କଟକ: ଆଉ ଦିନକ ପରେ ଦୁଲୁକିବ ବାରବାଟୀ । ଚୌକା ଛକା ବର୍ଷାରେ କମ୍ପିବ ଷ୍ଟାଡିୟମ । ଅପେକ୍ଷାରେ କ୍ରିକେଟପ୍ରେମୀ । ଆଜି ଭୁବନେଶ୍ବରରେ ପହଞ୍ଚିବେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି । ଦିନ ଗୋଟାଏରେ ବିମାନବନ୍ଦରରେ ପହଞ୍ଚିବେ ଉଭୟ ଦେଶରେ ଖେଳାଳି । ଏୟାରପୋର୍ଟରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବଳୟ ଭିତରେ ଖେଳାଳିଙ୍କୁ ମେଫେୟାର ହୋଟେଲ ନିଆଯିବ । ସେଠାରେ ରାତ୍ରୀଯାପନ ପରେ ଆସନ୍ତାକାଲି ଉଭୟ ଟିମ୍ ବାରବାଟୀ ଷ୍ଟାଡିୟମକୁ ଅଭ୍ୟାସ ପାଇଁ ଯିବେ । ସବୁ ସମୟରେ ଖେଳାଳୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ଏୟାରପୋର୍ଟରୁ ଖେଳାଳିଙ୍କ ହୋଟେଲ ଯିବା ସମୟରେ ଯେମିତି କୌଣସି ଅଘଟଣ ନହୁଏ ସେଥିପାଇଁ ମକ୍ ଡ୍ରିଲ କରାଯାଇଛି । ସେପଟେ ଗତକାଲି କାଉଣ୍ଟରରେ ସମସ୍ତ ୧୨ ହଜାର ଟିକେଟ ବିକ୍ରି ହୋଇଛି ।
ଆଜି ୧୫ ରାଜ୍ୟର ୫୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ
ନୂଆଦିଲ୍ଲୀ: ଦେଶର ୧୫ ରାଜ୍ୟର ୫୭ ରାଜ୍ୟସଭା ଆସନରେ ଆଜି ହେବ ନିର୍ବାଚନ । ଏହା ପୂର୍ବରୁ ବିଭିନ୍ନ ଦଳର ମୋଟ ୪୧ ଜଣ ପ୍ରାର୍ଥୀ ବିଭିନ୍ନ ରାଜ୍ୟରୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ବାକି ୪ ରାଜ୍ୟରେ ୧୬ ଆସନରେ ମୋଟ ୨୧ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏହି ଆସନ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହେବ । ଆଜି ନିର୍ବାଚନ ପରେ ଆଜି ହିଁ ଫଳାଫଳ ଘୋଷଣା ହେବ । ୧୫ ରାଜ୍ୟର ୫୭ ରାଜ୍ୟସଭା ଆସନ ମଧ୍ୟରୁ ଉତ୍ତର ପ୍ରଦେଶରେ ୧୧, ମହାରାଷ୍ଟ୍ରର ୬, ତାମିଲନାଡୁର ୪, ବିହାରର ୫, ଆନ୍ଧ୍ରପ୍ରଦେଶର ୪, କର୍ଣ୍ଣାଟକ ୪, ରାଜସ୍ଥାନର ୪, ଓଡ଼ିଶାର ୩, ମଧ୍ୟପ୍ରଦେଶର ୩, ଝାଡଖଣ୍ଡର ୨ , ଛତିଶଗଡ଼ର ୨, ତେଲେଙ୍ଗାନାର ୨, ହରିୟାଣାର ୨, ପଞ୍ଜାବର ୨ ଆସନ, ଉତ୍ତରାଖଣ୍ଡର ଗୋଟିଏ ଅନ୍ତର୍ଭୁକ୍ତ ରହିଛି । ତେବେ ଉତ୍ତର ପ୍ରଦେଶର ୧୧ ଆସନରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ୮ ଆସନରେ ବିଜେପି ଏବଂ ୩ ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।
