spot_img
Home Blog Page 4168

ପାଶ୍ଚାତ୍ୟ ରାଷ୍ଟ୍ରକୁ ଚେତାବନୀ, ନୂଆ ଟାର୍ଗେଟରେ ଆକ୍ରମଣ ଲାଗି ପୁଟିନଙ୍କ ଧମକ

କିଭ୍: ୟୁକ୍ରେନକୁ ଯୋଗାଅନି ଦୂରଗାମୀ କ୍ଷେପଣାସ୍ତ୍ର । ୟୁକ୍ରେନକୁ ଯଦି ଦୂରଗାମୀ କ୍ଷେପଣାସ୍ତ୍ର ଯୋଗାଯାଏ ତେବେ ନୂଆ ନୂଆ ଟାର୍ଗେଟରେ ଆକ୍ରମଣ କରାଯିବ ବୋଲି ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଧମକ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସେ କହିଛନ୍ତି- ୟୁକ୍ରେନକୁ ଅସ୍ତ୍ର ଯୋଗାଣ କରି ପାଶ୍ଚାତ୍ୟ ରାଷ୍ଟ୍ର ଦୀର୍ଘ ଯୁଦ୍ଧ ଲାଗି ଉଦ୍ୟମ କରୁଛନ୍ତି । ୟୁକ୍ରେନକୁ ହିମାର୍ସ ମଲ୍ଟିପଲ ରକେଟ ଲଞ୍ଚର ସିଷ୍ଟମ ଯୋଗାଇବାକୁ ଆମେରିକା ଘୋଷଣା କରିବା ପରେ ଏହାକୁ ବିରୋଧ କରିଛନ୍ତି ପୁଟିନ ।

ହିମାର୍ସ ହେଉଛି ଏକ ମୋବାଇଲ ୟୁନିଟ ଯାହାକି ୮୦ କିଲୋମିଟର ଦୂରରୁ ନିର୍ଭୁଲ ଭାବେ ଲଞ୍ଚ କରାଯାଇପାରିବ । ଏହି ସିଷ୍ଟମ ଯଦି ୟୁକ୍ରେନ ଲାଭ କରିବ ତେବେ ଋଷ ବାହିନୀ ଲାଗି ସମସ୍ୟା ସୃଷ୍ଟି କରିବ ।ସେପଟେ ଡୋନେସ୍କର କୁବ୍ରାସେଭିକିରେ ୟୁକ୍ରେନର ସଶସ୍ତ୍ର ବାହିନୀ ଆକ୍ରମଣ ଜାରି ରଖିଛି । ଏହି ଆକ୍ରମଣରେ କିଛି ଲୋକ ଆହତ ହେବା ସହ ଏକ ଆମ୍ବୁଲାନ୍ସ ଜଳି ଯାଇଛି । ଅନ୍ୟପକ୍ଷରେ ୧୦୨ ଦିନ ପରେ ବି ଯୁଦ୍ଧର ସ୍ଥିତି ସ୍ପଷ୍ଟ ହେଉ ନଥିବା ସତ୍ତ୍ୱେ ୟୁକ୍ରେନର ବିଭିନ୍ନ ସ୍ଥାନରେ ଆକ୍ରମଣ ଜାରି ରଖିଛି ଋଷ ।

 

କରୋନାରେ ଆକ୍ରାନ୍ତ ହେଲେ ସୁପରଷ୍ଟାର ଶାହାରୁଖ ଖାନ

ମୁମ୍ବାଇ: ମହାରାଷ୍ଟ୍ରରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧ ହଜାର ୩୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ବଲିଉଡରେ ମଧ୍ୟ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କିଛି ଦିନ ତଳେ ବଲିଉଡ ଅଭିନେତା ଅକ୍ଷୟ କୁମାର ଓ କାର୍ତ୍ତିକ ଆର୍ଯ୍ୟନ କରୋନା ପଜିଟିଭ୍ ହୋଇଥିଲେ । ତେବେ ଆଜି ସୁପରଷ୍ଟାର ଶାହାରୁଖ ଖାନ ଓ ଅଭିନେତ୍ରୀ କାଟ୍ରିନା କୈଫ ସଂକ୍ରମିତ ହୋଇଛନ୍ତି । କୋଭିଡରେ ଆକ୍ରାନ୍ତ ହେବା ପରେ ଶାହାରୁଖ ସଂଗରୋଧରେ ରହିଛନ୍ତି । ସେହିପରି ଦ୍ୱିତୀୟ ଥର ପାଇଁ କାଟ୍ରିନାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । କରୋନାରେ ଆକ୍ରାନ୍ତ ହେବା ପରେ ସେ ଏବେ ସଙ୍ଗରୋଧରେ ରହିଛନ୍ତି ।

