spot_img
Home Blog Page 4380

ଓମ୍ବାଡସି ଓଭରସାଇଟି ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକଙ୍କ ସୁନ୍ଦରଗଡ଼ ଗସ୍ତ

ସୁନ୍ଦରଗଡ଼: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡସି) ଓଭରସାଇଟ୍ ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ତିନିଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି । ପ୍ରଥମ ଦିନରେ ସେ ଓମ୍ବାଡସିର ଆର୍ଥିକ ସହାୟତାରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରିବା ସହ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

ବୁଧବାର ସେ ଲେଫ୍ରିପଡ଼ା, ଟାଙ୍ଗରପାଲି ଏବଂ ସୁନ୍ଦରଗଡ଼ ସଦର ବ୍ଲକର ବିଭିନ୍ନ ପ୍ରକଳ୍ପ ସ୍ଥାନ ବୁଲି ଦେଖିଥିଲେ । ଜିଲ୍ଲାରେ ସାନ ସାନ ପିଲାମାନଙ୍କ ପୋଷଣ ସହ ଆନନ୍ଦମୟ ପରିବେଶ ଭିତରେ ସେମାନଙ୍କ ପ୍ରାକ୍ ପ୍ରାଥମିକ ଶିକ୍ଷା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆଧୁନିକ ବାଲା ମଡେଲ ଢାଞ୍ଚାରେ ନିର୍ମାଣ କରାଯାଉଛି । ଏହି ଅବସରରେ ଜଷ୍ଟିସ୍ ପଟ୍ଟନାୟକ ଟାଙ୍ଗରପାଲି ବ୍ଲକର ଚକ୍ରମାଲଠାରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ରର ଉଦଘାଟନ କରିଥିଲେ ।

ତଲଶଙ୍କରାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ ଜଷ୍ଟିସ୍ ପଟ୍ଟନାୟକ । ସେଠାରେ ସେ ସ୍କୁଲର ଅଧ୍ୟକ୍ଷ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବର୍ଗର ଲୋକଙ୍କ ଜୀବିକାକୁ ସଶକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ମାଛ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି । ବିଭିନ୍ନ ଚାଷୀ ନୂତନ ବାୟୋଫ୍ଲକ୍ ପଦ୍ଧତିରେ କୁଣ୍ଡରେ ମାଛ ଚାଷ କରୁଛନ୍ତି । ସେହିପରି ଗ୍ରାମ ପୋଖରୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ମଧ୍ୟ ମାଛ ଚାଷ କରୁଛନ୍ତି । ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ଲେଫ୍ରିପଡ଼ା ବ୍ଲକ୍ ଗସ୍ତରେ ଆସି ହିତାଧିକାରୀମାନଙ୍କ ସହ ଏହି କାର୍ଯ୍ୟକ୍ରମର ସଫଳତା ବିଷୟରେ ପଚାରି ବୁଝିଥିଲେ ।

ସେହିପରି ଜଷ୍ଟିସ୍ ପଟ୍ଟନାୟକ ଟାଙ୍ଗରପାଲି ବ୍ଲକ୍ ଗସ୍ତରେ ଯାଇ ସୁନ୍ଦରଗଡ଼ ବନଖଣ୍ଡ ଅଧୀନରେ ଉଜ୍ଜ୍ୱଳପୁରଠାରେ କରାଯାଉଥିବା କେନ୍ଦ୍ରୀୟ ନର୍ସରୀ ବୁଲି ଦେଖିଥିଲେ । ପରିବେଶ ସୁରକ୍ଷା ଏବଂ ସବୁଜ ବଳୟ ସୃଷ୍ଟି ଲାଗି ପ୍ରଶାସନ ପକ୍ଷରୁ ନିଆଯାଉଥିବା ଏଭଳି ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ ।

ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏବଂ ଓମ୍ବାଡସି ପାଣ୍ଠିର ବିନିଯୋଗ କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ବିଭିନ୍ନ ଗୋଷ୍ଠୀ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ କରାଯାଉଛି । ଜଷ୍ଟିସ୍ ପଟ୍ଟନାୟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ରୋଗୀମାନଙ୍କ ଚିକିତ୍ସା ପାଇଁ କରାଯାଇଥିବା ବିଭିନ୍ନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ।

