spot_img
Home Blog Page 4225

ବଦଳିବ ଶ୍ରୀଲଙ୍କା ସମ୍ବିଧାନ, ସମ୍ବିଧାନ ବଦଳାଇ ରାଷ୍ଟ୍ରପତିଙ୍କ ପାଓ୍ବର କମାଇବାକୁ ନୂଆ ପ୍ରଧାନମନ୍ତ୍ରୀଙ୍କ ଯୋଜନା

କଲମ୍ବୋ: ଶ୍ରୀଲଙ୍କାରେ ସଙ୍କଟର ସମାଧାନ ପାଇଁ ବଦଳିବ ସମ୍ବିଧାନ । ଦେଶରେ ଦେଖାଦେଇଥିବା ଘୋର ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ପାଇଁ ରାଜପକ୍ଷ ପରିବାରକୁ ଦାୟୀ କରାଯାଉଥିବା ବେଳେ ନୂଆ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେ ଦେଶର ସମ୍ବିଧାନ ବଦଳାଇବାକୁ ଯୋଜନା କରୁଛନ୍ତି । ବିଦେଶୀ ଅର୍ଥ ପରିଚାଳନାରେ ଘୋର ଅନିୟମିତତା ଯୋଗୁ ପଡ଼ୋଶୀ ରାଷ୍ଟ୍ର ଅତି ଦୟନୀୟ ସ୍ଥିତି ଦେଇ ଗତି କରୁଛି । ରାଷ୍ଟ୍ରପତି ଗୋଟାବାୟାଙ୍କ ଇସ୍ତଫାକୁ ନେଇ ଦେଶବ୍ୟାପୀ ଜୋରଦାର ବିକ୍ଷୋଭ ଜାରି ରହିଛି । ରାଷ୍ଟ୍ରପତିଙ୍କ ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଥିବା ବେଳେ ସମ୍ବିଧାନ ସଂଶୋଧନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ରାଷ୍ଟ୍ରପତିଙ୍କ ପାଖରେ ଥିବା ସମସ୍ତ କ୍ଷମତା ସଂସଦ, କ୍ୟାବିନେଟ ଓ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଆଣିବାକୁ ଯୋଜନା କରାଯାଉଛି । ସମ୍ବିଧାନ ବଦଳାଇ ରାଷ୍ଟ୍ରପତିଙ୍କ ପାଓ୍ୱାରକୁ କମାଇବାକୁ ନୂଆ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେ ଯୋଜନା କରିଛନ୍ତି । ନୂଆ ସମ୍ବିଧାନରେ ସଂସଦ, କ୍ୟାବିନେଟ ଓ ପ୍ରଧାନମନ୍ତ୍ରୀ ହେବେ ଡିସିସନ ମେକର ହେବେ ।

ରାଜଧାନୀରେ ଫାଙ୍କା ଗୁଳିମାଡ଼ ଘଟଣା, ଅଭିଯୁକ୍ତ ବିନୟ ଆଚାର୍ଯ୍ୟକୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱର ସିଆରପି ଛକରେ ଫାଙ୍କା ଗୁଳିମାଡ଼ ଘଟଣା । ସ୍ତ୍ରୀଙ୍କ ବନ୍ଧୁକରୁ ଗୁଳି ଫୁଟାଇଲେ ସ୍ବାମୀ । ଅଭିଯୁକ୍ତ ବିନୟ ଆଚାର୍ଯ୍ୟକୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ପରେ ଗୁଳି ମାଡ଼ କରିଥିଲା ବିନୟ । ଘଟଣା ସ୍ଥଳରୁ ଦୁଇଟି ଖୋକା ଜବତ ହୋଇଛି । ବିଭୁ ପ୍ରସାଦ ଜେନା ଓ ବିନୟ ଆଚାର୍ଯ୍ୟ ଦୋକାନ ନିକଟରେ ଉପସ୍ଥିତି ଥିଲେ । ବିନୟ ଆସି ଗଣ୍ଡଗୋଳ କରିବା ସହ ବିଭୁ ଉପରକୁ ଗୁଳି ଚଳାଇଥିଲେ । ଥାନାରେ ବିଭୁଙ୍କ ଏତଲା ପରେ ବିନୟଙ୍କୁ ଗିରଫ କରିଛି ପୋଲିସ । ବିନୟଙ୍କୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯିବ ।

