ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ, ରାତିରେ ହୋଟେଲରେ ପଶି ପିଟିଲେ

ଭଦ୍ରକ: ଭଦ୍ରକରେ ଦୁଇ ଗୋଷ୍ଠୀ କିନ୍ନର ମୁହାଁମୁହିଁ । ରାତି ଅଧରେ ହୋଟେଲରେ ପଶି ପିଟିଲେ । ଆକ୍ରମଣରେ ଦୁଇ ଗୋଷ୍ଠୀର ୫ ଜଣ ଗୁରୁତର ହୋଇଛନ୍ତି । ଘଟଣାକୁ ନେଇ ପୋଲିସକୁ ନାକେଦମ ହେବାକୁ ପଡ଼ିଛି । ସୂଚନା ଅନୁସାରେ, କୌଣସି କାରଣକୁ ନେଇ ଗୋଟିଏ ଗୋଷ୍ଠୀର କିନ୍ନରମାନେ ଅନ୍ୟ କେତେକ କିନ୍ନରଙ୍କୁ ଆକ୍ରମଣ କରିଥିଲେ । ଏହାପରେ ଅପହରଣ ନେଇ ଭଦ୍ରକ ଟାଉନ୍ ଥାନାରେ ଗୋଟିଏ ଗୋଷ୍ଠୀ ଏତଲା ଦେବା ପରେ ପୋଲିସ ୪ ଜଣ କିନ୍ନରଙ୍କୁ ଥାନାରେ ଅଟକ ରଖିଥିଲା । ଯାହାକୁ ଅପର ଗୋଷ୍ଠୀର କିନ୍ନରମାନେ ବିରୋଧ କରିଥିଲେ ।

ତେବେ ଏହି ମାମଲାର ସମାଧାନ ପାଇଁ ଟାଉନ ଥାନାରେ ଗୋଟିଏ ପକ୍ଷ ରାଜି ହୋଇଥିବା ବେଳେ, ଆଉ ଏକ ଗୋଷ୍ଠୀ ହୋଟେଲକୁ ଯାଇ ଅନ୍ୟମାନଙ୍କୁ ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଆକ୍ରମଣରେ ଉଭୟ ଗୋଷ୍ଠୀର ୫ ଜଣ ଗୁରୁତର ଭାବେ ଆହତ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଭଦ୍ରକ ପୋଲିସ ହୋଟେଲରେ ପହଞ୍ଚି କିନ୍ନରଙ୍କୁ ଘଉଡ଼ାଇବା ପାଇଁ ଫ୍ଲାଗମାର୍ଚ୍ଚ କରିଛି ।