spot_img
Home Blog Page 4337

ଆଜିଠୁ ଲାଗୁ ହେଲା ଓମଫେଡ୍ କ୍ଷୀରର ନୂଆ ଦର, ଲିଟର ପିଛା ବଢ଼ିଲା ୨ ଟଙ୍କା

ଭୁବନେଶ୍ୱର: ଆଜିଠୁ ଓମଫେଡ କ୍ଷୀରର ନୂଆ ଦର ଲାଗୁ । ଲିଟର ପିଛା ୨ ଟଙ୍କା ବଢ଼ିଛି ଓମଫେଡ କ୍ଷୀର । ଓମଫେଡ୍ ଗୋଲ୍ଡ ମୂଲ୍ୟ ୫୦୦ ମିଲି ଲିଟର ପ୍ରତି ୨୪ ଟଙ୍କା, ଓମଫେଡ୍ ପ୍ରିମିୟମ ୫୦୦ ମିଲି ଲିଟର ପ୍ରତି ୨୪ ଟଙ୍କା, ଓମଫେଡ ଟୋନଡ ୫୦୦ ମିଲି ପ୍ରତି ୨୧ ଟଙ୍କା ହୋଇଛି । ଚାଷୀଙ୍କ ଲାଭ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଦୁଇ ଟଙ୍କାରୁ ଚାଷୀଙ୍କ ଖାତାକୁ ୧ ଟଙ୍କା ୩୫ ପଇସା ଯିବାକୁ ଥିବା ବେଳେ ୧୦ ପଇସା ସୋସାଇଟିକୁ ଯିବ ଏହା ସହ ଅନ୍ୟ ୫୫ ପଇସା ଟ୍ରାନ୍ସପୋର୍ଟ, ପ୍ୟାକେଜିଂ ଓ ଅନ୍ୟାନ ଖର୍ଚ୍ଚରେ ଲାଗିବ ।

ଏହା ସହ ଆଜିଠାରୁ ଭୁବନେଶ୍ୱର, କଟକ ଓ ପୁରୀରେ ଓମଫେଡ୍ ପକ୍ଷରୁ ନୂଆ ପ୍ରକାର କ୍ଷୀର ମିଳିବ । ଓମଫେଡର ଚା’ ସ୍ପେଶାଲ ନାମରେ ଏହି କ୍ଷୀର ବଜାରରେ ଆଜିଠୁ ଉପଲବ୍ଧ ହେବ । ଏହାର ଦର ୫୦୦ ମିଲି ଲିଟରକୁ ୨୩ ଟଙ୍କା ରହିବ । ୧୫ ଟଙ୍କାରେ ୨୦୦ ମିଲି ଲିଟରର ପ୍ୟାକେଟ ଦହି ମଧ୍ୟ ଆଜିଠୁ ଓମଫେଡ୍ ବଜାରକୁ ଛାଡ଼ିବ ।

ସମୀକ୍ଷା କଲେ 5T ସଚିବ, ୭ ଦିନ ମଧ୍ୟରେ ମାଷ୍ଟରପ୍ଲାନ

କଟକ: କଟକରେ 5-T ସଚିବ ଭି.କେ ପାଣ୍ଡିଆନ୍ । କଟକ ଚଣ୍ଡୀ ମନ୍ଦିରରେ ମାଆଙ୍କୁ ଦର୍ଶନ କରିଛନ୍ତି । ଏଥିସହ ମନ୍ଦିରର ଉନ୍ନୟନମୂଳକ କାମ ନେଇ ଅନୁଧ୍ୟାନ କରିଛନ୍ତି 5-T ସଚିବ । ମନ୍ଦିରର ସମସ୍ତ ସମସ୍ୟା ସମ୍ପର୍କରେ 5T ସଚିବ ଆଲୋଚନା କରିବା ସହ ମନ୍ଦିରର ସ୍ଥିତିବାନ୍ ଅଞ୍ଚଳ ବୁଲି ଦେଖିଛନ୍ତି । ମନ୍ଦିରରେ ଥିବା ସମସ୍ୟା ବିଶେଷ କରି ଜଳ ନିଷ୍କାସନ, ପାର୍କିଂ ଓ ମରାମତି ନେଇ ମନ୍ଦିର କର୍ତ୍ତୃପକ୍ଷ 5T ସଚିବଙ୍କୁ ଅବଗତ କରିଥିଲେ । ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ କାମ ହାତକୁ ନିଆଯାଇଛି । ମନ୍ଦିରକୁ ଅଧିକ ସୁନ୍ଦର କରିବା ସହ ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ।

ସୂଚନାଯୋଗ୍ୟ ଯେ କଟକର ପ୍ରସିଦ୍ଧ ଚଣ୍ଡୀମନ୍ଦିର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଶ୍ରଦ୍ଧା ଓ ଆସ୍ଥାର ପ୍ରତୀକ । ଏହି ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଏଥିପାଇଁ ମନ୍ଦିର କମିଟି ଜିଲ୍ଲା ପ୍ରଶାସନ ସହିତ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ସଂପର୍କରେ ଆଲୋଚନା କରିବ ।

