ଶିବସେନା ଦୁଇଫାଳ, ସରକାର ବଞ୍ଚାଇବାକୁ SMSରେ ଉଦ୍ଧବଙ୍କ ଗୋଟିଚାଳନା

1 min read

ମୁମ୍ବାଇ: ECରେ ମହାରାଷ୍ଟ୍ର କଳି । ମେଣ୍ଟ ସରକାରରେ ଆରପାର୍ ଲଢ଼େଇ । ଦୁଇଫାଳ ହୋଇଛି ଶିବସେନା । ସରକାର ବଞ୍ଚାଇବାକୁ ଉଦ୍ଧବଙ୍କ SMSରେ ଗୋଟିଚାଳନା । ଉଦ୍ଧବମୁକ୍ତ ଶିବସେନା ଗଠନ ପାଇଁ ବାଲାସାହେବ ଶିବସେନା ନାଁରେ ଦଳ ଗଢ଼ିବାକୁ ସିନ୍ଦେ ପ୍ଲାନ କରିଥିବା ସୂଚନା ମିଳିଛି । ସେପଟେ ବାଲାସାହେବ ନାଁ ବ୍ୟବହାରକୁ ବିରୋଧ କରି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ଶିବସେନା । ମହାରାଷ୍ଟ୍ର ମହାଦଙ୍ଗଲକୁ ନେଇ ମୁମ୍ବାଇରୁ ଗୌହାଟୀ ଯାଏ ରାଜନୈତିକ ଘମାସାନ ଜାରି ରହିଛି ।

ସେପଟେ  ଆଗାମୀ ରଣନୀତିକୁ ନେଇ ଶିବସେନା, ଏନସିପି, ବିଜେପି ମାରାଥନ ବୈଠକ ପାଇଁ ସମୟ ସ୍ଥିର ହୋଇଛି । ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କ ଘରେ ଶିବସେନା ଓ ଏନସିପିର ବରିଷ୍ଠ ନେତାଙ୍କୁ ନେଇ ବୈଠକ ଜାରି ରହିଛି । ଅନ୍ୟପଟେ ଗୌହାଟୀରେ ରହି ଉଦ୍ଧବ ସରକାର ବିରୋଧରେ ଷଡ଼ଯନ୍ତ୍ର ରଚୁଛନ୍ତି ଏକନାଥ ସିନ୍ଦେ । ଭଡୋଦ୍ରାରେ ବିଜେପି ନେତାଙ୍କ ସହ ଆଲୋଚନା ପରେ ବିଳମ୍ବିତ ରାତିରେ ହୋଟେଲ ରେଡିସନ ବ୍ଲ୍ୟୁରେ ପହଞ୍ଚି ସିନ୍ଦେଙ୍କ ସହ ଆଲୋଚନା କରିଛନ୍ତି ଆସାମ ସରକାରରେ ମନ୍ତ୍ରୀ ଥିବା ଅଶୋକ ସିଙ୍ଗଲ ।

ଅନ୍ୟପଟେ ଆସାମରେ ଭୟାବହ ବନ୍ୟା ଯୋଗୁ ଲକ୍ଷାଧିକ ଲୋକ ଦୁର୍ଦ୍ଦଶା ଭିତରେ ଜୀବନ କାଟୁଥିବା ବେଳେ ମହାରାଷ୍ଟ୍ର ବିଧାୟକଙ୍କୁ ଷ୍ଟାର ହୋଟେଲରେ ରଖି ଆସାମ ସରକାର ଦିନକୁ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି କହିଛନ୍ତି ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେ । ରାଜନୈତିକ ସଙ୍କଟ ଭିତରେ କ୍ରାଇସିସ କଣ୍ଟ୍ରୋଲ ପାଇଁ ମଇଦାନକୁ ଓହ୍ଲାଇଛନ୍ତ ଉଦ୍ଧବଙ୍କ ପତ୍ନୀ ରଶ୍ମି ଠାକରେ । ବିଦ୍ରୋହୀ ବିଧାୟକଙ୍କ ସ୍ତ୍ରୀଙ୍କୁ ଫୋନ୍ କଲ, ମେସେଜ କରି ସେମାନଙ୍କୁ ବୁଝାଇବାକୁ ରଶ୍ମି ଠାକରେ ଚେଷ୍ଟା ଚଳାଇଛନ୍ତି । ଉଦ୍ଧବ ଠାକରେ ମଧ୍ୟ କେତେଜଣ ବିଦ୍ରୋହୀଙ୍କୁ ମେସେଜ କରିଥିବା ବେଳେ ସେମାନେ ଶିବସେନା ସହ ଅଛନ୍ତି ବୋଲି ଉତ୍ତର ଦେଇଥିବା ଜଣାପଡ଼ିଛି ।