spot_img
Home Blog Page 4224

ନବୀନଙ୍କୁ ପାନଗାରିଆଙ୍କ ପ୍ରଶଂସା, ଦାରିଦ୍ର୍ୟ ହଟାଇବାରେ ଓଡ଼ିଶା ଉଦାହରଣ

ଭୁବନେଶ୍ୱର: ଦିନେ ଭୋକର ଭୂଗୋଳ କହିଲେ ସାରା ବିଶ୍ୱରେ ଚିତ୍ରିତ ହେଉଥିଲା ଓଡ଼ିଶା । କିନ୍ତୁ ଏହି ଦୁର୍ନାମ ଏବେ ଆଉ ନାହିଁ । ଭୋକିଲା ରାଜ୍ୟରୁ ବଳକା ଖାଦ୍ୟଶସ୍ୟ ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା । ଏହା ସହ ଗରିବୀ କମାଇବାରେ ମଧ୍ୟ ଜାତୀୟସ୍ତରରେ ରେକର୍ଡ କରିଛି ଓଡ଼ିଶା । ସାରା ଦେଶ ନବୀନଙ୍କ ଏହି ବିକାଶ ମଡେଲକୁ ଅନୁକରଣ କରୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କୁ ଭୂୟଶୀ ପ୍ରଶଂସା କରି ଏମିତି ଦର୍ଶାଇଛନ୍ତି ନୀତି ଆୟେଗର ପ୍ରଥମ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆ ।

ଏକ ଇଂରାଜୀ ଖବରକାଗଜରେ ପାନଗାରିଆ ଦର୍ଶାଇଛନ୍ତି ଯେ ୧୯୯୩ରେ ରାଜ୍ୟରେ ଗରିବୀ ହାର ୪୮.୬ ଥିବା ବେଳେ ୨୦୧୫ରେ ଏହା ଦ୍ରୁତଗତିରେ ହ୍ରାସ ପାଇ ୨୯.୩କୁ ଖସିଥିଲା । ଓଡ଼ିଶାର ସାମଗ୍ରିକ ବିକାଶର ଏହା ଉତ୍କୃଷ୍ଟ ଚିତ୍ର । ୨୦୦୦ ମସିହାରେ ନବୀନ ପଟ୍ଟନାୟକ ଶାସନ ଭାର ସମ୍ଭାଳିବା ବେଳକୁ ମୁଣ୍ଡପିଛା ଆୟରେ ଓଡ଼ିଶା ତଳଆଡୁ ତୃତୀୟ ସ୍ଥାନରେ ଥିଲା । ୨୦୦୦ ମସିହାରେ ରାଜ୍ୟରେ ମୁଣ୍ଡପିଛା ଆୟ ମାତ୍ର ୧୭ ହଜାର ୬୫୦ ଟଙ୍କା ଥିବା ବେଳେ ୨୦୧୯-୨୦ରେ ଏହା ୮୨ ହଜାର ୨୫୭ରେ ପହଞ୍ଚିଛି ।

୧୯୯୯ ମହାବାତ୍ୟା ପରେ ରାଜ୍ୟର ଏକ ପ୍ରତିକୂଳ ସ୍ଥିତିରୁ ରାଜ୍ୟକୁ ଦେଶର ଅଗ୍ରଣୀ ରାଜ୍ୟ ପରିଣତ କରିଛନ୍ତି ନବୀନ ପଟ୍ଟନାୟକ । ନବୀନଙ୍କ ଦୂରଦୃଷ୍ଟି, ସ୍ୱଚ୍ଛ ଓ ସ୍ଥିର ସରକାର ଯୋଗୁଁ ଏହା ସମ୍ଭବ ହୋଇପାରିଛି । ନୀତି ଆୟୋଗର ପ୍ରଥମ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆଙ୍କ ସ୍ତମ୍ଭ ତଥ୍ୟ ସମ୍ଭଳିତ ଏବଂ ଓଡ଼ିଶାର ପରିବର୍ତ୍ତିତ ବିକାଶର ପ୍ରକୃତ ଚିତ୍ର ବୟାନ କରୁଛି ।

ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ଜିତାଇବାକୁ ଅଣ୍ଟା ଭିଡ଼ିଲା ବିଜେଡି

