spot_img
Home Blog Page 4219

ମସ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ! କେସ ଦଫାରଫା କରିବାକୁ ୨୫୦ ହଜାର ଡଲାର

ନୂଆଦିଲ୍ଲୀ: ନୂଆ ବିବାଦରେ ଛନ୍ଦି ହୋଇଛନ୍ତି ବିଶ୍ବର ସବୁଠୁ ଧନଶାଳୀ ବ୍ୟକ୍ତି ଏଲନ ମସ୍କ । ବ୍ୟବସାୟ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି ମସ୍କ । ଏବେ ଏଲନ ମସ୍କଙ୍କୁ ନେଇ ଆଉ ଏକ ବିବାଦ ସାମ୍ନାକୁ ଆସିଛି । ମସ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା କେସର ଦଫାରଫା ପାଇଁ ୨୫୦ ହଜାର ଡଲାର ଦେଇଛି ସ୍ପେସ ଏକ୍ସ ।

ତେବେ ୨୦୧୬ରେ ମସ୍କଙ୍କ ବିରୋଧରେ ଏହି ଅଭିଯୋଗ ଆସିଥିଲା । ଏଥିପାଇଁ କମ୍ପାନୀକୁ ବହୁମୂଲ୍ୟ ଦେବାକୁ ପଡ଼ିଛି ବୋଲି କମ୍ପାନୀର ଜଣେ କର୍ମଚାରୀ କହିଛନ୍ତି । ଏହି ରକେଟ ଲଞ୍ଚର କମ୍ପାନୀର ପ୍ରତିଷ୍ଠାତା ଓ ସିଇଓ ଏଲନ ମସ୍କ ସ୍ପେସ କର୍ପୋରେଟିଭ ଜେଟରେ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଅଶାଳୀନ ବ୍ୟବହାର କରିଥିଲେ । ଯେଉଁଥିପାଇଁ କମ୍ପାନୀ ସେହି ଆଟେଣ୍ଡାଣ୍ଟଙ୍କୁ ୨୦୧୮ରେ କମ୍ପାନୀ ୨୫୦ ହଜାର ଡଲାର ଦେଇଥିଲା । ଜଣେ ଟ୍ବିଟର ୟୁଜର ଏ ନେଇ ମସ୍କଙ୍କୁ ପଚାରିବାରେ ସେ ଏହାକୁ ଖଣ୍ଡନ କରିଛନ୍ତି ।

ଟ୍ରେନ୍ ଧକ୍କାରେ ଆହତ ଆଉ ୨ ହାତୀଙ୍କ ମୃତ୍ୟୁ, ୩ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

କେନ୍ଦୁଝର: କେନ୍ଦୁଝରରେ ହାତୀ ମୃତ୍ୟୁ ନେଇ ଦାୟୀ କିଏ? ଟ୍ରେନ୍ ଧକ୍କାରେ ୩ ହାତୀଙ୍କ ଜୀବନ ଯାଇଛି । ମା’ ଓ ୨ ଛୁଆ ରେଳ ଲାଇନ ପାର ହେଉଥିବା ବେଳେ ଧକ୍କା ଦେଇଥିଲା ମାଲବାହୀ ଟ୍ରେନ୍ । ହେଲେ ଗତକାଲି ରାତିରେ ଛୁଆ ହାତୀର ମୃତ୍ୟୁ ହୋଇଥିବାବେଳେ, ଆଜି ମା’ ଓ ଅନ୍ୟ ଏକ ଛୁଆ ହାତୀର ଜୀବନ ଯାଇଥିବା ଡିଏଫଓ ସୂଚନା ଦେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଚମ୍ପୁଆ ରେଞ୍ଜ ବାଂଶପାଣି ନିକଟ ରେଳ ଲାଇନକୁ ୨୨ ଟିକିଆ ହାତୀପଲ ପାର ହେଉଥିବା ବେଳେ, ୩ଟି ହାତୀଙ୍କୁ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା । ଟ୍ରେନ୍ ଧକ୍କାରେ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ଛୁଆ ହାତୀ ଓ ଗୋଟିଏ ମାଈ ହାତୀ ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା କରାଯାଉଥିଲା । ହେଲେ ଆହତ ଥିବା ୨ଟି ହାତୀଙ୍କର ଆଜି ମୃତ୍ୟୁ ହୋଇଛି ।

