ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା କ୍ରିକେଟ: ସ୍ୱର୍ଣ୍ଣ ସ୍ୱପ୍ନ ଭାଙ୍ଗିଲା, ଅଷ୍ଟ୍ରେଲିଆଠୁ ହାରି ରୌପ୍ୟରେ ସନ୍ତୁଷ୍ଟ ଭାରତୀୟ ଦଳ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମଥର ପାଇଁ ଚଳିତ ସିଜିନରେ ମହିଳା କ୍ରିକେଟକୁ ସ୍ଥାନ ଦିଆଯାଇଛି । ଚଳିତ ସିଜିନର ଫାଇନାଲ ମ୍ୟାଚ୍ ଗତକାଲି ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଏଜବାଷ୍ଟନରେ ହୋଇଥିଲା । ସଂଘର୍ଷ କରି ଫାଇନାଲରେ ପହଞ୍ଚିଥିବା ଭାରତୀୟ ମହିଳା ଦଳ ଫାଇନାଲ ମ୍ୟାଚରେ ପରାଜୟର ସାମ୍ନା କରିଛି । ମହିଳା ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଥିଲେ ହେଁ ୯ ରନରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ପରାଜୟ ସହ ସ୍ୱର୍ଣ୍ଣ ଜିତି ଇତିହାସ ରଚିବା ସ୍ୱପ୍ନ ମଧ୍ୟ ଅଧାରେ ରହିଯାଇଛି । ସେହିପରି ଅଷ୍ଟ୍ରେଲିଆ ସ୍ୱର୍ଣ୍ଣ ଜିତିଛି । ଭାରତକୁ ରୌପ୍ୟରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି ।

ଫାଇନାଲ ସ୍ୱର୍ଣ୍ଣ ମ୍ୟାଚରେ ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୬୧ ରନ୍ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ବେଥ ମୁନୀ ସର୍ବାଧିକ ୬୧ ରନ୍ ଓ ଅଧିନାୟକ ମେଗ ଲାନିଙ୍ଗ ୩୬ ରନ୍ କରିଥିଲେ । ସେହିପରି ଏସଲେଘ ଗାର୍ଡନର ୨୫ ରନ୍ ଯୋଗଦାନ କରିଥିଲେ । ଭାରତ ପକ୍ଷରୁ ବୋଲର ରେଣୁକା ସିଂହ ଏବଂ ସ୍ନେହ ରାଣା ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ଦିପ୍ତୀ ଏବଂ ରାଧା ମଧ୍ୟ ଗୋଟିଏ ଲେଖାଏଁ ୱିକେଟ ନେବାରେ ସଫଳ ହୋଇଥିଲେ ।

ଭାରତ ଆଗରେ ୧୬୨ ରନର ଲକ୍ଷ୍ୟ ରହିଥିଲା । ଭାରତ ଶେଷ ପର୍ଯ୍ୟନ୍ତ ଜିତିବା ପାଇଁ ଲଢ଼ିଥିଲା । ହେଲେ ୨୦ତମ ଓଭର ଚାଲୁଥିବା ବେଳେ ସମସ୍ତ ୱିକେଟର ପତନ ଘଟିଥିଲା । ୧୫୨ ରନରେ ସୀମିତ ରହିଥିବା ମହିଳା ଭାରତୀୟ ଦଳ । ଅଧିନାୟକ ହରମନପ୍ରୀତ କୌର ୬୨ ରନର ଇନିଂସ ଖେଳି ଦଳକୁ ସମ୍ଭାଳିଥିଲେ । ହେଲେ ତାଙ୍କ ସାଥ ଦେବାରେ ଅନ୍ୟ ଖେଳାଳି ସମର୍ଥ ହୋଇନଥିଲେ । ଗୋଟିଏ ପରେ ଗୋଟିଏ ୱିକେଟର ପତନ ଘଟିଥିଲା । ଭାରତର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ମଧ୍ୟ ଏହି ଫାଇନାଲ ମ୍ୟାଚରେ ଭଲ ଆରମ୍ଭ ଦେଇନଥିଲେ ।

 ଶେଫାଳି ବର୍ମା ଓ ସ୍ମୃତି ମନ୍ଧାନାଙ୍କ ୱିକେଟ୍ ମାତ୍ର ଦୁଇ ଓଭର ଚାଲିଥିବା ବେଳେ ପଡିଥିଲା । ଏହାପରେ ଜେମିମା ରୋଡ୍ରିଗ୍ସ ଓ ଅଧିନାୟକ ହରମନପ୍ରୀତ କୌର ଦଳୀୟ ସ୍ଥିତିକୁ ସମ୍ଭାଳିଥିଲେ । ଏକ ଭଲ ପାର୍ଟନରସିପ୍ କରିଥିଲେ । ହେଲେ ଭାରତ ବିଜୟ ଠାରୁ ମାତ୍ର କିଛି ବାଟ ଦୂର ଥିବା ବେଳେ ରୋଡ୍ରିଗ୍ସ ୩୩ ରନ୍ କରି ଆଉଟ୍ ହୋଇଯାଇଥିଲେ । ୧୧୮ ରନ୍ ଥିବା ବେଳେ ତାଙ୍କ ୱିକେଟ ଯାଇଥିଲା । ଏହାପରେ କୌଣସି ବି ଖେଳାଳି କ୍ରୀଜରେ ଅଧିକ ସମୟ ରହିନଥିଲେ । ୧୯.୩ ଓଭର ଚାଲିଥିବା ବେଳେ ଭାରତ ନିଜର ସମସ୍ତ ୱିକେଟ୍ ହରାଇଥିଲା । ଏଥିସହ ସ୍ୱର୍ଣ୍ଣ ସ୍ୱପ୍ନ ଭାଙ୍ଗିଯାଇଥିଲା । ରୌପ୍ୟରେ ଭାରତୀୟ ଦଳକୁ ସନ୍ତୁଷ୍ଟ ହେବାକୁ ପଡିଛି ।