ସାତକୋଶିଆ ଗଣ୍ଡକୁ ମିଳିଲା ’ରାମସାର କ୍ଷେତ୍ର ମାନ୍ୟତା’

ଅନୁଗୁଳ: ଅନୁଗୁଳର ସାତକୋଶିଆକୁ ମିଳିଲା ରାମସାର କ୍ଷେତ୍ର ମାନ୍ୟତା । ସାତକୋଶିଆ ସମେତ ଦେଶର ଆଉ ୧୦ଟି ଆର୍ଦ୍ର ଭୂମିକୁ ରାମସାର କ୍ଷେତ୍ର ମାନ୍ୟତା ମିଳିଛି । ଏହାକୁ ମିଶାଇ ଦେଶରେ ମୋଟ୍‌ ରାମସାର କ୍ଷେତ୍ର ସଂଖ୍ୟା ୬୪ରେ ପହଞ୍ଚିଛି । ଦେଶରେ ମୋଟ୍‌ ୧୨ ଲକ୍ଷ ୫୦ ହଜାର ୩୬୧ ହେକ୍ଟର ଆର୍ଦ୍ରଭୂମି କ୍ଷେତ୍ରକୁ ଏହି ମାନ୍ୟତା ମିଳିଛି । ଚଳିତ ଥର ତାମିଲନାଡ଼ୁର ୬ଟି ଆର୍ଦ୍ରଭୂମିକୁ ରାମସାର ମାନ୍ୟତା ମିଳିଥିବା ବେଳେ ଓଡ଼ିଶା, ଗୋଆ, କର୍ଣ୍ଣାଟକ, ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ କ୍ଷେତ୍ରକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି ।

ରାମସାର କ୍ଷେତ୍ର ଘୋଷଣାର ଉଦ୍ଦେଶ୍ୟ ହେଉଛି ବିଶ୍ୱର ଆର୍ଦ୍ରଭୂମିକୁ ସୁରକ୍ଷିତ ରଖିବା । ଅନ୍ତର୍ଜାତୀୟ ସ୍ତରରେ ଏହା ଏକ ବଡ଼ ପଦକ୍ଷେପ ବିଚାର କରାଯାଏ । ଆର୍ଦ୍ରଭୂମିକୁ ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏ ମନ୍ୟାତା ୟୁନିସ୍କୋ ଦେଇଥାଏ । ତା’ର ସୁରକ୍ଷା ମଧ୍ୟ ସେହି ଢ଼ଙ୍ଗରେ କରାଯାଇଥାଏ । ଏହା ପୂର୍ବରୁ ଚିଲିକା ଓ ଭିତରକନିକା ଅଞ୍ଚଳକୁ ଏହି ମାନ୍ୟତା ମିଳିସାରିଛି । ୧୯୭୧ ମସିହାରେ ଇରାନରେ ରାମସାର କନଭେନ୍ସନ ସ୍ୱାକ୍ଷରିତ ହୋଇଥିଲା । ଏଥିରେ ଭାରତ ମଧ୍ୟ ଚୁକ୍ତିବଦ୍ଧ ପକ୍ଷ ରହିଛି । ଫେବୃଆରୀ ପହିଲା ୧୯୮୨ରେ ଭାରତ ଏଥିରେ ସ୍ୱାକ୍ଷର କରିଥିଲା ।