 

ବିଶ୍ୱସ୍ତରୀୟ ହେବ କଳିଙ୍ଗ ଷ୍ଟୁଡିଓ, ୧୫ ମାସରେ ସରିବ କାମ

ଭୁବନେଶ୍ୱର: ଖୁବଶୀଘ୍ର ବିଶ୍ଵସ୍ତରୀୟ ହେବାକୁ ଯାଉଛି କଳିଙ୍ଗ ଷ୍ଟୁଡିଓ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିପାଇଁ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟର ଆଜି ଶୁଭାରମ୍ଭ ହୋଇଛି । ଆଜି ମଣ୍ଡପ ଓ ଟେକଜୋନ୍ କାର୍ଯ୍ୟର ପୂଜାର୍ଚ୍ଚନା ପରେ କଂକ୍ରିଟ କରଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ଯୋଗ ଦେଇ ଏହି କାର୍ଯ୍ୟର ଶୁଭାରମ୍ଭ କରିବା ସହ ତଦାରଖ କରିଛନ୍ତି । କଳିଙ୍ଗ ଷ୍ଟୁଡିଓର କାର୍ଯ୍ୟ ୧୩ରୁ ୧୫ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରହିଛି । ଚଳଚ୍ଚିତ୍ର ଶିଳ୍ପ ସହ ଜଡ଼ିତ କଳିଙ୍ଗ ଷ୍ଟୁଡିଓ ଖୁବ୍ କମ୍ ଦିନ ମଧ୍ୟରେ ବିଶ୍ଵସ୍ତରୀୟ ହେବ ବୋଲି ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ କହିଛନ୍ତି ।

ପୂର୍ବ ୟୁକ୍ରେନରେ ଋଷର ବଡ଼ ଧରଣର ଆକ୍ରମଣ, ୧୨ ମୃତ, ୪୦ରୁ ଅଧିକ ଆହତ

କିଭ୍: ୟୁକ୍ରେନ ବିରୋଧରେ ଋଷର ପୁଣି ବଡ଼ ଧରଣର ଆକ୍ରମଣ । ପୂର୍ବ ୟୁକ୍ରେନର ସେବେରୋ ଦୋନେସ୍କରେ ଗୋଳା ବର୍ଷଣ ଯୋଗୁ ୧୨ ଜଣ ପ୍ରାଣ ହରାଇଥିବା ବେଳେ ଆହତ ହୋଇଛନ୍ତି ୪୦ ଜଣ । ଏହାସହ ଦୋନବାସରେ ଋଷ ସୈନ୍ୟ ଅଗ୍ରସର ହେଉଥିବା ସୂଚନା ମିଳିଛି । ଅନେକ ଜନବସତି ଉପରେ ଏୟାର ଷ୍ଟ୍ରାଇକ ହେଉଥିବା ନେଇ ଅଭିଯୋଗ କରିଛି ୟୁକ୍ରେନ । ଶିଳ୍ପଭିତ୍ତିକ ସହର ଦୋନବାସକୁ ଋଷ ସମ୍ପୂର୍ଣ୍ଣ ଧ୍ବଂସ କରିଦେଲାଣି ବୋଲି ଦାବି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।