କଟକ ଚଣ୍ଡୀ ମନ୍ଦିରର ସେବାୟତ ଓ ଜିଲ୍ଲା ପ୍ରଶାସନ ସହ ମଧ୍ୟ ବିକାଶମୂଳକ କାମ ନେଇ ଆଲୋଚନା କରିଛନ୍ତି । ମନ୍ଦିର ନବୀକରଣ ପାଇଁ କାର୍ଯ୍ୟ ଦ୍ରୁତ ଗତିରେ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିବା 5T ସଚିବ ସମସ୍ତଙ୍କୁ ଜଣାଇଛନ୍ତି । ୭ ଦିନ ମଧ୍ୟରେ ମନ୍ଦିର କମିଟି କଟକ ଚଣ୍ଡୀ ମନ୍ଦିରର ସମସ୍ତ ପ୍ରସ୍ତାବ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ । ସମସ୍ତଙ୍କ ସହଯୋଗରେ ମନ୍ଦିରର ବିକାଶମୂଳକ କାର୍ଯ୍ୟ ଆରମ୍ଭ ହେବ । 5T ସଚିବ ଗସ୍ତ ସମୟରେ ଜିଲ୍ଲାପାଳ, ଆରଡିସି, ସିଏମସି କମିଶନର, ଡିସିପି, ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ଭାରତ ଆସିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ

କିଏଭ: ୟୁକ୍ରେନ ସଂକଟ ମଧ୍ୟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଦୁଇ ଦିନିଆ ଭାରତ ଗସ୍ତ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଜନସନ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ । ୟୁକ୍ରେନ ସଂକଟ ମଧ୍ୟରେ ଭାରତ ଗସ୍ତ କରୁଛନ୍ତି ବୋରିସ ଜନସନ । ଏପ୍ରିଲ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଜନସନ । ଦୁଇ ନେତାଙ୍କ ମଧ୍ୟରେ ଆଲୋଚନାରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ସହ ୟୁକ୍ରେନ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇବ । ଆତଙ୍କବାଦ, ବାଣିଜ୍ୟ ପ୍ରସଙ୍ଗରେ ମଧ୍ୟ ଦୁଇ ଦେଶ ମଧ୍ୟରେ ବ୍ୟାପକ ଆଲୋଚନା ହେବା ସମ୍ଭାବନା ରହିଛି ।

ୟୁକ୍ରେନ ପ୍ରସଙ୍ଗରେ ଭାରତ ଆଭିମୁଖ୍ୟ ବଦଳାଇବା ପାଇଁ ଜନସନ ଚାପ ପ୍ରୟୋଗ କରିପାରନ୍ତି । ବ୍ରିଟେନରେ ଖଲିସ୍ତାନୀ ସଂଗଠନ ସହ ଜଡିତ ସଦସ୍ୟମାନଙ୍କ ଭାରତ ବିରୋଧୀ କାର୍ଯ୍ୟକଳାପ କଥା ଉଠାଇବା ଭାରତ । ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ବ୍ରିଟେନଠାରେ ଦାବି କରିବ ନୂଆଦିଲ୍ଲୀ । ତେବେ, ଦ୍ବିପାକ୍ଷିକ ବାଣିଜ୍ୟିକ ସଂପର୍କ ବୃଦ୍ଧି ମୋଦି-ଜନସନଙ୍କ କଥାବାର୍ତ୍ତାରେ ପ୍ରମୁଖ ଭାବେ ସ୍ଥାନ ପାଇବ । ଭାରତୀୟ ବଜାରରେ ଅଧିକ ପ୍ରବେଶ ଅଧିକାର ଚାହୁଁଛି ବ୍ରିଟେନ୍ । ଗସ୍ତର ପ୍ରଥମ ଦିନରେ ଆସନ୍ତାକାଲି ବୋରିସ ଜନସନ ଗୁଜରାଟ ଦୁଗ୍ଧ ଶିଳ୍ପ ପ୍ରତିନିଧିଙ୍କୁ ଭେଟିବେ ।

ବଦଳିଲେ ବିଭିନ୍ନ ବିଭାଗର ଓଏଏସ୍ ଅଧିକାରୀ

ଭୁବନେଶ୍ୱର: ଓଏଏସ୍ ସ୍ତରରେ ଅଦଳବଦଳ । ରାଜ୍ୟ ପଣ୍ୟାଗାର ନିଗମ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଗରଡ଼ିଆଙ୍କୁ ରାଜ୍ୟ ସରକାରଙ୍କ ଏସସି ଏସ୍ଟି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ସେହିପରି ଇଡକୋ ଜିଏମ୍ ଡକ୍ଟର ଗଣେଶ୍ବର ଜେନାଙ୍କୁ ରାଜ୍ୟ ପଣ୍ୟଗାର ନିଗମ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଛି । ଜଗତସିଂହପୁର ଡିଆରଡିଓ ପିଡି ସରୋଜକାନ୍ତ ମହାନ୍ତିଙ୍କୁ ଇଡ୍କୋ ସିଜିଏମ୍ ଭାବେ ନିଯୁକ୍ତି ଦିଆଯାଇଛି ।

ପୁରୀ ଏଡିଏମ୍ ସୁବାସ ଚନ୍ଦ୍ର ନାଥଶର୍ମାଙ୍କୁ ଇଡ୍କୋ ଏମଏସଏମଇ ଜିଏମ୍ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ସ୍ବତନ୍ତ୍ର ଏଲଏଓ ସୁଚାରୁ କୁମାର ବଳ ମୟୂରଭଞ୍ଜ ଏଡିଏମ୍ ଭାବେ ନିଯୁକ୍ତି ଦିଆଯାଇଛି । ସୁନ୍ଦରଗଡ଼ ଏଡିଏମ୍ ଭାବେ ଶିବ ଟପ୍ପୋଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟ କ୍ଷୁଦ୍ର ଖଣିଜ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଭାବେ ଦେବାଶିଷ ପଟ୍ଟନାୟକଙ୍କୁ ଦାୟିତ୍ବ ମିଳିଛି । ସେ ଏବେ କୃଷି ମନ୍ତ୍ରୀଙ୍କ ଓଏସ୍ଡି ଭାବେ ସେ ଏବେ କାର୍ଯ୍ୟରତ ।

