spot_img
Home Blog Page 4212

ପୁରୀ ସାତପଡ଼ା ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ୨ ଜୀବନ

ବ୍ରହ୍ମଗିରି: ପୁରୀ ସାତପଡ଼ା ଜାତୀୟ ରାଜପଥର ନାଗାଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର । ଦୁର୍ଘଟଣାରେ କାର୍ ଡ୍ରାଇଭର ସମେତ ୨ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ପୁରୀରୁ ବ୍ରହ୍ମଗିରି ଅଭିମୁଖେ କାରଟି ଆସୁଥିଲା । ହେଲେ ନାଗାଛକ ନିକଟରେ କାରଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା । ଯାହାଫଳରେ ୨ଜଣଙ୍କର ମୃତ୍ୟୁ ହୋଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ କାରର ମାଲିକ ଧୀରୁ ପଲାଇ ଓ ଡ୍ରାଇଭର ନବା ଖାଁ ଓରଫ ବାବୁର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି କାର ଭିତରୁ ମୃତଦେହ ଉଦ୍ଧାର କରିଛି ।

ଟାଟା ମୋଟର୍ସ ନୂଆ ନେକ୍ସନ ଇଭି ମ୍ୟାକ୍ସର ବଜାର ପ୍ରବେଶ

ଭୁବନେଶ୍ୱର: ବଜାର ପ୍ରବେଶ କରିଛି ନୂଆ ଇଲେକ୍ଟ୍ରିକାଲ୍ କାର୍‌ । ଭୁବନେଶ୍ୱରରେ ଟାଟା ମୋଟର୍ସ୍ ପକ୍ଷରୁ ନୂଆ ନେକ୍ସନ ଇଭି ମ୍ୟାକ୍ସ କାରର ଶୁଭାରମ୍ଭ । ସାମନ୍ତରାପୁର ସ୍ଥିତ ଲୁଇସ୍ ରୋଡର ଟାଟା ମୋଟର୍ସ ସୋରୁମରେ ଶୁଭାରମ୍ଭ ହୋଇଛି । ଏହି ଇଲୋକ୍ଟ୍ରୋନିକ୍ କାରକୁ ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି ଲିମିଟେଡ ସେଲସ୍ ମାର୍କେଟିଂ ମୁଖ୍ୟ ବିବେକ ଶ୍ରୀବାସ୍ତବ, ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି ଲିମିଟେଡର ପ୍ରଡକ୍ଟ ଲାଇନ୍ ଆଣ୍ଡ ଅପରେସନ ବିଭାଗର ଉପାଧ୍ୟକ୍ଷ ଆନନ୍ଦ କୁଲକର୍ଣୀ ଉନ୍ମୋଚନ କରିଥିଲେ । ୧୭.୭୪ ଲକ୍ଷ ଟଙ୍କାରେ ବଜାରରେ ଉପଲବ୍ଧ ହୋଇଛି ଏହି କାର୍‌ ।

ନୂଆ ନେକ୍ସନ ଇଭି ମାକ୍ସ ହାଇ ଭୋଲ୍ଟେଜ୍ ଜିପଟ୍ରୋନ ଟେକ୍ନୋଲୋଜି ଦ୍ଵାରା ଦୁଇ ପ୍ରକାରରେ ଉପଲବ୍ଧ ହେଉଛି । ଗୋଟିଏ ନେକ୍ସନ ଇଭି ମାକ୍ସ ଏକ୍ସ୍ ଜେଡ୍ ପ୍ଲସ ଆଉ ଗୋଟିଏ ହେଉଛି ନେକ୍ସନ ଇଭି ମାକ୍ସ ଏକ୍ସ୍ ଜେଡ୍ ପ୍ଲସ ଲକ୍ସ । ଏହି କାରରେ ଉଚ୍ଚ କ୍ଷମତା ସମ୍ପର୍ନ୍ନ ବ୍ୟାଟେରୀ, ୪୩୭ କିଲୋମିଟର ପର୍ଯ୍ୟନ୍ତ ଏକ ଚିନ୍ତାମୁକ୍ତ ଡ୍ରାଇଭ୍ କରିପାରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଗାଡ଼ି ଚଳାଇବା ଦ୍ଵାରା ଆରାମ ଦାୟକ ଟ୍ରାଭେଲିଂ କରିପାରିବେ ଗ୍ରାହକ ।