ସୁନ୍ଦରଗଡ଼ରେ ଥିବା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରକୁ ଯାଇ ଜଷ୍ଟିସ୍ ପଟ୍ଟନାୟକ ସେଠାରେ ଭିନ୍ନକ୍ଷମଙ୍କୁ ଦିଆଯାଉଥିବା ବିଭିନ୍ନ ଚିକିତ୍ସା ଓ ସେବା ବିଷୟରେ ପଚାରି ବୁଝିଥିଲେ । ଏହି କେନ୍ଦ୍ରରେ ସମସ୍ତଙ୍କୁ ମାଗଣାରେ ରୋବୋଟିକ୍ ଫିଜିଓଥେରାପି ସେବା ଦିଆଯିବା ସହିତ ଗରିବ ବର୍ଗର ହିତାଧିକାରୀଙ୍କୁ ମାଗଣାରେ କୃତ୍ରିମ ଅଙ୍ଗରୋପଣ ସେବା ଦିଆଯାଉଥିବା ଜାଣି ସନ୍ତୋଷ ପ୍ରକାଶ କରିଥିଲେ । ଏହାପରେ ସେ ସୁନ୍ଦରଗଡ଼ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିସରରେ ଥିବା ଅତ୍ୟାଧୁନିକ ଥେରାପ୍ୟୁଟିକ୍ ସର୍ଭିସ୍ କେନ୍ଦ୍ର ପରିଦର୍ଶନ କରିଥିଲେ ।

ପ୍ରଥମ ଦିନର କ୍ଷେତ୍ରସ୍ତରୀୟ ପରିଦର୍ଶନ ପରେ ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଦଭାବନା ଭବନଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ଜଷ୍ଟିସ୍ ପଟ୍ଟନାୟକ । ଓମ୍ବାଡସି ଆର୍ଥିକ ସହାୟତାରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସେ ବିଭାଗୀୟ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ । ନିର୍ଦ୍ଧାରିତ ସମୟ ଭିତରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ସୁନ୍ଦରଗଡ଼ ଜିଲ୍ଲାରେ ଓମ୍ବାଡସି କାର୍ଯ୍ୟକ୍ରମର ସଫଳତା ପାଇଁ ସେ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଥିଲେ । ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଓମ୍ବାଡସି ପାଣ୍ଠିର ଆର୍ଥିକ ସହାୟତାରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଜଷ୍ଟିସ୍ ପଟ୍ଟନାୟକଙ୍କୁ ଅବଗତ କରାଇଥିଲେ ।

ଏହି ଗସ୍ତ ବେଳେ ଓମ୍ବାଡସିର ଓଭରସାଇଟ୍ ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକଙ୍କ ସହିତ ଓମ୍ବାଡସି ସିଇଓ ଜି ରାଜେଶ, ସ୍ୱତନ୍ତ୍ର ଅଧିକାରୀ ଶେଖ୍ ନଇମୁଦ୍ଦିନ୍ ଏବଂ ଦ୍ୱୈପାୟନ ପଟ୍ଟନାୟକ, ଓମ୍ବାଡସିର ଜେନେରାଲ ମ୍ୟାନେଜର ସୁଧାକର ବୁର୍ଗି, ଜେନେରାଲ ମ୍ୟାନେଜର ଜୟନ୍ତ କୁମାର ଦାସ, କଲସଲଟାଣ୍ଟ ପାର୍ଥ ମହାନ୍ତି ଏବଂ ଟିମ୍ ଲିଡର ଅମ୍ବୁଜ ପ୍ରସାଦ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଡିଏମଫ ସିଇଓ ରୀତା ଡାଙ୍ଗ ଏବଂ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର, ୧୫ ଶହରୁ ଅଧିକ ଗ୍ରାମ ଜଳମଗ୍ନ

ଦିସପୁର: ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର । ୨୭ ଜିଲ୍ଲାରେ ଜଳତାଣ୍ଡବ । ୧୫ ଶହରୁ ଅଧିକ ଗ୍ରାମ ଜଳମଗ୍ନ ହୋଇଥିବା ବେଳେ ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି । ବର୍ଷା ଜାରି ରହିଥିବାରୁ ପରିସ୍ଥିତି ଆହୁରି ସଂଗୀନ ହୋଇପାରେ ବୋଲି ଚେତାବନୀ ଦିଆଯାଇଛି । ବ୍ରହ୍ମପୁତ୍ର ନଦୀ ବନ୍ୟାରେ ୧ ହଜାର ୫ ଶହ ଗାଁରେ ପାଣି ପଶିଯାଇଛି । ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ଜାରି ରହିବ ।