ଆଜି ଦିଲ୍ଲୀରୁ ଫେରିବେ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ଭବନରେ ବିଧିବଦ୍ଧ ଭାବେ ନେବେ ଦାୟିତ୍ବ
ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ଘର ସଜାଡ଼ୁଛି ରାଜ୍ୟ କଂଗ୍ରେସ । ଆଜି ପିସିସି ସଭାପତି ଶରତ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ପରେ କଂଗ୍ରେସ ଭବନରେ ବିଧବଦ୍ଧ ଭାବେ ଦାୟିତ୍ବ ନେବେ । ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ଦେବା ଜରିଆରେ ଦଳ ଶକ୍ତି ପ୍ରଦର୍ଶନ କରିବ । ହାଇକମାଣ୍ଡଙ୍କଠାରୁ ଗୁରୁମନ୍ତ୍ର ନେଇ ନୂଆ ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ଓଡ଼ିଶା ଫେରିବେ । ତାଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ କଂଗ୍ରେସ ନେତା ଓ କର୍ମୀ ଏକାଠି ହେଉଛନ୍ତି । ବିମାନବନ୍ଦରରୁ ବିରାଟ ଶୋଭାଯାତ୍ରାରେ ପିସିସି ସଭାପତିଙ୍କୁ କଂଗ୍ରେସ ଭବନ ଯାଏ ନିଆଯାଇ ସମ୍ବର୍ଦ୍ଧନା ଦିଆଯିବ । ଖୁବଶୀଘ୍ର ନୂଆ ଟିମ୍ ଗଠନ ସହ ୨୦୨୪ ନିର୍ବାଚନ ପାଇଁ ତୃଣମୂଳ ସ୍ତରରୁ ପ୍ରସ୍ତୁତ ହେବ କଂଗ୍ରେସ ।
ରାଷ୍ଟ୍ରପତି ନିର୍ବାଚନରେ କିଏ ଦେଇଥାନ୍ତି ଭୋଟ, କେମିତି ହୁଏ ନିର୍ବାଚନ ?
ନନ୍ଦିଘୋଷ ବ୍ୟୁରୋ: ଦେଶରେ ରାଷ୍ଚ୍ରପତି ନିର୍ବାଚନ ନେଇ ଘୋଷଣା ହୋଇସାରିଛି ତାରିଖ । ଜୁଲାଇ ୨୧ ରେ ହେବ ନିର୍ବାଚନ, ୨୪ ରେ ନୂଆ ରାଷ୍ଚ୍ରପତି ଦେଖିବ ଦେଶ । ତେବେ ସାଧାରଣ ଲୋକଙ୍କ ଭୋଟରେ ରାଷ୍ଟ୍ରପତି ନିର୍ବାଚିତ ହୋଇନଥାନ୍ତି । ବଂର ଏଥିପାଇଁ ରହିଛି ଭାରତୀୟ ସମ୍ଭିଧାନର ଭିନ୍ନ ଏକ ନିୟମ । ରାଷ୍ଟ୍ରପତି ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୋଇଥାନ୍ତି । ଅର୍ଥାତ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ପ୍ରତିନିଧି ରାଷ୍ଚ୍ରପତିଙ୍କୁ ନିର୍ବାଚିତ କରିଥାନ୍ତି । ଯେମିତିକି ବିଧାୟକ, ସାଂସଦ ଓ ରାଜ୍ୟସଭା ସାଂସଦ ହିଁ ରାଷ୍ଟ୍ରପିତି ନିର୍ବାଚନ ପକ୍ରିୟାରେ ଭାଗ ନେଇଥାନ୍ତି । ତେବେ ଆସନ୍ତା ମାସ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବାନେଇ ଘୋଷଣା କରିଛନ୍ତି ଜାତୀୟ ନିର୍ବାଚନ ଆୟୋଗ ।
ଭୋଟ ଦେଇଥାନ୍ତି ନିର୍ବାଚିତ ପ୍ରତିନିଧି
ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, କେମିତି ହୁଏ ରାଷ୍ଟ୍ରପତି ନିର୍ବାଚନ ? କିଏ ଏହି ଭୋଟପକ୍ରିୟାରେ ଭାଗ ନେଇଥାନ୍ତି । ସମ୍ପୂର୍ଣ୍ଣ ଭାବରେ ଏହି ନିର୍ବାଚନରେ ଭାଗ ନେଇଥାନ୍ତି ଦେଶର ନିର୍ବାଚିତ ଜନ ପ୍ରତିନିଧି । ଅର୍ଥାତ ବିଧାୟକ, ରାଜ୍ୟସଭା ସାଂସଦ ଏବଂ ଲୋକସଭା ସାଂସଦ ଭାଗ ନେଇଥାନ୍ତି । କିନ୍ତୁ ରାଜ୍ୟ ଗୁଡିକରେ ଥିବା ବିଧାନପରିଷଦର ସଦସ୍ୟ ନିର୍ବାଚନରୁ ବାଦ ପଡିିଥାନ୍ତି । ସେପଟେ ସମସ୍ତ ରାଜ୍ୟର ବିଧାୟକ ମାନଙ୍କର ମୂଲ୍ୟ ରହିଥାଏ । ଏହି ଭୋଟ ମୂଲ୍ୟ ହିଁ ନିର୍ଣ୍ଣୟ କରିଥାଏ ଭୋଟର ପରିମାଣ । ଏହି ପକ୍ରିୟା ଭାରତ ସାମ୍ବିଧାନିକ ଧାରା ୫୪ ଅନୁଯାୟୀ ରାଜ୍ୟର ଲୋକସଂଖ୍ୟା ଅନୁଯାୟୀ ନିର୍ଦ୍ଧାରିତ ହୋଇଥାଏ ନିର୍ବାଚିତ ଜନପ୍ରତିନିଧିଙ୍କ ବୋଟର ମୂଲ୍ୟ । ଅର୍ଥାତ ରାଜ୍ୟର ସମୁଦାୟ ଲୋକସଂଖ୍ୟା ସହ ସମୁଦାୟ ବିଧାୟକଙ୍କ ସଂଖ୍ୟାକୁ ଭାଗ କରାଯାଏ । ଯାହା ଫଳ ବାହାରିଥାଏ ତାହାକୁ ୧୦୦୦ ଅଙ୍କ ସହ ପୁନର୍ବାର ଭାଗ କରାଯାଇଥାଏ । ଏବଂ ଶେଷ ଭାଗଫଳ ହିଁ ହୋଇଥାଏ ବିଧାୟକଙ୍କ ଭୋଟ ମୂଲ୍ୟ ।
ପ୍ରତି ରାଜ୍ୟର ଭୋଟ ମୂଲ୍ୟ ଭିନ୍ନ୍
ସେହିପରି ଯଦି ଦେଖିବା, ସାଂସଦ ମାନଙ୍କ ଭୋଟ ମୂଲ୍ୟ ମଧ୍ୟ ବିଧାୟକଙ୍କ ଭୋଟ ମୂଲ୍ୟ ଅନୁଯାୟୀ ନିର୍ଦ୍ଧାରିତ ହୋଇଥାଏ । ଏହି ପକ୍ରିୟାରେ ଦେଖିଲେ ଉତ୍ତର ପ୍ରଦେଶର ବିଧାୟକମାନଙ୍କ ଭୋଟର ମୂଲ୍ୟ ଦେଶରେ ସର୍ବାଧିକ ରହିଛି । ଏହାର ପରେ ରହିଛି ମହାରାଷ୍ଟ୍ରର ବିଧାୟକଙ୍କ ଭୋଟ ମୂଲ୍ୟ ଏବଂ ତୃତୀୟରେ ରହିଛି ପଶ୍ଚିମବଙ୍ଗର ବିଧାୟକଙ୍କ ଭୋଟ ମୂଲ୍ୟ । ଯାହା ଦେଶର ପ୍ରଥମ ନାଗରିକଙ୍କୁ ବାଛିଥାଏ । ଏଭଳି ପକ୍ରିୟାରେ ଆସନ୍ତା ଦିନରେ ଦେଶ ଦେଖିବାକୁ ଯାଉଛି ଜମେ ନୂଆ ରାଷ୍ଟ୍ର ମୂଖ୍ୟ ।ଆସନ୍ତା ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ । ଜୁଲାଇ ୨୧ରେ ହେବ ଫଳ ଘୋଷଣା । ୧୫ ଜୁନରେ ନିର୍ବାଚନ ଲାଗି ଜାରି ହେବ ଅଧିସୂଚନା । ୨୯ ଜୁନ ରହିଛି ନାମାଙ୍କନ ଦାଖଲର ଶେଷ ତାରିଖ । ଜୁନ ୩୦ ତାରିଖରେ ହେବ ପ୍ରାର୍ଥିପତ୍ର ଯାଞ୍ଚ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ଜୁଲାଇ ୨ । ଆସନ୍ତା ୨୫ ଜୁଲାଇରେ ଶପଥ ନେବେ ନୂଆ ରାଷ୍ଟ୍ରପତି । ଏନେଇ ଘୋଷଣା କରିଛନ୍ତି ସିଇସି ରାଜୀବ କୁମାର ।