ଜଗତସିଂହପୁର ଡିଆରଡିଓ ପିଡି ଭାବେ ରୁଦ୍ରନାରାୟଣ ଦାସଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ପୁରୀ ଏଡିଏମ୍ ଭାବେ ନିଯୁକ୍ତି ମିଳିଛି । ଆଲୋକ କୁମାର ପ୍ରଧାନଙ୍କୁ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ପ୍ରେମାଂଶୁ ଚାନ୍ଦଙ୍କୁ କରଞ୍ଜିଆ ଉପଜିଲ୍ଲାପାଳ ଦାୟିତ୍ବ ଦିଆଯାଇଛି ।

ଆଉ ନାହାଁନ୍ତି ‘ଅନ୍ଧା କାନୁନ’ର ନିର୍ଦ୍ଦେଶକ ‘ଟି ରାମା ରାଓ’, ଅଜୟ ଦେବଗନ୍‌ ଲେଖିଲେ ଇମୋଶନାଲ ପୋଷ୍ଟ୍‌

ମୁମ୍ବାଇ: ଆଉ ନାହାଁନ୍ତି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ତତିନେନି ରାମା ରାଓ । ବୁଧବାର ୮୪ ବର୍ଷ ବୟସରେ ଚେନ୍ନାଇରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏନ ଟି ରାମା ରାଓ, ରଜନୀକାନ୍ତ ଏବଂ ଅମିତାଭ ବଚ୍ଚନଙ୍କ ସହିତ ମିଶି ସେ ଏକାଧିକ ସଫଳ  ତେଲୁଗୁ ଏବଂ ହିନ୍ଦୀ ସିନେମା ନିର୍ମାଣ କରିଥିଲେ ।

ଟି ରାମା ରାଓ ନାମରେ ଜଣାଶୁଣା ଏହି ପ୍ରସିଦ୍ଧ ଫିଲ୍ମ ନିର୍ମାତା ୪ ଦଶନ୍ଧି ଧରି ଲୋକଙ୍କ ମନୋରଞ୍ଜନ କରିଥିଲେ । ୧୯୬୬ ମସିହାରେ ସେ ତେଲୁଗୁ ସିନେମା ‘ନବରାତ୍ରୀ’ ନିର୍ମାଣ କରିଥିଲେ । ଯେଉଁଥିରେ ଅକିନେନି ନାଗେଶ୍ୱର ଏବଂ ସାବାତ୍ରୀଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିଥିଲା । ୧୯୭୭ ମସିହାରେ NTRଙ୍କ ସହିତ ମିଶି କମେଡି ଫିଲ୍ମ ‘ ୟମଗୋଲା’ ନିର୍ମାଣ କରିଥିଲେ । ଯାହା ଥିଲା ଏକ ବ୍ଲକବଷ୍ଟର ସିନେମା ।୧୯୮୫ ମସିହାରେ ରୋମାଂଟିକ୍‌ ପାରିବାରିକ ଡ୍ରାମା ’ପଚନି କପୂରମ’ର ଗୀତ ଏବେ ମଧ୍ୟ ଦର୍ଶକ ଗୁଣୁଗୁଣୁ ହୁଅନ୍ତି । ଏଥିରେ  କ୍ରିଷ୍ଣା ଏବଂ ଶ୍ରୀଦେବୀଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିଥିଲା ।

ରାମା ରାଓଙ୍କ ପ୍ରସିଦ୍ଧ ହିନ୍ଦୀ ସିନେମା ଗୁଡ଼ିକ ମଧ୍ୟରେ  ‘ଅନ୍ଧା କାନୁନ’, ‘ଏକ ହି ଭୁଲ୍‌’,‘ଜଙ୍ଗ୍‌’,’ବୁଲନ୍ଦି’ ଏବଂ ‘ଖତରୋଁ କେ ଖିଲାଡି’ ଅନ୍ୟତମ । ତେବେ ନିର୍ମାତାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ଅଭିନେତା ଅନୁପମ୍‌ ଖେର୍‌ । ଏହା ବ୍ୟତୀତ ଅଜୟ ଦେବଗନ ମଧ୍ୟ ଦୁଃଖ ପ୍ରକାଶ କରି ଲେଖିଛନ୍ତିଯେ, ୮୦ ଦଶକରେ ସେ ଲୋକଙ୍କ ଉପରେ ସିନେମାର ଏକ ଛାପ ଛାଡ଼ିଥିଲେ । ବେଶ୍‌ ଲୋକପ୍ରିୟ ଥିଲେ । ତାଙ୍କ ବାପା ଏବଂ ରାମା ରାଓଙ୍କ ସମ୍ପର୍କ ଖୁବ୍‌ ନିବିଡ଼ ଥିଲା ।