ଗିରଫ ପରେ ପୋଲିସ ଆଗରେ ସବୁ କଥା ମାନିଛି ବିନୟ । ନିଜ ସ୍ତ୍ରୀର ବନ୍ଧୁକରୁ ଗୁଳି ଚଳାଇ ଥିଲେ ବିନୟ । ବିନୟ ଠାରୁ ଗୋଟିଏ ବନ୍ଧୁକ, ୫ ରାଉଣ୍ଡ ଗୁଳି ଜବତ ହୋଇଛି । ବିନୟଙ୍କ ପତ୍ନୀ ହେଉଛନ୍ତି ନ୍ୟାସନାଲ ସ୍ତରର ସୁଟର ସ୍ଥିତପ୍ରଜ୍ଞା ରାୟ । ବନ୍ଧୁକଟି ସ୍ଥିତପ୍ରଜ୍ଞାଙ୍କ ନାମରେ ଅଛି । ତେବେ ଏହି ବନ୍ଧୁକ ଲାଇସେନ୍ସକୁ ବାତିଲ କରିବାକୁ ପୋଲିସ କମିଶନରଙ୍କୁ ଚିଠି ଲେଖିବେ ଡିସିପି ପ୍ରତୀକ ସିଂ ।

ବହୁଚର୍ଚ୍ଚିତ ଶିନା ବୋରା ହତ୍ୟା ମାମଲା, ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ମିଳିଲା ବେଲ୍

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଶିନା ବୋରା ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ଦେଇଛନ୍ତି । ସାଢେ ୬ ବର୍ଷ ଜେଲରେ ରହିବା ପରେ ଇନ୍ଦ୍ରାଣୀଙ୍କୁ ଜାମିନ ମିଳିଛି । ସାଢେ ୬ ବର୍ଷ ଏକ ଲମ୍ବା ସମୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲା କେବଳ ପାରିପାର୍ଶ୍ବିକ ପ୍ରମାଣ ଉପରେ ଜାରି ରହିଛି । ଶୁଣାଣି ଶୀଘ୍ର ଶେଷ ହେବା ଭଳି ଲାଗୁନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତେଣୁ ଇନ୍ଦ୍ରାଣି ଜାମିନର ହକଦାର ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଏହି ମାମଲାରେ ସୁପ୍ରିମକୋର୍ଟ ସହ ଅଭିଯୁକ୍ତ ପିଟର ମୁଖାର୍ଜୀଙ୍କୁ ୨୦୨୦ରେ ଜାମିନ ଦେଇସାରିଛନ୍ତି । ତେବେ CBI ଇନ୍ଦ୍ରାଣୀଙ୍କ ଜାମିନକୁ ବିରୋଧ କରିଥିଲା । ନିଜର ହିଁ ଝିଅ ଶିନା ବୋରାଙ୍କ ହତ୍ୟା ପାଇଁ ଷଡଯନ୍ତ୍ର ଓ ହତ୍ୟା ଭଳି ଜଘନ୍ୟ କାର୍ଯ୍ୟ କରିଛନ୍ତି । ଶିନା ବୋରା ଜୀବିତ ଅଛନ୍ତି ବୋଲି ଯାହା କୁହାଯାଉଛି, ତାହା କେବଳ ଇନ୍ଦ୍ରାଣୀଙ୍କ କଳ୍ପନା ମାତ୍ର ବୋଲି ସିବିଆଇ ସୁପ୍ରିମକୋର୍ଟରେ କହିଥିଲା । କିନ୍ତୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଇନ୍ଦ୍ରାଣୀଙ୍କ ଜାମିନ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ । ଗତ ଦେଢ ବର୍ଷରେ କୌଣସି ସାକ୍ଷୀଙ୍କ ପରୀକ୍ଷଣ ହୋଇନାହିଁ ।

ରାଜୀବଙ୍କ ହତ୍ୟାକାରୀଙ୍କୁ ମୁକ୍ତି, ଏଜି ପାରାରିବାଲାନଙ୍କୁ ଖଲାସ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ମୁକ୍ତି ନିର୍ଦ୍ଦେଶ । ୩୧ ବର୍ଷ ପରେ ଜେଲରୁ ମୁକୁଳିବେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ଏଜି ପେରାରିଭାଲନ । ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ସେ ଆଜୀବନ କାରାଦଣ୍ଡ ଭୋଗୁଥିଲେ । ଆଜି ତାଙ୍କୁ ମୁକ୍ତି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଧାରା ୧୪୨ ଆଧାରରେ ପେରାରିଭାଲନଙ୍କୁ ମୁକ୍ତ ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