ହୋଜାଇ ଜିଲ୍ଲାରେ ପାଣିଘେରରେ ଫସିଥିବା ୨ ହଜାର ଲୋକଙ୍କୁ ଭାରତୀୟ ସେନା ଉଦ୍ଧାର କରିଛି । ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଦିମା ହାସାଓ ଜିଲ୍ଲା । ବନ୍ୟା ଓ ଭୂସ୍ଖଳନ ଯୋଗୁଁ ରେଳ ଓ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗତ ତିନି ଦିନ ହେବ ଦିମା ହାସାଓ ଜିଲ୍ଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବନ୍ୟା ପ୍ରଭାବିତଙ୍କୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ଔଷଧ ଯୋଗାଇବା ପାଇଁ ବାୟୁସେନାର ସହାୟତା ନିଆଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବା ଶର୍ମାଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି । ରାଜ୍ୟକୁ ସବୁ ପ୍ରକାର କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

’ଜ୍ଞାନବାପି’ ମସଜିଦ୍ ପ୍ରସଙ୍ଗ: ଆଜି ଉଭୟ ସୁପ୍ରିମକୋର୍ଟ ଓ ବାରାଣସୀ କୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ଜ୍ଞାନବାପି ମସଜିଦ୍ ପ୍ରସଙ୍ଗରେ ଆଜି ହେବ ଶୁଣାଣି । ଉଭୟ ସୁପ୍ରିମକୋର୍ଟ ଓ ବାରାଣସୀ କୋର୍ଟରେ ଶୁଣାଣି ହେବ । ମସଜିଦ୍ ଭିତରେ ପୂଜା ଲାଗି ହିନ୍ଦୁଙ୍କୁ ଅନୁମତି ଦେବା ଲାଗି ଆଗତ ପିଟିସନର ହେବ ଶୁଣାଣି । ଗତ ମଙ୍ଗଳବାର ତଥାକଥିତ ଶିବଲିଙ୍ଗ ଠାବ ହୋଇଥିବା ଅଞ୍ଚଳକୁ ସୁରକ୍ଷା ବଳୟରେ ରଖିବା ଲାଗି ବାରାଣସୀର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

ସେପଟେ ନିଜର ସର୍ଭେ ରିପୋର୍ଟ ଦାଖଲ କରିବା ଲାଗି ଗଠିତ ଟିମକୁ ଆଉ ଦୁଇ ଦିନ ସମୟ ଦେଇଛନ୍ତି କୋର୍ଟ । ପିଟିସନରେ ମଧ୍ୟ ବେସମେଣ୍ଟର କାନ୍ଥ ଭାଙ୍ଗିବା ସହ ଅଧିକ ପ୍ରମାଣ ସଂଗ୍ରହ ଲାଗି ଅନୁରୋଧ କରାଯାଇଛି । ସେହିପରି ସର୍ଭେ କାର୍ଯ୍ୟରେ ପୁଣି ଥରେ କମିଶନର ଅଜୟ କୁମାର ମିଶ୍ରଙ୍କୁ ସାମିଲ କରିବା ନେଇ ଆଗତ ପିଟିସନର ବି ଶୁଣାଣି ହେବ ।

ପୁଣି ଫେରିବ ଗ୍ରୀଷ୍ମ ପ୍ରବାହ, ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ବଢିବ ତାପମାତ୍ରା

ଭୁବନେଶ୍ୱର: ପୁଣି ରାଜ୍ୟକୁ ଫେରିବ ଗ୍ରୀଷ୍ମ ପ୍ରବାହ । ଦୁଇରୁ ତିନି ଦିନ ମଧ୍ୟରେ ସ୍ୱାଭାବିକ ଠାରୁ ତିନିରୁ ଚାରି ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୨ ଓ ୨୩ ତାରିଖରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଆଭ୍ୟନ୍ତରୀଣ ଓଡ଼ିଶାକୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ବିଶେଷ କରି ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ମଧ୍ୟରେ ରହିବ । ଏନେଇ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

ସେପଟେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ଦେଖାଦେବ । ଆସନ୍ତା ୨୭ ତାରିଖରେ ମୌସୁମୀ କେରଳ ଛୁଇଁବା ପାଇଁ ପାଗ ଅନୁକୁଳ ରହିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଚଳିତ ବର୍ଷ ୫ ଦିନ ପୂର୍ବରୁ ମୌସୁମୀ ସକ୍ରିୟ ହୋଇଛି । ଜୁନ୍ ପ୍ରଥମ ସପ୍ତାହରେ ଓଡ଼ିଶା ଛୁଇଁବ ବୋଲି ଆକଳନ କରିଛି ଆଇଏମଡି ।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ସରଗରମ ରାଜନୀତି, ପ୍ରାର୍ଥୀଙ୍କ ପ୍ରଚାରରେ କମ୍ପୁଛି ମଇଦାନ

