ଆଜି ମହାପ୍ରଭୁଙ୍କ ଅଣସରର ତ୍ରୟୋଦଶୀ ତିଥି, ଅନୁଷ୍ଠିତ ହେବ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି

ପୁରୀ: ଆଜି ମହାପ୍ରଭୁଙ୍କ ଅଣସରର ତ୍ରୟୋଦଶୀ ତିଥି । ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି । ଅଣସର ତ୍ରୟୋଦଶୀରେ ଘଣା ଲାଗି ଓ ଶ୍ରୀପୟର ମୁଦ ଉପଲକ୍ଷେ ପାଟଡୋର ଓ ଖଳି ପ୍ରସାଦ ଲାଗି ହୋଇଥାଏ । ଅଣସର ଗୃହରେ ଗୋପନୀୟ ଭାବେ ଶ୍ରୀଜିଉଙ୍କୁ ଘଣା ଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି ହୋଇଥାଏ । ଘଣ୍ଟ, ଛତ୍ର, କାହାଳି ସହ ଖଳି ପ୍ରସାଦକୁ ସୁଦ୍ଧ ସୁଆରଙ୍କ ଘରୁ ଶ୍ରୀମନ୍ଦିରକୁ ବିଜେ କରାଯାଇଥାଏ ।

ଶୁଦ୍ଧ ସୁଆରଙ୍କଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୂପା ପିଙ୍ଗଣରେ ରଖି ଦଇତାପତି ସେବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି । ଭିତର ଖଳି ଲାଗି ପୂର୍ବରୁ ପ୍ରଭୁଙ୍କ ଘଣା ଲାଗି ଗୋପନ ନୀତି ସଂପନ୍ନ ହୋଇଥାଏ । ଏହା ପୂର୍ବରୁ ବିଗ୍ରହଙ୍କୁ ଗୋପନ ସେବାରେ ରକ୍ତ ବସ୍ତ୍ର ଆବରଣ ଦିଆଯାଇଥାଏ । ଲାଗି ଖଳିକୁ ଶୁଦ୍ଧ ସୁଆରମାନେ ନିଜ ନିଜ ଘରେ ଶୁଦ୍ଧ ସହକାରେ ପ୍ରସ୍ତୁତ କରିଥାନ୍ତି ।