ବର୍ଷା ପାଇଁ ଗାଁକୁ ଯାଇପାରିଲେନି : ଡାକବାଜିରେ ସଚେତନ କଲେ, ପଥରରେ ଔଷଧ ବାନ୍ଧି ପକାଇଲେ

ନବରଙ୍ଗପୁର: ବର୍ଷା ସାଜିଲା ପ୍ରତିବନ୍ଧକ । ପୋଲ ଉପରେ ପାଣି ପ୍ରବାହିତ ଯୋଗୁଁ ରୋଗୀଙ୍କ ପାଖରେ ପହଞ୍ଚିପାରିଲେନି ଡାକ୍ତରୀ ଟିମ୍ । ହେଲେ ଉପସ୍ଥିତି ବୁଦ୍ଧି ପାଇଁ ଲୋକଙ୍କ ପାଖରେ ମେଡିସିନ ପହଞ୍ଚିଲା ଆଉ ସଚେତନ ମଧ୍ୟ କରାଗଲା ।  ନାଳ ଏପାଖରେ ରହି ଡାକବାଜି ଯନ୍ତ୍ର ଦ୍ବାରା ସଚେତନ କଲେ, ଔଷଧ କୁ ପଥର ସହ ବାନ୍ଧି ଆରପାରିକୁ ଫିଙ୍ଗିଲେ ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁଳସୀପଦର ଗାଁରେ । ଲଘୁଚାପ ଜନିତ ବର୍ଷା ଯୋଗୁଁ ସମସ୍ତ ନଦୀ ଓ ନାଳରେ ବଢ଼ିଛି ଜଳସ୍ତର । ଯାହାଫଳରେ ଝାଡାବାନ୍ତିରେ ଅକ୍ରାନ୍ତ ତୁଳସୀପଦର ଗାଁକୁ ପହଞ୍ଚିପାରିଲେନି ସ୍ବାସ୍ଥ୍ୟ ବିଭାଗ ଟିମ୍ । ତୁଳସୀପଦର ନଦୀ କୂଳରେ ରହି ଡାକବାଜି ଯନ୍ତ୍ର ଦ୍ବାରା ଗ୍ରାମବାସୀଙ୍କୁ ଡାକି ସଚେତନତା କରାଇଲେ । ପଲିଥିନରେ ଔଷଧ ବାନ୍ଧି ଆରପାରିକୁ ଫୋପାଡି ଔଷଧ ପହଞ୍ଚାଇଲେ ସ୍ବାସ୍ଥ୍ୟ ଟିମ୍ ।

ସୂଚନାନୁଯାୟୀ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁଳସୀପଦରରେ ଗତ ସପ୍ତାହ ଧରି ଝାଡାବାନ୍ତି ଲାଗିରହିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୨୦ରୁ ଊର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇଥିଲେ । ଗାଁର ପ୍ରାୟ ୭ ଜଣ ବିଭିନ୍ନ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ବେଳେ ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି ଝାଡାବାନ୍ତି । ଗତ ୨ ତାରିଖ ରୁ ଲଗାତର ଭାବେ ଏମଏଚୟୁ ଓ ଏମଏଚଟିର ୨ ଟି ସ୍ବାସ୍ଥ୍ୟ ଟିମ୍ ତୁଳସୀପଦର ଗାଁ ରେ ପହଞ୍ଚି ଗାଁରେ ସଚେତନତା କରିବା ସହ ଔଷଧ ପ୍ରଦାନ କରି ଚିକିତ୍ସା ଜାରି ରଖିଛନ୍ତି ।

ତୁଳସୀପଦର ଗାଁକୁ ଯିବାକୁ ହେଲେ ଜାତୀୟ ରାଜପଥ ଠାରୁ ପ୍ରାୟ ଦେଢ଼ କିମି କଚ୍ଚା ରାସ୍ତା ଓ ନଦୀ ପାର ହୋଇ ଯିବାକୁ ପଡିଥାଏ । ତେବେ ନବରଙ୍ଗପୁର ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗିରହିଥିବାରୁ ତୁଳସୀପଦର ନଦୀରେ ପ୍ରାୟ ୫ ଫୁଟ ଉଚ୍ଚରେ ପାଣି ଆସିବା ସହ ନଦୀରେ ପାଣିର ପ୍ରଖର ବଢ଼ିଚାଲିଛି ।  ତୁଳସୀପଦର ଠାରୁ ପ୍ରାୟ ୧ କିମି ଦୂରରେ ରହିଥିବା ନଦୀର ବନ୍ୟାପାଣିରେ ଯାଇନପାରି ଡାକବାଜି ଯନ୍ତ୍ର ଦ୍ବାରା ଗାଁ ଲୋକଙ୍କୁ ଡାକି ସଚେତନ କରିଥିଲେ ଡାକ୍ତରୀ ଟିମ୍ ।

ଯଦି କାହାର କିଛି ତେବେ ଅଙ୍ଗନବାଡି ଦିଦିଙ୍କୁ ଫୋନ ମାଧ୍ୟମରେ ଜାଣିପାରିବେ ବୋଲି କହିବା ସହ ସାଙ୍ଗରେ ନେଇ ଆସିଥିବା ଔଷଧ କୁ ପଲିଥିନ ରେ ବାନ୍ଧି ନଦୀର ଆରପଟ କୁ ଫୋଫାଡ଼ି ଔଷଧ ପହଞ୍ଚାଇଥିଲେ । ନଦୀର ଅରପାରିରେ ଗ୍ରାମବାସୀଙ୍କ ସହ ଅଙ୍ଗନବାଡି ଦିଦି ଆସି ଉକ୍ତ ଔଷଧ କୁ ସଂଗ୍ରହ କରି ଗାଁ କୁ ନେଇଥିଲେ ।