ସେପଟେ ୟୁକ୍ରେନକୁ ଆଉ ୪୦ ବିଲିୟନ ଡଲାରର ପ୍ୟାକେଜ ଘୋଷଣା କରିଛି ଆମେରିକା । ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ଆମେରିକା କଂଗ୍ରେସ । ଋଷ-ୟୁକ୍ରେନ ମଧ୍ୟରେ ଦୀର୍ଘ ଯୁଦ୍ଧ ଚାଲିବ ବୋଲି କହିଛି ପେଣ୍ଟାଗନ । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଖାରକିଭକୁ ୟୁକ୍ରେନ ସୈନ୍ୟ ନିଜ କବଜାକୁ ନେଇଛନ୍ତି । ଋଷକୁ ୟୁକ୍ରେନ ମାଟିରୁ ହଟାଇବା ଲାଗି ଆମେରିକା ସମସ୍ତ ପ୍ରକାର ସହଯୋଗ କରିବ । ସେ କହିଛନ୍ତି ଯୁଦ୍ଧରେ ଋଷ ପଛକୁ ହଟିବାରେ ଲାଗିଛି ଏବଂ ଅନେକ ସ୍ଥାନରେ ଆଗେଇବାକୁ ସକ୍ଷମ ହୋଇପାରୁନାହିଁ । ତଥାପି ଦୋନବାସ ଓ ମିକୋଲେଭରେ ଋଷ ସୈନ୍ୟ କଡା ଟକ୍କର ଦେଉଛନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ନାଟୋରେ ଫିନଲାଣ୍ଡ ଓ ସ୍ୱିଡେନର ମିଶ୍ରଣ ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି ଜର୍ମାନୀ ଚାନସେଲର ଓଲାଫ ସ୍କଜ । ସେ କହିଛନ୍ତି ଏହା ଦ୍ୱାରା ନାଟୋର ଶକ୍ତି ବୃଦ୍ଧି ହେବ । ଏହି ଦୁଇ ରାଷ୍ଟ୍ରଙ୍କୁ ତୁରନ୍ତ ନାଟୋରେ ସାମିଲ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ସେହିପରି ଯୁଦ୍ଧକୁ ନେଇ ପ୍ରସାରିତ କେତେକ ତ୍ରୁଟିଯୁକ୍ତ ସୂଚନାକୁ ନିୟନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଛି ଟ୍ୱିଟର । ଏହି ଧରଣର କେତେକ ଖବର ଉପରେ ଓ୍ବାର୍ଣ୍ଣିଂ ନୋଟିସ ଉଲ୍ଲେଖ କରାଯିବ ବୋଲି ଟ୍ବିଟର କହିଛି ।

ବହୁଚର୍ଚ୍ଚିତ ପେଗାସସ୍ ମାମଲା: ଆଜି ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି କରିବେ ଶୁଣାଣି

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ବହୁଚର୍ଚ୍ଚିତ ପେଗାସସ୍ ମାମଲାର ଶୁଣାଣି । ଜାସୁସୀ ମାମଲାରେ ଗଠିତ ତିନି ଜଣିଆ କମିଟିର ଅନ୍ତରୀଣ ତଦନ୍ତ ରିପୋର୍ଟ ସମ୍ପର୍କରେ ବିଚାର କରିପାରନ୍ତି କୋର୍ଟ । ସାରା ଦେଶରେ ଝଡ଼ ସୃଷ୍ଟି କରିଥିବା ପେଗାସସ୍ ମାମଲାରେ ବହୁ ରାଜନେତା, ବିରୋଧୀଦଳ ନେତା, ସଂଖ୍ୟାଲଘୁ ନେତା, ମନ୍ତ୍ରୀ, ସିବିଆଇର କିଛି ବରିଷ୍ଠ ଅଧିକାରୀ, ବିଚାରପତି, ସାମ୍ବାଦିକ, ସାମାଜିକ କର୍ମୀଙ୍କ ଫୋନ ହ୍ୟାକ ନେଇ ଗୁରୁତର ଅଭିଯୋଗ ଆସିବା ପରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆର.ଭି.ରବୀନ୍ଦ୍ରନଙ୍କୁ ନେଇ ଏକ ୩ ଜଣିଆ କମିଟି ଗଠିତ ହୋଇଥିଲା ।

