spot_img
Home Blog Page 4223

କ୍ୟାବିନେଟ ମୋହର, ମିଶନ ଶକ୍ତିରେ ଖର୍ଚ୍ଚ ହେବ ୫ ହଜାର କୋଟି

ଭୁବନେଶ୍ୱର: ମିଶନ ଶକ୍ତି ମହିଳାଙ୍କ ପାଇଁ ଖୁସି ଖବର । ଏବେ ପ୍ରତି ପଞ୍ଚାୟତରେ ଓ ସହରାଞ୍ଚଳର ପ୍ରତ୍ୟେକ ଓ୍ୱାର୍ଡରେ ହେବ ମିଶନ ଶକ୍ତି ଭବନ । ଆସନ୍ତା ୫ ବର୍ଷରେ ମିଶନ ଶକ୍ତିରେ ଖର୍ଚ୍ଚ ହେବ ୪ ହଜାର ୯୭୩ କୋଟି । ଏନେଇ ଗତକାଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି ।

ଗତକାଲି ସନ୍ଧ୍ୟା ସାଢ଼େ ୫ଟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କ୍ୟାବିନେଟ ବୈଠକରେ ୩୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଥିଲା । ତେବେ ଗତକାଲି ନିଆଯାଇଥିବା ନିଷ୍ପତ୍ତି ମଧ୍ୟରୁ ରାଜ୍ୟ ସରକାର ’ମିଶନ ଶକ୍ତି’ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୫ ବର୍ଷ ପାଇଁ ମିଶନ ଶକ୍ତିରେ ଖର୍ଚ୍ଚ ହେବ ୪ ହଜାର ୯୭୩ କୋଟି । ଏଥିରେ ପ୍ରତ୍ୟେକ ପଞ୍ଚାୟତ ଓ ସହରାଞ୍ଚଳର ପ୍ରତ୍ୟେକ ଓ୍ୱାର୍ଡରେ ’ମିଶନ ଶକ୍ତି’ ଭବନ ନିର୍ମାଣ କରାଯିବ । ଏହା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବିଭିନ୍ନ ସାମଗ୍ରୀ ବିକିବାକୁ ୫୦୦ଟି ମିଶନ ଶକ୍ତି ବଜାର ସ୍ଥାପନ ହେବ ।

କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ଆଗାମୀ ୫ ବର୍ଷରେ ମିଶନ ଶକ୍ତି ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୫୦ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ବ୍ୟବସ୍ଥା କରାଯିବ । ଏସଏଚଜିଙ୍କୁ ୧୨ ଶହ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା ବି ରହିବ । ପ୍ରାୟ ୩୫ରୁ ୪୦ ଲକ୍ଷ ମହିଳା ଏସଏଚଜି ସଦସ୍ୟାଙ୍କୁ ଜୀବିକା ନିର୍ବାହ ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅଧୀନରେ ତାଲିମ ଦିଆଯିବ । ବିଭିନ୍ନ ସରକାରୀ ବିଭାଗଙ୍କ ସହଭାଗିତାରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ତଥା ମହାସଂଘକୁ ୬ ହଜାର ୬୦୦ କୋଟିରୁ ଅଧିକ ବ୍ୟବସାୟ ଯୋଗାଇ ଦିଆଯିବ ବୋଲି ଗତକାଲି ହୋଇଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି ।