କେବଳ ସିଦ୍ଧୁ ନୁହଁନ୍ତି ତାଙ୍କ ପୂର୍ବରୁ ଏହି ବଡ଼ ବଡ଼ ନେତା ଯାଇସାରିଛନ୍ତି ଜେଲ୍

ନୂଆଦିଲ୍ଲୀ: ନିଜର ଦୁର୍ନୀତି ମନ ବୃତ୍ତି ଏମିତି କିଛି ଲୋକଙ୍କୁ ଜେଲରେ ଭର୍ତ୍ତି କରିଛି ଯେଉଁମାନେ କେବେ ଶାସନ ଗାଦିରେ ବସିଥିଲେ । ଏହି ଧାରା କାହିଁ କେତେ ଦିନରୁ ଚାଲି ଆସିଛି  । ଏବେ ଏଥିରେ ଆଉ ଏକ ନାଁ ଯୋଡି ହୋଇଛି । ସେ ହେଉଛନ୍ତି  କ୍ରିକେଟରରୁ ରାଜନେତା ପାଲଟି ଥିବା ନବଜୋତ ସିଂହ ସିଦ୍ଧୁ । ତାଙ୍କୁ ଗୁରୁବାର ସୁପ୍ରିମକୋର୍ଟ ୧ ବର୍ଷ ଜେଲ୍‌ଦଣ୍ଡ ଦେଇଛନ୍ତି । ତେବେ ସିଦ୍ଧୁଙ୍କ ପୂର୍ବରୁ ଆଉ ୭ ଜଣ ହାଇପ୍ରୋଫାଇଲ ନେତା ମଧ୍ୟ ଜେଲ୍‌ ଯାଇଛନ୍ତି । ସେମାନଙ୍କ ମଧ୍ୟରେ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଠାରୁ ଆରମ୍ଭ କରି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କ ମଧ୍ୟ ରହିଛନ୍ତି।

ଆସନ୍ତୁ ଜାଣିବା ଏମିତି କିଛି ମହାରଥିଙ୍କ ବିଷୟରେ ଯେଉଁମାନେ ଦୁର୍ନିତି ଗ୍ରସ୍ତ ହୋଇ ଏବେ ଜେଲ ଦଣ୍ଡ ଭୋଗିଛନ୍ତି ।

ଏଥିରେ ପ୍ରଥମ ନାଁ ହେଉଛି ଜେ ଜୟଲଳିତା
ଦୁର୍ନୀତି ମାମଲାରେ ଜୟଲଳିତା ୨୦୧୪ ସେପ୍ଟେମ୍ବରରେ ଦୋଷୀ ସାବ୍ୟସ୍ତ ହୋଇ ବେଙ୍ଗାଲୁରୁର ଏକ ସ୍ବତନ୍ତ୍ର ଅଦାଲତଙ୍କ ଦ୍ବାରା ୪ ବର୍ଷର ଜେଲ ଦଣ୍ଡାଦେଶ ‌ପାଇଥିଲେ । ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ସେତେବେଳେ ଏହି ୬୬ ବର୍ଷୀୟ ଏଆଇଏଡିଏମକେ ନେତ୍ରୀଙ୍କୁ ଶକ୍ତ ଧକ୍କା ଲାଗିଥିଲା। ଜେଲ୍‌ଦଣ୍ଡ ସହିତ ତାଙ୍କୁ ୧୦ କୋଟି ଟଙ୍କାର ଜରିମାନା ମଧ୍ୟ ହୋଇଥିଲା । ଏହି ରାୟ ଆସିବା ପରେ ସେ ହେଉଛନ୍ତି ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ କି ନିଜ ମୁଖ୍ୟମନ୍ତ୍ରୀ ପଦବି ହରାଇଥିଲେ ଏବଂ ଜେଲ୍‌ ଯାଇଥିଲେ । କିନ୍ତୁ ୨୦୧୫ ମେ ୧୧ ତାରିଖରେ ସେ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ବାରା ସବୁ ଅଭିଯୋଗରୁ ମୁକ୍ତ ହୋଇଥିଲେ।

