ଗାଧୋଇବା ବେଳେ ୨ କର୍ମଚାରୀ ବୁଡ଼ିଯିବା ଘଟଣା: ଜଣଙ୍କ ମୃତଦେହ ଉଦ୍ଧାର, ଏବେବି ଅନ୍ୟଜଣେ ନିଖୋଜ

ସମ୍ବଲପୁର: ହୀରାକୁଦ ଜିରୋପଏଣ୍ଟରେ ଗାଧୋଇବା ବେଳେ ଦୁଇ ଏମ୍.ସି.ଏଲ କର୍ମଚାରୀ ବୁଡ଼ିଯିବା ଘଟଣା । ଦୁଇଜଣଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ହେଲେ ଏମସିଏଲର ଏକ୍ସାଭେସନ ମ୍ୟାନେଜର ଅଭିଷେକ କୁମାର । ଅନ୍ୟଜଣେ ଏବେବି ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତି ହେଲେ ଏମସିଏଲର ମାଇନିଂ ମ୍ୟାନେଜର ମହେଶ ଛିଟୁରୀ ।

ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଦୁଇଟି ଓଡ୍ରାଫ୍ ଟିମ୍ ନିୟୋଜିତ ଅଛନ୍ତି । ଦୁଇଟି ଦମକଳ ବାହୀନିକୁ ମଧ୍ୟ ରେସ୍କ୍ୟୁ ଅପରେଶନରେ ସାମିଲ କରାଯାଇଛି । ଗତକାଲି ବନ୍ଧୁତ୍ବ ଦିବସରେ ସମ୍ବଲପୁର ଝାଙ୍କରାଣୀ ମନ୍ଦିର ନିକଟ ହୀରାକୁଦର ଜିରୋ ପଏଣ୍ଟରେ ଏମସିଏଲର ୩ କର୍ମଚାରୀ ବୁଡ଼ିଯାଇଥିଲେ । ଜଣେ ପହଁରୀ ପହଁରି କୂଳକୁ ଚାଲିଆସିଥିବା ବେଳେ ଆଜି ସକାଳୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନାନୁଯାୟୀ, ବନ୍ଧୁତ୍ୱ ଦିବସରେ ଗତକାଲି ଭୋଜି କରି ଖାଇ ସାରିବା ପରେ ସମସ୍ତେ ଗାଧୋଇବାକୁ ଯାଇଥିଲେ । ବୁର୍ଲା ଝାଙ୍କରାଣୀ ମନ୍ଦିର ନିକଟକୁ ଗାଧୋଇବାକୁ ଯାଇଥିଲେ । ଜଣେ ସାଥି ପାଣିରେ ଭାସିଯିବା ବେଳେ ଅନ୍ୟ ଦୁଇଜଣ ତାଙ୍କୁ ଉଦ୍ଧାର ପାଇଁ ଯାଇଥିଲେ ହେଲେ ଅନ୍ୟ ଦୁଇ ଜଣ ମଧ୍ୟ ଭାସିଯାଇଥିଲେ । ସ୍ଥାନୀୟ ଲୋକେ ଡଙ୍ଗା ଦ୍ୱାରା ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଦୁଇଜଣ ନିଖୋଜ ହୋଇଯାଇଥିଲେ । ଉଦ୍ଧାର ବ୍ୟକ୍ତି ହେଲେ ଭିନେଶ ରାୟ । କାଲିଠୁ ଖୋଜା ଖୋଜି ଚାଲିଛି ।