ରାୟଗଡ଼ା ଜିଲ୍ଲା ଟିଟିଗୁଡା ଗାଁରେ ଅଭାବନୀୟ ଘଟଣା, ଗୁଣି ସନ୍ଦେହରେ ପିଟିପିଟି ମାରିଦେଲେ ଗ୍ରାମବାସୀ

ରାୟଗଡ଼ା: ଗୁଣି ସନ୍ଦେହରେ ବୀଭତ୍ସ କାଣ୍ଡ । ପିଟିପିଟି ମାରିଦେଲେ ଗ୍ରାମବାସୀ । ଖସି ପଳାଇଲେ ଦୁଇ ପୁଅ । ରାୟଗଡ଼ା ଜିଲ୍ଲା ଡୁଦୁକାବାହାଲ ପଞ୍ଚାୟତ ଟିଟିଗୁଡା ଗାଁରେ ଘଟିଛି ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ଗୋଟିଏ ପରିବାରର ବାପା ଓ ଦୁଇ ପୁଅଙ୍କୁ ଗୁଣି ସନ୍ଦେହରେ ନିସ୍ତୁକ ପିଟିଥିଲେ ଗ୍ରାମବାସୀ । ଦୁଇ ପୁଅ ଘଟଣାସ୍ଥଳରୁ ଖସି ପଳାଇଥିବାବେଳେ ବାପାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଟିଟିଗୁଡ଼ା ଗାଁର ଦଇ ମାଝି । ଗତକାଲି ଶୋଇଥିବାବେଳେ ଉଠାଇନେଇ ଗାଁ ଲୋକମାନେ ଘଟାଇଛନ୍ତି ବୀଭତ୍ସକାଣ୍ଡ ।

ଗୁଣି କରୁଥିବା ଅଭିଯୋଗରେ ପ୍ରଥମେ ଦଇଙ୍କୁ ଗାଳିଗୁଲଜ କରିଥିଲେ ଲୋକ । ପରେ ତାଙ୍କ ସହିତ ଦୁଇପୁଅଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ତତକ୍ଷଣାତ୍ ସୂଚନା ଦେବା ପରେ ବି ପୋଲିସ ଘଟଣାସ୍ଥଳରେ ପହଞ୍ଚିନଥିଲା । ସକାଳେ ଗାଁରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ପୋଲିସ । ଏହି ହତ୍ୟାକାଣ୍ଡ ମାମଲାରେ ଜଣଙ୍କୁ ଅଟକ ରଖିଛି ପୋଲିସ୍ । ତେବେ ମୃତକଙ୍କ ଦୁଇ ପୁଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।