ଭେଙ୍କିୟା ନାଇଡୁଙ୍କ ଅନୁଭବ ଯୁବବର୍ଗଙ୍କୁ ମାର୍ଗ ଦେଖାଇବ; ପ୍ରଧାନମନ୍ତ୍ରୀ

1 min read

ନୂଆଦିଲ୍ଲୀ: ସୋମବାର ଉପ ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁଙ୍କୁ ଫେରଓ୍ୱେଲ ଦିଆଯାଇଛି । ବୁଧବାର ଜଗଦୀପ ଧନଖଡ଼ ନୂଆ ଉପ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବାକୁ ଥିବା ବେଳେ ଭେଙ୍କିୟାଙ୍କୁ ଆଜି ବିଦାୟୀ ସମ୍ୱର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ସମସ୍ତ ସାଂସଦ ଏବଂ ଯୁବପିଢ଼ି ତଥା ସମାଜ ଓ ଦେଶ ନାଇଡୁଙ୍କ ଠାରୁ ବହୁତ କିଛି ଶିଖିବାର ଆବଶ୍ୟକତା ରହିଛି । ଉପ ରାଷ୍ଟ୍ରପତିଙ୍କ ଅନୁଭବ ଆମର ଯୁବପିଢ଼ିଙ୍କୁ ବାଟ ଦେଖାଇବ ଏବଂ ଲୋକତନ୍ତ୍ରକୁ ମଜବୁତ୍ କରିବ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆମ ସଂସଦରେ ଥିବା ବର୍ତ୍ତମାନର ବାଚସ୍ପତି, ରାଷ୍ଟ୍ରପତି ସ୍ୱାଧୀନ ଭାରତରେ ଜନ୍ମ ଗ୍ରହଣ କରିଥିଲେ । ସମସ୍ତେ ସାଧାରଣ ପରିବାରରୁ ଆସିଛନ୍ତି । ଏହାର ଏକ ସାଂକେତିକ ମହତ୍ତ୍ୱ ରହିଛି । ଏହା ଦେଶରେ ନୂଆ ଯୁଗର ପ୍ରତୀକ । ନାଇଡୁ ଦେଶର ଏଭଳି ଉପ ରାଷ୍ଟ୍ରପତି ଯିଏ ନିଜର ସବୁ ଦାୟତ୍ୱ କାଳରେ ଯୁବକଙ୍କ ପାଇଁ ସର୍ବାଧିକ କାର୍ଯ୍ୟ କରିଛନ୍ତି ।

ଉପ-ରାଷ୍ଟ୍ରପତି ଭାବେ ଭେଙ୍କିୟା ନାଇଡୁ ଯେଉଁ ଭାଷଣ ଦେଇଛନ୍ତି ସେଥିମଧ୍ୟରୁ ପ୍ରାୟ ୨୫ ପ୍ରତିଶତ ଭାଷଣ ଯୁବପିଢ଼ି ଉଦ୍ଦେଶ୍ୟରେ ରହିଥିଲା । ଦଳୀୟ କର୍ମକର୍ତ୍ତା, ବିଧାୟକ, ସାଂସଦ, ଭାଜପା ଅଧ୍ୟକ୍ଷ, କ୍ୟାବିନେଟ୍ ମନ୍ତ୍ରୀ ଭାବେ ଆପଣ କାର୍ଯ୍ୟ ଦ୍ୱାରା ଲୋକଙ୍କ ହିତ ସାଧନ ହୋଇପାରିଥିଲା । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ମୁଁ ଆପଣଙ୍କୁ ଭିନ୍ନ ଭିନ୍ନ ପଦବୀରେ କାର୍ଯ୍ୟ କରୁଥିବା ଦେଖିଛି । ଆପଣ କେବେ ବି କୌଣସି କାର୍ଯ୍ୟକୁ ବୋଝ ଭାବିନାହାନ୍ତି । ନିଜ କାମକୁ ଅଧିକ ଭଲ ଭାବେ କରିବାକୁ ଚେଷ୍ଟିତ ଥିଲେ ।

କିଭଳି ସଂସଦୀୟ ନୀତି ନିୟମ ପରମ୍ପରା ମଧ୍ୟରେ ଅତ୍ୟନ୍ତ ଶିଷ୍ଠଭାବେ ନିଜ କଥାକୁ ପ୍ରଭାବୀ ଢଙ୍ଗରେ ରଖିହେବ ସେ ଦିଗରେ ଆପଣଙ୍କ ଶୈଳୀ ସର୍ବଦା ପ୍ରେରଣାଦାୟୀ । ତାଙ୍କ କାର୍ଯ୍ୟକାଳ ସମୟରେ ସଂସଦର ପ୍ରଡକ୍ଟଭିଟି ପ୍ରାୟ ୭୦ ପ୍ରତିଶତ ବଢ଼ିଥିଲା । ଏବଂ ୧୭୭ ବିଲ୍ ପାସ୍ ହେଲା ଏବଂ ଏ ସମ୍ପର୍କରେ ଆଲୋଚନା ମଧ୍ୟ ହୋଇଥିଲା । ବିଭିନ୍ନ ସମୟରେ ଆପଣ ନେଇଥିବା ନିର୍ଣ୍ଣୟ ଉଚ୍ଚ ସଦନର ଗରିମାକୁ ବୃଦ୍ଧି କରିଥିଲା ।