୧୯୯୧ ମସିହା ମେ’ ୨୧ ତାରିଖରେ ତାମିଲନାଡ଼ୁର ଶ୍ରୀପେରୁମ୍ବୁଡୁରଠାରେ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା । ୧୯୯୯ ମସିହା ମେ’ ମାସରେ କୋର୍ଟ ୪ ଅଭିଯୁକ୍ତ ପେରାରିଭାଲନ, ମୁରୁଗାନ, ସାନ୍ଥମ ଏବଂ ନଳିନୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ପେରାରିଭାଲନଙ୍କ ମୁକ୍ତି ପାଇଁ ତାମିଲନାଡୁ ସରକାର ପ୍ରସ୍ତାବ ଗୃହୀତ ହୋଇଥିଲେ ବି ରାଜ୍ୟପାଳ ଏହାକୁ ଅଟକାଇ ଦେଇଥିଲେ । ତେବେ ଏ ନେଇ କୋର୍ଟ ରାଜ୍ୟପାଳଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ମାନିବାକୁ ବାଧ୍ୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ବିବାହ ବେଦୀରେ ଶଙ୍ଖା କାଢି ଫୋପାଡ଼ି ଦେଲା କନ୍ୟା, ବେହୋସ ହେଲା ବର

ଜଳେଶ୍ୱର: ବିବାହ ବେଦୀ ଉପରେ ଶଙ୍ଖା କାଢ଼ି ଫୋପାଡ଼ି ଦେଲେ କନ୍ୟା । ବାଲେଶ୍ୱର ଜିଲ୍ଲା ବାଲିଆଳ ଥାନା ରେମୁ ଗାଁରେ ଘଟିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ୪ ଦିନ ପୂର୍ବର ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ବାଲିଆପାଳ ଥାନା ରେମୁ ଗାଁରେ ବେଶ୍‌ ସୁରୁଖୁରୁରେ ବାହାଘର ଚାଲିଥିଲା । ହଠାତ୍‌ ବିବାହ ବେଦୀରୁ ଉଠିଗଲା ଝିଅ । ହାତଗଣ୍ଠି ପଡ଼ିସାରିବା ପରେ ସିନ୍ଦୂର ପିନ୍ଧାଇବା ସମୟରେ କନ୍ୟା ଜଣଙ୍କ ହାତରୁ ଶଙ୍ଖା ଫୋପାଡି ଦେଇଥିଲେ । ଏହା ଦେଖି ବର ବେହୋସ ହୋଇଯାଇଥିଲା । ତେବେ କନ୍ୟାକୁ ପରିବାର ଲୋକ ମାଡ଼ମାରି ଘରକୁ ନେଇଯାଇଥିଲେ । ହେଲେ କନ୍ୟାଜଣଙ୍କ ଭଲ ପାଉଥିବା ଯୁବକଙ୍କ ଘରକୁ ଯାଇଥିବା ଚର୍ଚ୍ଚା ହେଉଛି । ସେପଟେ ବର ଅନ୍ୟ ଏକ ଜାଗାରେ ବିବାହ କରିଥିବା ଜଣାପଡ଼ିଛି ।

ରାଜଧାନୀରେ ଗୋଟିଏ ଫୋନ କଲରେ ଘରେ ପହଞ୍ଚିବ ଗରମ ଚା’

ଭୁବନେଶ୍ୱର: ଗୋଟିଏ ଫୋନ କଲରେ ଘରେ ପହଞ୍ଚିବ ସୁସ୍ୱାଦୁ ଗରମ ଚା’ । ଓଡ଼ିଶାରେ ପ୍ରଥମ କରି ଏଭଳି ଏକ ନିଆରା କଲିଂ ଟିଇ ସପ୍ ରାଜଧାନୀରେ ଶୁଭାରମ୍ଭ ହୋଇଛି । ଭୁବନେଶ୍ବର ରେଳ ଷ୍ଟେସନ ରାସ୍ତା ପରିମିତା ସୋରୁମ୍ ସାମ୍ନାରେ ଏହି ସପ୍ ଖୋଲାଯାଇଛି । ପୂର୍ବରୁ ସ୍ବିଗି, ଜୋମାଟୋରେ ଆପଣ ଖାଦ୍ୟ ଅର୍ଡର କରୁଥିଲେ । ଏବେ କିନ୍ତୁ ରାଜଧାନୀରେ ଘର, ଅଫିସ କିମ୍ବା ଯେକୌଣସି ସ୍ଥାନରେ ବସି ଚା’ ମଗାଇ ପିଇ ପାରିବେ । ଏକ ଅତ୍ୟାଧୁନିକ ପ୍ୟାକେଟରେ ଏକ ଘଣ୍ଟା ପର୍ଯ୍ୟନ୍ତ ଗରମ ରଖୁଥିବା ଚାହା ପ୍ୟାକେଟ ସହ ଗ୍ରାହକ ମାନେ ପେପର କପ୍ କିମ୍ବା ମାଟିପାତ୍ର ପାଇପାରିବେ ।