ଆଉ ଗୋଟେ ନାଁ ହେଉଛି ଶିବୁ ସୋରେନ୍‌
ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ତଥା ଜେଏମଏମ ନେତା ଶିବୁ ସୋରେନଙ୍କୁ ଦିଲ୍ଲୀର ଏକ ଅଦାଲତ ୨୦୦୬ ସେପ୍ଟେମ୍ବର ୫ ତାରିଖରେ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ଏଥିସହିତ ୫ ଲକ୍ଷ ଟଙ୍କାର ଜରିମାନା ରାଶି ମଧ୍ୟ ତାଙ୍କ ଠାରୁ ଆଦାୟ କରି ପୀଡ଼ିତଙ୍କ ପରିବାରକୁ ଦେବାଲାଗି ନିର୍ଦ୍ଦେଶ ଦେଇଥିଲେ । ୧୯୯୪ ମସିହାରେ ତାଙ୍କ ବ୍ୟକ୍ତିଗତ ସଚିବ ଶଶି ନାଥ ଝାଙ୍କୁ ଅପରହଣ ଓ ହତ୍ୟା ମାମଲାରେ କୋର୍ଟ ଏହି ରାୟ ଦେଇଥିଲେ। କିନ୍ତୁ ୨୦୦୭ ଅଗଷ୍ଟ ୨୨ରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଦୋ‌ଷମୁକ୍ତ କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରମାଣ କରିବାରେ ସିବିଆଇ ବିଫଳ ହୋଇଥିବା ଦର୍ଶାଇ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଥିଲେ। ପରେ ଏହି ରାୟ ମଧ୍ୟ ୨୦୧୬ ଏପ୍ରିଲରେ ସୁପ୍ରିମ କୋର୍ଟରେ କାଏମ ରହିଥିଲା।

ବଙ୍ଗାରୁ ଲକ୍ଷ୍ମଣ
ବିଜେପିର ପୂର୍ବତନ ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବଙ୍ଗାରୁ ଲକ୍ଷ୍ମଣଙ୍କୁ ସିବିଆଇ ଅଦାଲତ ୨୦୧୨ ଏପ୍ରିଲରେ ୪ ବର୍ଷର ଜେଲ୍‌ ଦଣ୍ଡାଦେଶ ଦେଇଥିଲେ। ଦଳର ମୁଖ୍ୟାଳୟରେ ଜଣେ ଛଦ୍ମବେଶୀ ସାମ୍ବାଦିକଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଡିଲର ଭାବେ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ତାଙ୍କୁ ଦଣ୍ଡିତ କରାଯାଇଥିଲା। ବଙ୍ଗାରୁ ପ୍ରଥମ ରାଜ‌ନେତା ଯେ କି ଷ୍ଟିଙ୍ଗ ଅପରେସନରେ ଧରାପଡ଼ି ଦଣ୍ଡିତ ହୋଇଥିଲେ। ଏପରିକି ସେ ହେଉଛନ୍ତି କୌଣସି ଦଳର ପ୍ରଥମ ସଭାପତି ଯେ କି ଦୁର୍ନୀତି ଅଭିଯୋଗରେ ଦଣ୍ଡିତ ହୋଇଛନ୍ତି।

