ସରକାରୀ ହସ୍ପିଟାଲରେ କର୍ମଚାରୀଙ୍କ ମନମାନି, ପୁଅର ମୃତଦେହ ଦେବା ଲାଗି ଦାବି କଲେ ୫୦ ହଜାର ଟଙ୍କା

ପାଟଣା: ବିହାରରେ ଚାଲିଛି କି ଜଙ୍ଗଲରାଜ୍? ପୁଅର ମୃତଦେହ ଖୋଦ୍ ସରକାରୀ ହସ୍ପିଟାଲରୁ ନେବା ଲାଗି ଶୋକସନ୍ତପ୍ତ ବାପା ମା ଲାଗିଛନ୍ତି ୫୦ ହଜାର ଟଙ୍କା ସଂଗ୍ରହରେ । ଏପରିକି ହସ୍ପିଟାଲ ଓ ବାହାରେ ଲୋକଙ୍କ ନିକଟରେ ଟଙ୍କା ଲାଗି ଆକୁଳ ନିବେଦନ କରୁଛନ୍ତି ବାପା ମା । ବିହାର ସମସ୍ତିପୁର ସଦର ହସ୍ପିଟାଲର ଏହି ସ୍ପର୍ଶକାତର ଘଟଣା ଜାତୀୟ ସ୍ତରରେ ଚହଳ ସୃଷ୍ଟି କରିଛି । କିଛି ଦିନ ତଳେ ମହେଶ ଠାକୁର ନାମକ ଜଣେ ବୟସ୍କ ବ୍ୟକ୍ତିଙ୍କ ପୁଅ ନିଖୋଜ ହୋଇ ଯାଇଥିଲେ । ଅନେକ ଖୋଜାଖୋଜି ପରେ ବି ତାଙ୍କର ସନ୍ଧାନ ମିଳି ନଥିଲା । ତେବେ ପରେ ସେ ଜାଣିବାକୁ ପାଇଲେ ତାଙ୍କ ପୁଅର ମୃତଦେହ ସଦର ହସ୍ପିଟାଲରେ ଅଛି । ସେ ହସ୍ପିଟାଲକୁ ଯାଇ ପୁଅର ମୃତଦେହ ମାଗିବାରୁ ହସ୍ପିଟାଲ କର୍ମଚାରୀ ଅଗ୍ରାହ୍ୟ କରିଥିଲେ ।

୫୦ ହଜାର ଟଙ୍କା ଦେଲେ ହିଁ ପୁଅର ମୃତଦେହ ମିଳିପାରିବ ବୋଲି ସେମାନେ କହିଥିଲେ । ଏନେଇ ଉଭୟ ବାପା ମା ଅନେକ ଚେଷ୍ଟା କରିଥିଲେ ବି ପୁଅର ଶବକୁ ପାଇ ପାରି ନଥିଲେ । ଶେଷରେ ବାଧ୍ୟ ହୋଇ ସେମାନେ ୫୦ ହଜାର ଟଙ୍କା ଯୋଗାଡ଼ ଲାଗି ପର ନିକଟରେ ହାତ ପତାଇବାକୁ ଲାଗିଲେ । ଖୋଦ୍ ହସ୍ପିଟାଲ ଭିତରେ ଓ ବାହାରେ ସେମାନେ ଟଙ୍କା ଲାଗି ଭିକ୍ଷା ମାଗିବାର ଦୃଶ୍ୟ ଭାଇରାଲ ହେବା ସହ ଜାତୀୟ ସ୍ତରରେ ଚର୍ଚ୍ଚାର କାରଣ ହୋଇଛି । ଏନେଇ ମହେଶ କହିଛନ୍ତି, ସେ ଗରିବ ହୋଇଥିବାରୁ ତାଙ୍କ ନିକଟରେ ଏତେ ଟଙ୍କା ନାହିଁ । ବାଧ୍ୟ ହୋଇ ସେମାନେ ପୁଅର ମୃତଦେହ ପାଇବା ଲାଗି ଭିକ ମାଗୁଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଏହି ସରକାରୀ ହସ୍ପିଟାଲର କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ଠିକା କର୍ମଚାରୀ ଏବଂ ସେମାନେ ଠିକ୍ ସମୟରେ ଦରମା ପାଆନ୍ତି ନାହିଁ । ଅଧିକାଂଶ ରୋଗୀ ଓ ସମ୍ପର୍କୀୟଙ୍କ ଠାରୁ ସେମାନେ ଅର୍ଥ ଦାବି କରିଥାନ୍ତି । ତେବେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ଡାକ୍ତର ଏସକେ ଚୌଧୁରୀ ।