spot_img
Home Blog Page 4246

ଭାଇ ହେଲା ଭଗାରୀ, ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଭାଇକୁ ହାଣିଲା ସାବତ ଭାଇ

ବାଲିପାଟଣା: ଭାଇ ହେଲା ଭଗାରୀ । ଭାଇକୁ ହାଣି ଦେଲେ ସାବତ ଭାଇ ଏବଂ ସାବତ ମାଆ । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଭାଇ ହେଲା ଭଗାରୀ । ଏପରି ଘଟଣା ଘଟିଛି ବାଲିପାଟଣା ଥାନା ସରାଟ ଗ୍ରାମରେ । ଗୁରୁତର ଅବସ୍ଥାରେ ଭାଇ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆକ୍ରମଣକାରୀ ସାବତ ଭାଇ ଦେବେନ୍ଦ୍ର ବେହେରା ଏବଂ ସାବତ ମାଆଙ୍କୁ ବାଲିପାଟଣା ପୋଲିସ୍ ଗିରଫ କରିଛି ।

ସୂଚନା ଅନୁସାରେ ସରାଟ ଗ୍ରାମର ସଂଜୟ ବେହେରା ଆଜି ସକାଳୁ ଖାଇବା ପରେ ହାତ ଧୋଉଥିଲେ । ଏହି ସମୟରେ ସଂଜୟଙ୍କର ସାବତ ଭାଇ ଦେବେନ୍ଦ୍ର ତାଙ୍କ ମୁଣ୍ଡକୁ କଟୁରୀରେ ହାଣି ଦେଇଥିଲା । ଏହା ସହ ସଂଜୟଙ୍କର ସାବତ ମାଆ ମଧ୍ୟ କୌଣସି ଏକ ଅସ୍ତ୍ରରେ ସଂଜୟଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ସଂଜୟ ଲହୁଲୁହାଣ ହୋଇଥିଲେ । ସଙ୍ଗେ ସଙ୍ଗେ ସଂଜୟଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସଞ୍ଜୟଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ ରେଫର କରାଯାଇଛି ।

ଅଭିବୃଦ୍ଧିରେ ଜଙ୍ଗଲ ସମ୍ପଦର ସିଂହଭାଗ

ଭୁବନେଶ୍ୱର: କରୋନା କାଳରେ ବନ କର୍ମଚାରୀମାନେ କାର୍ଯ୍ୟ କରିଛନ୍ତି । ସେମାନଙ୍କ କାମକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ବନଖଣ୍ଡ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଆଜି ଉଦଘାଟିତ ଏହି ରାଜ୍ୟସ୍ତରୀୟ ସମ୍ମିଳନୀ ଦୁଇ ଦିନ ଧରି ଚାଲିବ । ସମ୍ମିଳନୀରେ ପ୍ରଥମ ଦିନରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩.୫୦ ପ୍ରତିଶତ ଜଙ୍ଗଲ ବୃଦ୍ଧି ସହ ଜାତୀୟ ସ୍ତରରେ ତୃତୀୟ ହୋଇଛି ଓଡ଼ିଶା । ୧ ଲକ୍ଷ ୧୦ ହଜାର ହେକ୍ଟର ବନୀକରଣ ହୋଇଛି । ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।

ଏହି କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ । ରାଜ୍ୟର ଜଙ୍ଗଲ ସମ୍ପଦ ବିଶ୍ବରେ ଆମକୁ ନୂଆ ପରିଚୟ ଦେଇଛି । ଜୀବିକାସାଧନ ଜରିଆରେ ଆୟ ବୃଦ୍ଧି ପାଇଁ ସହାୟତା ଦିଆଯାଇଛି । ଜଙ୍ଗଲ ଯୋଜନାରେ ୨୦ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଙ୍ଗଲରେ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ବୃକ୍ଷରୋପଣ ଏକ ପ୍ରମୁଖ ଉପାଦାନ । ଜଙ୍ଗଲ ବିଭାଗ ବିହନ ବୁଣିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଯୋଡିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । 5T ଇନିସିଏଟିଭ୍ ଅଧୀନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ବହନ କରିବାକୁ ସେ ଅନୁରୋଧ କରିଛନ୍ତି ।

ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଜଙ୍ଗଲରେ ନିଆଁ ଲାଗିବା ୫୦ ପ୍ରତିଶତ କମିଛି । ଏହା ଲୋକଙ୍କ ସଚେତନତା ଯୋଗୁ ସମ୍ଭବ ହୋଇପାରିଛି । ଲୋକଙ୍କୁ ସଚେତନ କରୁଥିବା ବନ କର୍ମଚାରୀଙ୍କୁ ପ୍ରଶଂସା କରାଯାଇଛି । ରାଜ୍ୟରେ ୨୪ ବନଖଣ୍ଡରେ ୮୬ ରେଞ୍ଜରେ ହାତୀ ଯାତାୟତ କରନ୍ତି । ଲୋକଙ୍କୁ ସଚେତନ କରିବାକୁ ଗଜସାଥୀ ନିୟୋଜିତ ହୋଇଛନ୍ତି । ମୋବାଇଲ ମେସେଜରେ ହାତୀ ଚଳାଚଳ ନେଇ ସୂଚନା ମିଳୁଛି । ବିପୁଳ ଜଙ୍ଗଲ ସମ୍ପଦ ରହିଛି, ସଦୁପଯୋଗ କରି ଅଭିବୃଦ୍ଧି ଦିଗରେ ଲୋକଙ୍କ ସହଯୋଗ ଲୋଡିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ପରିବେଶ ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନତିକରଣ ୨୦୧୬-୧୭ରୁ ଆରମ୍ଭ ହୋଇଥିଲା । ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଉନ୍ନତି କରାଯାଇଛି । ୨୦୨୧-୨୨ରେ ୭୦ ହଜାର ୨୧୬ ପର୍ଯ୍ୟଟକ ଆସିଛନ୍ତି । ୫ ବର୍ଷରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

 

ଜରଡ଼ା ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଯାତ୍ରାପାର୍ଟି ବସ୍, ୧୩ ଯାତ୍ରା କାଳକାର ଗୁରୁତର

ଢ଼େଙ୍କାନାଳ: ମଦୁଆ ଡ୍ରାଇଭର ଓଲଟାଇ ଦେଲା ଯାତ୍ରାପାର୍ଟି ବସ । ଏହି ଦୁର୍ଘଟଣା ଫଳରେ ୧୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଗଡ଼ପଳାଶୁଣି ରାସ୍ତାର ଜରଡ଼ା ଘାଟି ନିକଟରେ ଓଲଟିଲା ଯାତ୍ରାପାର୍ଟି ବସ ଜଗଦମ୍ବା । ୧୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଏହି ବସରେ ପ୍ରାୟ ୩୫ ରୁ ୪୦ ଜଣ ଯାତ୍ରା କଳାକାର ଥିଲେ । ଯାତ୍ରାପାର୍ଟି ବସଟି କଙ୍କଡାହାଡ଼ ୩ନଂ କଲୋନୀରୁ ଦେବଗଡ଼ ଜିଲ୍ଲା ପଳସାବାହାଳକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଜରଡା ଘାଟିରେ ଓଲଟି ପଡିଥିଲା ।

ତେବେ ମଦ୍ୟପ ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସମସ୍ତ ଗୁରୁତର ଓ ଆହତ ଯାତ୍ରା କଳାକାରଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା । ସମ୍ବଲପୁରର ଜଗଦମ୍ବା ଅପେରା ଢେଙ୍କାନାଳ ଏବଂ ଏହାର ଆଖ ପାଖ ଅଂଚଳରେ କିଛି ବର୍ଷ ହେବ ଯାତ୍ରା ପରିବେଷଣ କରି ଆସୁଥିଲା । ଆଜି ଦେବଗଡ଼ ଅଂଚଳକୁ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା ।

ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲରେ ପଢ଼ା ହେବ ବିପର୍ଯ୍ୟୟ ପରିଚାଳନା

ଭୁବନେଶ୍ୱର: ଏଣିକି ସ୍କୁଲ ପିଲା ପଢ଼ିବେ ବିପର୍ଯ୍ୟୟ ପରିଚାଳନା । ଆସନ୍ତା ଶିକ୍ଷା ବର୍ଷ ଅର୍ଥାତ ୨୦୨୩ରୁ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବିପର୍ଯ୍ୟୟ ପରିଚାଳନା କୋର୍ସ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତା’ର ପାଠ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି । ୨୦୨୩ ପାଇଁ ଯେଉଁ ବହି ପ୍ରିଣ୍ଟ ହେଉଛି, ସେଥିରେ ଏହି ପାଠ୍ୟକ୍ରମ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । କେଉଁ କ୍ଲାସରେ ଏହି କୋର୍ସ ରହିବ ସେନେଇ SCERT ବିଚାର ବିମର୍ଷ କରୁଛନ୍ତି । ନବମ ଦଶମରେ କ’ଣ ରହିବ, ତଳ କ୍ଲାସରେ କେଉଁ କୋର୍ସ ରହିବ, ସେ ଦିଗରେ କାମ ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି ବିପର୍ଯ୍ୟୟ ପରିଚାଳନାକୁ ପାଠ୍ୟକ୍ରମରେ ସାମିଲ କରିବାକୁ । ତେଣୁ ଶୀଘ୍ର ତାକୁ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଚୀନର ଚୁଙ୍ଗକ୍ବିଙ୍ଗ ବିମାନବନ୍ଦରରେ ଅଘଟଣ, ବିମାନ ଉଡ଼ାଣ ସମୟରେ ରନଓ୍ୱେରେ ଖସିପଡ଼ି ଦୁର୍ଘଟଣା

ବେଜିଂ: ବିମାନବନ୍ଦରରେ ଜଳିଗଲା ବିମାନ । ଚୀନର ଚୁଙ୍ଗକ୍ୱିଙ୍ଗ ବିମାନବନ୍ଦରରେ ଘଟିଛି ଏଭଳି ଦୁର୍ଘଟଣା  । ତିବ୍ଦତ ଏୟାରଲାଇନ୍ସର ଏକ ବିମାନ ଉଡାଣ ସମୟରେ ରନଓ୍ବେରେ ଖସିଯିବାରୁ ଦୁର୍ଘଟଣାଗ୍ରସ୍ତ ହେବା ସହ ବିମାନରେ ହଠାତ ନିଆଁ ଲାଗିଯାଇଥିଲା । ଏଥିରେ  ମୋଟ ୧୨୨ ଜଣ ଥିଲେ ୧୧୩ ଜଣ ଯାତ୍ରୀ ଓ ୯ ଜଣ ବିମାନରେ ଥିବା କର୍ମଚାରୀ ଥିଲେ । ଉଡାଣ ବେଳେ ହିଁ ବିମାନରେ ନିଆଁ ଲାଗିଯାଇଥିଲା । ତେବେ ସମସ୍ତ ଯାତ୍ରୀ ଏବଂ ବିମାନ ମେମ୍ବରମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । କିଛି ଜଣ ଯାତ୍ରୀ ଆହତ ହୋଇଥିଲେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ବିମାନରେ କେମିତି ନିଆଁ ଲାଗିଲା କାରଣ ଜଣାପଡିନାହିଁ  ।

ସୂଚନା ଅନୁସାରେ, ବିମାନଟି ଚୀନର ଦକ୍ଷିଣପଶ୍ଚିମ ସହର ଚୋଙ୍ଗକ୍ୟୁଇଙ୍ଗରୁ ଲୋକଙ୍କ ଧରି ତିବ୍ବତର ନୟିଙ୍ଗଚିକୁ ଯିବାର ଥିଲା । ତେବେ ଟେକଅପ ବେଳେ ବିମାନଟି ଯାତିନ୍ତ୍ର ତ୍ରୁଟିରେ ସମ୍ମୁଖୀନ ହୋଇଥିଲା । ଏହାପରେ ଏହି ବିମାନର ଉଡ଼ାଣକୁ ବାତିଲ କରାଯାଇଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନଟି ରନ-ୱେ ଅତିକ୍ରମ କରି ଆଗକୁ ମାଡ଼ି ଯାଇଥିଲା । ଫଳରେ ବିମାନର ବାମ ପାର୍ଶ୍ୱରେ ନିଆଁ ଲାଗି ଯାଇଥିଲା । ଏଥିସହ ବିମାନର ଗୋଟିଏ ଡେଣାର କିଛି ଅଂଶ ମଧ୍ୟ ନିଆଁରେ ଧ୍ୱଂସ ହୋଇ ଯାଇଛି।