ଗୋଟିଏ ପ୍ୟାକେଟରେ ୧୦ କପ୍ ପର୍ଯ୍ୟନ୍ତ ଚା’ ଯାଇପାରିବ । ଏକ କପ୍ ପିଇଲେ ୧୦ ଟଙ୍କା ଦେବାକୁ ପଡ଼ୁଛି । କିନ୍ତୁ ଅର୍ଡର କଲେ ଆଉ ୨ ଟଙ୍କା ଅଧିକ ଦେବାକୁ ପଡ଼ିବ । ପ୍ରାୟ ୯ ପ୍ରକାର ଚା’ ସହିତ ମଧୁମେହଙ୍କ ପାଇଁ ସୁଗାର୍ ଫ୍ରି, ଲେମନ ଟି ଓ ସ୍ୟାଣ୍ଡ ଓ୍ବିଚ୍ ମଧ୍ୟ ଉପଲବ୍ଧ ରହିଛି । ଆଗକୁ ରାଜଧାନୀରେ ଆଉ ୩ଟି ଷ୍ଟଲ ଖୋଲିବାକୁ ଲକ୍ଷ ରଖିଛନ୍ତି ସପ୍ ମ୍ୟାନେଜର । ସେପଟେ ଚାର ସ୍ବାଦ ସହ ରେଟ ମଧ୍ୟ ଭଲ ରହିଥିବା କହିଛନ୍ତି ରାଜଧାନୀ ବାସିନ୍ଦା ।

ପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର, ଲୋକାର୍ପିତ ହେଲା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆଜି ଉତ୍ସବ ମୁଖରିତ । ଜିଲ୍ଲାର ସବୁ ରାସ୍ତା ଆଜି ଯାଇ ପହଞ୍ଚିଛି ମା ତାରାତାରିଣୀଙ୍କ ପୀଠରେ । ଲୋକଙ୍କ ସୁଅ ଛୁଟିଛି ରତ୍ନଗିରି ପାହାଡକୁ, ମାଙ୍କ ଆସ୍ଥାନକୁ । ଗଞ୍ଜାମର ଆରାଧ୍ୟ ଦେବୀ ମା ତାରାତାରିଣୀଙ୍କ ପୀଠର ଆଜି ହୋଇଛି କାୟାକଳ୍ପ। କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବନିର୍ମିତ ମନୋରମ ମନ୍ଦିରର ଆଜି ହୋଇଛି ପ୍ରତିଷ୍ଠା ଉତ୍ସବ। ପବିତ୍ର ମନ୍ତ୍ରଧ୍ବନୀର ଉଚ୍ଚାରଣ ତଥା ମଙ୍ଗଳ ବାଦ୍ୟର ନିନାଦରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

ଗତ ୫ ଦିନ ଧରି ଚାଲିଥିବା ପ୍ରତିଷ୍ଠା ଉତ୍ସବର ଆଜି ସଂପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋଧା ଭାବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‌ଏହି ଅବସରରେ ଆଜିର ଦିନଟିକୁ ଏକ ପବିତ୍ର ଦିନ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ସାରା ଓଡିଶା, ବିଶେଷକରି ଗଞ୍ଜାମବାସୀଙ୍କର ମଙ୍ଗଳ କାମନା କରି ମାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ପ୍ରଥମେ ମାଙ୍କର ଦର୍ଶନ କରି ପୂଜାର୍ଚ୍ଚନା କରିବା ସହିତ ପ୍ରତିଷ୍ଠା କାର୍ଯ୍ୟରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଦେବଭୂମି। ଓଡିଶାରେ ଶକ୍ତି ପୂଜାର ପରମ୍ପରା ବହୁ ପ୍ରାଚୀନ । ଓଡିଶାର ଗାଁ ଗାଁରେ ମାଙ୍କର ପୂଜା ଅନାଦି କାଳରୁ ଚାଲିଆସିଛି । ମା ତାରାତାରିଣୀ ହେଉଛନ୍ତି ଗଞ୍ଜାମର ଇଷ୍ଟ ଦେବୀ । ଗଞ୍ଜାମବାସୀଙ୍କ ସୁଖଦୁଃଖରେ ଆମେ ମାଙ୍କ ଶରଣ ନେଇଥାଉ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ମାଙ୍କ ଆଶୀର୍ବାଦ ଓ ମାଙ୍କ ଇଚ୍ଛାରେ ହିଁ ତାଙ୍କ ମନ୍ଦିର ଆଜି ଏହି ଭବ୍ୟ ରୂପ ଗ୍ରହଣ କରିଛି। ଏହି କାର୍ଯ୍ୟରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ମା ତାରାତାରିଣୀଙ୍କ ମନ୍ଦିରର ନୂଆ ରୂପକୁ ଓଡିଶାର କଳା ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଅନୁପମ ନିଦର୍ଶନ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟରେ ନିୟୋଜିତ ଶିଳ୍ପୀ ଓ କାରିଗର ମାନଙ୍କୁ ବିଶେଷ ଅଭିନନ୍ଦନ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଁ ଯେବେ ବି ମାଙ୍କ ଦର୍ଶନ ପାଇଁ ପୀଠକୁ ଆସିଛି, ସେତେବେଳେ ମୋତେ ବହୁତ ଭଲ ଲାଗିଛି ।

ମନ୍ଦିରର ଏହି ନୂଆ ରୂପ ଓ ବିକଶିତ ପରିବେଶ ଅଧିକ ଭକ୍ତ ଓ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ମତ ଦେଇ ସେମାନଙ୍କ ନିମନ୍ତେ କରାଯାଇଥିବା ବିଭିନ୍ନ ସୁବିଧା ସୁଯୋଗର ଉଚ୍ଚପ୍ରଶଂସା କରିଥିଲେ । ଶେଷରେ ଶାନ୍ତି ଓ ସହଯୋଗ ଭିତ୍ତିରେ ଗଞ୍ଜାମର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଜଣାଇଥିଲେ। ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିକଶିତ ବିଭିନ୍ନ ସୁବିଧା ସୁଯୋଗର  ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ ଏବଂ ଋଷିକୂଲ୍ୟା ନଦୀତଟ ଉନ୍ନତି କରଣ  କାର୍ଯ୍ୟର ଭିତ୍ତି ମଧ୍ୟ ରଖିଥିଲେ ।

ପ୍ରତିଷ୍ଠା ଉତ୍ସବରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିର, ମା ସମଲେଶ୍ୱରୀ ମନ୍ଦିର, କେନ୍ଦ୍ରାପଡ଼ା ଶ୍ରୀ ବଳଦେବ ଜୀଉ ମନ୍ଦିର ସମତେ ରାଜ୍ୟର ବିଭିନ୍ନ ମନ୍ଦିରର ସେବାୟତମାନେ ମଧ୍ୟ ଯୋଗ ଦେଇଥିଲେ । ଏହି ଭବ୍ୟ ମନ୍ଦିର ନିର୍ମାଣରେ ବିଶିଷ୍ଟ ସ୍ଥପତି  ପଦ୍ମବିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କର ବିଶେଷ ଅବଦାନ ରହିଥିଲା । ପ୍ରତିଷ୍ଠା ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ନାତି ସ୍ମିତେଶ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟତମ ସ୍ଥପତି ନାରାୟଣ ତ୍ରିପାଠୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି କେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ମନ୍ଦିର ରୂପାନ୍ତରର ଭୂମି ପୂଜନ କରାଯାଇଥିଲା । ପୂର୍ବରୁ ଭକ୍ତମାନେ ଅନେକ ପାହାଚ ଚଢି  ମା ଙ୍କ ଦର୍ଶନ ପାଇଁ ଯାଉଥିଲେ । ଏବେ କିନ୍ତୁ ropeway ସହ  ପୀଠକୁ  ସୁନ୍ଦର ରାସ୍ତା ମଧ୍ୟ ତିଆରି ହୋଇଛି । ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ ମନ୍ତ୍ରୀ ବିକ୍ରମ କେଶରୀ  ଆରୁଖ ତାରାତାରିଣୀ ମନ୍ଦିରର ରୂପାନ୍ତରକୁ 5T ରୂପାନ୍ତରଣ  କାର୍ଯ୍ୟକ୍ରମର ପ୍ରକୁଷ୍ଟ ଉଦାହରଣ ଭାବରେ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀମଣ୍ଡଳର ସଦସ୍ୟ ବୃନ୍ଦ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, 5T ସଚିବ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ବହୁ  ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

