ଆଜିଠୁ ପ୍ରବଳ ବର୍ଷିବ, ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା । ଆଜି ସନ୍ଧ୍ୟାରେ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଯାହାର ପ୍ରଭାବରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଛେଚିବ । ୫ ଦିନ ଧରି ଅବିଭକ୍ତ କୋରାପୁଟ ସମେତ କଳାହାଣ୍ଡିରେ ୧୫୦ ମିଲିମିଟରରୁ ଅଧିକ ବର୍ଷା ସମ୍ଭାବନା ରହିଛି ।

ପୁରୀ, ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା,ଗଜପତି, ବୌଦ୍ଧ, ବଲାଙ୍ଗୀର ଓ ସୋନପୁରରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ ୬, ୭ ଓ ୮ରେ ଲଘୁଚାପ ସମୁଦ୍ରରେ ରହିବା ପରେ ଦକ୍ଷିଣ ଛତିଶଗଡ଼ ମୁହାଁ ହୋଇ ୧୧ ବେଳକୁ ଗୁଜୁରାଟ, ମହାରାଷ୍ଟ୍ର ଆଡ଼େ ଗତି କରିବ ।

ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ହାରାହାରି ୬୦ ମିଲିମିଟର ବର୍ଷା ହେବ । ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ବଂଶଧାରା ଓ ନାଗାବଳୀ ନଦୀ ଫୁଲିବା ସମ୍ଭାବନା ରହିଛି । ୯ ତାରିଖରେ କୋରାପୁଟ, ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ  । ଏଥିପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଚାଷୀମାନଙ୍କୁ ଧାନ କ୍ଷେତରେ କୀଟନାଶକ ଓ ଜଳସେଚନ କରିବାକୁ ବାରଣ କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଚାଷୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।