spot_img
Home Blog Page 4302

ଦେଶରେ ଉପରମୁହାଁ ସଂକ୍ରମଣ, ସପ୍ତାହକ ମଧ୍ୟରେ ଟପିଛି ୫୦ହଜାର 

ନୂଆଦିଲ୍ଲୀ: ଦେଶରେ ବଢି ଚାଲିଛି ଦୈନିକ କରୋନା ସଂକ୍ରମଣ ମାମଲା । ଲଗାତର ତୃତୀୟ ଦିନ ଧରି ଦୈନିକ ସଂକ୍ରମଣ ମାମଲା ୮ ହଜାର ଟପିଛି  । ଗତ ୨୪ ଘଣ୍ଟାରେ ରିପୋର୍ଟ ହୋଇଛି ୮ ହଜାର ୮୪ଟି ନୂଆ ମାମଲା  । ନୂଆ ମାମଲା ସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୩୨ ଲକ୍ଷ ୩୦ ହଜାର ୧୦୧କୁ ବୃଦ୍ଧି ପାଇଛି  । ଏଥିସହିତ ଦେଶରେ ଚାରି ମାସ ପରେ ସଂକ୍ରମଣର ଦୈନିକ ହାର ତିନି ପ୍ରତିଶତ ଟପିଛି  । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଦୈନିକ ସଂକ୍ରମଣ ହାର ୩ ଦଶମିକ ୨୪ ପ୍ରତିଶତ ଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୨ ଦଶମିକ ୨୧ ପ୍ରତିଶତ ରହିଛି  । ଗତ ସପ୍ତାହକ ମଧ୍ୟରେ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ୫୦ ହଜାର ଟପିଛି  । ମହାରାଷ୍ଟ୍ର, କର୍ଣ୍ଣାଟକ ଓ କେରଳରେ ପୁଣି ବଢୁଛି ସଂକ୍ରମଣ  ।

ବିଧାୟିକା ଭାବେ ଶପଥ ନେବେ ଅଳକା ମହାନ୍ତି

ବ୍ରଜରାଜନଗର: ବିଧାୟିକା ଭାବେ ଆଜି ଶପଥ ନେବେ ଅଳକା ମହାନ୍ତି । ଅପରାହ୍ନରେ ସେ ବ୍ରଜରାଜନଗର ନବ ନିର୍ବାଚିତ ବିଧାୟିକା ଭାବେ ଶପଥ ନେବେ । ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇବେ । ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବୃହତ ବିଜୟ ହୋଇଥିଲା । ନବୀନଙ୍କ ସ୍ବାଭିମାନକୁ ବ୍ରଜନଗରବାସୀ ମାରିଥିଲେ ମୋହର । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ନିକଟତମ କଂଗ୍ରେସ ପ୍ରତିଯୋଗୀ କିଶୋର ପଟେଲଙ୍କୁ ହରାଇଥିଲେ ଅଳକା । ସ୍ବାମୀ ତଥା ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗରେ ବ୍ରଜରାଜନଗରରେ ହୋଇଥିଲା ଉପନିର୍ବାଚନ ।

ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ, ବ୍ରଜରାଜନଗର ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ ଅଳକା ମହାନ୍ତି । ବଡ଼଼ ବ୍ୟବଧାନରେ ୬୬ ହଜାର ୧୨୨ ଭୋଟରେ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ।  କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ଏବଂ ଅଳକାଙ୍କ ମଧ୍ୟରେ ହୋଇଥିଲା କଡ଼ା ଟକ୍କର । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଥିଲେ ।

 

ରାହୁଲଙ୍କୁ ଜେରା କରୁଛି ଇଡି, ବରିଷ୍ଠଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ଅର୍ଥ ହେରଫେର ମାମଲାରେ ପ୍ରଦର୍ଶନ ନିର୍ଦ୍ଦେଶାଳୟ (ED)ରେ ହାଜର ହୋଇଛନ୍ତି ରାହୁଲ ଗାନ୍ଧୀ  । ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଅନ୍ୟାନ୍ୟ ନେତା ଓ କର୍ମୀଙ୍କ ସହ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ରାହୁଲ  । ରାହୁଲଙ୍କୁ ପଚରା ଉଚୁରା ଆରମ୍ଭ କରିଛି ଇଡି  । ଯାଞ୍ଚ ଏଜେନ୍ସୀର ୩ ଅଧିକାରୀ ରାହୁଲଙ୍କୁ ଜେରା କରୁଛନ୍ତି  । ଏହି ସମସ୍ତ ପ୍ରକ୍ରିୟା ଡେପୁଟି ନିର୍ଦ୍ଦେଶକ ପାହ୍ୟା ଅଫିସରଙ୍କ ତତ୍ତ୍ବାବଧାନରେ ଚାଲିଛି  । ଯାହା ବିରୁଦ୍ଧରେ ସମଗ୍ର ଦେଶରେ ପାର୍ଟି ଅଫିସରେ ବିରୋଧ କରୁଛି କଂଗ୍ରେସ  ।

ଶାସକ ବିଜେପି ବିରୋଧୀଙ୍କ ବିରୋଧରେ ପ୍ରତିଶୋଧ ରାଜନୀତି କରୁଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି ।  ଇଡିର ଅପବ୍ୟବହାର କରି କେନ୍ଦ୍ର ସରକାର ଦଳକୁ ଟାର୍ଗେଟ କରୁଛନ୍ତି । କିନ୍ତୁ ଦଳ ପଛକୁ ହଟିବ ନାହିଁ ବରଂ ଏହା ବିରୁଦ୍ଧରେ ସତ୍ୟାଗ୍ରହ କରିବ ବୋଲି କହିଛି କଂଗ୍ରେସ ।  ଆଜି ଦଳର ବରିଷ୍ଠ ନେତା ଓ ସାଂସଦଙ୍କ ସହ ମାର୍ଚ୍ଚ କରି ରାହୁଲ ଇଡି ମୁଖ୍ୟାଳୟରେ ପହଞ୍ଚିବା ପାଇଁ ନିଷ୍ପତ୍ତି ନେଇଥିଲା କଂଗ୍ରେସ  । କିନ୍ତୁ ଏଥିପାଇଁ ଅନୁମତି ଦେଇନଥିଲା ଦିଲ୍ଲୀ ପୋଲିସ  ।

ଫଳରେ ରାହୁଲ କାର୍ଯ୍ୟକର୍ତ୍ତାଙ୍କ ସହ ପାର୍ଟି ଅଫିସରୁ ପାଦରେ ମାର୍ଚ୍ଚ କରି  ଇଡି ଅଫିସ ଯିବା ସମୟରେ ତାଙ୍କୁ ରାସ୍ତାରେ ଅଟକାଇଥିଲା ପୋଲିସ  । ସେପଟେ ଇଡି ଅଫିସ ସାମନାରେ ପହଞ୍ଚି ବିରୋଧ କରିଥିଲେ ଦଳୀୟ କର୍ମୀ । ସେଣ୍ଟ୍ରାଲ ଦିଲ୍ଲୀରେ ପ୍ରଦର୍ଶନ କରୁଥିବା କର୍ମୀଙ୍କୁ ଉଠାଇ ନେଇଛି ପୋଲିସ  ।

କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ, କେସି ବେଣୁଗେପାଳ, ଦୀପେନ୍ଦ୍ର ଏସ ହୁଡ୍ଡା ଓ ଅଶୋକ ଗେହଲଟଙ୍କୁ ପୋଲିସ ଉଠାଇ ନେଇଛି  । ରାହୁଲଙ୍କୁ ଇଡିର ସମନକୁ ବିରୋଧ କରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ମଧ୍ୟ ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ, ବରିଷ୍ଠ ନେତା ରଣଦୀପ ସୁରଜେୱାଲା ବିଜେପିକୁ ଟାର୍ଗେଟ କରିଛନ୍ତି  ।

