ବାବୁସାନଙ୍କ ଆଗୁଆ ଜାମିନ ଆବେଦନ ମାମଲାରେ ପୂର୍ଣ୍ଣଚ୍ଛେଦ

1 min read

କଟକ: ବାବୁସାନ-ତୃପ୍ତି-ପ୍ରକୃତି ବିବାଦରେ ବାବୁସାନଙ୍କ ଆଗୁଆ ଜାମିନ ଆବେଦନ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଲେ ହାଇକୋର୍ଟ । ତୃପ୍ତିଙ୍କ ଅଭିଯୋଗ ପରେ ସମ୍ଭାବ୍ୟ ଗିରଫଦାରୀ ଏଡାଇବାକୁ ଆଗୁଆ ଜାମିନ ଆବେଦନ କରିଥିଲେ ବାବୁସାନ । ତଦନ୍ତରେ ସହଯୋଗ କରୁଥିବାରୁ ଆବେଦନର ଆଗକୁ ଶୁଣାଣି ନକରିବାକ ପାଇଁ କୋର୍ଟ କହିଛନ୍ତି । ଏହାସହ Crpc ୪୧ରେ ତାଙ୍କ ବୟାନ ରେକର୍ଡ କରିଛି ପୋଲିସ । ଏଥିପାଇଁ ଜାମିନର ଆବଶ୍ୟକତା ନଥିବା ଦର୍ଶାଇ ଆଗୁଆ ଜାମିନ ଆବେଦନର ଅନ୍ତ ଘଟାଇଲେ ହାଇକୋର୍ଟ ।

ସୂଚନାଯୋଗ୍ୟ, ପ୍ରକୃତି ଓ ବାବୁସାନଙ୍କୁ କାରରେ ଏକାଠି ଦେଖି ପତ୍ନୀ ତୃପ୍ତି କରିଥିଲେ ହଙ୍ଗାମା । ସେ ବାବୁସାନ ଓ ପ୍ରକୃତିଙ୍କୁ ଟଣାଘୋଷଡା କରିଥିଲେ । ଏହାସହ ପ୍ରକୃତିଙ୍କୁ ଧକ୍କା ମାରିବା ସହ ଏଇ ମୋ ଘର ଭାଙ୍ଗି ଦେଲା ବୋଲି ଚିଲ୍ଲାଇ ଚିଲ୍ଲାଇ କହିଥିଲେ । ଏସବୁ ଘଟଣା ଘଟିଥିଲା ରାଜଧାନୀ ରାଜରାସ୍ତାରେ । ଷ୍ଟାର ଘରର କଳି ଦେଖିବାକୁ ସେଦିନ ରାସ୍ତାରେ ରୁଣ୍ଡ ହୋଇ ଯାଇଥିଲେ ଶହ ଶହ ଲୋକ । ଏହାପରେ ତୃପ୍ତି ଓ ତାଙ୍କ ବାପାଙ୍କ ନାଁରେ ପ୍ରକୃତିଙ୍କ ବାପାମାଆ ଏତଲା ଦେଇଥିଲେ । ଅନ୍ୟପକ୍ଷରେ ତୃପ୍ତିଙ୍କ ପକ୍ଷରୁ ବାବୁସାନ ଏବଂ ପ୍ରକୃତିଙ୍କ ନାଁରେ ଏତଲା ଦିଆଯାଇଥିଲା । ପୋଲିସ ଉଭୟ ପକ୍ଷର ଏତଲାକୁ ଆଧାର କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଛି ।

ଘଟଣା ପରେ ପ୍ରକୃତି ଓ ବାବୁସାନ ଚେନ୍ନାଇ ପଳାଇଥିଲେ । ସେଠାରୁ ପ୍ରକୃତି ଫେରିଥିବା ବେଳେ ବାବୁସାନଙ୍କ ଫେରିବାକୁ ନେଇ ସସପେନ୍ସ ଲାଗି ରହିଥିଲା । ଏପରିକି ବାବୁସାନ ହୋଟେଲ ଛାଡ଼ିଥିଲେ ବି ଓଡ଼ିଶା ଫେରି ନଥିଲେ, ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା । ପରେ ବାବୁସାନ ଘରକୁ ଫେରିବା ପରେ ଥାନାକୁ ଯାଇ ତଦନ୍ତର ସମ୍ମୁଖୀନ ହୋଇଥିଲେ ।