ଜେଜେମା ଆଖିରୁ ଝରି ଯାଉଥିଲା ଅମାନିଆ ଲୁହ, ଦେଖିଲେ ଆପଣ ମଧ୍ୟ ଭାବବିହ୍ୱଳ ହୋଇଯିବେ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଭାରତୀୟ ବିବାହ ପରମ୍ପରା ଓ ରୀତିନୀତି ସବୁଠାରୁ ଭିନ୍ନ । ଏହାର ପ୍ରତିଟି ମୁହୂର୍ତ୍ତ ସର୍ବଦା ସ୍ମରଣୀୟ । ପ୍ରତିଟି ଛବି ଭାବବିହ୍ୱଳ ଭରା । ଏବେ ତ ସୋସିଅଲ ମିଡିଆରେ ଏସବୁର କ୍ରେଜ୍‌ ଯଥେଷ୍ଟ ଅଧିକ ।  ଏହି ପ୍ଲାଟଫର୍ମରେ ବିବାହର ଏକାଧିକ ଫଟୋ ଏବଂ ଭିଡ଼ିଓ ଭାଇରାଲ ହୋଇଥାଏ । ନାଚ, ଗୀତ,ରୀତି ନୀତି, ଖାଦ୍ୟ ଏବଂ ବେଶ ପୋଷାକକୁ ଛାଡ଼ିଦେଲେ ଯାହା ସବୁବେଳେ ଅଧିକ ମନେ ରହେ ଏବଂ ଆଖି ସାମ୍ନାରେ ଝଲସି ଉଠେ ତାହା ହେଉଛି ଝିଅ ବିଦାୟ ବେଳର ଦୃଶ୍ୟ । ସେଦିନ ଝିଅ ତା’ ନିଜ ଘର ଛାଡ଼ି ତାକ୍’ ସ୍ୱାମୀ ଘରକୁ ଯାଏ ଅଚିହ୍ନା ଲୋକଙ୍କୁ ନିଜର କରିବାକୁ । ତେବେ ବିବାହର ସମସ୍ତ ରୀତିନୀତି ଶେଷ ହେବାପରେ ଶେଷରେ ଝିଅ ପର ଘରକୁ ଚାଲିଯାଏ । ପୂରା ଘର କାନ୍ଦ ବୋବାଳିରେ ଫାଟି ଉଠେ ଅଲିଅଳି ଝିଅକୁ ପର ଘରକୁ ଛାଡ଼ି ।  ତେବେ ନିକଟରେ ସେହିଭଳି ଏକ ଭିଡ଼ିଓ ଭାଇରାଲ ହେଉଛି । ଯେଉଁଥିରେ ଜଣେ ଜେଜେମା’ ତାଙ୍କ ନାତୁଣୀକୁ ବିଦାୟ ଦେଇ ଭାବବିହ୍ୱଳ ହୋଇ ପଡ଼ିଛନ୍ତି । ଭିଡ଼ିଓରୁ ଜଣାପଡ଼ୁଛି କେତେ ସ୍ନେହ, ପ୍ରେମ ଏବଂ ମଧୁ ବନ୍ଧନରେ ବନ୍ଧା ଏ ଜୀବନ ।  ଏହି ଭିଡ଼ିଓ ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ ।

 

 

View this post on Instagram

 

A post shared by Nooriyat Mua (@nooriyat_mua)

ଭିଡ଼ିଓରେ ଦେଖିବାକୁ ମିଳିଛିଯେ, କନ୍ୟା ଜଣକ ଲେହେଙ୍ଗା ପିନ୍ଧି ଖୁବ୍‌ ସଜେଇ ହୋଇଛନ୍ତି  । ଆଉ ଘର ଛାଡ଼ିବା ପୂର୍ବରୁ ଜେଜେମା’ଙ୍କ ନିକଟକୁ ଯାଉଛନ୍ତି ଦେଖା କରିବାକୁ । କିନ୍ତୁ ନାତୁଣୀକୁ ଦେଖି ଜେଜେମା’ଙ୍କ ଆଖିରୁ ଝରଝର ହୋଇ ଅମାନିଆ ଲୁହ ସବୁ ଝରି ଯାଉଛି । ନାତୁଣୀ ଯେତେ କହିଲେବି ଲୁହ କ’ଣ କଥା ମାନୁଛି ? କିନ୍ତୁ ମା’କୁ ଏଭଳି ଦେଖି କନ୍ୟା ଜଣକ ବୁଝାଇବାକୁ ଚେଷ୍ଟା କରୁଛନ୍ତି । ନାତୁଣୀ କହୁଛନ୍ତି, ମୁଁ ୧୦ କିଲୋମିଟର ଦୂରକୁ ଯାଉଛି, ଅଧିକ ଦୂରକୁ ନୁହେଁ । ଯେବେ କହିବ ସେହିଦିନ ଚାଲି ଆସିବି ।

ଏହି ଭିଡ଼ିଓକୁ ଇଂଷ୍ଟାଗ୍ରାମରେ ଶେୟାର କରାଯାଇଛି । ଏହି ଭିଡ଼ିଓ ଦେଖିବା ପରେ ଅନେକ ତାଙ୍କ ଜେଜେମା’ଙ୍କ ଅନୁପସ୍ଥିତିକୁ ମନେ ପକାଇଛନ୍ତି ।

