ପୁଣି ବିବାଦରେ ବିଶ୍ୱେଶ୍ୱର, ସୋସିଆଲ ମିଡିଆରେ ଦେଉଛନ୍ତି ଖୁଲମଖୋଲା ଧମକ

ନନ୍ଦିଘୋଷ ବ୍ୟୁରୋ: ବିଶ୍ୱେଶ୍ୱର ଟୁଡୁ ଓ ବିବାଦ । ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ । ପୁଣି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡ଼ୁ । ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମାଡ ମାରି, ଧମକ ଦେଇ ଚର୍ଚ୍ଚାକୁ ଆସିଥିବା ବିଶ୍ବେଶ୍ବରଙ୍କର ପୁଣି ଦେଖିବାକୁ ମିଳିଛି ଦାଦାଗିରି । ଏଥର ପ୍ଲାଟଫର୍ମ ହେଲା ସୋସିଆଲ ମଡିଆ । ସୋସିଆଲ ମିଡିଆରେ ଦେଉଛନ୍ତି ଖୋଲା ଧମକ । ପ୍ରସ୍ତାବିତ ରାସଗୋବିନ୍ଦପୁର ବିମାନବନ୍ଦର ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟି ଆଲୋଚନା କରିଥିବା ନେଇ ତାଙ୍କର ଏକ ଫେସବୁକ ପୋଷ୍ଟରୁ ଏହି ବିବାଦ ସୃଷ୍ଟି ହୋଇଛି । କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ନିଜ ଫେସବୁକ ପୋଷ୍ଟରେ କେନ୍ଦ୍ରମନ୍ତ୍ରୀ ଏହି ସୂଚନା ଦେବା ପରେ ମୟୁରଭଂଜର ବହୁ ବୁଦ୍ଧିଜୀବୀ ନାନା ପ୍ରଶ୍ନ ଉଠାଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ପାରିବାପଣିଆ ନେଇ ମଧ୍ୟ କିଛି ଲୋକ ପ୍ରଶ୍ନ କରିଥିଲେ ।

ରାସଗୋବିନ୍ଦପୁରରେ ପ୍ରସ୍ତାବିତ ବିମାନବନ୍ଦରକୁ ନେଇ ସାଧାରଣରେ ସୃଷ୍ଟି ହେଉଥିବା ଦ୍ବନ୍ଦ୍ବର ଉତ୍ତର ଦେବା ପରିବର୍ତ୍ତେ କେନ୍ଦ୍ରମନ୍ତ୍ରୀ ସୋସିଆଲ ମିଡିଆରେ କିଛି ବ୍ୟକ୍ତିଙ୍କୁ ଧମକ ଦେଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲୋକେ ପଚାରିଥିବା ପ୍ରଶ୍ନକୁ ନେଇ ରାଗି ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ । ଫେସବୁକ ପୋଷ୍ଟରେ ଯିଏ ଯାହା ପଚାରିଲେ ମାଡ ହେବ, ପିଠିରୁ ଚୋପା ଛାଡିଯିବ ଭଳି ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ଶବ୍ଦରେ ଧମକ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ । ଯେଉଁ ଜନତାଙ୍କ ଭୋଟରେ ସେ ଆଜି କେନ୍ଦ୍ର ମନ୍ତ୍ରୀ ସେମାନଙ୍କୁ ଫେସବୁକରେ ଖୁବ ଧୁଲେଇ କରିଛନ୍ତି ବିଶେଶ୍ବର । ମନ୍ତ୍ରୀଙ୍କ ଏଭଳି ଧମକପୂର୍ଣ୍ଣ ପୋଷ୍ଟର କିଛି ସ୍କ୍ରିନ ସଟ୍ ଏବେ ଭାଇରାଲ ହୋଇ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ।

ତାଙ୍କ ପୋଷ୍ଟରେ କିଏ କିଛି ରିଆକ୍ଟ କଲେ, ମନ୍ତ୍ରୀ ସିଧାସଳଖ ଧମକାଉଛନ୍ତି । କାହାକୁ ଜିଲ୍ଲାର ପରିଚୟ ମାଗୁଛନ୍ତି ତ ପୁଣି କାହାକୁ କହୁଛନ୍ତି, ତୁମ ଲେଖାରୁ ଜଣାପଡ଼ୁଛି, ତୁମେ ଏହି ଜିଲ୍ଲାର ନୁହଁ । ମନ୍ତ୍ରୀଙ୍କ ପୋଷ୍ଟକୁ ନେଇ ମୟୁରଭଞ୍ଜର କିଛି ବୁଦ୍ଧିଜୀବୀ ଯେଉଁ ଶବ୍ଦ ବ୍ୟବହାର କରିଛନ୍ତି ତାକୁ ଆମେ କହିପାରିବୁନାହିଁ । ଏପିରିକି ମନ୍ତ୍ରୀ ମଧ୍ୟ ସୋସିଆଲ ମିଡିଆରେ ଅସାମ୍ବିଧାନିକ ଶବ୍ଦ ବ୍ୟବହାର କରିବାକୁ ପଛେଇନାହାଁନ୍ତି । ବିଶ୍ବେଶ୍ବର ତାଙ୍କ ବ୍ୟବହାର ପାଇଁ ସୋସିଆଲ ମିଡ଼ିଆରେ ଭୀଷଣ ଟ୍ରୋଲ ହେଉଛନ୍ତି । ପୂର୍ବରୁ ବାରିପଦାରେ ସରକାରୀ କମର୍ଚାରୀଙ୍କୁ ଧମକ ଏବଂ ପରେ ମାଡ଼ ମାରି ଥାନା, କୋର୍ଟ କଚେରୀ ଦୌଡ଼ିବା ପରେ ମଧ୍ୟ ତାଙ୍କ ବ୍ୟବହାରରେ ସୁଧାର ଆସିନାହିଁ । ଏନେଇ କେନ୍ଦ୍ର ମନ୍ତ୍ରୀଙ୍କ ସହ ଯୋଗାଯୋଗ ସତ୍ତ୍ବେ ପ୍ରତିକ୍ରିୟା ମିଳିପାରିନି ।