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଯୋଗାଡ଼ ଲାଗି କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍‌ । ମନ୍ତ୍ରୀ ତୁଷାରକାନ୍ତି ବେହେରା, ପ୍ରୀତି ରଞ୍ଜନ ଘଡ଼ାଇ ପ୍ରମୁଖ ରାଜନ ଏକ୍କାଙ୍କୁ ଭେଟି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କହିଛନ୍ତି । ବିଧାୟକ ସ୍ନେହାଙ୍ଗିନୀ ଛୁରିଆ ଓ ରାଜକିଶୋର ଦାସ ମଧ୍ୟ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ବାର୍ତ୍ତା ଦେଇଛନ୍ତି ବିଜେଡି ଟିମ୍ ।

ବିପୁଳ ଭୋଟ ଦେଇ ମାଟିର ଝିଅଙ୍କୁ ରାଷ୍ଟ୍ରପତି କରିବାକୁ ସେମାନେ ଏକ୍କାଙ୍କୁ ନିବେଦନ କରିଛନ୍ତି । ଏକ୍କା ନିଜେ ଜଣେ ଆଦିବାସୀ ହୋଇଥିବାରୁ ଆଦିବାସୀ ଅଧିକାର ପାଇଁ ଭୋଟ ଦେବାକୁ ସେମାନେ ଅନୁରୋଧ କରିଛନ୍ତି । କଂଗ୍ରେସର ନୀତି ଆଦର୍ଶ ବିଜେପିଠାରୁ ଅଲଗା । କଂଗ୍ରେସ ଗାନ୍ଧୀ ଆଦର୍ଶରେ ଚାଲିଛି । ଯଶୱନ୍ତ ସିହ୍ନାଙ୍କୁ ଦଳ ବହୁ ଆଗରୁ ପ୍ରାର୍ଥୀ କରିଛି । ତେଣୁ ଦ୍ରୌପଦୀଙ୍କୁ ସମର୍ଥନର ପ୍ରଶ୍ନ ଉଠୁନାହିଁ ବୋଲି କହିଲେ ଏକ୍କା । ସେପଟେ କଂଗ୍ରେସର ସବୁ ବିଧାୟକଙ୍କୁ ଭେଟିବେ ବିଜେଡିର ଭିନ୍ନ ଭିନ୍ନ ପ୍ରତିନିଧି ଦଳ ।

ରାଉରକେଲାରେ ୩୧୧ କୋଟି ଜିଏସଟି ଠକେଇ ଅଭିଯୋଗ, ୫ ଗିରଫ

ରାଉରକେଲା: ବଡ଼ ଧରଣର ଜିଏସଟି ଠକେଇ । ୩୧୧ କୋଟି ଜିଏସଟି ଠକେଇ ଅଭିଯୋଗ । ଜିଏସଟି ଠକେଇ ଅଭିଯୋଗରେ ୫ ଜଣ ବ୍ୟବସାୟୀ ଗିରଫ ହୋଇଛନ୍ତି । ଗିରଫଙ୍କ ମଧ୍ୟରେ ୪ ଜଣ ରାଉରକେଲାର ହୋଇଥିବାବେଳେ ଜଣେ ସୁନ୍ଦରଗଡ଼ ଅଞ୍ଚଳର । ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ଟିମ୍ ପଷରୁ ୫ ଜଣଙ୍କୁ ଗିରଫ କରାଯାଇଛି । ତେବେ ଏବେବି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ ଗିରଫ ୫ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଗିରଫ ଅଭିଯୁକ୍ତ ହେଲେ ଧନବାନ ସା, ରାମଭରୋସେ ସା, ନିକୁ ସିଂ, ସୁବାଶ କାଣ୍ଡୁଲାନା ଓ ମନୋଜ ପାଣ୍ଡେ । ଜାଲି କାଗଜପତ୍ରରେ ୩୧୧ କୋଟି ଜିଏସଟି ଠକିଥିବା ଅଭିଯୋଗ । ୨୩ ଜାଲି ସଂସ୍ଥା ଓ ୩ଟି କମ୍ପାନୀ ଜରିଆରେ ଠକିଥିବା ଅଭିଯୋଗ । ୩ଟି କମ୍ପାନୀ ମଧ୍ୟରୁ ଗୋଟିଏ ଜାଲି କମ୍ପାନୀ ଥିବା ଜିଏସଟି ପକ୍ଷରୁ ସୂଚନା ।