୪୦୦ରୁ ଅଧିକ ବ୍ୟକ୍ତିଙ୍କ ଫୋନ ହ୍ୟାକ୍ ଅଭିଯୋଗ ପରେ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମଣାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଏହା ଏକ ଜଟିଳ ବିଷୟ ହୋଇଥିବାରୁ ଚୂଡ଼ାନ୍ତ ରିପୋର୍ଟ ଦାଖଲ ଲାଗି କମିଟି ଅଧିକ ସମୟ ବି ଚାହିଁପାରେ । ଇସ୍ରାଏଲ ନିର୍ମିତ ଏହି ସ୍ପାଏଓ୍ୱେର ହାସଲ କରାଯାଇଛି କି ନାହିଁ ସେ ସମ୍ପର୍କରେ ଦର୍ଶାଇବା ଲାଗି ଏହି କମିଟି ଗତ ଏପ୍ରିଲ ୧୮ରେ ସମସ୍ତ ରାଜ୍ୟର ପୋଲିସ ମୁଖ୍ୟଙ୍କୁ ଚିଠି ଲେଖିଥିଲେ ।

ପେଗାସସ୍ ମାମଲାରେ କୌଣସି ବେଆଇନ କାର୍ଯ୍ୟ କରାଯାଇନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଦେଇଥିଲେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ସଂସଦରେ ବାରମ୍ବାର ଝଡ଼ ସୃଷ୍ଟି ହୋଇଥିଲା । ଶେଷରେ ଏହି ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା । ଏନଏଓ ଗ୍ରୁପର ସ୍ପାଏଓ୍ୱେର ପେଗାସସ୍ ଜରିଆରେ ବେଆଇନ କାର୍ଯ୍ୟ କରାଯାଇଛି ବୋଲି ୧୨ଟି ପିଟିସନ ଦାୟର ହେବା ପରେ ଏହା ବ୍ୟକ୍ତିଗତ ଗୋପନୀୟତା ଅଧିକାରର ଉଲ୍ଲଂଘନ ଦର୍ଶାଇ ଘଟଣାର ସବିଶେଷ ତଦନ୍ତ କରିବା ଲାଗି ସୁପ୍ରିମକୋର୍ଟ ଗଠନ କରିଥିଲେ କମିଟି । ତେବେ ଏହି ଅଭିଯୋଗ ଭିତ୍ତିହୀନ ବୋଲି ନିଜ ସତ୍ୟପାଠରେ ଦର୍ଶାଇଥିଲେ କେନ୍ଦ୍ର ସରକାର ।

ଲାଲୁ ଯାଦବଙ୍କ ପାଇଁ ପୁଣି ବଢ଼ିଲା ଅଡୁଆ, ନିଯୁକ୍ତିରେ ଅନିୟମିତତା ମାମଲାରେ ସିବିଆଇ ରେଡ୍

ପାଟନା: ବୁଲୁଛି ସିବିଆଇ ଖଣ୍ଡା । ଚିଦାମ୍ବରମ୍‌ ବାପା-ପୁଅଙ୍କ ଘରେ ସିବିଆଇ ରେଡ୍ ପରେ ଏବେ ଲାଲୁଙ୍କ ପାଳି । ପୁଣି ଅଡୁଆରେ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ନିଯୁକ୍ତିରେ ଅନିୟମିତତା ମାମଲାରେ ଲାଲୁ ଯାଦବଙ୍କ ଘରେ ରେଡ୍ କରୁଛି ସିବିଆଇ । ପାଟନାସ୍ଥିତ ବାସଭବନରେ ପତ୍ନୀ ରାବଡି ଦେବୀଙ୍କୁ ପଚରାଉଚରା କରୁଛି ସିବିଆଇ । ମୋଟ୍ ୧୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ସିବିଆଇ ।

ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ଝିଅଙ୍କ ନାଁରେ ରହିଛି ଏହି ଦୁର୍ନୀତି ମାମଲା । ବିହାରର ମୁଖ୍ୟମନ୍ତ୍ରୀ ଥିବା ସମୟରେ ନିଯୁକ୍ତି ଦେବା ନାଁରେ ଜମିବାଡ଼ି ଓ ଫ୍ଲାଟ୍‌ ଠକି ନେଇଥିବା ଅଭିଯୋଗ ରହିଛି । ବିହାର ଓ ଦିଲ୍ଲୀ ସ୍ଥିତ ୧୫ଟି ସ୍ଥାନରେ ଚାଲିଛି ଖୋଳତାଡ଼ । ୭୩ ବର୍ଷୀୟ ଭେଟେରାନ ରାଜନେତା ଲାଲୁ ପ୍ରସାଦ ଯାଦବଙ୍କୁ କିଛି ଦିନ ତଳେ ଚାରା ଦୁର୍ନୀତି ମାମଲାରେ ଜାମିନ୍ ମିଳିଥିଲା । କେବଳ ସେତିକି ନୁହେଁ ମାସେ ପୂର୍ବରୁ ଦୋରନ୍ଦା ଟ୍ରେଜେରୀ ଦୁର୍ନୀତି ମାମଲାରେ ଝାଡଖଣ୍ଡ ହାଇକୋର୍ଟରୁ ବେଲ୍ ପରେ ଜେଲରୁ ମୁକୁଳିଥିଲେ ଲାଲୁ ଯାଦବ ।

 

ରାଜଧାନୀରେ ପୁଣି ଫୁଟିଲା ବୋମା, ସହିଦନଗର ଥାନା ଜଗନ୍ନାଥ ନଗରରେ ୨ଟି ବୋମାମାଡ଼

ଭୁବନେଶ୍ୱର: ରାଜଧାନୀରେ ପୁଣି ଫୁଟିଲା ବୋମା । ଭୁବନେଶ୍ୱର ସହିଦନଗର ଥାନା ଜଗନ୍ନାଥ ନଗରରେ ବୋମାମାଡ଼ । ଗତକାଲି ବିଳମ୍ବିତ ରାତିରେ ୨ଟି ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି । ତେବେ ଏହି ବୋମାମାଡ଼ରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଥିବାବେଳେ ସ୍ଥାନୀୟ ଲୋକ କିନ୍ତୁ ଏହି ବୋମାମାଡ଼ ପରେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଅନ୍ୟପଟେ ବୋମାମାଡ଼ ଖବର ପାଇ ସହିଦନଗର ଥାନା ପୋଲିସ ଓ ଜୋନ-୫ ଏସିପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । କିଏ ଓ କାହିଁକି ଏହି ବୋମାମାଡ଼ କରିଛି । ଏହା ପଛରେ କାରଣ କ’ଣ ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

ଆଜିଠୁ କଟକରେ ଝଲସିବ ଆଦିବାସୀ ସଂସ୍କୃତି, କିଲ୍ଲା ପଡ଼ିଆରେ ୧୧ ଦିନ ଧରି ଚାଲିବ ମେଳା

କଟକ: କଟକରେ ଦେଖିବାକୁ ମିଳିବ ଆଦିବାସୀ ସଂସ୍କୃତିର ଝଲକ । ଆଜିଠୁ କିଲ୍ଲା ପଡ଼ିଆରେ ଆରମ୍ଭ ହେବ ଆଦିବାସୀ ମେଳା । ୧୧ ଦିନ ବ୍ୟାପି ଏହି ମେଳା ଅନୁଷ୍ଠିତ ହେବ । ପରିଚୟ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ପ୍ରଶାସନ ସହଯୋଗରେ କଟକରେ ପ୍ରଥମଥର ପାଇଁ ଏହି ମେଳା ଆୟୋଜନ କରାଯାଉଛି । ମେଳାରେ ୧୨୦ଟି ଷ୍ଟଲ ପଡ଼ୁଥିବାବେଳେ ଓଡ଼ିଶା ରାଜ୍ୟ ସମେତ ୨୭ଟି ରାଜ୍ୟର ଆଦିବାସୀ ପ୍ରତିଷ୍ଠାନ ଯୋଗ ଦେଇଛନ୍ତି । ଆଦିବାସୀମାନଙ୍କ ହାତ ତିଆରି ଅନେକ ଘରକରଣା ସାଜସଜ୍ଜା ଓ ଖାଦ୍ୟ ସାମଗ୍ରୀ ମିଳିବ । ଏଥି ସହିତ ସ୍ୱତନ୍ତ୍ର ଖାଦ୍ୟ ଷ୍ଟଲ ଖୋଲାଯିବ । ଯେଉଁଥିରେ ବାହାର ରାଜ୍ୟର ପ୍ରସିଦ୍ଧ ଆଦିବାସୀ ଖାଦ୍ୟ ଉପଲବ୍ଧ ହେବ ।