ରୋଷେଇ ଘରେ ଆଳୁ ନାହିଁ, ଦର ଛୁଇଁବ ୭୦

ଭୁବନେଶ୍ୱର: ରୋଷେଇ ଘରେ ବଜ୍ରପାତ । ଲେମ୍ବୁ ପରେ ହୁ ହୁ ହୋଇ ବଢିଚାଲିଛି ଆଳୁ ଦର। ଗତ ଦଶ, ପନ୍ଦର ଦିନ ହେବ ଲଗାତର ଭାବେ ଆଳୁ ଦର ବଢି ଚାଲିଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ପରିବହନ ଖର୍ଚ୍ଚ ବଢୁଥିବାରୁ ଆଳୁ ଦର ବଢୁଛି। ୧୮ଟଙ୍କାରେ ବିକ୍ରି ହେଉଥିବା ଆଳୁ ଏବେ କିଲୋ ପିଛା ୨୫ଟଙ୍କାରେ ବିକ୍ରି ହେଉଛି। ଆଗକୁ ଏହା ୭୦ଟଙ୍କା ଛୁଇଁପାରେ। ତେଲ ଦରରେ ନିଆଁ ପରେ ଆଳୁ ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢାଉଛି ।

ଆମିଷ, ହେଉ କି ନିରାମିଷ, ସବୁ ମେନୁରେ ଆଳୁ ଜରୁରୀ । ଧନୀ ହୁଅନ୍ତୁ କି ଗରିବ, ହୋଟେଲ୍ ହେଉ କି ଘର ଖାଇବା ପ୍ଲେଟରେ ଆଳୁରେ ତିଆରି ବ୍ୟଞ୍ଜନ ରହିବା ଏକପ୍ରକାର ନିଶ୍ଚିତ । ଖୁବ୍ ଶୀଘ୍ର ଆଳୁ କିଣିବା ବେଳେ ଆପଣ ଦି ଥର ଭାବିବେ, କାରଣ ୧୮ରୁ ୨୫ ଛୁଇଁଲାଣି ଆଳୁ କିଲୋ । ବଜାରରେ ପିଆଜ ଦର ୧୫ ଟଙ୍କାରେ ସ୍ଥିର ରହିଛି। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଆଳୁ ଦର ୨୫ ଛୁଇଁଲାଣି । ଦୁଇ ସପ୍ତାହ ତଳେ ଆଳୁ କିଲୋ ପିଛା ୧୮ଟଙ୍କା ଥିଲା। ହେଲେ ଏବେ ବଜାର ଦର ୨୫ ହୋଇଛି, କିଛି ଅସାଧୁ ବ୍ୟବସାୟୀ ୩୦ ଟଙ୍କାରେ ବି ବିକୁଛନ୍ତି । ସ୍ଥିତି ଏପରି ରହିଲେ ଦୁଇ ବର୍ଷ ତଳକୁ ଫେରିଯିବ ରାଜ୍ୟ। ଖୁଚରା ବଜାରରେ ଆଳୁ କିଲୋ ୭୦ ଟଙ୍କାରେ ବିକ୍ରି ହେବା ନେଇ ଆଶଙ୍କା ବି ଦେଖାଦେଲାଣି।

ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଆମଦାନୀ ହେଉଥିବା ଆଳୁର ପରିବହନ ଖର୍ଚ୍ଚ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଁ ବଢୁଛି । ଏପରିକି ବସ୍ତାରୁ ପଚା ଓ ଗୁଣ୍ଡ ଆଳୁ ବାହାରୁ ଥିବାରୁ ଭଲ ଆଳୁକୁ ଚଢା ଦରରେ ବିକୁଛନ୍ତି ଦୋକାନୀ। ପେଟ୍ରୋଲ ଓ ଡିଜେଲ ଦର ବଢିବାରୁ ଅତିରିକ୍ତ ୫୦ରୁ ୬୦ ଟଙ୍କା ବଢିଛି ପରିବହନ ଖର୍ଚ୍ଚ। ପଶ୍ଚିମବଙ୍ଗରୁ ୧୫୦୦ରୁ ୧୬୫୦ ଟଙ୍କାରେ ଆସୁଥିବା ଆଳୁ, ଓଡ଼ିଶା ହୋଲସେଲ ବଜାରରେ କ୍ବିଣ୍ଟାଲ ପିଛା ୧୬୫୦ରୁ ୧୭୫୦ ଟଙ୍କାରେ ବିକ୍ରି ହେଉଛି। ଉତ୍ତରପ୍ରଦେଶରୁ ଆଳୁ ଆସିବାକୁ ୪ଦିନ ଲାଗୁଛି। ଟାଣ ଖରାରେ ଆଳୁ ପଚିଯାଉଛି। ଫଳରେ ୧୬୦୦ରୁ ୧୬୫୦ ଟଙ୍କାରେ ବିକ୍ରି ହେଉଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁଁ ଆଗକୁ ଏହା ଆହୁରି ୧୦୦ ଟଙ୍କା ବଢିବ। ସେହିପରି ଶୀତଳ ଭଣ୍ଡାରରୁ ଆଳୁ ଆସିଲେ, ଅଧିକ ୫୦ ଟଙ୍କା ବଢିବା ସମ୍ଭାବନା ରହିଛି। ବ୍ୟବସାୟୀଙ୍କ ବର୍ଦ୍ଧିତ ଦର ଖାଉଟିଙ୍କୁ ହିଁ ବହନ କରିବାକୁ ପଡ଼ିବ। ସେପଟେ ଦର ବୃଦ୍ଧି ଯୋଗୁ ଖାଉଟି ବି କମ୍ ଆଳୁ କିଣୁଛନ୍ତି।

ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଯୋଗୁ ଅଧିକ ପରିବହନ ଖର୍ଚ୍ଚ ଦେଉଛନ୍ତି ବ୍ୟବସାୟୀ । ଖୋଲା ବଜାରରେ ଦର ବଢାଇ ଖାଉଟିଙ୍କଠାରୁ ଏହା ଆଦାୟ କରାଯାଉଛି। ପରିବହନ ଖର୍ଚ୍ଚକୁ ଆଳୁର ମୂଳ ଦର ସହ ମିଶାଯାଏ। ଏତେ ସବୁ ଗଣିତ ଭିତରେ, ଆଳୁ ଦର ୧୦୦ ଟଙ୍କା ଛୁଇଁବା ଆଶଙ୍କାରେ ଚିନ୍ତାରେ ଖାଉଟି ।

ସୁପରଷ୍ଟାର ହେବାକୁ ୩୦୦ ଟଙ୍କା ନେଇ ଘରୁ ବାହାରିଥିଲେ KGF Chapter 2 ଅଭିନେତା ୟଶ ..

ମୁମ୍ବାଇ: KGF Chapter 2 ସୁପରଷ୍ଟାର ତାଙ୍କ ଫିଲ୍ମ ପାଇଁ ବେଶ୍‌ ଲୋକପ୍ରିୟତା ହାସଲ କରୁଛନ୍ତି ।  ପ୍ରଶାନ୍ତ ନିଲଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ଧମାଲ କରୁଛି । ଏକାଧିକ ବକ୍ସ ଅଫିସ ରେକର୍ଡ଼କୁ ଭାଙ୍ଗି ଶୀର୍ଷ ସ୍ଥାନ ମଧ୍ୟ ନେଇ ସାରିଲାଣି । ଫିଲ୍ମ କେବଳ ପ୍ରଚୁର ରୋଜଗାର କରୁଛି ତାହା ନୁହେଁ ବରଂ ୟଶଙ୍କ ଅଭିନୟକୁ ଦର୍ଶକଙ୍କ ଠାରୁ ଆରମ୍ଭ କରି କ୍ରିଟିକ୍ସଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସାରେ ପୋତି ପକାଉଛନ୍ତି । ନିକଟରେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଫିଲ୍ମର ଯଥେଷ୍ଟ ପ୍ରଶଂସା କରି କହିଥିଲେ ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ ବଲିଉଡକୁ ଏହି ଫିଲ୍ମର ଭୟଙ୍କର ସ୍ୱପ୍ନ ଆସିବ ।

ବାସ୍ତବରେ କ’ଣ ୟଶଙ୍କ ବାସ୍ତବ ନାଁ ନବୀନ କୁମାର ଗୌଡ଼ ଏବଂ ତାଙ୍କର ଫିଲ୍ମ ଇଣ୍ଡଷ୍ଟ୍ରି ସହିତ କୌଣସି ସଂଯୋଗ ନଥିଲା ? ଏହା ସତଯେ ୟଶ ଏକ ଗରିବ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି । ତାଙ୍କ ବାପା ଥିଲେ ଜଣେ ବସ୍‌ କଣ୍ଡକ୍ଟର ଏବଂ ମା’ ଗୃହିଣୀ । କିନ୍ତୁ ସବୁବେଳେ  ସୁପରଷ୍ଟାର ହେବାର ସ୍ୱପ୍ନ ଦେଖୁଥିଲେ ୟଶ୍‌ । ସେଥିପାଇଁ ତାଙ୍କୁ କଠିନ ପରିଶ୍ରମ ଏବଂ ସଂଘର୍ଷ କରିବାକୁ ପଡ଼ିଥିଲା ।

 

View this post on Instagram

 

A post shared by Yash (@thenameisyash)

କୁହାଯାଏ, ଇଛା ଯେତେବେଳେ ସ୍ୱପ୍ନ ପୂରଣ କରିବାର ଥାଏ, ମନ କିଛି ବନ୍ଧବାଡ଼ ମାନେନା । ସବୁ ବାଧାବିଘ୍ନକୁ ଅତିକ୍ରମ କରି ମାଡ଼ିଚାଲେ ଦେଖିଥିବା ସ୍ୱପ୍ନକୁ ପୂରଣ କରିବାକୁ । ୟଶ୍‌ ମଧ୍ୟ ତାହା ହିଁ କରିଥିଲେ ।  ଦିନେ ହଠାତ୍‌ ଘର ଛାଡ଼ି ଚାଲି ଯାଇଥିଲେ ଏବଂ ପକେଟରେ ଥିଲା ମାତ୍ର ୩୦୦ ଟଙ୍କା ।