ଦେଶର ୧୬ତମ ରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ବିଧିବଦ୍ଧ ଭାବେ ସିଇସି କରିଛନ୍ତି ତାରିଖ ଘୋଷଣା । ଆସନ୍ତା ଜୁଲାଇ ୨୭ରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଥିବାବେଳେ ପରବର୍ତ୍ତୀ ରାଷ୍ଟ୍ରପତିଙ୍କ ଲାଗି ଜାତୀୟ ସ୍ତରରେ ଚାଲିଛି ଅଙ୍କକଷା । ଏହି ନିର୍ବାଚନରେ ମୋଟ ୪ ହଜାର ୮୦୯ଜଣ ସାଂସଦ ଓ ବିଧାୟକ ଭୋଟ ଦେବେ । ଏହି ନିର୍ବାଚନରେ ଲାଞ୍ଚ କାରବାରକୁ ନିଷିଦ୍ଧ କରାଯାଇଥିବାବେଳେ କୌଣସି ରାଜନୈତିକ ଦଳ ହୁଇପ୍ ଜାରି କରିପାରିବେ ନାହିଁ ବୋଲି ସିଇସି ନିର୍ଦ୍ଦେଶ ଦେଇଛନ୍ତି । ସୂଚୀତ ତାରିଖ ଅନୁସାରେ ପ୍ରାର୍ଥୀମାନେ ନିଜେ ହୁଅନ୍ତୁ ବା ତାଙ୍କର କୌଣସି ପ୍ରସ୍ତାବକ ବା ସମର୍ଥକଙ୍କ ଜରିଆରେ ସକାଳ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରିପାରିବେ । ନିର୍ବାଚନ ବେଳେ କୋଭିଡ ନିୟମ ସମ୍ପୂର୍ଣ୍ଣ ଭାବେ ପାଳନ ହେବ ।
୯୫ ଜଣ ଅଫିସରଙ୍କୁ ନିଯୁକ୍ତ ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର: ୮୦ ଜଣ ଲୋକାଲ ଫଣ୍ଡ ଅଡିଟର ଏବଂ ୧୫ ଜଣ ସ୍ମଲ ସେଭିଂ ଫାଇନାନସିଆଲ ଇନକ୍ଲୁଜନ ଅଫିସରଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର । ଏହି ଅବସରରେ ସେମାନଙ୍କୁ କଠିନ ପରିଶ୍ରମ କରିବା ସହ ନୂଆ ନୂଆ ଟେକନୋଲୋଜିର ବ୍ୟବହାର କରି କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ନେଇ ଲୋକସେବା ଭବନରେ ଏକ ଓରିଏନଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ରାଜ୍ୟରେ ଥିବା ଅନେକ ସମ୍ଭାବନା ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ ।
ରାଜ୍ୟ ସରକାରଙ୍କ ସହ ମିଶି ସେମାନେ ସାଧାରଣ ଲୋକଙ୍କର କିପରି ସେବା କରିପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ଦୁଇ ଦଶନ୍ଧି ତଳେ ଓଡ଼ିଶା ଗରିବ ଓ ପଛୁଆ ରାଜ୍ୟରୁ ଏବେ ଅର୍ଥନୈତିକ ବିକାଶ ସହ ପ୍ରଶାସନ ଓ ଲୋକ ସେବାରେ ଭଲ କାମ କରି ଅନ୍ୟ ରାଜ୍ୟ ପାଇଁ ମଡେଲ ପାଲଟିଛି । 