ଏ ରାଜା
୨ଜି ଦୁର୍ନୀତି ମାମଲାରେ ପୂର୍ବତନ ଟେଲିକମ୍ ମନ୍ତ୍ରୀ ତଥା ଡି‌ଏମକେ ନେତା ଏ ରାଜାଙ୍କୁ ୧୫ ମାସ ଜେଲ୍ ଯିବାକୁ ପଡ଼ିଥିଲା। ୨୦୧୧ ଫେବ୍ରୁଆରି ୨ରେ ସେ ଜେଲ ଯାଇଥିବାବେଳେ ୨୦୧୨ ମେ ୧୨ରେ ତାଙ୍କୁ ଜାମିନ ମିଳିଥିଲା। ୨ଜି ଦୁର୍ନୀତି ମାମଲାରେ ଏ ରାଜା ସବୁଠୁ ଦୀର୍ଘ ଦିନ ଧରି ଜେଲ୍‌ରେ ରହିଛନ୍ତି। ତାଙ୍କ ଦଳୀୟ ସହକର୍ମୀ ଏବଂ ଡିଏମ୍‌କେ ମୁଖ୍ୟ ଏମ୍‌ କରୁଣାନିଧୀଙ୍କ ଝିଅ କାନିମୋଝି ଏହି ମାମଲାରେ ୬ ମାସ ଜେଲ୍‌ରେ ଥିଲେ।

ସୁରେଶ କାଲମାଡ଼ି
ପୂର୍ବତନ କଂଗ୍ରେସ ନେତା ସୁରେଶ କାଲମାଡ଼ି ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କମିଟିର ଅଧ୍ୟକ୍ଷ ଥିଲେ। କିନ୍ତୁ ଏଥିରେ ଦୁର୍ନୀତି ମାଲାରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨୦୧୧ ଏପ୍ରିଲ ୨୫ରେ ଗିରଫ କରିଥିଲେ। ସେ ୯ ମାସ ଜେଲ୍‌ରେ ରହିବା ପରେ ଜାମିନରେ ମୁକୁଳିଥିଲେ।

 

ଗମ୍ଭୀର ହେବାରେ ଲାଗିଛି ଉତ୍ତର-ପୂର୍ବାଞ୍ଚଳରେ ବନ୍ୟା ପରିସ୍ଥିତି, ୨୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ଦିସପୁର: ଗମ୍ଭୀର ହେବାରେ ଲାଗିଛି ଉତ୍ତର-ପୂର୍ବାଞ୍ଚଳରେ ବନ୍ୟା ପରିସ୍ଥିତି । ବନ୍ୟାରେ ମୃତକଙ୍କ ସଂଖ୍ୟା ୨୯ରେ ପହଞ୍ଚିଛି । ଆସାମ, ମେଘାଳୟ ଓ ଅରୁଣାଚଳ ପ୍ରଦେଶରେ ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ । ବନ୍ୟା ଓ ବାରମ୍ବାର ଭୂସ୍ଖଳନ ଯୋଗୁ ଜନଜୀବନ ବିପର୍ଯ୍ୟସ୍ତ ହୋଇଛି । କେବଳ ଆସାମରେ ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚିଛି ଏବଂ ହଜାର ହଜାର ଲୋକ ରିଲିଫ ଶିବିରରେ ରହିଛନ୍ତି ବୋଲି କହିଛି ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ।

ଗତ ୧୪ ତାରିଖଠାରୁ ଲାଗି ରହିଥିବା ବନ୍ୟା ପରିସ୍ଥିତିରେ ପ୍ରାୟ ୭ ଲକ୍ଷ ଲୋକ ଏବେ ବି ଜଳବନ୍ଦୀ ରହିଛନ୍ତି । ମେଘାଳୟରେ ୩ ଜଣ ଓ ଅରୁଣାଚଳ ପ୍ରଦେଶରେ ୮ ଜଣ ପ୍ରାଣ ହରାଇଛନ୍ତି । ଅରୁଣାଚଳ ପ୍ରଦେଶର କୁରୁଙ୍ଗ କୁମି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ଫ୍ଲାସ୍ ଫ୍ଲଡ ଯୋଗୁ ଅନେକ ସ୍ଥାନରେ ଜଳବନ୍ଦୀ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ଜାମ୍ମୁ ଓ କାଶ୍ମୀର ରାମବନରେ ୩୬ ଘଣ୍ଟାର ରେସକ୍ୟୁ ଅପରେସନ ଶେଷ, ଫସିଥିବା ୧୦ ଶ୍ରମିକଙ୍କ ମୃତଦେହ ଉଦ୍ଧାର

