ରାଜଧାନୀରେ ଚଳିତ ବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀରେ ଚଳିତ ବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ ଅଭିଯୋଗ । ମୃତକ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ହୋଇଥିବା ସୂଚନା ମିଳିଛି । ଡେଙ୍ଗୁରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ନିଳାଦ୍ରୀବିହାର ଓ ଡମଣା ଅଞ୍ଚଳରେ ୨ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ । ଆଗକୁ ବର୍ଷା ଦିନ, ତେଣୁ ଡେଙ୍ଗୁ ରୋକିବାକୁ ବିଏମସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଦୁଇଟି ମେଡିକାଲ ଟିମ ପଠାଇ ସମ୍ପୃକ୍ତ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରାଯାଉଛି । ଉଭୟ ଅଞ୍ଚଳକୁ ସ୍ବାସ୍ଥ୍ୟ ଟିମ୍ ସହ ମେୟର ସୁଲୋଚନା ଦାସ ଗସ୍ତ କରିଛନ୍ତି । ତୁରନ୍ତ ବୁଦା କଟାଯିବା ସହ ମଶା ଧୂଆଁ ଛାଡ଼ିବା ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପରାମର୍ଶ ଦିଆଯାଇଛି । ଖାଲୁଆ ଅଞ୍ଚଳରେ ପାଣି ଜମି ମଶା ବଂଶ ବୃଦ୍ଧିର ଆଶଙ୍କା ଥିବାରୁ ଏହାର ପ୍ରତିକାର ବ୍ୟବସ୍ଥା ପାଇଁ ସଫେଇ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ମେୟର ନିର୍ଦ୍ଦେଶ ଦେଇଛନ୍ତି ।