ଭାରସାମ୍ୟ ହରାଇ ଓଲଟିଲା ବସ୍ ୫ ଜଣଙ୍କ ମୃତ୍ୟୁ , ୪୦ ଆହତ

ବିଜୟଓ୍ବାଡ଼ା: ଆନ୍ଧ୍ର ସୀମାନ୍ତ ଚିନ୍ତୁର ଥାନା ଅନ୍ତର୍ଗତ ବୋଡୁଗୁଦେମ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଭବାନୀପାଟଣାରୁ ବିଜୟଓ୍ବାଡା ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ବସ୍ । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି । ମୃତକ ମାନେ ହେଲେ ଗଣେଶ୍ବର ଦଳପତି, ଜିତୁ ହରିଜନ ଓ ସୁନେନ ହରିଜନ । ଅନ୍ୟ ୨ ଜଣଙ୍କ ପରିଚୟ ମିଳିନାହିଁ । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ।

ରାତି ୨ଟାରେ ଏହି ଘଟିଥିଲା ଏହି ଦୁର୍ଘଟଣା । ଆହତ ୪୦ ଜଣଙ୍କ ମଧ୍ୟରୁ ୩ ଗୁରୁତରଙ୍କୁ ଭଦ୍ରାଚଲମ୍ ସ୍ଥାନାନ୍ତର କରାଯାଇଛି । ଅନ୍ୟମାନଙ୍କୁ ଚିନ୍ତୁର୍ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା । କଳାହାଣ୍ଡି ଜିଲ୍ଲାର ଶ୍ରମିକଙ୍କୁ ନେଇ ସଙ୍ଗୀତା ନାମକ ବସ୍ ଯାଉଥିବା ବେଳେ ବୋଡୁଗୁଦେମ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ଦୁର୍ଘଟଣା ଖବରରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ  ।

ଡ୍ରଗ୍ସ ମାମଲାରେ ଫସିଲେ ଶକ୍ତି କପୁରଙ୍କ ପୁଅ

ବେଙ୍ଗାଲୁରୁ: ବଲିଉଡରେ ପୁଣି ଡ୍ରଗ୍ସ ମାମଲା । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ମାମଲାରେ ଅନେକ ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିଥିଲା। ଏବେ ପୁଣି ଏହି ମାମଲାରେ ସାମିଲ ହୋଇଯାଇଛି ଆଉ ଏକ ନାଁ । ପୁଣି ଏଥର ଫସିଛନ୍ତି ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ଏବଂ ଶକ୍ତି କପୁରଙ୍କ ପୁଅ ଶିଦ୍ଧାନ୍ତ କପୁର । ଡ୍ରଗ୍ସ ନେବା ମାମଲାରେ ଶିଦ୍ଧାନ୍ତଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ ।

ରବିବାର ରାତିରେ ବେଙ୍ଗାଲୁରୁ ପୋଲିସ ଏମଜି ରୋଡ ସ୍ଥିତ ଏକ ୫ ତାରକା ବିଶିଷ୍ଟ ହୋଟେଲରେ ଚଢାଉ କରିଥିଲା ।ଯେଉଁଠି ଚାଲିଥିଲା ଡ୍ରଗ୍ସ ପାର୍ଟି । ପାର୍ଟିରେ ସାମିଲ ଥିବା ୩୫ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ଯେଉଁଥିରେ ସିଦ୍ଧାନ୍ତ କପୁରଙ୍କ ସମେତ ୫ଜଣ ରିପୋର୍ଟ ପଜିଟିଭ୍ ଆସିଥିଲେ । ଏ ସମସ୍ତଙ୍କୁ ଏବେ ଅଟକ ରଖିଛି ବେଙ୍ଗାଲୁରୁ ପୋଲିସ । ସେପଟେ ସିଦ୍ଧାନ୍ତଙ୍କ ଡ୍ରଗ୍ସ ସେବନ ବିଷୟରେ କୌଣସି ଧାରଣା ନଥିବା କହିଛନ୍ତି ଶକ୍ତି କପୁର ।

୧୪ ଦିନ ନ୍ୟାୟିକ ହେପାଜତରେ ସତୈନ୍ଦ୍ର ଜୈନ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଆପ୍‌ର ବରିଷ୍ଠ ନେତା ସତୈନ୍ଦ୍ର ଜୈନଙ୍କ ବଢୁଛି ଅଡୁଆ  । ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ମନ୍ତ୍ରୀ ସତୈନ୍ଦ୍ର ଜୈନ  । ଆଜି ଏହି ମାମଲାର ଶୁଣାଣି କରି ରାଉଜ ଏଭେନ୍ୟୁ କୋର୍ଟ ସତୈନ୍ଦ୍ରଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛି  । ଗତ ମେ ୩୦ରେ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରିଥିଲା ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)  ।

ରାଉଜ ଏଭେନ୍ୟୁ କୋର୍ଟରେ ଜାମିନ ଆବେଦନ କରିଛନ୍ତି ସତ୍ୟେନ୍ଦ୍ର  । ମଙ୍ଗଳବାର ସକାଳ ୧୧ଟାରେ ଏହି ମାମଲାର ଶୁଣାଣି ହେବ  ।  ଗତ ମେ ୩୧ ରୁ ଅର୍ଥ ହେରଫେର ମାମଲାରେ ଜୈନଙ୍କୁ ରିମାଣ୍ଡରେ ନେଇଥିଲା ଇଡି  । ଏହାପରେ ରିମାଣ୍ଡ ଅବଧିକୁ ଆହୁରି ୪ ଦିନ ବଢାଇବା ପାଇଁ କୋର୍ଟରେ ଆବେଦନ କରିଥିଲା  । ପିଏମଏଲଏର ଅପରାଧିକ ଧାରା ଅନୁସାରେ ଇଡି ତାଙ୍କୁ ଗିରଫ କରିଥିଲା  ।

ଆଜିଠୁ ବିଧାନସଭା ସମ୍ଭାଳିବେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ବର: ୨୪ତମ ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ  । ଗୃହରେ ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ନାମ ଘୋଷଣା କଲେ ଉପବାଚସ୍ପତି ରଜନୀକାନ୍ତ ସିଂ  । ଗୃହରେ ବିକ୍ରମ ଆରୁଖଙ୍କ ନାମ ପ୍ରସ୍ତାବ ରଖିଥିଲେ ମୁଖ୍ୟମନ୍ତ୍ରୀ  । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରସ୍ତାବକୁ ସମର୍ଥନ କରିଥିଲେ  ।  ପଦମର୍ଯ୍ୟାଦା ରକ୍ଷା ସହ ଗୃହ ସୁପରିଚାଳନା କରିବାକୁ ପ୍ରୟାସ କରିବି ବୋଲି କହିଛନ୍ତି ଆରୁଖ  । ସମସ୍ତ ଶାସକ ଓ ବିରୋଧୀ ଦଳ ନେତାଙ୍କୁ ଆରୁଖ ଧନ୍ୟବାଦ ଜଣାଇଛନ୍ତି  ।

ନୂଆ ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର  । ୧୯୯୫ ମସିହାରୁ ଲଗାତର ଭାବେ ଭଞ୍ଜନଗରରୁ ବିଧାନସଭାକୁ ନିର୍ବାଚିତ ହୋଇଆସୁଛନ୍ତି ବିକ୍ରମ କେଶରୀ ଆରୁଖ ।

୨୦୦୮ ମସିହାରେ ସରକାରୀ ଦଳ ମୁଖ୍ୟ ସଚେତକ ଓ ୨୦୦୯ ମସିହାରୁ ୧୩ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଆଇନ, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ, ସଂସଦୀୟ ବ୍ୟାପାର ପରି ବହୁ ଗୁରୁତ୍ବ ପୂର୍ଣ୍ଣ ବିଭାଗର ମନ୍ତ୍ରୀ ଦାୟିତ୍ବ ତୁଲାଇ ସାରିଛନ୍ତି ।

ମୁସେୱାଲା ହତ୍ୟାକାଣ୍ଡର ମିଳିଲା ଲିଙ୍କ, ମୁହଁ ଖୋଲିବ ଜାଘବ !