ତେବେ କୋଭିଡ ମାମଲା ବଢ଼ୁଥିବାର ଦେଖି ବିଏମସି ସତର୍କ ରହିବାକୁ କହିଛି । ସହରରେ ଥିବା ସମସ୍ତ ଫିଲ୍ମ ଷ୍ଟୁଡିଓକୁ ସତର୍କ ରହିବା ଲାଗି ନିର୍ଦ୍ଦେଶନାମା ଜାରି କରିଛି ବିଏମସି । ଯଦି ଷ୍ଟୁଡିଓରେ କୌଣସି ପାର୍ଟି ଆୟୋଜିତ ହେବା ପରେ କୋଭିଡ ସଂକ୍ରମିତ ଚିହ୍ନଟ ହୁଅନ୍ତି ତେବେ ତୁରନ୍ତ ସୂଚନା ଦେବା ଲାଗି ପରାମର୍ଶ ଦିଆଯାଇଛି । ଏହା ଦ୍ୱାରା ଟ୍ରାକିଂ ସୁବିଧା ହେବ ବୋଲି କୁହାଯାଇଛି ।

କାଗଜ ଟଙ୍କାରେ ଖୁବଶୀଘ୍ର ଦେଖିବାକୁ ମିଳିବେ ରବିନ୍ଦ୍ରନାଥ ଠାକୁର ଓ ଅବଦୁଲ କଲାମ

ନୂଆଦିଲ୍ଲୀ : ଖୁବଶୀଘ୍ର ବ୍ୟାଙ୍କ ନୋଟରେ ଆପଣ ଦେଶର ୧୧ତମ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଓ ଜାତୀୟ ସଂଗୀତ ଜନ-ଗଣ-ମନର ଲେଖକ ତଥା ନୋବେଲ ବିଜେତା ରବିନ୍ଦ୍ରନାଥଙ୍କୁ ଦେଖିପାରିବେ । ବର୍ତ୍ତମାନ ବ୍ୟାଙ୍କ ନୋଟରେ କେବଳ ମହାତ୍ମାଗାନ୍ଧୀଙ୍କ ଚିତ୍ର ରହିଛି । ଆଗକୁ ମହାତ୍ମାଙ୍କ ଫଟୋ ଥିବା ନୋଟ୍ ଭଳି ରବିନ୍ଦ୍ରନାଥ ଓ ଅବଦୁଲ କାଲାମଙ୍କ ଚିତ୍ର ମଧ୍ୟ ନୋଟରେ ଦେଖିବାକୁ ମିଳିପାରେ । ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ଏକ ରିପୋର୍ଟରେ ଏଭଳି ଦାବି କରାଯାଇଛି । ରିପୋର୍ଟ ଅନୁସାରେ ଅର୍ଥ ମନ୍ତ୍ରଣାଳୟ ଓ  ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କିଛି ସିରିଜର ନୋଟ୍ ଉପରେ ରବିନ୍ଦ୍ରନାଥ ଓ କଲାମଙ୍କ ୱାଟରମାର୍କ୍ ଛାପିବା ବିଷୟ ଚିନ୍ତା କରୁଛି ।