ଥରେ ଏକ ସାକ୍ଷାତକାରରେ ୟଶ୍‌ କହିଥିଲେଯେ ତାଙ୍କ ଘର ମଇଶୁରରେ ଏବଂ ସେ ହାସନରେ ଜନ୍ମ ହୋଇଥିଲେ । ତାଙ୍କ ପିଲାଦିନର ଅଧିକ ସମୟ ମଇଶୁରରେ ହିଁ ବିତିଥିଲା । ତେବେ ଏକାଧିକ ଫ୍ୟାନ୍ସି ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରୁଥିଲେ । ଏହା ସହିତ ଡ୍ୟାନ୍ସ ମଧ୍ୟ । ଯାହା ତାଙ୍କୁ ସଫଳତାର ଶୀଖରକୁ ଛୁଇଁବାରେ ଏକ ପ୍ରକାର ସାହାଯ୍ୟ କରିଥିଲା । ତେବେ ତାଙ୍କ ଆତ୍ମବିଶ୍ୱାସ ହିଁ ତାଙ୍କୁ ଏଭଳି ସ୍ଥାନରେ ପହଞ୍ଚାଇଛି । ୟଶ୍‌ କୁହନ୍ତି ସେ ସୁପରଷ୍ଟାର ହେବା ବ୍ୟତୀତ ଅନ୍ୟ କୌଣସି ସ୍ୱପ୍ନ ଦେଖିନଥିଲେ । ତାଙ୍କୁ କମ୍‌ ବୟସ ହୋଇଥିବାବେଳେ ତାଙ୍କ ଶିକ୍ଷକ ତାଙ୍କୁ ହିରୋ ବୋଲି ଡାକୁଥିଲେ । ତାଙ୍କୁ ଯେତେବେଳେ କେହି ଭବିଷ୍ୟତରେ କ’ଣ କରିବୁ, ପଚାରନ୍ତି ସେ କୁହନ୍ତି ହିରୋ  ହେବି । ତାଙ୍କର ଏହି କଥାକୁ ନେଇ ଅନେକ ତାଚ୍ଛଲ୍ୟ ମଧ୍ୟ କରନ୍ତି ।  କିନ୍ତୁ ସେ କେବେ ମନୋବଳ ଭାଙ୍ଗିନଥିଲେ । ତେବେ ଘର ଛାଡ଼ିବା ପରେ ତାଙ୍କୁ କିଛି ଲୋକ ଖୁବ୍‌ ସାହାଯ୍ୟ କରିଥିଲେ ।  ସେ ଏକ ଥିଏଟର ଗ୍ରୁପରେ ଯୋଗ ଦେଲେ ।  ଯେଉଁଥିରେ ସେ ବ୍ୟାକଷ୍ଟେଜରେ କାମ କରିବା ଆରମ୍ଭ କରିଥିଲେ ଏବଂ ସଫଳତା ଏବେ ସମସ୍ତଙ୍କ ସାମ୍ନାରେ ।

‘ହୁ’ ମୁଖ୍ୟଙ୍କ ଗୁଜୁରାଟି ନାଁ ଦେଲେ ପ୍ରଧାନମନ୍ତ୍ରୀ: ଡାକିଲେ ‘ତୁଳସୀ ଭାଇ’

ଗାନ୍ଧିନଗର: ‘ହୁ’ ମୁଖ୍ୟଙ୍କୁ ‘ତୁଳସୀ ଭାଇ’ ବୋଲି ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଧବାର ଦିନ ଗୁଜୁରାଟ ଗାନ୍ଧିନଗରରେ ଏକ ଦିବସୀୟ ଗ୍ଲୋବାଲ ଆୟୁଷ ଇନଭେଷ୍ଟମେଣ୍ଟ ଆଣ୍ଡ ଇନୋଭେସନ ମମ୍ମିଳନୀ ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।  ପ୍ରଧାନମନ୍ତ୍ରୀ କୌତୁହଳ ସହ କହିଥିଲେ ଯେ ‘ହୁ’ ମୁଖ୍ୟ ତାଙ୍କର ଜଣେ ଭଲ ବନ୍ଧୁ ।

 

ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ ଜଣେ ଭାରତୀୟ ଶିକ୍ଷକ ‘ହୁ’ ମୁଖ୍ୟଙ୍କୁ ପାଠ ପଢ଼ାଇଥିଲେ । ସେ ଜଣେ ‘ପକ୍କା ଗୁଜୁରାଟି’ ଏବଂ ତାଙ୍କ ନାମକରଣ ଗୁଜୁରାଟି ଭାଷା ଅନୁସାରେ କରାଯାଉ । ଏହି ଅନୁସାରେ ପ୍ରଧାନମନ୍ତ୍ରୀ ତାଙ୍କ ନାମ ‘ତୁଳସୀ ଭାଇ’ ରଖିଥିବା କହିଛନ୍ତି ।

ଏଠାରେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ଗୁଜୁରାଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗ୍ଲୋବାଲ ସେଣ୍ଟର ଫର ଟ୍ରାଡିସନାଲ ମେଡିସିନର ଉଦଘାଟନ କରାଯାଇଥିଲା । ଏହି ଅବସରରେ ‘ହୁ’ ର ମୁଖ୍ୟ ଡ. ଟେଡ୍ରୋସ ଘେବ୍ରୟେସସ ଯୋଗ ଦେଇଥିଲେ । ତାଙ୍କ ବ୍ୟତୀତ ଉଦଘାଟନୀ କାର୍ଯ୍ୟକ୍ରମରେ ମୋରିଶସର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜୁଗନ୍ନଥ, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଓ କେନ୍ଦ୍ର ଆୟୁଷ ମନ୍ତ୍ରୀ ସଦାନନ୍ଦ ସୋନୱାଲ ବି ଉପସ୍ଥିତ ଥିଲେ ।

 