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକୁ ସଙ୍ଗଠିତ ଓ ମଜଭୁତ କରିବା ଉଦ୍ଦେଶ୍ୟରେ ୨୦୦୧ରେ ମିଶନ ଶକ୍ତି ଯୋଜନାର ଆରମ୍ଭ ହୋଇଥିଲା । ଏବେ ଏହି ଯୋଜନା ଏକ ବଡ଼ ସାମାଜିକ ଓ ଅର୍ଥନୈତିକ ଆନ୍ଦୋଳନରେ ପରିଣତ ହୋଇଛି । ୨୦ ବର୍ଷରେ ମିଶନ ଶକ୍ତିରେ ୭୦ ଲକ୍ଷ ମହିଳାଙ୍କୁ ୬.୦୨ ଲକ୍ଷରୁ ଅଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀରେ ସଙ୍ଗଠିତ କରିବାରେ ସକ୍ଷମ ହୋଇଛି । ଗତବର୍ଷ ତୃଣମୂଳ ସ୍ତରରେ ଲକ୍ଷ ଲକ୍ଷ ମହିଳାଙ୍କ ଯୋଗଦାନକୁ ତ୍ୱରାନ୍ୱିତ କରିବା ତଥା ସ୍ଥାୟୀ ଜୀବିକା ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାର ମିଶନନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗ ଭାବେ ଘୋଷଣା କରିଛନ୍ତି । ଏହି ଯୁଗାନ୍ତକାରୀ ପଦକ୍ଷେପ ଦ୍ୱାରା ଆଗାମୀ ୫ ବର୍ଷରେ ସରକାରୀ ବିଭାଗମାନଙ୍କ ସହିତ ଦ୍ରବ୍ୟ ଓ ସେବା ଯୋଗାଣ ମାଧ୍ୟମରେ ୫ ହଜାର କୋଟି ଟଙ୍କାର ବ୍ୟବସାୟ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ପାଇପାରିବେ ।

ରାଜଧାନୀରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ପରିବାର ଆଣିଲେ ହତ୍ୟା ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ଥାନା ଶିଖରଚଣ୍ଡୀ ପାହାଡ଼ରୁ ସଫ୍ଟଓ୍ବେର ଇଞ୍ଜିନିୟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ ନନ୍ଦନକାନନ ଥାନା ବାଲିପଡ଼ା ଗ୍ରାମର ଲଲାଟେନ୍ଦୁ ପ୍ରଧାନଙ୍କ ପୁଅ ଅବିନାଶ ପ୍ରଧାନ । ଘଟଣାସ୍ଥଳରୁ ମୋଟର ସାଇକେଲ, ଅଧାପୋଡା ଜୋତା, ପେଟ୍ରୋଲ ବୋତଲ ଜବତ ହୋଇଛି । ତାଙ୍କୁ କେହି ହତ୍ୟା କରି ପୋଡି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ଛାନବିନ୍ ଆରମ୍ଭ କରିଛି ପୋଲିସ ।

ସେପଟେ ମୃତ ଅବିନାଶଙ୍କର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା । ଏନେଇ ଅବିନାଶ ବାପା-ମା’ଙ୍କୁ ଜଣାଇଥଲେ । ତେବେ ଯୁବତୀ ଜଣକ ଧୋକା ଦେବା ପରେ ସେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ମନ୍ଦିର ପ୍ରତିଷ୍ଠା ଯଜ୍ଞର ଆଜି ପଞ୍ଚମଦିନ, ମନ୍ତ୍ରଧ୍ୱନିରେ କମ୍ପୁଛି ପୀଠ ସାଙ୍ଗକୁ ରତ୍ନଗିରି ପର୍ବତ

ବ୍ରହ୍ମପୁର: ମାଆ ତାରାତାରିଣୀ ମନ୍ଦିରରେ ଚାଲିଛି ନବକଳେବର ଉତ୍ସବ । ମନ୍ତ୍ର ଧ୍ୱନିରେ କମ୍ପୁଛି ରତ୍ନଗିରି ପର୍ବତ । ଆଜି ମନ୍ଦିର ପ୍ରତିଷ୍ଠା ଉତ୍ସବର ପଞ୍ଚମଦିନ । ପାର୍ଶ୍ୱ ଦେବଦେବୀଙ୍କ ଆଜି ସ୍ନାନଯାତ୍ରା ରହିଛି । ଏନେଇ ସେବାୟତଙ୍କ ଦ୍ୱାରା ହୋମ ଯଜ୍ଞର ଆୟୋଜନ କରାଯାଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ ଏହି ପ୍ରତିଷ୍ଠା ଉତ୍ସବ ।

ବ୍ରହ୍ମପୁରଠାରୁ ୩୦ କିଲୋମିଟର ଦୂରରେ ଋଷିକୂଲ୍ୟା ନଦୀ କୂଳରେ ମା ତାରାତାରିଣୀଙ୍କ ପୀଠ ଏକ ପ୍ରସିଦ୍ଧ ଶକ୍ତିସ୍ଥଳ । ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା 5T ସଚିବ ଭି କେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ମନ୍ଦିର ରୂପାନ୍ତରର ଭୂମି ପୂଜନ କରାଯାଇଥିଲା । ପୂର୍ବରୁ ଭକ୍ତମାନେ ଅନେକ ପାହାଚ ଚଢ଼ି ମା’ ଙ୍କ ଦର୍ଶନ ପାଇଁ ଯାଉଥିଲେ । ହେଲେ ମା’ ତାରାତାରିଣୀଙ୍କ ପୀଠର ଆଜି ବଦଳିଛି କାୟାକଳ୍ପ । ଏବେ ରୋପ୍‌ ୱେ ସହ ପୀଠକୁ ରହିଛି ସୁନ୍ଦର ରାସ୍ତା ।