କବିଗୁରୁ ରବିନ୍ଦ୍ରନାଥଙ୍କ ନାମ ଦେଶ ବିଦେଶରେ ସମ୍ମାନ ସହିତ ନିଆଯାଇଥାଏ । କିନ୍ତୁ ପଶ୍ଚିମବଙ୍ଗରେ ତାଙ୍କୁ ବିଶେଷ ମାନ୍ୟତା ମିଳିଥାଏ । ପଶ୍ଚିମବଙ୍ଗର ଅନେକ ଘରେ ରବିନ୍ଦ୍ରନାଥଙ୍କ ଚିତ୍ର ଦେଖିବାକୁ ମିଳିଥାଏ । ଅନ୍ୟପକ୍ଷରେ ଭାରତର ୧୧ତମ ରାଷ୍ଟ୍ରପତି ଅବଦୁଲ କଲାମ ଦେଶରେ ମିଶାଇଲ ମ୍ୟାନ୍ ଭାବେ ପରିଚିତ । ତାଙ୍କର ମାର୍ଗଦର୍ଶନରେ ଭାରତ ଅଗ୍ନୀ ସିରିଜର କ୍ଷେପଣାସ୍ତ୍ର ତିଆରି କରିଥିଲା । ବାଜପାୟୀ ସରକାର ଅମଳରେ ହୋଇଥିବା ପରମାଣୁ ପରୀକ୍ଷଣ ମଧ୍ୟ ତାଙ୍କରି ନେତୃତ୍ୱରେ ହୋଇଥିଲା । ବ୍ୟାଙ୍କ ନୋଟ୍ ଉପରେ ମହାତ୍ମାଙ୍କ ବ୍ୟାତିତ ଅନ୍ୟକୌଣସି ଭାରତୀୟ ବ୍ୟକ୍ତିତ୍ୱଙ୍କ ଚିତ୍ର ଛାପିବା କଥା ଚିନ୍ତା କରିବା ପ୍ରଥମ ।

କ’ଣ ପାଇଁ ଏମିତି ହେଉଛି ?

ଆପଣ ଯଦି ଭାବୁଛନ୍ତି କାହିଁକି ଏମିତି ହେଉଛି ତେବେ ଜାଣି ରଖନ୍ତୁ ଯେ, ବ୍ୟାଙ୍କ ନୋଟରେ ଅନେକ ଅଙ୍କର ୱାଟରମାର୍କକୁ ସାମିଲ କରିବାର ସମ୍ଭାବନା ବାବଦରେ ଜାଣିବା ପାଇଁ ଏହି ପଦକ୍ଷେପ ନିଆଯାଉଛି । ସୂଚନାଯୋଗ୍ୟ ଯେ, ଆମେରିକାରେ ବିଭିନ୍ନବର୍ଗର ଡଲାରରେ ଜର୍ଜ ୱାଂସିଟନ, ଥୋମାସ ଜାଫରସନ୍, ବେଂଜାମିନ୍ ଫ୍ରାଙ୍କଲିନ୍, ଆଣ୍ଡ୍ର୍ୟୁ ଜ୍ୟାକସନ, ଆଲେକଜାଣ୍ଡର ହେମିଲଟନ୍ ଓ ଆବ୍ରହମ ଲିଙ୍କନଙ୍କ ଚିତ୍ର ରହିଥାଏ ।

କ’ଣ ହୋଇଛି ଅଗ୍ରଗତି ?

ସୂଚନା ଅନୁସାରେ ଆରବିଆଇ ଓ ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ୍ ମିଟିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ତରଫରୁ ଆଇଆଇଟି ଦିଲ୍ଲୀର ଏମିରେଟ୍ସ ପ୍ରଫେସର ଦିଲ୍ଲୀପ ଚି ଶାହାନୀଙ୍କୁ ଗାନ୍ଧୀ, ଠାକୁର ଓ କଲାମଙ୍କ ୱାଟରମାର୍କର ନମୂନାର ଦୁଇଟି ଅଲଗା ଅଲଗା ସେଟ୍ ପଠାଇଛି । ସାହାନୀଙ୍କୁ ଦୁଇ ସେଟ୍ ମଧ୍ୟରୁ ଗୋଟିଏ ବାଛିବାକୁ କୁହାଯାଇଛି । ସେ ବାଛିଥିବା ସେଟ୍ ଉପରେ ସରକାର ଅନ୍ତିମ ନିର୍ଣ୍ଣୟ ନେବେ ।ୱାଟରମାର୍କ ଯାଂଚ୍ କରୁଥିବା ପ୍ରଫେସର ଶାହନୀ ଇଲେକ୍ଟ୍ରୋମେଗ୍ନାଟିକ୍ ଇନଷ୍ଟ୍ରୁମେସନର ବିଶେଷଜ୍ଞ ଅଟନ୍ତି । ଚଳିତ ବର୍ଷ ଜାନୁଆରୀରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

 