ବଲାଙ୍ଗୀର ଧୂମାମରା ଜମି କେଳେଙ୍କାରୀ ମାମଲା, ରେକର୍ଡ କିପରକୁ ରାତି ଅଧିଆ ଉଠାଇ ନେଲା ପୋଲିସ

ବଲାଙ୍ଗୀର: ବଲାଙ୍ଗୀର ଧୂମାମରା ଜମି କେଳେଙ୍କାରୀ ଘଟଣା । ତହସିଲ କାର୍ଯ୍ୟାଳୟ ରେକର୍ଡ କିପର ମକରଧ୍ୱଜ କାଳସାଏକୁ ରାତିରେ ଟେକିନେଲା ସଦର ଥାନା ପୋଲିସ । ଥାନାରେ ଜମି ଠକେଇ ନେଇ ପଚାରଉଚୁରା କରୁଛି ପୋଲିସ । ଧୁମାମରା ଗାଁର ମୃତ ହର୍ଷ ଷାଣ୍ଢଙ୍କ ଜମି ଚଞ୍ଚକତା କରି ଜମି ମାଫିଆ ମାଧବ ପୃଷ୍ଟି ଉତ୍ତମ ନାଗକୁ ଢାଲ କରି ମୂଲ୍ୟବାନ୍ ଦେଢ଼ ଏକର ଜମି ସ୍ତ୍ରୀ ଲବଣି ପୃଷ୍ଟି ନାଁରେ କରିଦେଇଥିଲେ । ଏନେଇ ମୃତ ଜମି ମାଲିକ ହର୍ଷ ଷାଣ୍ଢଙ୍କ ପୁଅ ଥାନାରେ ଅଭିଯୋଗ କରିବା ପରେ ସଦର ଥାନା ପୋଲିସ ମୋଟ ୯ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ତିନି ଜଣ ଗିରଫ ହୋଇ ଜେଲ ଯାଇଛନ୍ତି । ଏହି ଜମି କେଳେଙ୍କାରୀ ଘଟଣାରେ ତହସିଲଦାର, ପୂର୍ବତନ ସବ୍ ରେଜିଷ୍ଟାର ପଦ୍ମନାଭ ପୁରୋହିତଙ୍କ ସମେତ ବହୁ ଅଧିକାରୀ, କର୍ମଚାରୀ ପୋଲିସ ସ୍କାନରରେ ଅଛନ୍ତି ।

ରାଜଧାନୀରେ ପୁଣି ରାଗିଂ, ମଦ ପିଇବାକୁ ଟଙ୍କା ନଦେବାରୁ ମାଡ଼ ମାରିଲେ ୩ ସିନିୟର

ଭୁବନେଶ୍ୱର: ରାଜଧାନୀରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ବେସିକ ସାଇନ୍ସ କଲେଜରେ ରାଗିଂକୁ ନେଇ ଏତଲା । ଖଣ୍ଡଗିରି ଥାନାରେ ଏତଲା ଦେଲେ ଛାତ୍ର ସୋମନାଥ ସେଠୀ । ସୋମନାଥ ଯୁକ୍ତ ୩ ଦ୍ଵିତୀୟ ବର୍ଷର ଛାତ୍ର । ୩ ଜଣ ସିନିୟର ଛାତ୍ର ତାଙ୍କୁ କାଠ ଫାଳିଆରେ ମାରିଥିବା ଅଭିଯୋଗ ହୋଇଛି । ମଦ ପିଇବାକୁ ଟଙ୍କା ନଦେବାରୁ ନିର୍ଦ୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହାସହ ଅଧ ଘଣ୍ଟା ବସ ଉଠ କରାଇବା ଭଳି ସାଙ୍ଘାତିକ ଅଭିଯୋଗ ରହିଛି । ସୋମନାଥଙ୍କ ଶରୀରରେ ଲାଗିଛି ଗଭୀର ଆଘାତ ।

ଏଗ୍ରିକଲଚର ବିଭାଗ ପିଲା ବେସିକ ସାଇନ୍ସ ପିଲାକୁ ମାରିଥିବା ଅଭିଯୋଗ ହୋଇଛି । ସିନିୟରଙ୍କ ସହ ଏଗ୍ରିକଲଚର ଓ ପାସ୍ ଆଉଟ ପିଲା ମଧ୍ୟ ଥିବା ସୂଚନା ମିଳିଛି । ତେବେ ସୋମନାଥ ଅଭିଯୋଗ କରିବା ପରେ ଖଣ୍ଡଗିରି ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ପୁଣି ବଢ଼ିଲା ଗ୍ୟାସ୍ ଦର, ଘରୋଇ ଏଲପିଜି ଦର୍ ୫୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ରୋଷେଇ ଘରେ ମହଙ୍ଗା ମାଡ଼ । ପୁଣି ବଢ଼ିଲା ଗ୍ୟାସ୍ ଦର । ଘରୋଇ ଏଲପିଜି ଦର ୫୦ ଟଙ୍କା ବୃଦ୍ଧି ହୋଇଛି । ବର୍ଦ୍ଧିତ ଦର ଲାଗୁ ପରେ ଦିଲ୍ଲୀରେ ଘରୋଇ ସିଲିଣ୍ଡର ଦାମ ହଜାରେ ୫୩ ଟଙ୍କା ହୋଇଛି । ସେହିପରି ୫ କେଜି ସିଲିଣ୍ଡର ଦର ମଧ୍ୟ ବୃଦ୍ଧି ପାଇଛି । ୫ କେଜି ସିଲିଣ୍ଡର ଦର ୧୮ ଟଙ୍କା ବଢ଼ିଛି ।

