଼ିଶା ପୋଲିସର ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ ଗୋଟିଏ ପ୍ଲାଟୁନ ସିଆରପିଏଫ ବ୍ୟତୀତ ଓଡିଶା ପୋଲିସର ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି ଏବଂ ୫ ଜଣ ଇନସପେକ୍ଟର ସୁରକ୍ଷା ଦାୟିତ୍ବରେ ରହିଛନ୍ତି ।