ଭରଣ କଲେନି ୫ ବର୍ଷର ଟ୍ୟାକ୍ସ, କଟିବ ୪ଲକ୍ଷ ଚାଲାଣ

କୋରାପୁଟ: ସ୍କୁଲ ବସକୁ ୪ ଲକ୍ଷ ଟଙ୍କାର ଫାଇନ୍ । ମହଙ୍ଗା ପଡିଲା ୫ ବର୍ଷର ଟ୍ୟାକ୍ସ ପଇଠ ନକରିବା । ବସ୍‌ର ଫିଟ୍‌ନେସ କି ପରମିଟ୍‌ ବି ନଥିଲା । ସାରା ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଥିବା ସ୍କୁଲ ବସ୍ ଚେକିଂର ସ୍ପେଶାଲ ଡ୍ରାଇଭରେ କୋରାପୁଟ ପରିବହନ ବିଭାଗ ଏଭଳି ଫାଇନ୍ କାଟିଛି । କେବଳ କୋରାପୁଟ ନୁହେଁ ଭୁବନେଶ୍ୱରରେ ବି ଏକାଧିକ ବସ୍‌ ତଣ୍ଡ ଗଣିଛନ୍ତି । କିଏ ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ତଣ୍ଡ ଗଣିଛି ତ କାହାର ଫିଟ୍‌ନେସ ନାହିଁ । ଆଉ କାହାର ପଲ୍ୟୁସନ ଏକ୍ସପାୟର ହୋଇଛି ତ କାହାର ଉନ୍ସ୍ୟୁରାନ୍ସ ନଥିବାରୁ ଫାଇନ୍ କଟିଥିବା ସୂଚନା ମିଳିଛି  ।

ବସର ଫିଟ୍‌ ନଥିବାରୁ କଟିଲା ଫାଇନ୍ । ଆରଟିଓ ଫାସରେ ପଡିଲା ସ୍କୁଲ ବସ୍ । ୫ ବର୍ଷର ଟ୍ୟାକ୍ସ ପାଇଁ ୪ ଲକ୍ଷର ଚାଲାଣ କଟିଛି । ଫିଟ୍‌ନେସ, ପରମିଟ୍‌, ଉନ୍ସ୍ୟୁରାନ୍ସ ଏବଂ ପଲ୍ୟୁସନ୍ ପାଇଁ ହଜାର ହଜାର ଟଙ୍କାର ଫାଇନ୍ । ଚେକିଂ ପାଇଁ ଲମ୍ବା ଲାଇନ୍‌ରେ ଅଟକି ରହିଲା ସ୍କୁଲ ବସ୍ । ପରିବହନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ୍ । ସବୁ ସ୍କୁଲ ଏବଂ କଲେଜ ବସ୍‌ର କାଗଜପତ୍ର ଯାଞ୍ଚକୁ ଜୋରଦାର କରିଛି ପରିବହନ ବିଭାଗ । ସକାଳୁ ସକାଳୁ ଭୁବନେଶ୍ବରରେ RTO ଓ୍ବାନ୍ ଏବଂ ଟୁ ପକ୍ଷରୁ କଳିଙ୍ଗ ହସ୍ପିଟାଲ ଛକରେ କଡାକଡି ଚେକିଂ କରାଯାଇଥିଲା । ଚେକିଂ ସମୟରେ ପ୍ରାୟ ୨୫ରୁ ଉର୍ଦ୍ଧ୍ବ ବସର ଚାଲାଣ କଟିଛି ।

ଆଜି ଚେକିଂରେ ପଡିଥିବା ଅଧିକାଂଶ ସ୍କୁଲ ବସ୍‌ର ଡ୍ରାଇଭର କାଗଜପତ୍ର ଦେଖାଇପାରି ନଥିଲେ । ଏପରିକି ବସ୍‌ର ଫିଟ୍‌ନେସ୍ ଠିକ୍ ଅଛି କି ନାହିଁ ଜାଣିନଥିଲେ । ଅଧିକାଂଶ ବସ୍‌ର ଇନ୍‌ସ୍ୟୁରାନ୍ସ ବି ନଥିଲା । ତେବେ ଆଗାମୀ ଦିନରେ କାଗପତ୍ର ସଠିକ କରି ଗାଡି ରାସ୍ତାରେ ଚଲାଇବେ ବୋଲି ଡ୍ରାଇଭରମାନେ କହିଛନ୍ତି । ସେପଟେ ପରିବହନ ବିଭାଗର ଚେକିଂକୁ ସ୍ବାଗତ କରିଛନ୍ତି ଅଭିଭାବକ । କିନ୍ତୁ ସ୍କୁଲ୍ ଯାଉଥିବା ସମୟରେ ପିଲାମାନଙ୍କ ବସ୍ ରାସ୍ତାରେ ଅଟକାଇ ଯାଞ୍ଚ କରିବାକୁ ନାପସନ୍ଦ କରିଛନ୍ତି । ପ୍ରଥମେ ପରିବହନ ବିଭାଗ ସବୁ ସ୍କୁଲରେ ଲାଗିଥିବା ବସର ତାଲିକା ପ୍ରସ୍ତୁତ କରିବା ସହ ଛୁଟିଦିନରେ ଏ ସବୁର ଯାଞ୍ଚ କରିବାକୁ ଦାବି କରିଛନ୍ତି । ଯାଞ୍ଚବେଳେ ଗାଡିଗୁଡିକ ୧୦ ରୁ ୧୫ ମିନିଟ ଯାଏଁ ଅଟକୁ ଥିବାରୁ ଛାତ୍ରଛାତ୍ରୀମାନେ ହଇରାଣ ହେଉଥିବା ଅଭିଯୋଗ ହୋଇଛି ।