ଅନ୍ୟପଟେ ୧୯ କେଜି କମର୍ସିଆଲ ସିଲିଣ୍ଡ ମୂଲ୍ୟ ହ୍ରାସ ପାଇଛି । କମର୍ସିଆଲ ସିଲିଣ୍ଡର ମୂଲ୍ୟ ୮ ଟଙ୍କା ୫୦ ପଇସା କମିଛି । କିଛି ଦିନ ପୂର୍ବରୁ କମର୍ସିଆଲ ସିଲିଣ୍ଡରର ଦର ବୃଦ୍ଧି ପାଇଥିବାବେଳେ ଆଜି ୮ ଟଙ୍କା ୫୦ ପଇସା ହ୍ରାସ ପାଇଛି । ଏହି ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହେବ ।

 

ଆଜି ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ରହିଛି ପ୍ରଶ୍ନକାଳ

ଭୁବନେଶ୍ୱର: ଆଜି ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ । ବେଶ୍ ସରଗରମ ରହିବ ଗୃହ । ଆଜି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ରହିଛି ପ୍ରଶ୍ନକାଳ । କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା, ସମବାୟ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ ରହିଛି । ସେହିପରି ଶୂନ୍ୟ କାଳରେ ହାତୀ ମୃତ୍ୟୁ, ଆଇନ ଶୃଙ୍ଖଳା ପରିସ୍ଥିତି, ଚାଷୀ ସମସ୍ୟା, ସୀମା ବିବାଦ ଓ ଜଳ ବିବାଦ ଭଳି ପ୍ରସଙ୍ଗ ଉଠିପାରେ । ଏହା ପରେ ବିରୋଧୀ ବିଜେପି ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ପ୍ରସଙ୍ଗରେ ଆଲୋଚନା ହେବ । ଅପରାହ୍ନରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ ଉପରେ ଆଲୋଚନା ହେବ ।

ଜନ୍ମବେଦୀରେ ମହାପ୍ରଭୁଙ୍କ ଲୀଳାଖେଳା, ନନ୍ଦିଘୋଷ ରଥ କାଠ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ

ପୁରୀ: ଜନ୍ମବେଦୀରେ ମହାପ୍ରଭୁଙ୍କ ଲୀଳାଖେଳା । ଗତକାଲି ପବିତ୍ର ହେରା ପଞ୍ଚମୀ ନୀତି ଅବସରରେ ରାଗ ଜର୍ଜରିତ ମା’ ମହାଲକ୍ଷ୍ମୀ ପାଲିଙ୍କିରେ ବିଜେ କରି ଶ୍ରୀମନ୍ଦିରରୁ ଆସିଥିଲେ । ଆସିବା ସମୟରେ ବାଟରେ ବିଭିନ୍ନ ସ୍ଥାନରେ ପନ୍ତି ଭୋଗ ଲାଗି ହୋଇଥିଲା । ଭକ୍ତ ବିଭୋର ହୋଇଯାଇଥିଲେ ଏହି ଅନନ୍ୟ ନୀତି ବା ମହାଲକ୍ଷ୍ମୀଙ୍କୁ ଦେଖିବା ପାଇଁ । ରଥ ସମ୍ମୁଖରେ ମା’ ପହଞ୍ଚିବା ପରେ ରଥ କାଠ ଭାଙ୍ଗିଥିଲେ । ପରେ ପତି ମହାପାତ୍ରଙ୍କ ଦ୍ୱାରା ବନ୍ଦାପନା, ଚାମର ଆଲଟ, ଦହି ପଟି ମଣୋହି ଆଦି ସମସ୍ଥ ନୀତିକାନ୍ତି ପରମ୍ପରା ଅନୁସାରେ ଅନୁଷ୍ଠିତ ହୋଇଥିଲା ।