ମୁମ୍ବାଇ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତି ନେଇ ସୁଟର ସନ୍ତୋଷ ଜାଘବକୁ ବାନ୍ଧିଲା ପୋଲିସ  । ଜାଘବର ଅନ୍ୟ ଏକ ସହଯୋଗୀକୁ ଗିରଫ କରିଛି ପୋଲିସ  । ଦିଲ୍ଲୀ ତିହାର ଜେଲରେ ଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ଜାଘବକୁ ୨୦୨୧ ପୁଣେର ଏକ ହତ୍ୟାକାଣ୍ଡ ମାମଲାରେ ଗିରଫ କରିଛି ପୋଲିସ  । ଏକ ବର୍ଷ ଧରି ଫେରାର ଥିଲା ଜାଘବ  ।

ହାଇପ୍ରଫାଇଲ ମୁସେୱାଲା ହତ୍ୟାକାଣ୍ଡ ମାମଲାରେ ଜାଘବର ନାଁ ସାମନାକୁ ଆସିବା ପରେ ମୁମ୍ବାଇ ପୋଲିସ ଚଢାଉ ଜୋରଦାର କରିଥିଲା  । ୨୦୨୧ ହତ୍ୟାକାଣ୍ଡ ପରେ ଜାଘବକୁ ଆଶ୍ରୟ ଦେବା ଅଭିଯୋଗରେ ଅଭିଯୁକ୍ତ ସ୍ବିଦେଶ କାମ୍ବଲେ ଓରଫ ମହାକାଳକୁ ବି ଗିରଫ କରିଛି ପୋଲିସ  । ମୁସେୱାଲା ହତ୍ୟାକାଣ୍ଡ ମାମଲାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଓ ପଞ୍ଜାବ ପୋଲିସ ଉଭୟ ଜାଘବ ଓ ମହାକାଳକୁ ପଚରାଉଚୁରା କରିଛି  ।

ସେପଟେ ସ୍କ୍ରିପ୍ଟ ରାଇଟର ସଲିମ ଖାନ ଓ ତାଙ୍କ ପୁଅ ଅଭିନେତା ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଚିଠି ମାମଲାରେ ମହାକାଳକୁ ପଚରାଉଚୁରା ଜାରି ରହିଛି  । ପୁଣେ ପୋଲିସ ଜାଘବର ପତ୍ତା କରିବା ପାଇଁ ଗତ ସପ୍ତାହରେ ଟିମକୁ ଗୁଜୁରାଟ ଓ ରାଜସ୍ଥାନ ପଠାଇଥିଲା   ।

ନ୍ୟାୟ ମାଗୁଛି ଦ୍ବିତୀୟ ସ୍ତ୍ରୀ, ୬ ବର୍ଷ ଧରି ଧୋକା ଦେଉଥିଲା ସ୍ବାମୀ

ବାଲେଶ୍ବର: ଲଭ, ସେକ୍ସ, ଧୋକା । ମୁମ୍ବାଇରେ ଦେଖା, ତାପରେ ବିବାହ । ବାହାଘରର କିଛିଦିନ ପରେ ଧୋକା ଦେଇ ଚାଲିଗଲା ସ୍ବାମୀ । ସ୍ବାମୀର ଠିକଣା ଖୋଜି ବାଲେଶ୍ବର ଖଇରା ନଟପଡ଼ାରେ ନ୍ୟାୟ ପାଇଁ ପହଞ୍ଚିଲା ବେଳକୁ ଖୋଲିଲା ସ୍ବାମୀର ଅସଲ ଗୁମର । ନଟପଡ଼ାର ନରେନ୍ଦ୍ର ବିଦାନ୍ତ ମୁମ୍ବାଇରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେଠାରେ ରାୟଗଡା ଜିଲ୍ଲାର ଜଣେ ଝିଅଙ୍କ ସହିତ ନରେନ୍ଦ୍ରର ଦେଖା ସାକ୍ଷାତ ପରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ ।

ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଓ କିଛିଦିନ ପରେ ଉଭୟ ରାୟଗଡ଼ାର ଏକ ଶିବ ମନ୍ଦିରରେ ବିବାହ କରିଥିଲେ । ହେଲେ ବାହାଘରର କିଛିଦିନ ପରେ ହଠାତ ନରେନ୍ଦ୍ର କାହାରିକୁ କିଛି ନକହି କେଉଁଆଡ଼େ ଚାଲିଯାଇଥିଲା । ନା ଫୋନ୍ ଉଠାଇଲା ନା ଫେରିଲା । ଅନ୍ୟପଟେ ନରେନ୍ଦ୍ରର ସ୍ତ୍ରୀ 3 ମାସର ଗର୍ଭବତୀ ଥିବା ସୂଚନା ମିଳିଛି ।

ଶେଷରେ ସ୍ବାମୀକୁ ଖୋଜିଖୋଜି ଆସି ଖଇରାରେ ପହଞ୍ଚିଲା ବେଳକୁ ୬ବର୍ଷ ପୂର୍ବରୁ ନରେନ୍ଦ୍ର ବିବାହିତ ଓ ତାର ୬ ବର୍ଷର ପୁଅ ଅଛି ବୋଲି ଜାଣିବାକୁ ପାଇଥିଲେ ପୀଡିତା । ଶେଷରେ ନ୍ୟାୟ ପାଇଁ ସ୍ଥାନୀୟ ସମାଜସେବୀ ଓ ମହିଳା ସଂଗଠନ ସହାୟତାରେ ଖଇରା ଥାନାର ଦ୍ବାରସ୍ଥ ହୋଇଛନ୍ତି ମହିଳା ଜଣକ । ନରେନ୍ଦ୍ରକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

 

ଆଜି ବାଚସ୍ପତି ନିର୍ବାଚନ, ଶପଥ ନେବେ ବିକ୍ରମ କେଶରୀ

ଭୁବନେଶ୍ବର: ଆଜି ବିଧାନସଭାରେ ବାଚସ୍ପତି ନିର୍ବାଚନ । ସ୍ବତନ୍ତ୍ର ଭାବେ ବିଧାନସଭାର ଦିନିକିଆ ଅଧିବେଶନ ବସିବ । ୨୪ତମ ବାଚସ୍ପତି ଭାବେ ନିର୍ଦ୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ ବିକ୍ରମ କେଶରୀ ଆରୁଖ । ୧୯୯୫ ମସିହାରୁ ଲଗାତର ଭାବେ ଭଞ୍ଜନଗରରୁ ବିଧାନସଭାକୁ ନିର୍ବାଚିତ ହୋଇଆସୁଛନ୍ତି ବିକ୍ରମ କେଶରୀ ଆରୁଖ ।

୨୦୦୮ ମସିହାରେ ସରକାରୀ ଦଳ ମୁଖ୍ୟ ସଚେତକ ଓ ୨୦୦୯ ମସିହାରୁ ୧୩ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଆଇନ, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ, ସଂସଦୀୟ ବ୍ୟାପାର ପରି ବହୁ ଗୁରୁତ୍ବ ପୂର୍ଣ୍ଣ ବିଭାଗର ମନ୍ତ୍ରୀ ଦାୟିତ୍ବ ତୁଲାଇ ସାରିଛନ୍ତି ।