ବାରବାଟୀ ଟି-୨୦ ପ୍ରସ୍ତୁତି, ୯ ତାରିଖ ସକାଳ ୯ଟାରୁ ଅଫଲାଇନରେ ମିଳିବ ଟିକେଟ୍

କଟକ: ବଢ଼ୁଛି ବାରବାଟୀ ଉତ୍କଣ୍ଠା । ୧୨ ତାରିଖରେ ହେବ ହାଇଭୋଲଟେଜ୍ ମ୍ୟାଚ । ଏହି ଟି-୨୦ ମ୍ୟାଚ ପାଇଁ ୯ରୁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ । ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ମିଳିବ ୧୨ ହଜାର ଟିକେଟ୍ । ଦୀର୍ଘ ବର୍ଷ ପରେ ମ୍ୟାଚ ହେଉଥିବାରୁ ଅଧିକ ଭିଡ ହେବା ଆଶଂକା କରାଯାଉଛି । ଏଥିପାଇଁ ଷ୍ଟାଡିୟମ ପରିସରରେ ୨ଟି କାଉଣ୍ଟର ସହ ଅସ୍ଥାୟୀ ଭାବେ ୫ଟି କାଉଣ୍ଟର କରିବାକୁ ନିଷ୍ପତ୍ତି ନେଇଛି ଓସିଏ । ପ୍ରତି ଦର୍ଶକଙ୍କୁ ସର୍ବାଧିକ ୨ଟି ଟିକେଟ୍ ମିଳିବ । ନିଜର ଫଟୋ ପରିଚୟପତ୍ର ଦେଖାଇ ଟିକେଟ୍ କିଣିବେ ଦର୍ଶକ ।

୯ ତାରିଖ ଦିନ ସକାଳ ୯ଟାରୁ ଆରମ୍ଭ ହେବ ଟିକେଟ୍ ବିକ୍ରି । ଷ୍ଟାଡିୟମରେ ୪୪ ହଜାର ୨୩୪ ଜଣ ଦର୍ଶକ ଏଥର ମ୍ୟାଚ ଦେଖିବେ । ଚଳିତବର୍ଷ ୧୮ ପ୍ରତିଶତ GST ସହ ଟିକେଟ ଦର ବୃଦ୍ଧି ହୋଇଛି । ଗ୍ୟାଲେରି ନମ୍ବର ୧, ୩ ଓ ୫ ପାଇଁ ଟିକେଟ ଦର ୯ ଶହ ଟଙ୍କା ରଖାଯାଇଥିବା ବେଳେ, ଗ୍ୟାଲେରି ନମ୍ବର ୨ ଓ ୪ ପାଇଁ ୭ ଶହ ଟଙ୍କା, ୭ ନମ୍ବର ଗ୍ୟାଲେରି ଦର ୬ ଶହ ଟଙ୍କା, କେବଳ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ୬ ନମ୍ବର ଗ୍ୟାଲେରି ଦର ୩ ଶହ ଟଙ୍କା, ସ୍ପେଶାଲ ଏନକ୍ଲୋଜର ପାଇଁ ୫ ହଜାର ଟଙ୍କା, AC ବକ୍ସ ପାଇଁ ୭ ହଜାର ଟଙ୍କା, ନ୍ୟୁ ପାଭିଲିଅନ ପାଇଁ ୮ ହଜାର ଟଙ୍କା ଓ କର୍ପୋରେଟ ବକ୍ସ ପାଇଁ ୧୨ ହଜାର ଟଙ୍କା ଦର ଧାର୍ଯ୍ୟ କରାଯାଇଛି । ଟିକେଟ ବିକ୍ରି ସମୟରେ ଶୃଙ୍ଖଳା ରକ୍ଷା କରିବାକୁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ସେପଟେ ଟିକେଟ କଳାବଜାରୀ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିବାବେଳେ ପୂର୍ବଦିନ ରାତିରୁ କାଉଣ୍ଟର ଆଗରେ ଭିଡ଼ ନ ଜମାଇବାକୁ ପରାମର୍ଶ ଦେଇଛନ୍ତି ଡିସିପି ।