ଏହା ପରେ ମା’ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ । ସନ୍ଧ୍ୟାଧୂପ ଚାଲୁଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇନଥିଲେ । ତେବେ ରାଗ ପରବସ ହୋଇ ନାକଚଣା ଦ୍ୱାର ଦେଇ ପ୍ରତ୍ୟାବର୍ତ୍ତନ କରିଥିଲେ ମା’ । ଫେରିବା ବାଟରେ ହେରାଗୋହିରୀ ସାହି ଦେଇ ଫେରିଥିଲେ । ମା ମହାଲକ୍ଷ୍ମୀଙ୍କ ରାଗ ପରବସ ଖବର ମହାପ୍ରଭୁ ପାଇବା ପରେ ଆଜି  ଆଜ୍ଞାମାଳ ବିଜେ ପରେ ରଥକୁ ଦକ୍ଷିଣ ମୋଡ଼ କରାଯିବ । ସକାଳ ଧୂପ ନୀତି ପରେ ଏହି ବିଶେଷ ନୀତି ଅନୁଷ୍ଠିତ ହେବ ।

ଲଗାଣ ବର୍ଷାରେ ବେହାଲ ଓଡ଼ିଶା, ଆଜି ପ୍ରବଳ ବର୍ଷା ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଲଗାଣ ବର୍ଷାରେ ବେହାଲ ଓଡ଼ିଶା । ଲଘୁଚାପ, ଟ୍ରାପଲାଇନ ଏବଂ ଘୂର୍ଣ୍ଣିବଳୟର ମିଳିତ ପ୍ରଭାବରେ ଜାରି ରହିଛି ଅବିଶ୍ରାନ୍ତ ବର୍ଷା । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପ୍ରବଳ ବର୍ଷା ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ସମ୍ବଲପୁର ଓ ବରଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆସନ୍ତାକାଲିଠୁ ବର୍ଷାର ପରିମାଣ ବଢ଼ିବ । ଆସନ୍ତାକାଲି ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ସତର୍କ କରାଯାଇଛି ।

ସେପଟେ ଆଗକୁ ଆସୁଛି ଆଉ ୨ଟି ଲଘୁଚାପ । ୯ ଓ ୧୩ ତାରିଖରେ ଦୁଇଟି ଲଘୁଚାପ ସୂଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଥମ ଲଘୁଚାପ ପ୍ରଭାବରେ ୮ରୁ୧୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ପରେ ୧୩ ତାରିଖରେ ସୃଷ୍ଟି ହେବାକୁ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ । ଫଳରେ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବାର ସମ୍ଭାବନା ରହିଛି ।

ରାଇସିନା ରେସ୍: ଆଜି ସମର୍ଥନ ଜୁଟାଇବାକୁ ଓଡ଼ିଶା ଆସୁଛନ୍ତି ଯଶଓ୍ୱନ୍ତ ସିହ୍ନା

ଭୁବନେଶ୍ୱର: ପାଖେଇ ଆସୁଛି ରାଷ୍ଟ୍ରପତି ନିର୍ବାଚନ । ଆସନ୍ତା ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ । ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଓଡ଼ିଶା ଆସିବେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନା । ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବାକୁ ଥିବା ଭୋଟରଙ୍କୁ ଭେଟି ନିଜ ସପକ୍ଷରେ ମତ ଦେବା ପାଇଁ ଅନୁରୋଧ କରିବେ ଯଶଓ୍ୱନ୍ତ ସିହ୍ନା । ସେପଟେ ଆସନ୍ତା ୮ ତାରିଖରେ ଓଡ଼ିଶା ଆସିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିଜେଡିର ସାଂସଦ ଏବଂ ବିଧାୟକମାନଙ୍କୁ ଭେଟି ସମର୍ଥନ ମାଗିବେ ଦ୍ରୌପଦୀ । ଏଥିପାଇଁ  ବିଜେଡିର ସମସ୍ତ ସାଂସଦ ଓ ବିଧାୟକମାନଙ୍କୁ ନେଇ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଧାନସଭାର ସମ୍ମିଳନୀ କକ୍ଷର ଉପରମହଲାରେ ଅନୁଷ୍ଠିତ ହେବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ସମସ୍ତଙ୍କୁ ଉପସ୍ଥିତ ରହିବାକୁ ଅନୁରୋଧ କରିଛନ୍ତି ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ।