ଦୁଇ ଦିନ ପରେ ମନର କଥା କହିବେ ବାବୁସାନ

ଭୁବନେଶ୍ବର: ବହୁ ବାଦ ବିବାଦ ଓ ସସପେନ୍ସ ପରେ ଭୁବନେଶ୍ବର ଫେରିଲେ ବାବୁସାନ । ବିମାନବନ୍ଦରରେ ପହଞ୍ଚିବା ପରେ ସିଧା ଘରକୁ ପଳାଇଥିଲେ । ବାବୁ ଗଣମାଧ୍ୟମ ଆଗରେ କିଛି କହି ନଥିଲେ ବି ମାଆ ଅପରାଜିତାଙ୍କ ପ୍ରତିକ୍ରିୟା ଆସିଛି । ସେ ବାବୁସାନଙ୍କ ପାଇଁ ଦୁଇଦିନ ସମୟ ମାଗିଛନ୍ତି । ବାବୁ ତା’ ମନର କଥା କହିବ ବୋଲି ସେ କହିଛନ୍ତି ।

ଅପରାଜିତା କହିଛନ୍ତି, ‘ଦୁଇ ଦିନ ସମୟ ଦିଅନ୍ତୁ । ବାବୁସାନ ତା’ ମନର ସମସ୍ତ କଥା ଆପଣମାନଙ୍କୁ କହିବ । ଆପଣମାନଙ୍କ ଭଲ ପାଇବା ପାଇଁ ବାବୁସାନ ଫେରି ଆସିଛି । ଏବେ ସେ ରେଷ୍ଟ ନେଉଛି ଦୟାକରି ଘର ଆଗରେ ଭିଡ଼ କରନ୍ତୁ ନାହିଁ ।’

ଅନ୍ୟପକ୍ଷରେ ବାବୁସାନଙ୍କ ପରିବାର ପକ୍ଷରୁ ଅଭିନେତା ରବି ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘ଘରକୁ ଫେରିବା ପରେ ବାବୁସାନଙ୍କୁ ପରିବାର ଲୋକ ବୁଝାସୁଝା କରିଛନ୍ତି । ପରିବାର ବଡ଼, ପରିବାରକୁ ଛାଡି ଆଉ କିଛିନାହିଁ । ବାବୁ ଘରକୁ ଆସିଲା ପରେ ତାଙ୍କ ମା’ଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ଏ ପ୍ରସଙ୍ଗରେ ବାବୁସାନ୍ ଖୁବଶୀଘ୍ର ପ୍ରତିକ୍ରିୟା ରଖିବେ ।’

ଏହାସହ ବାବୁସାନଙ୍କ ପତ୍ନୀ ତୃପ୍ତି ଏବେ ତାଙ୍କ ବାପ ଘରେ ଥିବା ରବି ପ୍ରକାଶ କରିଛନ୍ତି ।

ସୁରକ୍ଷା ମାଗିଲେ ଅପରାଜିତା

୪ ଦିନ ପରେ ବାବୁସାନ ଫେରିବା ପରେ ଘର ଆଗରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ବହୁ ଚିହ୍ନା, ଅଚିହ୍ନା ମୁହଁ ଦେଖିବାକୁ ମିଳୁଛି । ତେଣୁ ପରିବାର ପ୍ରତି ବିପଦ ଥିବା କହି କମିଶନରେଟ ପୋଲିସକୁ ସୁରକ୍ଷା ମାଗିଛନ୍ତି ଅପରାଜିତା । ପରିବାର ପ୍ରତି ବିପଦ ଥିବା ଅପରାଜିତା କହିବା ସହ ଗଣମାଧ୍ୟମ ସହ କିଛି ଅଚିହ୍ନା ଲୋକ ଥିବା ସୂଚନା ଦେବା ସହ ତୁରନ୍ତ ପୋଲିସ ପଠାଇବାକୁ ଅନୁରୋଧ କରିଛନ୍ତି ।

ଘର ନିକଟରେ ଭରତପୁର ଥାନା ପୋଲିସ ନଜର ରଖିଛି । ଆସନ୍ତାକାଲି ବାବୁସନଙ୍କୁ ପଚରାଉଚରା କରାଯାଇପାରେ । ସେ ଅସୁସ୍ଥତା ଅନୁଭବ କରୁଥିବାରୁ ଜେରା ହୋଇପାରିନି । ଏହାସହ ତଦନ୍ତକାରୀ ଅଧିକାରୀଙ୍କ ସହ ବାବୁସାନ କଥା ହୋଇଛନ୍ତି । ତଦନ୍ତରେ ସେ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ଅପରାଜିତା କହିଛନ୍ତି ।