ପୀଠକୁ ଯିବା ପାଇଁ ୩ ପ୍ରକାରର ବ୍ୟବସ୍ଥା କରାଯାଇଛି । ଏହା ସହିତ ନଦୀ କୂଳ ସଡ଼କକୁ ମଧ୍ୟ ନୂତନ ଭାବେ ନିର୍ମାଣ କରାଯାଇଛି ଏବଂ ଏଠାରୁ ଋଷିକୂଲ୍ୟା ନଦୀର ସୌନ୍ଦର୍ଯ୍ୟକୁ ଅନୁଭବ କରିବାର ସୁଯୋଗ ପର୍ଯ୍ୟଟକଙ୍କ ପାଇଁ ଏକ ଅପୂର୍ବ ଆକର୍ଷଣ ସୃଷ୍ଟି କରିପାରିଛି । ଏ ସମସ୍ତ ବ୍ୟବସ୍ଥା ପାଇଁ ୧୧୫ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇଛି । ଏହି ଭବ୍ୟ ମନ୍ଦିର ନିର୍ମାଣରେ ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କର ବିଶେଷ ଅବଦାନ ରହିଥିଲା ।

 

ପୁଣି ବଢ଼ିଲା LPG ସିଲିଣ୍ଡର ଦର, ଘରୋଇ ସିଲିଣ୍ଡର ପିଛା ୩ ଟଙ୍କା ୫୦ ପଇସା ବୃଦ୍ଧି

ଭୁବନେଶ୍ୱର: ଖାଉଟିଙ୍କୁ ମହଙ୍ଗା ମାଡ଼ । ପୁଣି ବଢ଼ିଲା ଗ୍ୟାସ ସିଲିଣ୍ଡର ଦାମ୍ । ଘରୋଇ ସିଲିଣ୍ଡର ଦାମ ୩ ଟଙ୍କା ୫୦ ପଇସା ବଢ଼ିଥିବା ବେଳେ, କମର୍ସିଆଲ ସିଲିଣ୍ଡର ଦର ୮ ଟଙ୍କା ବୃଦ୍ଧି ପାଇଛି । ଦର ବଢ଼ିବା ପରେ ଭୁବନେଶ୍ୱରରେ ଘରୋଇ LPG ସିଲିଣ୍ଡର ମୂଲ୍ୟ ୧ ହଜାର ୨୯ ଟଙ୍କା ୫୦ ପଇସା ହୋଇଛି । ଗତ ମେ ୭ ତାରିଖରେ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇଥିଲା । କମର୍ସିଆଲ ସିଲିଣ୍ଡର ଦାମ ବଢ଼ିବା ପରେ ବିଭିନ୍ନ ରାଜ୍ୟରେ ଦାମ ୨୫ ଶହ ପାର୍ କରିଛି । ବାରମ୍ବାର ଗ୍ୟାସ ଦର ବୃଦ୍ଧିକୁ ନେଇ ଖାଉଟିଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ଅସନ୍ତୋଷ ।

ଓମ୍ବାଡସି ଓଭରସାଇଟି ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକଙ୍କ ସୁନ୍ଦରଗଡ଼ ଗସ୍ତ

ସୁନ୍ଦରଗଡ଼: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡସି) ଓଭରସାଇଟ୍ ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ତିନିଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି । ପ୍ରଥମ ଦିନରେ ସେ ଓମ୍ବାଡସିର ଆର୍ଥିକ ସହାୟତାରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରିବା ସହ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

ବୁଧବାର ସେ ଲେଫ୍ରିପଡ଼ା, ଟାଙ୍ଗରପାଲି ଏବଂ ସୁନ୍ଦରଗଡ଼ ସଦର ବ୍ଲକର ବିଭିନ୍ନ ପ୍ରକଳ୍ପ ସ୍ଥାନ ବୁଲି ଦେଖିଥିଲେ । ଜିଲ୍ଲାରେ ସାନ ସାନ ପିଲାମାନଙ୍କ ପୋଷଣ ସହ ଆନନ୍ଦମୟ ପରିବେଶ ଭିତରେ ସେମାନଙ୍କ ପ୍ରାକ୍ ପ୍ରାଥମିକ ଶିକ୍ଷା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆଧୁନିକ ବାଲା ମଡେଲ ଢାଞ୍ଚାରେ ନିର୍ମାଣ କରାଯାଉଛି । ଏହି ଅବସରରେ ଜଷ୍ଟିସ୍ ପଟ୍ଟନାୟକ ଟାଙ୍ଗରପାଲି ବ୍ଲକର ଚକ୍ରମାଲଠାରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ରର ଉଦଘାଟନ କରିଥିଲେ ।

ତଲଶଙ୍କରାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ ଜଷ୍ଟିସ୍ ପଟ୍ଟନାୟକ । ସେଠାରେ ସେ ସ୍କୁଲର ଅଧ୍ୟକ୍ଷ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବର୍ଗର ଲୋକଙ୍କ ଜୀବିକାକୁ ସଶକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ମାଛ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି । ବିଭିନ୍ନ ଚାଷୀ ନୂତନ ବାୟୋଫ୍ଲକ୍ ପଦ୍ଧତିରେ କୁଣ୍ଡରେ ମାଛ ଚାଷ କରୁଛନ୍ତି । ସେହିପରି ଗ୍ରାମ ପୋଖରୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ମଧ୍ୟ ମାଛ ଚାଷ କରୁଛନ୍ତି । ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ଲେଫ୍ରିପଡ଼ା ବ୍ଲକ୍ ଗସ୍ତରେ ଆସି ହିତାଧିକାରୀମାନଙ୍କ ସହ ଏହି କାର୍ଯ୍ୟକ୍ରମର ସଫଳତା ବିଷୟରେ ପଚାରି ବୁଝିଥିଲେ ।

ସେହିପରି ଜଷ୍ଟିସ୍ ପଟ୍ଟନାୟକ ଟାଙ୍ଗରପାଲି ବ୍ଲକ୍ ଗସ୍ତରେ ଯାଇ ସୁନ୍ଦରଗଡ଼ ବନଖଣ୍ଡ ଅଧୀନରେ ଉଜ୍ଜ୍ୱଳପୁରଠାରେ କରାଯାଉଥିବା କେନ୍ଦ୍ରୀୟ ନର୍ସରୀ ବୁଲି ଦେଖିଥିଲେ । ପରିବେଶ ସୁରକ୍ଷା ଏବଂ ସବୁଜ ବଳୟ ସୃଷ୍ଟି ଲାଗି ପ୍ରଶାସନ ପକ୍ଷରୁ ନିଆଯାଉଥିବା ଏଭଳି ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ ।

ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏବଂ ଓମ୍ବାଡସି ପାଣ୍ଠିର ବିନିଯୋଗ କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ବିଭିନ୍ନ ଗୋଷ୍ଠୀ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ କରାଯାଉଛି । ଜଷ୍ଟିସ୍ ପଟ୍ଟନାୟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ରୋଗୀମାନଙ୍କ ଚିକିତ୍ସା ପାଇଁ କରାଯାଇଥିବା ବିଭିନ୍ନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ।

ସୁନ୍ଦରଗଡ଼ରେ ଥିବା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରକୁ ଯାଇ ଜଷ୍ଟିସ୍ ପଟ୍ଟନାୟକ ସେଠାରେ ଭିନ୍ନକ୍ଷମଙ୍କୁ ଦିଆଯାଉଥିବା ବିଭିନ୍ନ ଚିକିତ୍ସା ଓ ସେବା ବିଷୟରେ ପଚାରି ବୁଝିଥିଲେ । ଏହି କେନ୍ଦ୍ରରେ ସମସ୍ତଙ୍କୁ ମାଗଣାରେ ରୋବୋଟିକ୍ ଫିଜିଓଥେରାପି ସେବା ଦିଆଯିବା ସହିତ ଗରିବ ବର୍ଗର ହିତାଧିକାରୀଙ୍କୁ ମାଗଣାରେ କୃତ୍ରିମ ଅଙ୍ଗରୋପଣ ସେବା ଦିଆଯାଉଥିବା ଜାଣି ସନ୍ତୋଷ ପ୍ରକାଶ କରିଥିଲେ । ଏହାପରେ ସେ ସୁନ୍ଦରଗଡ଼ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିସରରେ ଥିବା ଅତ୍ୟାଧୁନିକ ଥେରାପ୍ୟୁଟିକ୍ ସର୍ଭିସ୍ କେନ୍ଦ୍ର ପରିଦର୍ଶନ କରିଥିଲେ ।