ଭକ୍ତ ମାନଙ୍କ ପାଇଁ ମନ୍ଦିର ପରିସରରେ ଏକ ମନୋଜ୍ଞ ପରିବେଶ ସୃଷ୍ଟି କରାଯାଇଛି। ପ୍ରସାଦ ସେବନ ଗୃହ, ଦୀପ ପ୍ରଜ୍ବଳନ ସ୍ଥାନ, ବାଖ୍ୟାନ କେନ୍ଦ୍ର, ମୁଣ୍ଡନ କେନ୍ଦ୍ର,  ବିଶ୍ରାମସ୍ଥଳ, ସେଣ୍ଟ୍ରାଲ ପ୍ଲାଜା ଓ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା ଆଦି ନୂତନ ସୁବିଧା ସହିତ ସ୍ବଚ୍ଛ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରାଯାଇଛି । ପାହାଚ ଶ୍ରେଣୀ, ରୋପ୍‌ ୱେ ଏବଂ ନୂତନ ସଡକ ସହିତ ଦ୍ବାରା ପୀଠକୁ ଯିବା ପାଇଁ ୩ ପ୍ରକାରର ବ୍ୟବସ୍ଥା କରାଯାଇଛି । ଏହାସହିତ ନଦୀ କୂଳ ସଡକକୁ ମଧ୍ୟ ନୂତନ ଭାବେ ନିର୍ମାଣ କରାଯାଇଛି ଏବଂ ଏଠାରୁ ଋଷିକୂଲ୍ୟା ନଦୀର ସୌନ୍ଦର୍ଯ୍ୟକୁ ଅନୁଭବ କରିବାର ସୁଯୋଗ ପର୍ଯ୍ୟଟକମାନଙ୍କ ପାଇଁ ଏକ ଅପୂର୍ବ ଆକର୍ଷଣ ସୃଷ୍ଟି କରିପାରିଛି । ଏ ସମସ୍ତ ବ୍ୟବସ୍ଥା ପାଇଁ ୧୧୫ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇଛି ।

ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ଇସ୍ତଫା ଦେଲେ ହାର୍ଦ୍ଦିକ ପଟେଲ

ଗାନ୍ଧୀନଗର: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା । କଂଗ୍ରେସ ଛାଡ଼ିଲେ ହାର୍ଦ୍ଦିକ ପଟେଲ । ପ୍ରାଥମିକ ସଦସ୍ୟ ପୂର୍ବରୁ ଇସ୍ତଫା ଦେଲେ ଗୁଜରାଟ ପଟିଦାର ନେତା ହାର୍ଦ୍ଦିକ । କଂଗ୍ରେସରୁ ଇସ୍ତଫା ଦେବା ସହ ସେ କଂଗ୍ରେସ ପାର୍ଟି ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ଗତକିଛିଦିନ ଧରି ହାର୍ଦ୍ଦିକ ଦଳୀୟ ନେତୃତ୍ବକୁ ସମାଲୋଚନା କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ବେଳେ ସେ ଦଳ ଛାଡ଼ିବା ନେଇ ଆଶଙ୍କା କରାଯାଉଥିଲା ।

କଂଗ୍ରେସ ଛାଡିବା ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ହାର୍ଦ୍ଦିକ । ଟ୍ୱିଟ୍ କରି ସେ କହିଛନ୍ତି କି ଆଜି ମୁଁ ସାହାସ କରି କଂଗ୍ରେସ ପାର୍ଟିର ପଦ ଓ ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ମୋର ଏହି ନିଷ୍ପତ୍ତିକୁ ମୋର ସାଥୀମାନେ ଏବଂ ଗୁଜୁରାଟର ଜନତା ସ୍ଵାଗତ କରିବେ ବୋଲି ମୋର ଆଶା ରହିଛି । ମୋର ଏହି ପଦକ୍ଷେପ ପରେ ମୁଁ ଗୁଜୁରାଟର ଜନତାଙ୍କ ପାଇଁ ସଚ୍ଚୋଟତାର ସହ କାମ କରିବି ବୋଲି କହିଛନ୍ତି ହାର୍ଦ୍ଦିକ ପଟେଲ ।

