ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା, ଶୋକାକୁଳ ପରିବେଶରେ ହେଲା ଶେଷକୃତ୍ୟ

ଭୁବନେଶ୍ୱର: ଯେଉଁ ହାତରେ ନିଜ ଝିଅକୁ ପାଳି ପୋଷି ବଡ଼ କରିଥିଲେ, ସେହି ହାତରେ ତାକୁ ଶ୍ମଶାନରେ ପୋଡ଼ି ଦେଇ ଆସିଲେ । ବିଜେବି କଲେଜର କାରୁବାକି ହଷ୍ଟେଲ ୨୦୧ ନମ୍ବର ରୁମରୁ ଯୁକ୍ତ ୩ ପ୍ରଥମ ବର୍ଷର ଇତିହାସ ବିଭାଗର ଛାତ୍ରୀ ରୁଚିକା ମହାନ୍ତିଙ୍କ ଶେଷକୃତ୍ୟ ତାଙ୍କ ଗାଁ କଟକ ଜିଲ୍ଲା କଖଡିରେ ସଂପନ୍ନ ହୋଇଛି । ସେ ଛୋଟ ବେଳୁ ଜଣେ ମେଧାବି ଛାତ୍ରୀ ଥିଲେ । ତାଙ୍କର କ୍ୟାରିୟରକୁ ନେଇ ପରିବାର ଲୋକେ ଅନେକ ସ୍ବପ୍ନ ଦେଖଥିଲେ । ତାଙ୍କ ମୃତ୍ୟୁଦେହ ଗାଁରେ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା ।

ସୂଚନା ଅନୁସାରେ ଗତକାଲି ବିଜେବି କଲେଜ ହଷ୍ଟେଲରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ତେବେ ତାଙ୍କର ସୁଇସାଇଡ୍ ନୋଟ୍ ସାମ୍ନାକୁ ଆସିବା ପରେ ପରିବାର ଲୋକଙ୍କ ମଧ୍ୟରେ ମୃତ୍ୟୁର କାରଣକୁ ନେଇ ସନ୍ଦେହ ବଢ଼ିଛି । ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଅଭିଯୋଗ ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ୩ ସିନିୟରଙ୍କ ମାନସିକ ନିର୍ଯାତନା ସହିନପାରି ଜୀବନ ହାରୁଥିବା ନିଜ ସୁଇସାଇଡ୍ ନୋଟରେ ଲେଖିଛନ୍ତି ଛାତ୍ରୀ । ସେଥିରେ ସେ ଲେଖିଛନ୍ତି ଯେ, ସମସ୍ତେ ଜାଣନ୍ତି ଆମ କଲେଜରେ ରାଗିଂ ହୁଏନି  କିନ୍ତୁ ସିନିୟର ମୋତେ ହଷ୍ଟେଲରେ ବଞ୍ଚେଇ ଦେଲେନି । ତେବେ ନୋଟରେ ୩ ସିନିୟରଙ୍କ ନାଁ ଲେଖି ନାହାନ୍ତି ରୁଚିକା । ଯେଉଁଥିପାଇଁ ପରିବାର ଲୋକଙ୍କ ମଧ୍ୟରେ ଅଧିକା ସନ୍ଦେହ ସୃଷ୍ଟି ହୋଇଛି । ପରିବାର ପକ୍ଷରୁ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।