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ରାମବନରେ ନିର୍ମାଣାଧୀନ ଟନେଲ ଭୁଶୁଡ଼ିବା ଘଟଣା । ପ୍ରାୟ ୩୬ ଘଣ୍ଟାର ରେସକ୍ୟୁ ଅପରେସନର ଦୁଃଖଦ ଅନ୍ତ । ଉଦ୍ଧାର ହୋଇଛି ୧୦ ଶ୍ରମିକଙ୍କ ମୃତଦେହ । ଶ୍ରୀନଗର-ଜାମ୍ମୁ ରାଜପଥ ଅନ୍ତର୍ଗତ ଖୁନୀ ନାଳରେ ଏହି ଟନେଲ ନିର୍ମାଣ ଚାଲିଥିବା ବେଳେ ଅକସ୍ମାତ ଏହା ଭୁଶୁଡ଼ି ପଡ଼ିଥିଲା । ଉଦ୍ଧାର କାର୍ଯ୍ୟରେ ପୋଲିସ ଓ ଏନଡିଆରଏଫ ନିୟୋଜିତ ହୋଇଥିଲେ । ଗତ ଗୁରୁବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା । ମୃତକଙ୍କ ମଧ୍ୟରେ ଅଛନ୍ତି ପଶ୍ଚିମବଙ୍ଗର ୫ ଜଣ, ନେପାଳର ୨ ଜଣ, ଆସାମର ଜଣେ ଓ ଜାମ୍ମୁ ଓ କାଶ୍ମୀରର ୨ ଜଣ ।

ବାରମ୍ବାର ଭୂସ୍ଖଳନ ହେବା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ରାଜ୍ୟପାଳ ମନୋଜ ସିହ୍ନାଙ୍କ ନିର୍ଦ୍ଦେଶ କ୍ରମେ ନିର୍ମାଣକାରୀ କମ୍ପାନି ପକ୍ଷରୁ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଁଏ ଟଙ୍କା ସହାୟତା ଦିଆଯିବ ବୋଲି ଘୋଷଣା କରାଯାଇଛି । ଏହାସହ ରିଲିଫ ଫଣ୍ଡରୁ ପ୍ରତି ମୃତକଙ୍କ ପରିବାରକୁ ୧ ଲକ୍ଷ ଲେଖାଁଏ ଟଙ୍କା ସହାୟତା ଦିଆଯିବ ବୋଲି ରାଜ୍ୟପାଳ ଘୋଷଣା କରିଛନ୍ତି । ରାମବନ ପୋଲିସ ଏସପି ମୋହିତ ଶର୍ମା କହିଛନ୍ତି, ଏହି ଘଟଣାରେ କମ୍ପାନିର ଅବହେଳା ନେଇ ଏକ ମାମଲା ରୁଜୁ ହୋଇଛି । ରାମବନ ଜିଲ୍ଲାପାଳ ମସରତ ଉଲ ଇସଲାମ କହିଛନ୍ତି, ମୃତଦେହଗୁଡ଼ିକୁ ଚିହ୍ନଟ କରାଯାଇଛି ଏବଂ ସେଗୁଡ଼ିକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ।

ଇସ୍ରାଏଲ ଓ ସୁଇଜରଲ୍ୟାଣ୍ଡକୁ ଡେଇଁଲା ମଙ୍କିପକ୍ସ ଭାଇରସ, ୧୪ରେ ପହଞ୍ଚିଲା ସଂକ୍ରମିତ ଦେଶ ସଂଖ୍ୟା