କଂଗ୍ରେସରୁ ଇସ୍ତଫା ଦେବା ପରେ ଦଳକୁ ଟାର୍ଗେଟ କରିଛନ୍ତି ହାର୍ଦ୍ଦିକ ପଟେଲ । ସେ ଟ୍ୱିଟ୍ କରି କହିଛନ୍ତି ଯେ, କଂଗ୍ରେସ ଦେଶ ହିତ ଏବଂ ସମାଜ ହିତର ବୀପରିତ ଦିଗରେ କାମ କରୁଛି । କଂଗ୍ରେସ ପାର୍ଟିର ବିରୋଧ ରାଜନୀତି ପର୍ଯ୍ୟନ୍ତ ସୀମିତ । ରାମ ମନ୍ଦିର, CAA-NRC, ଧାରା ୩୭୦, ଜିଏସଟି ଲାଗୁ କରିବାରେ କଂଗ୍ରେସ ବାଧା ସୃଷ୍ଟି କରିଛି । ଯେତେବେଳେ ଦେଶ ସଙ୍କଟରେ ଥିଲା ସେତେବେଳେ ଆମ ନେତା ବିଦେଶରେ ଥିଲେ ବୋଲି କହିଛନ୍ତି ହାର୍ଦ୍ଦିକ ପଟେଲ ।

ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ । ସନ୍ଧ୍ୟା ୫ଟା ୩୦ରେ ବସିବ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ । ଲୋକସେବା ଭବନରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ମୋଡରେ ହେବାକୁ ଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର ।

ଏହି ବୈଠକରେ ୧୧ଟି ବିଭାଗର ୨୯ଟି ପ୍ରସ୍ତାବ ଉପରେ ମୋହର ବାଜିପାରେ । ବିଶେଷକରି ଶିଳ୍ପ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଜଳସମ୍ପଦ, ଦକ୍ଷତା ବିକାଶ, କୃଷି, ଅର୍ଥ, ସାଧାରଣ ପ୍ରଶାସନ, ଉଚ୍ଚଶିକ୍ଷା, ପଞ୍ଚାୟତିରାଜ ଏବଂ ରାଜସ୍ୱ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିବାର ସମ୍ଭାବନା ରହିଛି ।

ଓଡ଼ିଶା ପ୍ରଶାସନିକ ସେବା ନିୟମ ୨୦୧୧ ଏବଂ ଓଡ଼ିଶା ଲୋକାୟୁକ୍ତ ଆଇନ ୨୦୧୪ରେ ସଂଶୋଧନ ନେଇ ପ୍ରସ୍ତାବ ଆସିପାରେ । ସେହିପରି ଓଡ଼ିଶା ଶିକ୍ଷା ସେବା ନିଯୁକ୍ତି ସଂଶୋଧନ ନିୟମ ୨୦୨୨କୁ ଅନୁମୋଦନ ପାଇଁ ବୈଠକରେ ପ୍ରସ୍ତାବ ଆସିପାରେ । ସମ୍ବଲପୁର ଓ ମୟୂରଭଞ୍ଜ ଜିଲ୍ଲାରେ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟନ୍ୱୟନ, ଓଡ଼ିଶା କଲେଜ ଶିକ୍ଷକଙ୍କ ଦରମା ହାର ସଂଶୋଧନ ନିୟମ ସଂଶୋଧନ ପ୍ରସ୍ତାବ ରହିଛି ।

ଅନ୍ୟ ପ୍ରମୁଖ ପ୍ରସ୍ତାବ ମଧ୍ୟରେ ଟାଟା ପାୱାର କମ୍ପାନୀ ନିକଟରୁ ପ୍ରାୟ ୮୭୧ ଏକର ଜମିକୁ ଇଡକୋ ନିଜ ଲ୍ୟାଣ୍ଡ ବ୍ୟାଙ୍କ ପାଇଁ ଅଧିଗ୍ରହଣ ସମ୍ପର୍କିତ ପ୍ରସ୍ତାବ ବୈଠକରେ ଆଗତ ହୋଇପାରେ । ସେହିପରି ଅନୁଗୁଳରେ ମେଗା ଆଲୁମିନିୟମ ପାର୍କ ପାଇଁ ଇଡ୍‍କୋକୁ ଆର୍ଥିକ ସହାୟତା, ଜିଆଇଇଟି ବିଶ୍ୱ ବିଦ୍ୟାଳୟ ଆଇନ, ୨୦୧୮ ଏବଂ ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ଆଇନ, ୨୦୧୯ରେ ସଂଶୋଧନ, ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଡ୍ରିମ୍ସ ନାମରେ ଏକ ସେଲଫ ଫାଇନାନ୍ସ ଘରୋଇ ବିଶ୍ୱବିଦ୍ୟାଳୟ ପାଇଁ ଅଲଗା ଆଇନ କାର୍ଯ୍ୟକାରୀ ପରି ପ୍ରସ୍ତାବ ରହିଛି ।