ପ୍ରଥମ ଦିନର କ୍ଷେତ୍ରସ୍ତରୀୟ ପରିଦର୍ଶନ ପରେ ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଦଭାବନା ଭବନଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ଜଷ୍ଟିସ୍ ପଟ୍ଟନାୟକ । ଓମ୍ବାଡସି ଆର୍ଥିକ ସହାୟତାରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସେ ବିଭାଗୀୟ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ । ନିର୍ଦ୍ଧାରିତ ସମୟ ଭିତରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ସୁନ୍ଦରଗଡ଼ ଜିଲ୍ଲାରେ ଓମ୍ବାଡସି କାର୍ଯ୍ୟକ୍ରମର ସଫଳତା ପାଇଁ ସେ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଥିଲେ । ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଓମ୍ବାଡସି ପାଣ୍ଠିର ଆର୍ଥିକ ସହାୟତାରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଜଷ୍ଟିସ୍ ପଟ୍ଟନାୟକଙ୍କୁ ଅବଗତ କରାଇଥିଲେ ।

ଏହି ଗସ୍ତ ବେଳେ ଓମ୍ବାଡସିର ଓଭରସାଇଟ୍ ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକଙ୍କ ସହିତ ଓମ୍ବାଡସି ସିଇଓ ଜି ରାଜେଶ, ସ୍ୱତନ୍ତ୍ର ଅଧିକାରୀ ଶେଖ୍ ନଇମୁଦ୍ଦିନ୍ ଏବଂ ଦ୍ୱୈପାୟନ ପଟ୍ଟନାୟକ, ଓମ୍ବାଡସିର ଜେନେରାଲ ମ୍ୟାନେଜର ସୁଧାକର ବୁର୍ଗି, ଜେନେରାଲ ମ୍ୟାନେଜର ଜୟନ୍ତ କୁମାର ଦାସ, କଲସଲଟାଣ୍ଟ ପାର୍ଥ ମହାନ୍ତି ଏବଂ ଟିମ୍ ଲିଡର ଅମ୍ବୁଜ ପ୍ରସାଦ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଡିଏମଫ ସିଇଓ ରୀତା ଡାଙ୍ଗ ଏବଂ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର, ୧୫ ଶହରୁ ଅଧିକ ଗ୍ରାମ ଜଳମଗ୍ନ

ଦିସପୁର: ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର । ୨୭ ଜିଲ୍ଲାରେ ଜଳତାଣ୍ଡବ । ୧୫ ଶହରୁ ଅଧିକ ଗ୍ରାମ ଜଳମଗ୍ନ ହୋଇଥିବା ବେଳେ ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି । ବର୍ଷା ଜାରି ରହିଥିବାରୁ ପରିସ୍ଥିତି ଆହୁରି ସଂଗୀନ ହୋଇପାରେ ବୋଲି ଚେତାବନୀ ଦିଆଯାଇଛି । ବ୍ରହ୍ମପୁତ୍ର ନଦୀ ବନ୍ୟାରେ ୧ ହଜାର ୫ ଶହ ଗାଁରେ ପାଣି ପଶିଯାଇଛି । ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ଜାରି ରହିବ ।

ହୋଜାଇ ଜିଲ୍ଲାରେ ପାଣିଘେରରେ ଫସିଥିବା ୨ ହଜାର ଲୋକଙ୍କୁ ଭାରତୀୟ ସେନା ଉଦ୍ଧାର କରିଛି । ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଦିମା ହାସାଓ ଜିଲ୍ଲା । ବନ୍ୟା ଓ ଭୂସ୍ଖଳନ ଯୋଗୁଁ ରେଳ ଓ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗତ ତିନି ଦିନ ହେବ ଦିମା ହାସାଓ ଜିଲ୍ଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବନ୍ୟା ପ୍ରଭାବିତଙ୍କୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ଔଷଧ ଯୋଗାଇବା ପାଇଁ ବାୟୁସେନାର ସହାୟତା ନିଆଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବା ଶର୍ମାଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି । ରାଜ୍ୟକୁ ସବୁ ପ୍ରକାର କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

’ଜ୍ଞାନବାପି’ ମସଜିଦ୍ ପ୍ରସଙ୍ଗ: ଆଜି ଉଭୟ ସୁପ୍ରିମକୋର୍ଟ ଓ ବାରାଣସୀ କୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ଜ୍ଞାନବାପି ମସଜିଦ୍ ପ୍ରସଙ୍ଗରେ ଆଜି ହେବ ଶୁଣାଣି । ଉଭୟ ସୁପ୍ରିମକୋର୍ଟ ଓ ବାରାଣସୀ କୋର୍ଟରେ ଶୁଣାଣି ହେବ । ମସଜିଦ୍ ଭିତରେ ପୂଜା ଲାଗି ହିନ୍ଦୁଙ୍କୁ ଅନୁମତି ଦେବା ଲାଗି ଆଗତ ପିଟିସନର ହେବ ଶୁଣାଣି । ଗତ ମଙ୍ଗଳବାର ତଥାକଥିତ ଶିବଲିଙ୍ଗ ଠାବ ହୋଇଥିବା ଅଞ୍ଚଳକୁ ସୁରକ୍ଷା ବଳୟରେ ରଖିବା ଲାଗି ବାରାଣସୀର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

ସେପଟେ ନିଜର ସର୍ଭେ ରିପୋର୍ଟ ଦାଖଲ କରିବା ଲାଗି ଗଠିତ ଟିମକୁ ଆଉ ଦୁଇ ଦିନ ସମୟ ଦେଇଛନ୍ତି କୋର୍ଟ । ପିଟିସନରେ ମଧ୍ୟ ବେସମେଣ୍ଟର କାନ୍ଥ ଭାଙ୍ଗିବା ସହ ଅଧିକ ପ୍ରମାଣ ସଂଗ୍ରହ ଲାଗି ଅନୁରୋଧ କରାଯାଇଛି । ସେହିପରି ସର୍ଭେ କାର୍ଯ୍ୟରେ ପୁଣି ଥରେ କମିଶନର ଅଜୟ କୁମାର ମିଶ୍ରଙ୍କୁ ସାମିଲ କରିବା ନେଇ ଆଗତ ପିଟିସନର ବି ଶୁଣାଣି ହେବ ।

ପୁଣି ଫେରିବ ଗ୍ରୀଷ୍ମ ପ୍ରବାହ, ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ବଢିବ ତାପମାତ୍ରା

ଭୁବନେଶ୍ୱର: ପୁଣି ରାଜ୍ୟକୁ ଫେରିବ ଗ୍ରୀଷ୍ମ ପ୍ରବାହ । ଦୁଇରୁ ତିନି ଦିନ ମଧ୍ୟରେ ସ୍ୱାଭାବିକ ଠାରୁ ତିନିରୁ ଚାରି ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୨ ଓ ୨୩ ତାରିଖରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଆଭ୍ୟନ୍ତରୀଣ ଓଡ଼ିଶାକୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ବିଶେଷ କରି ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ମଧ୍ୟରେ ରହିବ । ଏନେଇ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

ସେପଟେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ଦେଖାଦେବ । ଆସନ୍ତା ୨୭ ତାରିଖରେ ମୌସୁମୀ କେରଳ ଛୁଇଁବା ପାଇଁ ପାଗ ଅନୁକୁଳ ରହିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଚଳିତ ବର୍ଷ ୫ ଦିନ ପୂର୍ବରୁ ମୌସୁମୀ ସକ୍ରିୟ ହୋଇଛି । ଜୁନ୍ ପ୍ରଥମ ସପ୍ତାହରେ ଓଡ଼ିଶା ଛୁଇଁବ ବୋଲି ଆକଳନ କରିଛି ଆଇଏମଡି ।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ସରଗରମ ରାଜନୀତି, ପ୍ରାର୍ଥୀଙ୍କ ପ୍ରଚାରରେ କମ୍ପୁଛି ମଇଦାନ

ବ୍ରଜରାଜନଗର: ଦୁଲୁକୁଛି ବ୍ରଜରାଜନଗର । ପ୍ରାର୍ଥୀଙ୍କ ପ୍ରଚାରରେ କମ୍ପୁଛି ମଇଦାନ । ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ନିଜ ନିଜ ଦଳର ହେଭିଓ୍ବେଟ । ବୃହତ ବ୍ୟବଧାନରେ ବିଜୟ ହାସଲ ପାଇଁ ବିଜେଡି ପକ୍ଷରୁ ପ୍ରସ୍ତୁତ ହୋଇଛି ରଣନୀତି । ଷ୍ଟାର ପ୍ରଚାରକମାନେ ଗ୍ରାଉଣ୍ଡରେ ଆରମ୍ଭ କରିଦେଇଛନ୍ତି କଡ଼ା କସରତ । ଦଳୀୟ କର୍ମୀଙ୍କୁ ବିଜୟ ମନ୍ତ୍ର ଦେବା ସହ ବିରୋଧୀ ରଣନୀତିକୁ କିପରି ପାଣି ଫୋଟକା କରାଯିବ ସେ କୌଶଳ କର୍ମୀଙ୍କୁ ବତାଇଛନ୍ତି ବରିଷ୍ଠ ବିଜେଡି ନେତା ।

ସେପଟେ ଶାସକ ଦଳକୁ ଟକ୍କର ଦେବା ପାଇଁ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି । ୨୦ ତାରିଖରେ ବିଜେପି ଷ୍ଟାର ପ୍ରଚାରକମାନେ ମଇଦାନକୁ ଓହ୍ଲାଇବାକୁ ରଣନୀତି କରିଛି । ସେହିପରି କଂଗ୍ରେସ ବରିଷ୍ଠ ନେତାଙ୍କୁ ପ୍ରାର୍ଥୀ କରି ଉପ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ।

କବିସୂର୍ଯ୍ୟନଗର ବାହଲପଲ୍ଲୀ ହ୍ରଦ ରାସ୍ତାରେ ବିଭତ୍ସ ହତ୍ୟାକାଣ୍ଡ

ଆସିକା: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢାମ୍ବ ନିକଟରେ ହତ୍ୟାକାଣ୍ଡ । ସ୍ଥାନୀୟ ବାହଲପଲ୍ଲୀ ହ୍ରଦ ରାସ୍ତାରେ ଆଜି ରାତିରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ଦୁର୍ବୃତ୍ତଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଖୋଜାପଲ୍ଲୀ ଗ୍ରାମର ରାଜୁ ବିଷୋୟୀ । ଏକ ବୋଲେରୋରେ ଆସି ହତ୍ୟାକାରୀମାନେ ରାଜୁଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା ସୂଚନା ମିଳିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ପହଞ୍ଚି ହତ୍ୟାରେ ବ୍ୟବହୃତ ବୋଲେରୋ ଓ ଶବ ଜବତ କରିଛି ।

ତେବେ ହତ୍ୟାକାଣ୍ଡ ସମୟରେ ରାଜୁଙ୍କ ନିକଟରେ ବସିଥିବା ଜଣେ ବ୍ୟକ୍ତି ବର୍ତ୍ତିଯାଇଛନ୍ତି । ଅନ୍ୟପକ୍ଷରେ ମୃତ ରାଜୁ କିଛିଦିନ ତଳେ ଜେଲରୁ ପାରୋଲରେ ଫେରିଥିଲେ । ଏକମାସ ପରେ ହାଇକୋର୍ଟଙ୍କୁ ଆବେଦନ କରି ଆଉ ଏକମାସ ପାରୋଲ ଅବଧି ବଢାଇଥିଲେ । ତେବେ କିଛିଲୋକ ସଟ୍ଟା ଖେଳକୁ ନେଇ ହତ୍ୟାକାଣ୍ଡ ଘଟିଥିବା କହୁଥିବା ବେଳେ ହତ୍ୟାକାଣ୍ଡ ପଛରେ ଆଉ କଣ କାରଣ ଅଛି ତାହା ସ୍ପଷ୍ଟ ହୋଇନାହିଁ ।