ନୂଆଦିଲ୍ଲୀ: ଆଉ ୨ ଦେଶକୁ ଡେଇଁଲା ମଙ୍କିପକ୍ସ ଭାଇରସ । ଇସ୍ରାଏଲ ତେଲ୍ ଆଭିବ୍ ଅନ୍ତର୍ଗତ ଇଚିଲୋଭରେ ଜଣେ ସଂକ୍ରମିତ ଚିହ୍ନଟ ହେବା ପରେ ସେଠାରେ ସତର୍କତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେ କିଛି ଦିନ ତଳେ ପଶ୍ଚିମ ୟୁରୋପରୁ ଫେରିଥିଲେ । ସେହିପରି ସୁଇଜରଲ୍ୟାଣ୍ଡ ବର୍ନରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଦେଶକୁ ମିଶାଇ ମଙ୍କିପକ୍ସ କାୟା ୧୪ଟି ରାଷ୍ଟ୍ରକୁ ବ୍ୟାପିଥିବା ସୂଚନା ମିଳିଛି । ପୂର୍ବରୁ ବେଲଜିୟମ, ଫ୍ରାନ୍ସ, ଜର୍ମାନୀ, ଇଟାଲି, ନେଦରଲ୍ୟାଣ୍ଡସ, ପର୍ତ୍ତୃଗାଲ, ସ୍ପେନ, ସ୍ୱିଡେନ, ବ୍ରିଟେନ, ଆମେରିକା, କାନାଡା, ଅଷ୍ଟ୍ରେଲିଆରେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ସେପଟେ ମଙ୍କିପକ୍ସର ସଂକ୍ରମଣ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱତନ୍ତ୍ର କମିଟିର ଅନୁସନ୍ଧାନ ଜାରି ରହିଛି । ଗତକାଲି ଅନୁଷ୍ଠିତ ବୈଠକରେ ଏହି ସଂକ୍ରମଣର ତରିକା, ନିରାକରଣ ଆଦି ପ୍ରସଙ୍ଗରେ ସବିଶେଷ ଆଲୋଚନା ହୋଇଛି । ସଂକ୍ରମିତ ଚିହ୍ନଟ ହୋଇଥିବା ଦେଶର ପ୍ରଶାସନ ସହ ସଂଗଠନର ବିଶେଷଜ୍ଞମାନେ ଯୋଗସୂତ୍ରରେ ରହିଛନ୍ତି ଏବଂ ବିଭିନ୍ନ ପରାମର୍ଶ ଦିଆଯାଉଥିବା କୁହାଯାଇଛି । ରୋଗ ସମ୍ପର୍କରେ ଅଧିକ ଗବେଷଣା ଓ ନିରାକରଣ ଲାଗି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସଂଗଠନ ।

 

 

ବ୍ରଜରାଜନଗରରେ ଜମୁଛି ନେତାଙ୍କ ଗହଳି, ଘରକୁ ଘର ବୁଲି ସମର୍ଥନ ସାଉଁଟୁଛନ୍ତି ୩ ଦଳର ପ୍ରାର୍ଥୀ

ବ୍ରଜରାଜନଗର: ତାରିଖ ଯେତେ ପାଖେଇ ଆସୁଛି, ସେତେ ଉଠୁଛି ପଡ଼ୁଛି ବ୍ରଜରାଜନଗର । ନେତାଙ୍କ ଗହଳି ସାଙ୍ଗକୁ ମାଳ ମାଳ ପ୍ରତିଶ୍ରୁତିରେ କମ୍ପୁଛି ମଇଦାନ । ଘରକୁ ଘର ଯାଇ ପ୍ରମୁଖ ୩ ଦଳର ପ୍ରାର୍ଥୀମାନେ ଭୋଟ ଭିକ୍ଷା କରୁଛନ୍ତି । ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ସବୁ ଦଳର ହେଭିଓ୍ବେଟ । ବିଜୟ ପାଇଁ ଚାଲିଛି ଜୋରଦାର କସରତ । ଗାଁ ଗାଁରେ କର୍ମୀଙ୍କ ସହିତ ହେଉଛି ଘନଘନ ବୈଠକ । ଉପନିର୍ବାଚନରେ ରେକର୍ଡ ଭୋଟରେ ଜିତିବାକୁ ମାନସମନ୍ଥନ ଚାଲିଛି ।

ରାଜ୍ୟ ସରକାରଙ୍କ ବିକାଶ ଯୋଜନା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଯୋଗୁ ଦଳ ବିପୁଳ ଭୋଟରେ ଜିତିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି ବିଜେଡି । ଶାସକ ଦଳକୁ ଟକ୍କର ଦେବାକୁ ପ୍ରଚାରକୁ ଜୋରଦାର କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ପ୍ରଚାରରେ ବିଜେଡି ଆଗରେ ରହିଥିବା ବେଳେ କଂଗ୍ରେସ ଓ ବିଜେପି ମଧ୍ୟ ଜୋରାଦାର ପ୍ରଚାର କରୁଛି ।