5T ଓ ମୋ ସରକାର ମାଧ୍ୟମରେ ଲୋକଙ୍କୁ ଉନ୍ନତ ସେବା ମିଳିପାରୁଛି । ସ୍ମଲ ସେଭିଂ ଫାଇନାନସିଆଲ ଇନକ୍ଲୁଜନ ଅଫିସର ମାନେ ଲୋକଙ୍କୁ ଆର୍ଥିକ ସଚେତନତା କରିବା ସହ ଲୋକଙ୍କ ମଧ୍ୟରେ ସଞ୍ଚୟ କରିବା ମନୋବୃତ୍ତିକୁ ଅଧିକ ଦୃଢ କରିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକାଲ ଫଣ୍ଡ ଅଡିଟର ମାନେ ସରକାରୀ ଅର୍ଥ କିପରି ବିନିଯୋଗ ହେଉଛି ଏବଂ ଅନିୟମିତତା ଉପରେ ତୀକ୍ଷ୍ନ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଜଙ୍ଗଲରୁ ଦନ୍ତାହାତୀ କଙ୍କାଳ ମିଳିବା ମାମଲା, ଅଧିକାରୀ ନିଲମ୍ବିତ
କଟକ: ବଡମ୍ବା ବନାଞ୍ଚଳ ଚନ୍ଦ୍ରଗିରି ଜଙ୍ଗଲରୁ ଦନ୍ତାହାତୀ କଙ୍କାଳ ମିଳିବା ମାମଲା । ନିଲମ୍ବିତ ହେଲେ ଆଉ ଜଣେ ଗାର୍ଡ ଓ ଫରେଷ୍ଟର । ବଡ଼ମ୍ବା ରେଞ୍ଜର ଫରେଷ୍ଟର ମନୋଜ ଦାସ ଏବଂ ଫରେଷ୍ଟ ଗାର୍ଡ ନରେନ୍ଦ୍ର ଦେହୁରୀଙ୍କୁ ନିଲମ୍ବନ କରାଯାଇଛି ।
ବଡମ୍ବା ବନାଞ୍ଚଳ ଚନ୍ଦ୍ରଗିରି ଜଙ୍ଗଲରୁ ଦନ୍ତାହାତୀ କଙ୍କାଳ ଠାବ କରିଥିଲା ଏସ ଟି ଏଫ୍ । ପ୍ରଥମେ ଗୋପପୁର ସେକ୍ସନର ଫରେଷ୍ଟର ପ୍ରଦୀପ ପରିଡା ଓ ବିଟ ଗାର୍ଡ ତନ୍ମୟ ବେହେରାଙ୍କୁ ନିଲମ୍ବନ କରାଯାଇଥିଲା ।
୧୨ଟି ପ୍ରକଳ୍ପକୁ ସିଙ୍ଗଲ ଓ୍ୱିଣ୍ଡୋରେ ମଂଜୁରୀ ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର: ରାଜ୍ୟରେ ୧୨ଟି ପ୍ରକଳ୍ପକୁ ସିଙ୍ଗଲ ଓ୍ୱିଣ୍ଡୋରେ ମଂଜୁରୀ ଦେଲେ ରାଜ୍ୟ ସରକାର । ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ପ୍ଲାଷ୍ଟିକ କ୍ଷେତ୍ରରେ ହେବ ପୁଞ୍ଜି ନିବେଶ । ୨ ହଜାର ୮୨ କୋଟି ୧୭ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ହେବ । ଏଥିରେ ୩ ହଜାର ୬୧୨ଜଣଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ମିଳିବ । ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ପ୍ରକଳ୍ପ ମଧ୍ୟରେ ରହିଛି କୋରାପୁଟ ପଟାଙ୍ଗିରେ ୭୩୨କୋଟିର ନାଲକୋ କନଭେୟର ପ୍ଲାଣ୍ଟ । ଯାଜପୁର କଳିଙ୍ଗ ନଗରରେ ହେବ ଇସ୍ପାତ ଆନୁଷଙ୍ଗିକ ଶିଳ୍ପ ।