ଇଡି ପଞ୍ଝାରେ ଖଣି ମାଲିକ ଜିତେନ୍ଦ୍ର ନାଥ ପଟ୍ଟନାୟକ, ୧୩୩ କୋଟିର ଫିକ୍ସ ଡିପୋଜିଟ୍ ସିଜ୍

ଖୋର୍ଦ୍ଧା: ସିଜ୍ ହେଲା ଖଣି ମାଲିକ ଜିତେନ୍ଦ୍ର ନାଥ ପଟ୍ଟନାୟକ ସମ୍ପତ୍ତି । ଇଡିର ଚଢ଼ାଉରେ ୧୩୩ କୋଟିର ଫିକ୍ସ ଡିପୋଜିଟ୍‌ ସିଜ୍ ହୋଇଥିବାବେଳେ ୬୯ ଲକ୍ଷ ଟଙ୍କା ଜବତ କରିଥିଲା ଇଡି । ଏହି ସବୁ ସମ୍ପତ୍ତିକୁ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସୂଚନା ଅନୁସାରେ ବେଆଇନ ଖଣି କାରବାର ଓ ମନି ଲଣ୍ଡରିଂ ମାମଲାରେ ବୁଧବାର ଖଣି ମାଲିକ ତଥା ଚମ୍ପୁଆର ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ରେଡ୍ କରିଥିଲା ଇଡି । ଜିତେନ୍ଦ୍ରଙ୍କ ଚାରୋଟି ଖଣି ଉପରେ ଚଢାଉ କରିଛି ତଦନ୍ତକାରୀ ସଂସ୍ଥା । ଟଙ୍କା ହେରଫେର ଅଭିଯୋଗରେ ଚଢାଉ କରାଯାଇଥିଲା । ଗତକାଲି ସକାଳ ୮ଟାରୁ ଯୋଡାର ୨ଟି ଓ ଭୁବନେଶ୍ବରର ଦୁଇଟି ସ୍ଥାନରେ ଚଢ଼ାଉ ଜାରି ହୋଇଥିଲା । ଭିଜିଲାନ୍ସ ପକ୍ଷରୁ ରୁଜୁ ହୋଇଥିବା ଏକ ମାମଲା ଆଧାରରେ ଇଡି ରେଡ୍ କରିଛି ।

ଉତ୍ତର କୋରିଆରେ ଚିହ୍ନଟ ହେଲା ପ୍ରଥମ କୋଭିଡ ମାମଲା

ଉତ୍ତର କୋରିଆ: ଉତ୍ତର କୋରିଆରେ ଚିହ୍ନଟ ହେଲା ପ୍ରଥମ କୋଭିଡ ମାମଲା । ଏନେଇ ସାରା ଦେଶରେ ଲକଡାଉନ ଘୋଷଣା ସହ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କଲା ଉତ୍ତର କୋରିଆ । ଦେଶରେ କୋଭିଡ ମାମଲା ଚିହ୍ନଟ ହେବାପରେ ଏମରଜେନ୍ସି ଘୋଷଣା ହୋଇଛି । କୋଭିଡକୁ ନିୟନ୍ତ୍ରଣ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ୨୦୨୦ ପରଠାରୁ ଉତ୍ତର କୋରିଆରେ କରୋନା ଗୋଟିଏ ବି ମାମଲା ଚିହ୍ନଟ ହୋଇନଥିଲା । ପରିସ୍ଥିତିକୁ ଦେଖି କିମ୍‌ ଜଙ୍ଗ୍‌ ଏକ ବୈଠକ ଡାକି ନିଷ୍ପତ୍ତି ନେଇଛନ୍ତି । ଜ୍ୱର ଓ ଥଣ୍ଡାରେ ପୀଡ଼ିତ ଥିବା ଜଣେ ବ୍ୟକ୍ତିଙ୍କଠାରୁ ନିଆଯାଇଥିବା ନମୁନାରୁ ଜଣାପଡ଼ିଛି ଯେ, ସେ କୋଭିଡର ଓମିକ୍ରନ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି ।

ସ୍ୱିଡେନ ସହ ବ୍ରିଟେନର ପ୍ରତିରକ୍ଷା ରାଜିନାମା, ଋଷ ଆକ୍ରମଣ କଲେ ମିଳିବ ସହାୟତା

କିଭ୍: ଋଷ ଓ ୟୁକ୍ରେନ ଯୁଦ୍ଧର ପ୍ରଭାବ ୟୁରୋପର କିଛି ଅଣନାଟୋ ଦେଶ ଉପରେ ପଡ଼ିଛି । ସ୍ୱିଡେନ ଓ ଫିନଲାଣ୍ଡ ଭଳି ନିରପେକ୍ଷ ଦେଶ ମଧ୍ୟ ଏବେ ଋଷ ଓ ୟୁକ୍ରେନ ଆକ୍ରମଣକୁ ଖୋଲାଖୋଲି ବିରୋଧ କରିଛନ୍ତି । ଏସବୁ ମଧ୍ୟରେ ସ୍ୱିଡେନ ସହ ଏକ ସୁରକ୍ଷା ଚୁକ୍ତି କରିଛି ବ୍ରିଟେନ । ଯଦି ସ୍ୱିଡେନ ଉପରେ ଆକ୍ରମଣ ହୁଏ, ତାହା ହେଲେ ବ୍ରିଟେନ ସହାୟତା କରିବ । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଓ ସ୍ୱିଡେନ୍ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି । ଫିନଲାଣ଼୍ଡ ସହ ମଧ୍ୟ ବ୍ରିଟେନ ଏଭଳି ଏକ ଚୁକ୍ତି କରିବା ସମ୍ଭାବନା ରହିଛି ।

ସେପଟେ ୭୭ ଦିନରେ ପହଞ୍ଚିଛି ଋଷ-ୟୁକ୍ରେନ ଯୁଦ୍ଧ । ଥମିବାର ନାଁ ନେଉନି ସମର । ବର୍ତ୍ତମାନ ସୁଦ୍ଧା ୨୬ ହଜାର ୩୫୦ ଋଷ ସୈନ୍ୟ ପ୍ରାଣ ହରାଇଛି ବୋଲି ଦାବି କରିଛି ୟୁକ୍ରେନ । ଏହା ସହ ୧୯୯ ବିମାନ, ୧୬୦ ହେଲିକପ୍ଟର, ୧୧୮୭ ଟ୍ୟାଙ୍କ, ୩୯୦ ୟୁଏଭି ନଷ୍ଟ ହୋଇଛି ବୋଲି ସୂଚନା ଦେଇଛି ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ । ତେଣେ ଆମେରିକାଠାରୁ ୟୁକ୍ରେନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଲାଭ କରି ଯୁଦ୍ଧକୁ ଜୋରଦାର କରୁଥିବାବେଳେ କୃଷ୍ଣସାଗରରେ ଋଷ ମୁତୟନ କରିଛି ୬ଟି ଯୁଦ୍ଧ ଜାହାଜ, ୨ଟି ବୁଡ଼ାଜାହାଜ । ଏହି ଜାହାଜରେ ୫୦ରୁ ଅଧିକ କ୍ରୁଜ୍ ମିଜାଇଲ ଖଞ୍ଜାଯାଇଥିବା ସୂଚନା ମିଳିଛି ।

ଶତ୍ରୁରାଷ୍ଟ୍ରଙ୍କ ବିରୋଧରେ ଖୁବ୍ ଶୀଘ୍ର ବିଭିନ୍ନ ସ୍ଥାନରେ ଜଳ, ସ୍ଥଳ ଓ ଆକାଶକୁ ନିକ୍ଷେପ ହୋଇପାରୁଥିବା ହାଇପରସୋନିକ ମିସାଇଲ ମୁତୟନ କରିବାକୁ ଘୋଷଣା କରିଛି ଋଷ । ତେଣେ ୟୁକ୍ରେନକୁ ଟକ୍କର ଦେବାକୁ ଋଷ ମୁତୟନ କରିଛି ଅତ୍ୟାଧୁନିକ BMP-1AM ଲଢୁଆ ଯାନ । ଉଭୟ ରାତି ଓ ଦିନରେ ଅପରେଟ ହୋଇପାରୁଥିବା ଏହି ଟ୍ୟାଙ୍କ ୟୁକ୍ରେନ ଲାଗି ବିପଦ ସାବ୍ୟସ୍ତ ହେବ । ସେପଟେ ଅର୍ଥନୈତିକ ସଙ୍କଟ ଘନୀଭୂତ ହେଉଥିବାବେଳେ ଋଷର ୪ଜଣ ଆଞ୍ଚଳିକ ଗଭର୍ଣ୍ଣର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତୋମସ୍କ, ସାରାତୋଭ, କିରୋଭ ଓ ମାରିଏଲର ଗଭର୍ଣ୍ଣର ଅର୍ଥନୈତିକ ସଂକଟ ଓ ଅନ୍ୟାନ୍ୟ କାରଣ ଦର୍ଶାଇ ଏହି ପଦକ୍ଷେପ ନେଇଛନ୍ତି । ତେଣେ ୟୁକ୍ରେନକୁ ଆମେରିକା ୪୦ ବିଲିୟନ ଡଲାର ସାମରିକ ଓ ମାନବିକ ସହାୟତା ଯୋଗାଇବାକୁ ନିଷ୍ପତ୍ତି ନେଇଛି ।

ଶ୍ରୀଲଙ୍କା ରାଷ୍ଟ୍ରପତି ରାଜପକ୍ଷଙ୍କ ଘୋଷଣା, ସପ୍ତାହରେ ଦେଶରେ ନିଯୁକ୍ତ ହେବେ ନୂଆ ପ୍ରଧାନମନ୍ତ୍ରୀ

କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଘୋଷଣା । ଚଳିତ ସପ୍ତାହରେ ଦେଶରେ ନିଯୁକ୍ତ ହେବେ ନୂଆ ପ୍ରଧାନମନ୍ତ୍ରୀଙ୍କ ସମେତ କ୍ୟାବିନେଟ । ସେ କହିଛନ୍ତି ଦେଶରେ ଅସ୍ଥିରତା ଦୂର ଲାଗି ଖୁବ୍ ଶୀଘ୍ର ନୂଆ ସରକାର ଗଠନ ହେବ । ଏହାସହ ସମ୍ବିଧାନର ଧାରା ୧୯ରୁ ସଂଶୋଧନ କରାଯିବ । ଯାହାଫଳରେ ପାର୍ଲାମେଣ୍ଟ ଅଧିକ କ୍ଷମତାଶାଳୀ ହେବ । ସେପଟେ ଇସ୍ତଫା ଦେଇଥିବା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ କେଉଁଠାରେ ଅଛନ୍ତି ତାହାର ସୂଚନା ମିଳିପାରିନାହିଁ ।

ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଓ ରାଜନୈତିକ ଅସ୍ଥିରତାକୁ ନେଇ କୁହୁଳୁଥିବା ହିଂସା ଚରମ ସୀମାରେ ପହଞ୍ଚିଛି । ପୋଡ଼ାଜଳା, ବିକ୍ଷୋଭ ଯୋଗୁ ସାରାଦେଶରେ ବ୍ୟାପକ ଅରାଜକତା ଜାରି ରହିଛି । ସଡ଼କରେ ହିଂସା ରୋକିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ସୁଟ୍ ଅନ୍ ସାଇଟ୍ ଅର୍ଡର ଦେଇଛି । ସେପଟେ ଶ୍ରୀଲଙ୍କାରେ ଲୋକତନ୍ତ୍ର, ସ୍ଥିରତା, ଆର୍ଥିକ ସୁଧାର ପାଇଁ ଭାରତ ସବୁ ପ୍ରକାର ସହଯୋଗ ଜାରି ରଖିଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ସଚିବ ଅରିନ୍ଦମ ବାଗଚୀ କହିଛନ୍ତି ।

ଆଜିଠୁ ରାଜ୍ୟରେ ବଦଳିବ ପାଣିପାଗ, ମେଘମୁକ୍ତ ଆକାଶ ସହ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର: ଦୂର ହେଲା ବାତ୍ୟା ଭୟ । ବାତ୍ୟା ସ୍ଥଳଭାଗ ଛୁଇଁ ସାରିଥିବାରୁ ଓଡ଼ିଶାର ସବୁ ବନ୍ଦରରୁ ବିପଦ ସଙ୍କେତ ଉଠାଇ ଦିଆଯାଇଛି । ଆସନ୍ତାକାଲିଠୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବାର ସମ୍ଭାବନା ରହିଛି । ଆଜିଠୁ ରାଜ୍ୟରେ ବଦଳିବ ପାଣିପାଗର ମିଜାଜ୍ । ମେଘମୁକ୍ତ ଆକାଶ ସହ ତାପମାତ୍ରା ବୃଦ୍ଧି ପାଇବ । ଆଭ୍ୟନ୍ତରୀଣ ଓଡ଼ିଶାରେ ଏବେ ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମ୍ ରହିଛି । ଉପକୂଳ ଓଡ଼ିଶାରେ ମଧ୍ୟ ସ୍ଥିତି ସମାନ ରହିଛି । ଦୁଇଦିନ ଭିତରେ ସବୁ ଅଞ୍ଚଳରେ ତାପମାତ୍ରା ସ୍ବାଭାବିକ ହେବ । ୧୫ ତାରିଖ ବେଳକୁ ସ୍ୱାଭାବିକଠାରୁ ଉପରମୁହାଁ ହେବ ପାରଦ । ଫଳରେ ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୪ ଡିଗ୍ରୀ ପହଞ୍ଚି ପାରେ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।