ଆଜି ପବିତ୍ର ଭଉଁରୀ ଯାତ୍ରା, ରଥ ଖଳାରେ ତିନି ରଥର ଚକ ଅଖ ଡେରା ନୀତି ହେବ ଅନୁଷ୍ଠିତ

ପୁରୀ: ଆଜି ପବିତ୍ର ଭଉଁରୀ ଯାତ୍ରା । ରଥ ଖଳାରେ ତିନି ରଥର ଚକ ଅଖ ଡେରା ନୀତି ଅନୁଷ୍ଠିତ ହେବ । ପବିତ୍ର ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ଆରମ୍ଭ ହୋଇଛି । ପରମ୍ପରା ଅନୁଯାୟୀ ତିନୋଟି ରଥର ଦୁଇଟି ଚକରେ ଗୋଟିଏ ଲେଖାଏଁ ଅଖ ସଂଯୋଗ ହୋଇ ଚକ ଅଖ ଡେରା ନୀତି ସମ୍ପାଦନ କରାଯିବ । ଏନେଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ନୀତି ବଢିବା ପରେ ତିନି ବାଡ଼ରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ରଥ ଖଳାରେ ବିଜେ କରିବେ । ଆଜ୍ଞା ମାଳ ବିଜେ ପରେ ବିଜେ କାହାଳି ବାଜି ଚକ ଅଖ ଡେରା ନୀତି ସମ୍ପର୍ଣ କରାଯିବ । ମହାରଣା ସେବକଙ୍କ ଉପସ୍ଥିତିରେ ଭୋଇ ସେବକମାନେ ଏହି ନୀତି ସମ୍ପାଦନ କରିବେ । ରଥ ଖଳାକୁ ସ୍ୱତନ୍ତ୍ର ପଟୁଆରାରେ ଆଜ୍ଞା ମାଳ ବିଜେ କରାଯିବ ।

ରାଜ୍ୟର ୭ ଜିଲ୍ଲାରେ ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର: ଆଜି ସକାଳୁ ବିଭିନ୍ନ ସ୍ଥାନରେ କୋହଲା ପାଗ ରହିବା ସହ ରାଜ୍ୟର କିଛି କିଛି ସ୍ଥାନରେ ସାମାନ୍ୟ ବର୍ଷା ଦେଖାଦେଇଛି । ଏହାସହ ରାଜ୍ୟରେ ପ୍ରବଳ ଖରା ସାଙ୍ଗକୁ ସକ୍ରିୟ ରହିଛି କାଳବୈଶାଖୀ । ଦିନରେ ପ୍ରବଳ ଖରା ପରେ ଅପରାହ୍ନରେ ରାଜ୍ୟର ବିଭିନ୍ନ ସ୍ଥାନାରେ କାଳବୈଶାଖୀ ତାଣ୍ଡବ ରଚୁଛି । ଆଜି କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, କୋରାପୁଟ, ରାୟଗଡ଼ା, ଗଜପତିରେ ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପର ଆସନ୍ତାକାଲି କାଳବୈଶାଖୀ ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି । ଅନ୍ୟପଟେ ୨୪ ଓ ୨୫ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଧିରେ ଧିରେ ବଢିବାରେ ଲାଗିଛି । ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବାର ସମ୍ଭାବନା ରହିଛି । ବଲାଙ୍ଗୀର, ବୌଦ୍ଧ, ସୋନପୁର, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜରେ ଗ୍ରୀଷ୍ଣ ପ୍ରବାହ ପାଇଁ ସତର୍କତା ଜାରି ହୋଇଛି ।

ଏହି ତିନୋଟି ରାଶିର ବ୍ୟକ୍ତିଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା

ଜ୍ୟୋତିଷଙ୍କ ଗଣନା ଅନୁସାରେ ୨୦୨୨ ମେ ୨୨ ତାରିଖ ଅନେକ ରାଶିଙ୍କ ପାଇଁ ଅତ୍ୟନ୍ତ ଖରାପ ସମୟ ଥିବାବେଳେ ଅନେକଙ୍କ ପାଇଁ ଖୁବ୍ ଶୁଭଦାୟକ । ଜାଣନ୍ତୁ କାହାର ବଦଳିବ ଭାଗ୍ୟ…

ବୃଷ ରାଶି : ଆତ୍ମବିଶ୍ୱାସ ବୃଦ୍ଧି ହେବ । ମା’ଙ୍କଠାରୁ ଧନପ୍ରାପ୍ତି ହୋଇପାରେ । ଦାମ୍ପତ୍ୟ ସୁଖରେ ବୃଦ୍ଧି ହେବ । କୌଣସି ବନ୍ଧୁଙ୍କ ସହଯୋଗରେ ରୋଜଗାରର ସୁଯୋଗ ମିଳିପାରେ । ଆୟ ବୃଦ୍ଧି ହେବ । ପରିବାରରେ ମାନ-ସମ୍ମାନ ବଢ଼ିବ । ଚାକିରିରେ ପଦୋନ୍ନତିର ସୁଯୋଗ ରହିଛି ।

ମିଥୁନ ରାଶି : ସନ୍ତାନ ପକ୍ଷରୁ ସୁଖ ଖବର ମିଳିପାରେ । ଯଶ-କୀର୍ତ୍ତି ଓ ମାନ-ସମ୍ମାନ ବଢ଼ିପାରେ । ପରିବାରରେ ଶାନ୍ତି ବଜାୟ ରହିବ । ଯାନବାହନର ସୁଖ ପ୍ରାପ୍ତି ହେବ । ପରିବାର ସହ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି । ଆତ୍ମବିଶ୍ୱାସ ବୃଦ୍ଧି ହେବ । ମା’ଙ୍କ ସହଯୋଗ ମିଳିବ । ରାଜନୈତିକ ବ୍ୟକ୍ତିଙ୍କ ଆଶା ଓ ଆକାଂକ୍ଷା ପୂର୍ଣ୍ଣ ହେବ ।

ବିଛା ରାଶି : ସମ୍ପତ୍ତି ପ୍ରାପ୍ତି ହେବାରୁ ଆୟ ବୃଦ୍ଧି ହେବ । ମା’ଙ୍କ ତରଫରୁ ଧନ ପ୍ରାପ୍ତି ହୋଇପାରେ । କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିବ । କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନର ସମ୍ଭାବନା ରହିଛି । ସ୍ଥାନ ମଧ୍ୟ ପରିବର୍ତ୍ତନ କରିପାରନ୍ତି । ଆୟରେ ବୃଦ୍ଧି ହେବ । ପାରିବାରିକ ଜୀବନ ସୁଖମୟ ରହିବ । ସନ୍ତାନ ପକ୍ଷରୁ ସୁଖଦ ସମାଚାର ମିଳିପାରେ । ଚାକିରିରେ ଉନ୍ନତିର ସମ୍ଭାବନା ମଧ୍ୟ ରହିଛି । ଅଧିକାରୀଙ୍କ ସହାୟତା ମିଳିପାରେ । ବାହନ ସୁଖରେ ବିସ୍ତାର ହୋଇପାରେ ।

କୁମ୍ଭ ରାଶି : ଆତ୍ମବିଶ୍ୱାସରେ ବୃଦ୍ଧି ହେବ । ପରିବାରରେ ଧାର୍ମିକ କାର୍ଯ୍ୟକ୍ରମ ହୋଇପାରେ । ସନ୍ତାନ ସୁଖ ମିଳିପାରେ । ଅତିରିକ୍ତ କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ । ମନରେ ଶାନ୍ତି ଓ ପ୍ରସନ୍ନତାଭାବ ରହିବ । ମା’ କିମ୍ୱା କୌଣସି ବୟସ୍କ ମହିଳାଙ୍କଠାରୁ ଧନ ପ୍ରାପ୍ତି ହୋଇପାରେ ।