ସେହିପରି ମାଟି ଯୋଜନା ଅଧିନରେ ଚେକ୍‍ ଡ୍ୟାମ ନିର୍ମାଣ, କୁଆଖାଇ ଏବଂ ଇବ୍‍ ନଦୀ ଉପରେ ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ପାଇଁ ଫାଇନାନ୍ସିଆଲ ବିଡର ଅନୁମୋଦନ ଏବଂ ଷୋଡ଼ଶ ଓଡ଼ିଶା ବିଧାନସଭାର ନବମ ଅଧିବେଶନର ସତ୍ରାବସାନ ସମ୍ପର୍କିତ ପ୍ରସ୍ତାବ ଉପରେ ମୋହର ବାଜିପାରେ ।

 

 

ମା’ ତାରାତାରିଣୀ ପୀଠରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗଞ୍ଜାମ: ମା’ ତାରାତାରିଣୀ ପୀଠରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭବ୍ୟମନ୍ଦିରର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ପୁରୋଧା ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । ତାରାତାରିଣୀ ପୀଠରେ ପହଞ୍ଚି ସେ ହାତ ଯୋଡି ମା’ଙ୍କୁ ପ୍ରଣାମ କଲେ । ମନ୍ଦିରରେ ପ୍ରବେଶ କରି ମା’ଙ୍କୁ ଦର୍ଶନ କଲେ । ନୂଆ ରୂପରେ ସଜେଇ ହୋଇଛି ମା’ ତାରାତାରିଣୀ ପୀଠ । ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ଦୀପ ଘର, ନୂଆ ସ୍ନାନ ମଣ୍ଡପ, ପ୍ରଶାସନିକ ଭବନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା’ ତାରାତାରିଣୀଙ୍କୁ ଦର୍ଶନ କରିବା ପରେ ସେ ଆୟୋଜିତ ସଭାରେ ମଧ୍ୟ ଯୋଗଦେଇଥିଲେ ।  ମୁଖ୍ୟମନ୍ତ୍ରୀଙ୍କୁ ଉପଢ଼ୌକନ ଦେଇ ସ୍ୱାଗତ କଲେ ସେବାୟତ । ଏହା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପୀଠର ପ୍ରଧାନ ସେବାୟତ ।

ଧୁମଧାମରେ ଚାଲିଛି ମା’ ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ । ମହାଯଜ୍ଞର ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ରତ୍ନଗିରି ପର୍ବତ । ଉତ୍ସବମୁଖର ହୋଇଛି ଗଞ୍ଜାମ ଜିଲ୍ଲା । ଅପୂର୍ବ ଶୋଭା ମଣ୍ଡନରେ ଆକର୍ଷିତ ହୋଇ ଟାଣି ହୋଇଆସୁଛନ୍ତି ହଜାର ହଜାର ଭକ୍ତ । ବିଶାଳ ଜନସମାବେଶ ହେବାର ସମ୍ଭାବନା ରହିଛି । ଏଥିପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା । ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ପୀଠ ପରିଦର୍ଶନ କରି ଆୟୋଜନ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି  । ସେବାୟତ ଓ ସ୍ଥାନୀୟ ଜନସାଧାରଣଙ୍କ ସହିତ ମଧ୍ୟ ଉଭୟ ଆଲୋଚନା କରିଛନ୍ତି । ଅଧିକ ଗହଳି ହେବାର ଆଶଙ୍କା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭିଡ଼ ନିୟନ୍ତ୍ରଣ, ଶୃଙ୍ଖଳା ରକ୍ଷା, ପାନୀୟ ଜଳ ଯୋଗାଣ, ପ୍ରାଥମିକ ସ୍ବାସ୍ଥ୍ୟ ବ୍ୟବସ୍ଥା, ବିଦ୍ୟୁତ ଯୋଗାଣ, ପରିମଳକୁ ଗୁରୁତ୍ବ ଦିଆଯାଇଛି  । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯଜ୍ଞର କର୍ତ୍ତା ହେବା ସହ ସବୁ କାମ ତଦାରଖ କରୁଛନ୍ତି ।