ବ୍ରଜରାଜନଗର: ଦୁଲୁକୁଛି ବ୍ରଜରାଜନଗର । ପ୍ରାର୍ଥୀଙ୍କ ପ୍ରଚାରରେ କମ୍ପୁଛି ମଇଦାନ । ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ନିଜ ନିଜ ଦଳର ହେଭିଓ୍ବେଟ । ବୃହତ ବ୍ୟବଧାନରେ ବିଜୟ ହାସଲ ପାଇଁ ବିଜେଡି ପକ୍ଷରୁ ପ୍ରସ୍ତୁତ ହୋଇଛି ରଣନୀତି । ଷ୍ଟାର ପ୍ରଚାରକମାନେ ଗ୍ରାଉଣ୍ଡରେ ଆରମ୍ଭ କରିଦେଇଛନ୍ତି କଡ଼ା କସରତ । ଦଳୀୟ କର୍ମୀଙ୍କୁ ବିଜୟ ମନ୍ତ୍ର ଦେବା ସହ ବିରୋଧୀ ରଣନୀତିକୁ କିପରି ପାଣି ଫୋଟକା କରାଯିବ ସେ କୌଶଳ କର୍ମୀଙ୍କୁ ବତାଇଛନ୍ତି ବରିଷ୍ଠ ବିଜେଡି ନେତା ।

ସେପଟେ ଶାସକ ଦଳକୁ ଟକ୍କର ଦେବା ପାଇଁ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି । ୨୦ ତାରିଖରେ ବିଜେପି ଷ୍ଟାର ପ୍ରଚାରକମାନେ ମଇଦାନକୁ ଓହ୍ଲାଇବାକୁ ରଣନୀତି କରିଛି । ସେହିପରି କଂଗ୍ରେସ ବରିଷ୍ଠ ନେତାଙ୍କୁ ପ୍ରାର୍ଥୀ କରି ଉପ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ।

କବିସୂର୍ଯ୍ୟନଗର ବାହଲପଲ୍ଲୀ ହ୍ରଦ ରାସ୍ତାରେ ବିଭତ୍ସ ହତ୍ୟାକାଣ୍ଡ

ଆସିକା: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢାମ୍ବ ନିକଟରେ ହତ୍ୟାକାଣ୍ଡ । ସ୍ଥାନୀୟ ବାହଲପଲ୍ଲୀ ହ୍ରଦ ରାସ୍ତାରେ ଆଜି ରାତିରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ଦୁର୍ବୃତ୍ତଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଖୋଜାପଲ୍ଲୀ ଗ୍ରାମର ରାଜୁ ବିଷୋୟୀ । ଏକ ବୋଲେରୋରେ ଆସି ହତ୍ୟାକାରୀମାନେ ରାଜୁଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା ସୂଚନା ମିଳିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ପହଞ୍ଚି ହତ୍ୟାରେ ବ୍ୟବହୃତ ବୋଲେରୋ ଓ ଶବ ଜବତ କରିଛି ।

ତେବେ ହତ୍ୟାକାଣ୍ଡ ସମୟରେ ରାଜୁଙ୍କ ନିକଟରେ ବସିଥିବା ଜଣେ ବ୍ୟକ୍ତି ବର୍ତ୍ତିଯାଇଛନ୍ତି । ଅନ୍ୟପକ୍ଷରେ ମୃତ ରାଜୁ କିଛିଦିନ ତଳେ ଜେଲରୁ ପାରୋଲରେ ଫେରିଥିଲେ । ଏକମାସ ପରେ ହାଇକୋର୍ଟଙ୍କୁ ଆବେଦନ କରି ଆଉ ଏକମାସ ପାରୋଲ ଅବଧି ବଢାଇଥିଲେ । ତେବେ କିଛିଲୋକ ସଟ୍ଟା ଖେଳକୁ ନେଇ ହତ୍ୟାକାଣ୍ଡ ଘଟିଥିବା କହୁଥିବା ବେଳେ ହତ୍ୟାକାଣ୍ଡ ପଛରେ ଆଉ କଣ କାରଣ ଅଛି ତାହା ସ୍ପଷ୍ଟ ହୋଇନାହିଁ ।

ପୁଣି ରାଜ୍ୟକୁ ଫେରିବ ଗ୍ରୀଷ୍ମ ପ୍ରବାହ: ୩ରୁ ୪ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ପୁଣି ରାଜ୍ୟକୁ ଫେରିବ ଗ୍ରୀଷ୍ମ ପ୍ରବାହ । ଦୁଇରୁ ତିନି ଦିନ ମଧ୍ୟରେ ସ୍ୱାଭାବିକ ଠାରୁ ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୨ ଓ ୨୩ ତାରିଖରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଆଭ୍ୟନ୍ତରୀଣ ଓଡ଼ିଶାକୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ବିଶେଷ କରି ବଲାଙ୍ଗୀର ବୌଦ୍ଧ, ସୋନପୁର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ମଧ୍ୟରେ ରହିବ । ଏନେଇ ଏହି ଜିଲ୍ଲା ଗୁଡିକୁ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।

ସେପଟେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ଦେଖାଦେବ । ୨୪ ଘଣ୍ଟା ମଧ୍ୟରେ ୧୪ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୦ତାରିଖରେ ମଧ୍ୟ ୧୫ ଜିଲ୍ଲାକୁ ଘଡଘଡି ଓ ବର୍ଷା ପାଇଁ ୟେଲୋ ଆଲର୍ଟ କରାଯାଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଦକ୍ଷିଣପୂର୍ବ ବଙ୍ଗୋପସାଗରର କିଛି ଅଂଶ, ସମଗ୍ର ଆଣ୍ଡାମାନ ସାଗର ଏବଂ ନିକୋବର ଦ୍ବୀପପୁଞ୍ଜରେ ସକ୍ରିୟ ହୋଇଛି । ଏହାସହ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଅଗ୍ରସର ହେଉଛି । ଆସନ୍ତା ୨୭ ତାରିଖରେ ମୌସୁମୀ କେରଳ ଛୁଇଁବା ପାଇଁ ପାଗ ଅନୁକୁଳ ରହିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଚଳିତ ବର୍ଷ ୫ଦିନ ପୂର୍ବରୁ ମୌସୁମୀ ସକ୍ରିୟ ହୋଇଛି । ଜୁନ୍ ପ୍ରଥମ ସପ୍ତାହରେ ଓଡ଼ିଶା ଛୁଇଁବ ବୋଲି ଆକଳନ କରିଛି ଆଇଏମଡି ।

ଏଥିସହିତ ପଢ଼ନ୍ତୁ: ଆହୁରି ଶକ୍ତିଶାଳୀ ହେବ ଶକ୍ତି ବିଭାଗ; ୫ବର୍ଷରେ ଖର୍ଚ୍ଚ ହେବ ୫ହଜାର ୫ଶହ କୋଟି

ତ୍ରୁଟିପୂର୍ଣ୍ଣ ଡିଜାଇନ୍ ଯୋଗୁଁ ଘଟୁଛି ଦୁର୍ଘଟଣା: ଇଞ୍ଜିନିୟର ପୁଣି ପଢ଼ିବେ ପାଠ

ଭୁବନେଶ୍ୱର: ପୁଣି ଥରେ ନିର୍ମାଣ କାମ ସଂକ୍ରାନ୍ତ ପାଠ ପଢିବେ ଯନ୍ତ୍ରୀ । ରାସ୍ତାର ଦୂରବସ୍ଥା ଓ ତ୍ରୁଟିପୂର୍ଣ୍ଣ ଡିଜାଇନ ଯୋଗୁ ଘଟୁଥିବା ଦୁର୍ଘଟଣା ସମ୍ପର୍କରେ ପୂର୍ତ୍ତ ବିଭାଗ ଓ ଏନଏଚଏଆଇ ଯନ୍ତ୍ରୀଙ୍କୁ ସଡ଼କ ସୁରକ୍ଷା ଟ୍ରେନିଂ ଦେବ ପରିବହନ ବିଭାଗ । ଏ ନେଇ ପରିବହନ ସଚିବ ବିଷ୍ଣୁପଦ ସେଠୀଙ୍କୁ ପରିବହନ କମିଶନର ଅରୁଣ ବୋଥ୍ରା ଦେଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ବଢୁଥିବାବେଳେ ଏହା ଦୂର କରିବା ଲାଗି ସରକାର ନେଇଛନ୍ତି ପଦକ୍ଷେପ ।

ତ୍ରୁଟି ସୁଧାରିବାକୁ ଶେଷ ସୁଯୋଗ । ଆଉ ଚାଲିବନି ଭୁଲ ଡିଜାଇନିଂ । ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆସିଲାଣି ଯନ୍ତ୍ରୀମାନଙ୍କ ତ୍ରୁଟି । ଭୁଲ୍ ଡିଜାଇନ ଯୋଗୁ ଯେଉଁ ରାସ୍ତା ନିର୍ମାଣ କରିଥିଲେ, ସେଥିପାଇଁ ଦୁର୍ଘଟଣାରେ ଗଡ଼ୁଛି ମୁଣ୍ଡ । ଇଂଜିନିୟରିଂ ପଢ଼ିବା ପରେ ସେମାନେ ସରକାରୀ ଚାକିରି ପାଇଥିଲେ । ହେଲେ ଏବେ ପୁଣି ସେମାନେ ପଢିବେ । ଏକ ଏକ୍ସପର୍ଟ ସଂସ୍ଥା ଦ୍ୱାରା ପୂର୍ତ୍ତ ବିଭାଗ ଓ ଏନଏଚଏଆଇ ଯନ୍ତ୍ରୀଙ୍କୁ ସଡ଼କ ସୁରକ୍ଷା ଟ୍ରେନିଂ ଦେବାକୁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ପରିବହନ ସଚିବ ବିଷ୍ଣୁପଦ ସେଠୀଙ୍କୁ ପରିବହନ କମିଶନର ଅରୁଣ ବୋଥ୍ରା ଦେଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସବିଶେଷ ପ୍ଲାନ, ବ୍ୟୟ ଅଟକଳ ଓ ଟ୍ରେନିଂ ନେବାକୁ ଥିବା ଯନ୍ତ୍ରୀଙ୍କ ତଥ୍ୟ ପାଇବା ପରେ ପ୍ରଶିକ୍ଷଣ ଆରମ୍ଭ କରିବ ପରିବହନ ବିଭାଗ । ସେହିପରି ହୋମଗାର୍ଡ ଓ କନଷ୍ଟେବଳମାନଙ୍କୁ ଫାଷ୍ଟଏଡ୍ ଟ୍ରେନିଂ ବି ଦିଆଯିବ ।

ଗତ ବର୍ଷ ରାଜ୍ୟରେ ଦୁର୍ଘଟଣାରେ ଯାଇଥିଲା ୫ ହଜାର ୦୮୧ ଜୀବନ । ଏଥିରୁ ୩୦ ପ୍ରତିଶତ ମୃତ୍ୟୁର କାରଣ ଥିଲା ଖରାପ ରାସ୍ତା । ତେବେ ଭଲ ଡିଜାଇନ କରି ରାସ୍ତା ନିର୍ମାଣ ଯନ୍ତ୍ରୀଙ୍କ ମାନସିକତା ଉପରେ ନିର୍ଭର କରେ । ଯନ୍ତ୍ରୀଙ୍କୁ ଟ୍ରେନିଂ ସହ ନିୟମିତ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପାଇଁ ହୋଇଛି ଦାବି । କ୍ରମବର୍ଦ୍ଧିଷ୍ଣୁ ଦୁର୍ଘଟଣା ନେଇ ବାରମ୍ବାର ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି । ଏହାକୁ ଦୃଷ୍ଟିରେ ରଖି ରକ୍ଷକ କାର୍ଯ୍ୟକ୍ରମ ଜରିଆରେ ବ୍ଲାକ ସ୍ପଟ୍ ଅଞ୍ଚଳ ନିକଟରେ ରହୁଥିବା ଲୋକଙ୍କୁ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ତୁରନ୍ତ ସେବା କରିବାର ପ୍ରଶିକ୍ଷଣ ଦିଆଯାଉଛି ।

ଆହୁରି ଶକ୍ତିଶାଳୀ ହେବ ଶକ୍ତି ବିଭାଗ; ୫ବର୍ଷରେ ଖର୍ଚ୍ଚ ହେବ ୫ହଜାର ୫ଶହ କୋଟି

ଭୁବନେଶ୍ୱର: ମେଣ୍ଟେନାନ୍ସ ପାଇଁ ରାଜ୍ୟରେ ହେଉଛି ବିଦ୍ୟୁତ କାଟ୍। ଆଗକୁ ଉପଭୋକ୍ତାଙ୍କୁ ସଠିକ ଭାବେ ବିଜୁଳି ସେବା ମିଳିବ। ରାଜ୍ୟରେ ଗ୍ରୀଷ୍ମଲହର ଜାରି ରହିଥିବାରୁ ବିଦ୍ୟୁତ କାଟ ନକରିବା ପାଇଁ ବିତରକ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛି ଶକ୍ତି ବିଭାଗ। ମେ’ ୧ତାରିଖରୁ ରାଜ୍ୟରେ ପାଓ୍ୱାର ସମସ୍ୟା ନାହିଁ ବୋଲି ଶକ୍ତି ସଚିବ କହିଛନ୍ତି । ବିଦ୍ୟୁତ ବିଭାଗରେ ସଂସ୍କାର  ଓ ସଶକ୍ତ କରିବା ପାଇଁ ଦୀର୍ଘମିଆଦୀ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏଥିଲାଗି ୫ବର୍ଷ ଭିତରେ ୫ହଜାର ୫୦୦କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଶକ୍ତି ବିଭାଗରେ ଆସିବ ବଡ଼ ସଂସ୍କାର। ସୁଦୃଢ ହେବ ଭିତ୍ତିଭୂମି, ରହିବନି ପାଓ୍ୱାର ସମସ୍ୟା। ଶକ୍ତି ବିଭାଗକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆରମ୍ଭ ହୋଇଛି ଦୀର୍ଘମିଆଦି ଯୋଜନା। ଏଥିଲାଗି ୫ବର୍ଷରେ ୫ହଜାର ୫ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥରେ ଭିତ୍ତିଭୂମି, ବିଦ୍ୟୁତ ସଂରକ୍ଷଣ, ଏଟିସି ଲସ୍ କମାଇବା ଠାରୁ ଆରମ୍ଭ କରି ହାତୀଙ୍କ ପାଇଁ ସ୍ବତନ୍ତ୍ର କରିଡର କରାଯିବ। ଏହାସହ ରାଜ୍ୟରେ ଗ୍ରୀଷ୍ମଲହରୀ ଜାରି ରହିଥିବାରୁ ପାଓ୍ବାଟ କଟ୍ ନକରିବା ପାଇଁ ବିଭିନ୍ନ ବିତରକ ସଂସ୍ଥାକୁ ପରାମର୍ଶ ଦେଇଛି ଶକ୍ତି ବିଭାଗ। ଖରାଦିନରେ ପିକ ଆଓ୍ବାରରେ ଯେତିକି ବିଦ୍ୟୁତ ଆବଶ୍ୟକ ତାଠାରୁ ଅଧିକ ରାଜ୍ୟରେ ଗଚ୍ଛିତ ଥିବା ଶକ୍ତି ସଚିବ କହିଛନ୍ତି। ମେ’ ୧ତାରିଖରୁ ରାଜ୍ୟରେ ବିଜୁଳି ସମସ୍ୟା ନଥିବା ବିଧାନସଭାର ଷ୍ଟାଣ୍ଡିଂ କମିଟିକୁ ଅବଗତ କରିଛି ଶକ୍ତି ବିଭାଗ ।

ସେପଟେ ମେଣ୍ଟେନାନ୍ସ ପାଇଁ ବିଭିନ୍ନ ସ୍ଥାନରେ ବିଦ୍ୟୁତ କାଟ କରାଯାଉଥିବା ବିତରକ କମ୍ପାନୀ କହିଛି। କୋଭିଡ୍ ଓ ବାତ୍ୟା ପାଇଁ ମେଣ୍ଟେନାନ୍ସ ହୋଇ ପାରିନଥିବାରୁ ଏବେ ବିଦ୍ୟୁତ କାଟ କରାଯାଉଛି। ଆଗକୁ ଲୋକଙ୍କୁ ନିରବଚ୍ଛିନ୍ନ ବିଜୁଳି ମିଳିବ ବୋଲି ବିତରକ କମ୍ପାନୀମାନେ କହିଛି। ଗତବର୍ଷ ମେଣ୍ଟେନାନ୍ସ ପାଇଁ ଟାଟା ପାଓ୍ବାର ୨୫୦କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏବର୍ଷ ୪୦୦କୋଟି ନିବେଶ କରିବ। ରାଜ୍ୟରେ ବିଜୁଳି ସଂସ୍କାର ପାଇଁ ଷ୍ଟାଣ୍ଡିଂ କମିଟି ବୈଠକରେ ଏ ନେଇ ଘମାଘୋଟ ଆଲୋଚନା ହୋଇଛି।

ଓପିଜିସିର ୪ଟି ୟୁନିଟ ଆସିବା ପରେ ଏବେ ରାଜ୍ୟରେ ଆଉ ଶକ୍ତି ସମସ୍ୟା ନାହିଁ। ହେଲେ ଏଯାଏଁ ଦର୍ଲିପାଲି ୟୁନିଟ ବନ୍ଦ ରହିଛି। ଆଗକୁ ପିଲାଙ୍କ ପରୀକ୍ଷା ଥିବାରୁ ପାଓ୍ବାର କଟ ନକରିବା ପାଇଁ ଶକ୍ତି ବିଭାଗ ବିତରକ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛି।

୩୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁରୀ; ୨୪ଘରୋଇ ପ୍ରାଥମିକ ସ୍କୁଲକୁ ମିଳିବ ସରକାରୀ ଅନୁଦାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୩୨ପ୍ରସ୍ତାବକୁ ମଞ୍ଜୁରୀ । ‘ଲ୍ୟାଣ୍ଡ ବ୍ୟାଙ୍କ ସ୍କିମ’ଯୋଜନାକୁ କ୍ୟାବିନେଟ ଅନୁମୋଦନ । ଇଡକୋ ମାଧ୍ୟମରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାରେ ୧ଲକ୍ଷ ଏକର ଜମିର ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ଯାହାଦ୍ୱାରା  ରାଜ୍ୟରେ ବିଭିନ୍ନ ଧରଣର ଶିଳ୍ପ ୟୁନିଟ୍ ପ୍ରତିଷ୍ଠା ହୋଇପାରିବ । ଏହା ରାଜସ୍ୱ ଓ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ । ଆସନ୍ତା ୫ବର୍ଷରେ ଲ୍ୟାଣ୍ଡ ବ୍ୟାଙ୍କ ପାଇଁ ୮୫୬କୋଟିର ବ୍ୟବସ୍ଥା କରାଯିବ। ସେହିପରି ଉଚ୍ଛେଦ ହୋଇଛି DRDA ବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା । ଜିଲ୍ଲା ପରିଷଦ ସହ DRDAର ମିଶ୍ରଣ ହୋଇଛି । ଏହା ପଞ୍ଚାୟତରାଜ ବ୍ୟବସ୍ଥାକୁ ଅଧିକ ସଶକ୍ତ ଓ କାର୍ଯ୍ୟକ୍ଷମ କରିବ ।

ଅନ୍ୟପକ୍ଷରେ ୨୪ଘରୋଇ ଉଚ୍ଚ ପ୍ରାଥମିକ ସ୍କୁଲକୁ ମିଳିବ ସରକାରୀ ଅନୁଦାନ । ଉପକୃତ ହେବେ ୪୭ଜଣ ଶିକ୍ଷକ, ବର୍ଷକୁ ୬୮ଲକ୍ଷ ଖର୍ଚ୍ଚ ହେବ । ଜଳ ସମ୍ପଦ ବିଭାଗର ବିଭିନ୍ନ ପ୍ରସ୍ତାବ କ୍ୟାବିନେଟର ମୋହର । ରାଜ୍ୟରେ ୧ଲକ୍ଷ ନୂଆ ବୋରଓ୍ୱେଲ ଖନନ କରାଯିବ । ଆସନ୍ତା ୫ବର୍ଷରେ ୧ଲକ୍ଷ କ୍ଲଷ୍ଟର ବୋରଓ୍ୱେଲ ଯୋଜନା ।ଖର୍ଚ୍ଚ ହେବ ୪ହଜାର ୧୯୮କୋଟି, ୫ଲକ୍ଷ ହେକ୍ଟର ଜମି ହେବ ଜଳସେଚିତ ।

୧ଲକ୍ଷରୁ ଅଧିକ କୃଷକ ପରିବାର ଉପକୃତ ହେବେ । ଅନୁଗୁଳ ମେଗା ଆଲୁମିନିୟମ ପାର୍କ ପାଇଁ ଇଡକୋକୁ ୪୨୮କୋଟି । ୮୭୧ଏକର ଜମିର ବିକାଶ ପାଇଁ ୬୨କୋଟି ଖର୍ଚ୍ଚ କରାଯିବ । ଆସନ୍ତା ୩ବର୍ଷରେ ନିର୍ମାଣ ହେବ ୧୨୮୦ ଚେକ ଡ୍ୟାମ, ଖର୍ଚ୍ଚ ହେବ ୧୧୧କୋଟି ଟଙ୍କା ଜଳ ସେଚନ ସହ ଭୂତଳ ଜଳସ୍ତର ବୃଦ୍ଧି ପାଇଁ ଯୋଜନା । ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପରେ ସାମିଲ ହେଲା ୧୨ନୂଆ ଗାଁ । ୧୨ଗାଁର ୫,୫୫୦ହେକ୍ଟର ଜମି ଜଳସେଚିତ, ଖର୍ଚ୍ଚ ୧୮୫କୋଟି । ଡ୍ରିମ୍ସ ବିଶ୍ୱବିଦ୍ୟାଳୟ ପ୍ରସ୍ତାବ ଅନୁମୋଦିତ । ୭୦ ଲକ୍ଷ ଏସଏଚଜି ମହିଳା ସଦସ୍ୟାଙ୍କ ପାଇଁ ସୃଷ୍ଟି ହେବ ବଜାର ।

ଏଥିସହିତ ପଢ଼ନ୍ତୁ: ନବକଳେବର ପରେ ଲୋକାର୍ପିତ ତାରାତାରିଣୀ ମନ୍ଦିର; ଶ୍ରୀମନ୍ଦିର କାର୍ଯ୍ୟରେ ବାଧା ନେଇ କ୍ଷୋଭ ପ୍ରକାଶ କଲେ ପିନାକୀ