ନୂଆ ମନ୍ତ୍ରୀଙ୍କୁ 6-T ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଣିକି 5-T ବଦଳରେ 6-Tରେ କାମ କରିବେ ମନ୍ତ୍ରୀ । ନବ ନିର୍ବାଚିତ ମନ୍ତ୍ରୀଙ୍କୁ  6-Tର  ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବର ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ, ଟେକ୍ନୋଲଜି, ଟାଇମ୍, ଟ୍ରାନ୍ସଫରମେସନ ପରେ ଏବେ ଯୋଡ଼ି ହେଲା ଟୁର । ଟୁର ସମାଜର ଶେଷ ଧାଡ଼ିର ଲୋକଙ୍କ ପାଖରେ ପହଞ୍ଚିବାକୁ ପରାମର୍ଶ ଦେଇଛନ୍ତି ନବୀନ । ଜିଲ୍ଲା ଓ ବ୍ଲକସ୍ତରକୁ ଗସ୍ତ କରିବାକୁ ସବୁ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସହ ଲୋକଙ୍କ ସମସ୍ୟା ସହ ଅବଗତ ହେବାକୁ ପରାମର୍ଶ ଦେଇଛନ୍ତି  । ଲୋକଙ୍କ ବିକାଶ ପାଇଁ ଯତ୍ନଶୀଳ ହେବା ସହ ୨୦୨୪ ପୂର୍ବରୁ ବିଜେଡିର ନିର୍ବାଚନ ଇସ୍ତାହାର ଶତ ପ୍ରତିଶତ ପୂରା କରିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମୋ ।

ଦାୟିତ୍ବ ବଣ୍ଟନ ପରେ ଆଜି ସମସ୍ତ ମନ୍ତ୍ରୀ ପହଞ୍ଚିଥିଲେ ନବୀନ ନିବାସରେ । ସେଠାରେ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସୁଶାସନ ନିମନ୍ତେ ବିଭିନ୍ନ ପରାମର୍ଶ ଦେଇଥିଲେ । ଏହାସହ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ନୂଆମନ୍ତ୍ରୀ  । ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ଗଢ଼ି ତୋଳିବାକୁ ସମସ୍ତ ମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନବୀନ । ମନ୍ତ୍ରୀ ନବକିଶୋର ଦାସ, ସମୀର ଦାଶ, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲ୍ଲିକ, ଜଗନ୍ନାଥ ସାରକା, ଅଶୋକ ପଣ୍ଡା, ବାସନ୍ତୀ ହେମ୍ବ୍ରମ,  ଟୁକୁନି ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ତୁଷାରକାନ୍ତି ବେହେରାଙ୍କ ସମେତ ସମସ୍ତ ୨୧ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ।

ବିଶ୍ୱ ପରିବେଶ ଦିବସରେ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୱାକାଥନ୍‌’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ‘ୱାକାଥନ୍‌’ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ହାତରେ ବ୍ୟାନର ଏବଂ ପ୍ଲାକାର୍ଡ ଧରି ରାଜରାସ୍ତାରେ ଜନସାଧାରଣଙ୍କୁ ପରିବେଶ ଓ ପୃଥିବୀର ସୁରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ ।

ରବିବାର ଦିନ ସକାଳେ ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରର ୟୁନିଟ୍‌-୩ ସ୍ଥିତ ଭୀମଭୋଇ ଦୃଷ୍ଟିହୀନ ଉଚ୍ଚବିଦ୍ୟାଳୟଠାରୁ ଆରମ୍ଭ ହୋଇ ମାଷ୍ଟରକ୍ୟାଣ୍ଟିନ ଛକରେ ଶେଷ ହୋଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପଥପ୍ରାନ୍ତ ନାଟକ ଏବଂ ନୃତ୍ୟ ମାଧ୍ୟମରେ ବର୍ତ୍ତମାନର ପରିବେଶ ସଙ୍କଟ ଏବଂ ଏହାର ସମାଧାନ ପାଇଁ ବାର୍ତ୍ତା ଦେଇ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଶ୍ୱବିଦ୍ୟାଳୟର ପବ୍ଲିକ ହେଲଥ୍‌, ଆଲାଏଡ୍ ହେଲଥ୍ ସାଇନ୍ସସେସ, ବାୟୋଲୋଜିକାଲ ସାଇନ୍ସସେସ ଏବଂ ହେଲଥ୍ ମ୍ୟାନେଜମେଣ୍ଟ ବିଭାଗର ଛାତ୍ରଛାତ୍ରୀଙ୍କ ସହ ଅଧ୍ୟାପକ ଓ ଅଧ୍ୟାପିକାମାନେ ଏହି ପରିବେଶ ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