ଆଜି ପ୍ରତିଷ୍ଠା ଉତ୍ସବର ଶେଷ ଦିନ, ଅଖଣ୍ଡ ନାମଯଜ୍ଞ ସହ ପଡ଼ିବ ଘୃତଯଜ୍ଞର ପୂର୍ଣ୍ଣାହୂତି

ବ୍ରହ୍ମପୁର: ମାଆ ତାରାତାରିଣୀ ମନ୍ଦିରରେ ଚାଲିଛି ନବକଳେବର ଉତ୍ସବ । ମନ୍ତ୍ର ଧ୍ୱନିରେ କମ୍ପୁଛି ରତ୍ନଗିରି ପର୍ବତ । ଆଜି ପ୍ରତିଷ୍ଠା ଉତ୍ସବର ଶେଷ ଦିନ । ମନ୍ଦିରରେ ପୂଜା ସରିବା ସହ ଯଜ୍ଞର ପୂର୍ଣ୍ଣାହୂତି ହେବ । ବ୍ରାହ୍ମଣମାନଙ୍କର ଯଜ୍ଞବେଦୀ ପ୍ରବେଶ ସହ ସୂର୍ଯ୍ୟ ପୂଜାଠାରୁ ଆରମ୍ଭ କରି ଗୋ ପୂଜା, ମଣ୍ଡଳ ଦେବତା ପୂଜା ଓ ତ୍ରିଶୂଳ ଧ୍ୱଜ କରାଯିବ । ପାର୍ଶ୍ୱଦେବଦେବୀଙ୍କ ସ୍ଥାପନ ସହ ରତ୍ନ ସିଂହାସନ ବିଜେ, ମହାଧିଜଙ୍କ ଭ୍ରମଣ, ଅଖଣ୍ଡ ନାମଯଜ୍ଞ ଓ ଘୃତଯଜ୍ଞର ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ରହିଛି । ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଶହ ଶହ ଭକ୍ତ ମାଆ ତାରାତାରିଣୀଙ୍କୁ ଦର୍ଶନ କରି ଆଶିଷ ନେଉଛନ୍ତି ।

୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା, ୧୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା । ଏନେଇ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଚଣ୍ଡ ଘଡଘଡି ବିଜୁଳି ସହ ବର୍ଷା ପାଇଁ ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କନ୍ଧମାଳ, ଗଞ୍ଜାମ, କଟକ ଏବଂ ଜଗତସିଂହପୁରରେ କାଳବୈଶାଖୀ ବର୍ଷା ପାଇଁ ସତର୍କତା ଜାରି କରାଯାଇଛି ।

ଏହି କାଳବୈଶାଖୀ ବର୍ଷା ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ । କାଳବୈଶାଖୀ ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୧, ୨୨ ଏବଂ ୨୩ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଫେରିବ । ବିଶେଷ କରି ବଲାଙ୍ଗୀର, ଝାରସୁଗୁଡା, ବୌଦ୍ଧ, ସୋନପୁର, ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୁରଭଞ୍ଜରେ ସ୍ୱାଭାବିକଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ।