ପାକିସ୍ତାନ ଇତିହାସରେ ପ୍ରଥମ, ହିନ୍ଦୁ ମହିଳା ଡିଏସପି ନିଯୁକ୍ତ

1 min read

ସିନ୍ଧ: ପାକିସ୍ତାନ ସୁରକ୍ଷା ଦାୟିତ୍ବରେ ହିନ୍ଦୁ ପୋଲିସ ଅଫିସର । ଉଦାହରଣ ସୃଷ୍ଟି କଲେ ମନୀଷା ରୋପେତା । ହିନ୍ଦୁ- ମୁସଲିମଙ୍କୁ ନେଇ ଯେଉଁ ଅପପ୍ରଚାର ଚାଲିଛି ତାହାକୁ ମିଥ୍ୟା ପ୍ରମାଣିତ କରିଛନ୍ତି ମନୀଷା । ପାକିସ୍ତାନ ଇତିହାସରେ ପ୍ରଥମ ଥର ଲାଗି ହିନ୍ଦୁ ମହିଳା ମନୀଷା ହୋଇଛନ୍ତି ପ୍ରଥମ ମହିଳା ଡିଏସପି ।

ପାକିସ୍ତାନ ଲାଗି ସେ କେବଳ ଗର୍ବ ସାଉଁଟି ନାହାନ୍ତି, ନାରୀ ସୁରକ୍ଷାର ବି ବାର୍ତ୍ତାବହ ସାଜିଛନ୍ତି ମନୀଷା । ମୁସଲିମବହୁଳ ଦେଶ ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଥିବା ଖବର ବାରମ୍ବାର ପ୍ରସାରିତ ହେଉଥିବା ବେଳେ ୨୬ ବର୍ଷ ବୟସ୍କା ମନୀଷା ସୃଷ୍ଟି କରିଛନ୍ତି ନୂଆ ଉଦାହରଣ । ସିନ୍ଧ ପୋଲିସରେ ସେ ହୋଇଛନ୍ତି ଡିଏସପି । ପାକିସ୍ତାନ ପୋଲିସରେ ସାଧାରଣତଃ ପୁରୁଷଙ୍କ ଆଧିପତ୍ୟ ରହୁଥିବାବଳେ ସଂଖ୍ୟାଲଘୁ ହୋଇ ମଧ୍ୟ ମନୀଷା ସାଜିଛନ୍ତି ସୁରକ୍ଷାର ଦୂତ ।

ସିନ୍ଧ ପ୍ରଜାତନ୍ତ୍ରର ଜାକୋବାବାଦ ଅନ୍ତର୍ଗତ ଏକ ମଧ୍ୟବିତ୍ତ ପରିବାରରେ ମନୀଷାଙ୍କ ଜନ୍ମ । ଗତବର୍ଷ ହୋଇଥିବା ସିନ୍ଧ ପବ୍ଲିକ ସର୍ଭିସ କମିଶନ ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୫୨ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କ ମଧ୍ୟରେ ୧୬ତମ ରାଙ୍କରେ ଥିଲେ ମନୀଷା । ସେ ବର୍ତ୍ତମାନ ପ୍ରଶିକ୍ଷଣ ଲାଭ କରୁଛନ୍ତି ଏବଂ କିଛି ଦିନ ପରେ ଲିଆରିରେ ଡିଏସପି ଭାବେ ପାଇବେ ନିଯୁକ୍ତି ।

ସେ କହିଛନ୍ତି- ଜଣେ ପୋଲିସ ଅଫିସର ଭାବେ ତାଙ୍କୁ ନିଯୁକ୍ତି ମିଳିବା ହେଉଛି ମହିଳା ସଶକ୍ତିକରଣର ଏକ ସଙ୍କେତ । ପୋଲିସ ବାହିନୀରେ ସେ ଲିଙ୍ଗଗତ ସମାନତା ଦିଗରେ କାର୍ଯ୍ୟ କରିବେ ଏବଂ ନାରୀ ଶକ୍ତିର ଉତ୍ଥାନ ଦିଗରେ ବ୍ରତୀ ହେବେ । ପୁରୁଷ ପ୍ରଧାନ ପାକିସ୍ତାନରେ ମହିଳାମାନେ ନିର୍ଯାତିତ ଅବସ୍ଥାରେ କାଳ କାଟୁଛନ୍ତି । ପୋଲିସର କାର୍ଯ୍ୟକଳାପ ଜରିଆରେ ସେ ପ୍ରେରଣା ଲାଭ କରିବା ସହ ପୋଲିସର କାର୍ଯ୍ୟ ପ୍ରତି ଆଗ୍ରହୀ ଅଛନ୍ତି ।