 

“ପରିବେଶ ସୁରକ୍ଷା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ବିଶ୍ୱବ୍ୟାପୀ ଏହି ଦିବସ ପାଳନ କରାଯାଉଛି । ଆଜିର ଦିନରେ ପରିବେଶ ସନ୍ତୁଳନ ବିଗୁଡୁଥିବାରୁ ପୃଥିବୀର ତାପମାତ୍ରା ବଢ଼ିବା ସହିତ ଅନେକ ରୋଗ ବ୍ୟାପୁଛି, ଯାହାକି ଜନସ୍ୱାସ୍ଥ୍ୟକୁ ବିଶେଷ ଭାବେ ପ୍ରଭାବିତ କରୁଛି । ତେଣୁ ଆମେ ଆମ ପରିବେଶର ଯତ୍ନ ନେବା ଓ ତା’ର ସୁରକ୍ଷା କଥା ଭାବିବା । ଏଥିସହିତ ପରିବେଶ ଅନୁକୂଳ କାର୍ଯ୍ୟକ୍ରମଗୁଡ଼ିକୁ ପ୍ରୋତ୍ସାହିତ କରିବା ବୋଲି କହିଛନ୍ତି ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଶ୍ରୀ ଡକ୍ଟର ଆଦିତ୍ୟ ପ୍ରସାଦ ଦାଶ । ଏହି ୱାକାଥନ୍ ଅବସରରେ ହେଲଥ୍ ସାଇନ୍ସସେସ ବିଭାଗର ଛାତ୍ରଛାତ୍ରୀମାନେ ବିଶିଷ୍ଟ ପରିବେଶବିତ୍ ପଦ୍ମଶ୍ରୀ ହିମ୍ମତ ରାମ ଭାମ୍ଭୁଙ୍କ ଜୀବନ ଉପରେ ଆଧାରିତ ‘ପରିବେଶ ବଞ୍ଚାଅ, ପୃଥିବୀ ବଞ୍ଚାଅ’ ଶୀର୍ଷକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ ।

ସେହିପରି ବ୍ୟାପକ ଜଙ୍ଗଲ କ୍ଷୟ ଫଳରେ ପରିବେଶ ଏବଂ ଜଳବାୟୁ ଉପରେ ଏହାର କିପରି କୁପ୍ରଭାବ ପଡୁଛି ତାହା ଦର୍ଶାଇ ଆଲାଏଡ୍ ହେଲଥ୍ ସାଇନ୍ସସେସ ବିଭାଗର ଛାତ୍ରଛାତ୍ରୀମାନେ ‘ସେଭ୍ ଅସ୍ ଟୁ ସେଭ୍ ୟୁ’ ଶୀର୍ଷକରେ ଆଉ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ । ଏଥିସହିତ ମଣିଷ କିପରି ପରିବେଶ ବିନାଶର କାରଣ ହେଉଛି ସେ ସମ୍ପର୍କରେ ବାୟୋଲୋଜିକାଲ ସାଇନ୍ସସେସ ବିଭାଗର ଛାତ୍ରଛାତ୍ରୀମାନେ ଏକ ମିଳିତ ନୃତ୍ୟ ମାଧ୍ୟମରେ ସ୍ଥାନୀୟ ଦର୍ଶକମାନଙ୍କୁ ବାର୍ତ୍ତା ଦେଇଥିଲେ।

ଜନସ୍ୱସ୍ଥ୍ୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ପୂର୍ବ ଭାରତର ପ୍ରଥମ ତଥା ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପରିଚିତ । ଏଠାରେ ପବ୍ଲିକ ହେଲଥ୍‌, ଆଲାଏଡ୍ ହେଲଥ୍ ସାଇନ୍ସେସେସ, ବାୟୋଲୋଜିକାଲ୍ ସାଇନ୍ସେସେସ ଏବଂ ହେଲଥ୍ ମ୍ୟାନେଜମେଣ୍ଟ ଆଦି ବିଷୟରେ ସ୍ନାତକ, ସ୍ନାତକୋତ୍ତର ଡିଗ୍ରୀ, ଏମବିଏ, ପିଏଚଡି ଏବଂ ପୋଷ୍ଟ ଡକ୍ଟରାଲ ପାଠ୍ୟକ୍ରମ ରହିଛି । ଫୁଲନଖରା ନିକଟସ୍ଥ ଇଷ୍ଟ କ୍ୟାମ୍ପସରେ ଚାଲିଥିବା ଏହି ବିଶ୍ୱବିଦ୍ୟାଳୟରେ ଧନ୍ଦାମୂଳକ ଓ ଦକ୍ଷତା ବିକାଶ ତାଲିମ ପାଠ୍ୟକ୍ରମ ମଧ୍ୟ ଦିଆଯାଉଛି ।