ଏଥିପାଇଁ ୧୬୭କୋଟି ଟଙ୍କା ପୁଞ୍ଜି ନିବେଶ କରିବ ଖେତନ ବିନିଯୋଗ । ଝାରସୁଗୁଡ଼ାରେ କୋଣାର୍କ ଇସ୍ପାତ ଲିମିଟେଡ ପ୍ରତିଷ୍ଠା କରିବ ପେଲେଟ ପ୍ଲାଣ୍ଟ । ଏହା ସହିତ କୋଇଲା ଗ୍ୟାସିଫିକେସନ ୟୁନିଟ ମଧ୍ୟ ପ୍ରତିଷ୍ଠା ହେବ । ପୁରୀ ବାଲୁଖଣ୍ଡରେ ପର୍ଯ୍ୟଟକଙ୍କ ପାଇଁ ପ୍ରତିଷ୍ଠା ହେବ ଇକୋ ରିସର୍ଟସ । ଏଥିପାଇଁ ୧୨୮କୋଟି ଟଙ୍କା ପୁଞ୍ଜି ନିବେଶରେ ଇକୋ ରିସର୍ଟସ । ଭୁବନେଶ୍ୱର ଇନଫୋସିଟି ଶିଳ୍ପାଞ୍ଚଳରେ ହେବାକୁ ଥିବା IT ଶିଳ୍ପ ପାଇଁ CTRLS ଡାଟା ସେଣ୍ଟର ବିନିଯୋଗ କରିବ ୧୫୨ କୋଟି ୨୫ ଲକ୍ଷ ଟଙ୍କା ।
ତାତିରେ ରେକର୍ଡ ରଚିଲା ବଲାଙ୍ଗୀର, ଟିଟିଲାଗଡ଼ରେ ୪୫. ୨ ଡିଗ୍ରୀ ରେକର୍ଡ
ଭୁବନେଶ୍ୱର: ଜଳୁଛି ବଲାଙ୍ଗୀର । ତତଲା ତାୱାରେ କଲବଲ ହେଉଛନ୍ତି ଜିଲ୍ଲାବାସୀ । ଆଜି ସର୍ବୋଚ୍ଚ ତାପମାତ୍ରା ବଲାଙ୍ଗୀରରେ ରେକର୍ଡ ହୋଇଛି । ପାଣିପାଗ ବିଭାଗର ସୂଚନା ମୁତାବକ ବଲାଙ୍ଗୀରରେ ୪୫. ୩ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଦେଖିବାକୁ ଗଲେ ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର ଟିଟିଲାଗଡ଼ ପାଲଟିଛି । ଟିଟିଲାଗଡ଼ରେ ଆ଼ଜି ତାପମାତ୍ରା ୪୫. ୨ ଡିଗ୍ରୀ ରେକର୍ଡ କରାଯାଇଛି । ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଆଜି କଲବଲ କରିଛି ତାତି ।
ବରଗଡ଼ରେ ତାପମାତ୍ରା ଆଜି ୪୨. ୬ ଡିଗ୍ରୀ ଥିବାବେଳେ ନୂଆପଡ଼ାରେ ୪୨.୪ ଡିଗ୍ରୀ ରହିଛି । ସେହପରି ଦେବଗଡ଼ରେ ୪୧. ୨ ଡିଗ୍ରୀ, ନବରଙ୍ଗପୁରରେ ୪୦ ଡିଗ୍ରୀ, ଝାରସୁଗୁଡ଼ାରେ ୪୨. ୭ ଡିଗ୍ରୀ ରହିଛି । ସମ୍ବଲପୁରର ତାପମାତ୍ରା ୪୨ ଡିଗ୍ରୀ, ସୁନ୍ଦରଗଡ଼ ୪୨ ଡିଗ୍ରୀ, ହିରାକୁଦ ୪୧. ୩ ଡିଗ୍ରୀ, ଭବାନୀପାଟଣାରେ ୪୩. ୫ ଡିଗ୍ରୀ, ମାଲକାନଗିରିରେ ୪୩ ଡିଗ୍ରୀ ରହିଛି ତାପମାତ୍ରା । ଅନ୍ୟପଟେ ଓଡିଶାର ଅନ୍ୟାନ ସ୍ଥାନ ମାନଙ୍କରେ ମଧ୍ୟ ତାପମାତ୍ରା ସାଧାରଣ ଲୋକଙ୍କୁ ଅସହ୍ୟ କରିଛି ।
ସେପଟେ ମୌସୁମୀ ବାୟୁ ବିଳମ୍ବରେ ଆସିବା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଜେନାମଣି । ରଜକୁ ବର୍ଷା ନାହିିଁ ବଂର ତାତି ବଢିବା ନେଇ ଆଶଙ୍କା କରାଯାଇଛି । କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଭୁବନେଶ୍ୱରରୁ ଭବାନୀପାଟଣା, ନିମାପଡ଼ାରୁ ନୂଆପଡ଼ା ସବୁଠି ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଯାହା ଫଳରେ ଲୋକେ ତାତିରୁ ତ୍ରାହି ପାଇବାକୁ ଆକୁଳ ନିବେଦନ କରିଛନ୍ତି ।
ନିଜକୁ ନିଜେ ସିନ୍ଦୁର ପିନ୍ଧାଇଲେ କ୍ଷମା ବିନ୍ଦୁ ,ବିନା ବର ଓ ପଣ୍ଡିତରେ ହେଲା ବିବାହ
ଗାନ୍ଧିନଗର : ବିବାହ ମଣ୍ଡପରେ ନଥିଲା ବର, କିନ୍ତୁ ବିବାହ ହେଲା ସମ୍ପନ୍ନ । ବିନା ବରରେ ନେଲେ ସାତ ଫେରା, ନିଜକୁ ନିଜେ ଲଗାଇଲେ ସିନ୍ଦୁର ଆଉ ନିଜ ପାଇଁ ନିଜେ ନେଲେ ବିବାହ ପ୍ରତିଜ୍ଞା । ନିକଟ ଅତୀତରେ ଚର୍ଚ୍ଚାରେ ଥିବା ଗୁଜୁରାଟର ୨୪ ବର୍ଷୀୟା କ୍ଷମା ବିନ୍ଦୁ ଆଜି ନିଜକୁ ସମସ୍ତ ରୀତିନୀତିରେ ବିବାହ କରିଛନ୍ତି । ଅନେକ ଦିନରୁ ଲାଇମଲାଇଟ୍ ରେ ଥିବା କ୍ଷମାଙ୍କ ଏପରି ବିବାହ ବିଷୟ ଯେକେହି ବି ଶୁଣିଲେ , ଆଶ୍ଚର୍ଯ୍ୟ ହେବା ସାର । ଜୁନ୍ ୧୧ରେ ନିଜକୁ ନିଜେ ବିବାହ କରିବାକୁ ଘେଷଣା କରିଥିଲେ କ୍ଷମା କିନ୍ତୁ ବିବାଦରୁ ବଞ୍ଚିବା ପାଇଁ ଧାର୍ଯ୍ୟ ସମୟ ପୂର୍ବରୁ ନିଜକୁ ବିବାହ କରିଛନ୍ତି ।
ବିନ୍ଦୁଙ୍କ କହିବା ଅନୁଯାୟୀ, ବିବାଦ ଘେରରେ ଆସିବାର ଭୟ ଓ ତାଙ୍କ ଘରକୁ ଆସି ତାଙ୍କ ବିବାହ ପରି ସ୍ପେଶାଲ ଦିନକୁ କେହି ଖରାପ ନକରି ଦିଅନ୍ତୁ ତାହାକୁ ଦୃଷ୍ଟିରେ ରଖି ସେ ଧାର୍ଯ୍ୟ ସମୟ ପୂର୍ବରୁ ବିବାହ ସମ୍ପନ୍ନ କରିବାକୁ ନିଷ୍ପତ୍ତି କରିଥିଲେ । ତାଙ୍କ ବିବାହ ଅବସରେ ତାଙ୍କର କିଛି ଖାସ୍ ସାଙ୍ଗମାନେ ସାମିଲ ହୋଇଥିଲେ । ଏହି ଖାସ୍ ବିବାହରେ ମଧ୍ୟ ମେହେନ୍ଦି, ହଲଦୀ ପରି ରୀତିନୀତି ପାଳନ କରାଯାଇଛି।
ପ୍ରଥମେ କ୍ଷମା ମନ୍ଦିରରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ଜଣେ ବିଜେପି ନେତାଙ୍କ ବିରୋଧ ପରେ ସେ ଘରେ ହିଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।ଏପରି ବିବାହ ସମ୍ପନ କରିବାକୁ କେହି ପଣ୍ଡିତ ରାଜି ନହେବାରୁ ସେ ନିଜେ ଡିଜିଟାଲ ମାଧ୍ୟମରେ ଟେପ୍ ରେ ମନ୍ତ୍ର ବଜାଇ ବିବାହ କରିଛନ୍ତି ।ବିବାହ ପରେ ହନିମୁନ୍ ପାଇଁ ଗେଆ ଯିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି । କ୍ଷମାଙ୍କ ନିଜକୁ ନିଜେ ବିବାହ କରିବାର ନିଷ୍ପତ୍ତିକୁ ତାଙ୍କ ପିତାମାତା ସମର୍ଥନ କରିବା ସହ ସୁଖୀ ଜୀବନ ପାଇଁ ଆଶିର୍ବାଦ ମଧ୍ୟ କରିଛନ୍ତି । ବିବାହ ପରେ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସେ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।
ଏହି ବିବାହ କରିବାକୁ ତାଙ୍କୁ ବହୁ ବିବାଦର ସାମ୍ନା କରିବାକୁ ପଡିଥିଲା । ତାଙ୍କ ଏପରି ବିବାହକୁ ଅନେକ ତାଙ୍କୁ ଟ୍ରୋଲ କରିବା ସହିତ ଅନେକ ତାଙ୍କୁ ସମର୍ଥନ ମଧ୍ୟ ଜଣାଇଛନ୍ତି । ଏପରି ନିଆରା ବିବାହ ଭାରତରେ ପ୍ରଥମ ଆତ୍ମବିବାହ ବା ସଲୋଗାମୀ ବିବାହ ବୋଲି କୁହାଯାଉଛି । ନିଜ ବିବାହକୁ ନେଇ କ୍ଷମା କୁହନ୍ତି, ଲୋକମାନେ ଭଲପାଉଥିବା ବ୍ୟକ୍ତିକୁ ବିବାହ କରନ୍ତି, ମୁଁ ନିଜକୁ ଭଲପାଏ ସେଥିପାଇଁ ନିଜକୁ ବିବାହ କରିଛି ।
ରାଗିଗଲେ ୱବେସୀ, କହିଲେ FIR କପିରେ ନାହିଁ ମୋ ଅପରାଧ
ଦିଲ୍ଲୀ: ରାଗିଗଲେ AIMIM ମୁଖ୍ୟ ଅସଦୁଦ୍ଦୀନ ୱବେସୀ । କହିଲେ ‘ମୋ ବିରୁଦ୍ଧରେ ଦାଏର ହୋଇଥିବା FIR କପିରେ ଉଲ୍ଲେଖ ନାହିଁ ମୋ ଅପରାଧ’ । ଏହି ମାମଲା ପାଇଁ ଆଦୌ ଭୟଭୀତ ନୁହେଁ ବରଂ ଓକିଲଙ୍କ ପରାମର୍ଶ ନେଇ ସମାଧାନ କରିବି । ଅଭଦ୍ର ଭାଷାର ଆଲୋଚନା ଓ ଅଭଦ୍ର ଭାଷାର ବ୍ୟବହାର କରିବା ମଧ୍ୟରେ ପାର୍ଥକ୍ୟ ରହିଥିବା ଟ୍ବିଟ କରି ଜଣାଇଛନ୍ତି ୱବେସୀ ।
ସେ ଆହୁରି ଏକ ଟ୍ବିଟ କରି ଦିଲ୍ଲୀ ପୋଲିସ ଉପରେ ବର୍ଷିଛନ୍ତି । ସନ୍ଥ ଯତି ନରସିଂହାନନ୍ଦ, ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିରୁଦ୍ଧରେ ରୁଜୁ ମାମଲାର ତଦନ୍ତ କରିବା ପାଇଁ ଦିଲ୍ଲୀ ପୋଲିସ ପାଖରେ ସାହାସ ନାହିଁ । ମୁସଲମାନଙ୍କ ବିରୋଧରେ ନରସଂହାରକୁ ଉସକାଇବା ଓ ଇସଲାମକୁ ଅପମାନ କରି ନିଜ ଜାମିନ ସର୍ତ୍ତକୁ ଯତି ବାରମ୍ବାର ଉଲ୍ଲଙ୍ଘନ କରିଥିବା ସେ ଅଭିଯୋଗ କରିଛନ୍ତି । ସେହିପରି ଦିଲ୍ଲୀ ପୋଲିସ ଉଭୟ ପକ୍ଷବାଦ ବା ସନ୍ତୁଳନ ବାଦ ସିଣ୍ଡ୍ରୋମରେ ପୀଡିତ ଥିବା କ୍ଷୋଭ ପ୍ରକାଶ କରିଛନ୍ତି ୱବେସୀ ।
ବିଜେପିର ପୂର୍ବତନ ପ୍ରବକ୍ତା ନୂପୁର ଶର୍ମା, ନବୀନ ଜିନ୍ଦଲ, ବିବାଦିତ ସନ୍ଥ ଯତି ନରସିଂହାନନ୍ଦଙ୍କ ସହ AIMIM ମୁଖ୍ୟ ଅସଦୁଦ୍ଦୀନ ୱବେସୀଙ୍କ ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ । ଭାରତୀୟ ଦଣ୍ଡ ସଂହିତାର ଧାରା ୧୫୩ (ଜାଣିଶୁଣି ଦଙ୍ଗା ପାଇଁ ଉସୁକାଇବା), ୨୯୫ (କୌଣସି ଧର୍ମକୁ ଅପମାନ କରିବା ଉଦ୍ଦେଶ୍ୟରେ ପ୍ରାର୍ଥନା ସ୍ଥଳକୁ ଅପମାନ) ଏବଂ ୫୦୫ (ସାର୍ବଜନିକ ସ୍ଥାନରେ ଅପ୍ରିତିକର ବୟାନ) ଆଦି ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି ।