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ପରମ୍ପରା ଅନୁଯାୟୀ ଚକଡେରା ନୀତି ସମ୍ପନ୍ନ

ପୁରୀ: ପାଖେଇ ଆସୁଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ରଥରେ ଚଢ଼ି ପତିତ ଉଦ୍ଧାରରେ ବାହାରିବେ ପତିତପାବନ । ଏଥିପାଇଁ ପୁରୀ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ୩ ରଥର କାମ । ପରମ୍ପରା ଅନୁଯାୟୀ ଆଜି ଶୀତଳଷଷ୍ଠୀରେ ଅନୁଷ୍ଠିତ ହୋଇଛି ଚକଡେରା ନୀତି । ସମସ୍ତ ଚକ ସହ ଅଖ ସଂଯୋଗ କରାଯାଇଛି । ଭୋଇ ସେବକମାନେ ୩ ରଥର ମୋଟ ୪୨ଟି ଚକରେ ଅଖ ସଂଯୋଗ କରିଛନ୍ତି । ପାର୍ଶ୍ଵ ଦଣ୍ଡାରେ କୁଡ଼ୁକା ଓ ନିରାଡ଼ି ଲଗାଯିବା କାର୍ଯ୍ୟ ଜାରି ରହିଛି ।

ସେପଟେ ଗରଗରା ଗୁଡିକରେ ଚାଲିଛି ବିନ୍ଧ ଖୋଦେଇ କାମ । ଚାରପରିଛା ନିର୍ମାଣ ପାଇଁ କାଠ ଚଉପଟ କରାଯାଉଛି । ତାଳଧ୍ବଜ ଏବଂ ନନ୍ଦିଘୋଷ ରଥର ପୋଲଗୟଳ କାମ ଶେଷ ହୋଇଛି । ଦେବଦଳନ ରଥର ପୋଲଗୟଳ କାମ ଜାରି ରହିଥିବା ବେଳେ ରୂପକାର ସେବକମାନେ ତିନିରଥର ସିଂହାସନରେ ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି ।

 

 

 

ନବୀନ ନିବାସରେ ନୂଆ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଦେଉଛନ୍ତି ଗୁରୁମନ୍ତ୍ର

ଭୁବନେଶ୍ୱର: ନବୀନ ନିବାସରେ ନୂଆ ମନ୍ତ୍ରୀ । ନବୀନ ନିବାସରେ ପହଞ୍ଚିଛନ୍ତି ନବଗଠିତ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ନୂଆ ମନ୍ତ୍ରୀ । ସମସ୍ତ ନୂଆ ମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନା ଅନୁସାରରେ ଆଜି ନବୀନଙ୍କ ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି । ମୋଟ ୨୧ ଜଣ ମନ୍ତ୍ରୀ ଆଜି ଶପଥ ଗ୍ରହଣ କରିଛନ୍ତି । ନବୀନଙ୍କ ନୂଆ ଟିମରେ ସାମିଲ ହୋଇଛନ୍ତି ୧୩ କ୍ୟାବିନେଟ ମନ୍ତ୍ରୀ ଓ ୮ ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ ପାହ୍ୟା । ଆଜି ଲୋକସେବା ଭବନର କନଭେନସନ ହଲରେ ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଶପଥ ପାଠ ପରେ ନୂଆ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ କରାଯାଇଛି ।

ମହଙ୍ଗା ପଡ଼ିଲା ବିବାଦୀୟ ବୟାନ, ନୂପୁର ଶର୍ମାଙ୍କୁ ଦଳରୁ ନିଲମ୍ବିତ କଲା ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ନୂପୁର ଶର୍ମା ଏବଂ ନବୀନ ଜିନ୍ଦଲଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରିଛି । ନିକଟରେ ବିଜେପି ମୁଖପାତ୍ର ନୂପୁର ଶର୍ମା ଏକ ଟିଭି ଡିବେଟରେ ପ୍ରଫେଟ୍ ମହମ୍ମଦଙ୍କ ଉପରେ ଏକ ବିବାଦୀୟ ବୟାନ ଦେଇଥିଲେ । ଯାହା ପରେ ଏହାକୁ ନେଇ ଅନେକ ବିରୋଧ ମଧ୍ୟ ହୋଇଥିଲା । ଏହି ବିବୃତ୍ତିରେ ଉତ୍ତେଜନା ପରେ ବିଜେପି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିଜେପି ନୂପୁର ଶର୍ମାଙ୍କ ସହ ଗଣମାଧ୍ୟମ ଦାୟିତ୍ୱରେ ଥିବା ନବୀନ ଜିନ୍ଦଲଙ୍କୁ ମଧ୍ୟ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରିଛି ।

ରବିବାର ବିଜେନି ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଥିଲା । ଏହି ବିବୃତ୍ତିରେ ବିଜେପି ପକ୍ଷରୁ କୁହାଯାଇଥିଲା କି ଦଳ ସମସ୍ତ ଧର୍ମକୁ ସମ୍ମାନ କରେ । କୌଣସି ଧର୍ମର ବ୍ୟକ୍ତିର ଅପମାନକୁ କଡ଼ା ନିନ୍ଦା କରୁଛି । ତେବେ ପାର୍ଟି ଏହି ବୟାନରେ ନୂପୁର ଶର୍ମାଙ୍କ ଉଲ୍ଲେଖ କରିନାହିଁ । ତେବେ ଏହି ବିବୃତ୍ତିର କିଛି ସମୟ ପରେ ନୂପୁର ଶର୍ମାଙ୍କୁ ଦଳ ନିଲମ୍ବିତ କରିଥିଲା ।

ସୂଚନା ଅନୁସାରେ, ନିକଟରେ ଏକ ଟିଭି ବିତର୍କ ସମୟରେ ନୂପୁର ଶର୍ମା ଜ୍ଞାନବାପି ମସଜିଦ ମାମଲାରେ ନିଜର ମତ ଦେଇଥିଲେ। ଏହି ସମୟରେ ସେ ପ୍ରଫେଟ୍ ମହମ୍ମଦଙ୍କ ବିଷୟରେ ଏକ ବିବୃତ୍ତି ଦେଇଥିଲେ । ଏହି ବିବୃତ୍ତିକୁ ନେଇ ଅନେକ ଅସନ୍ତୋଷ ପ୍ରକାଶ ପାଇଥିଲା ଏବଂ ଧାର୍ମିକ ଭାବନାକୁ ଆଘାତ ଦେବା, ଘୃଣା ବିସ୍ତାର କରିବା ଏବଂ ଅନ୍ୟ ଧର୍ମ ବିରୁଦ୍ଧରେ ମନ୍ତବ୍ୟ ଦେବା ପାଇଁ ନୂପୁର ଶର୍ମାଙ୍କ ବିରୋଧରେ ଏକ ଏଫଆଇଆର ମଧ୍ୟ ପଞ୍ଜୀକୃତ ହୋଇଥିଲା ।

ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ବାଚସ୍ପତି, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅସୁସ୍ଥ । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି କି ’ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ପୂର୍ବତନ ବାଚସ୍ପତି ତଥା ଦଳର ବରିଷ୍ଠ ନେତା ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିଷୟରେ ଅବଗତ ହେଲି । ତାଙ୍କର ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ।

ସୂଚନା ଅନୁସାରେ ସୂର୍ଯ୍ୟ ପାତ୍ର କିଡନୀ ରୋଗରେ ଚିକିତ୍ସା ହେଉଥିବା ସୂଚନା ମିଳିଛି । ଏହା ସହ ତାଙ୍କ ବାମ ଆଖିରେ ମଧ୍ୟ ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ଶନିବାର ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ସୂର୍ଯ୍ୟ ନାରାୟଣ ପାତ୍ର । ଉପବାଚସ୍ପତିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ । ଅସୁସ୍ଥତା କାରଣରୁ ସେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ନେଇ ତାଙ୍କ ପୁଅ ବିପ୍ଳବ ପାତ୍ର ସୂଚନା ଦେଇଥିଲେ ।