ବିଲକିସ ବାନୋ ଗଣଦୁଷ୍କର୍ମ ମାମଲା: ଖଲାସ ପରେ ପୁଣି ଜେଲକୁ ଯିବେ କି ଅଭିଯୁକ୍ତ?

Supreme Court Issue Notice To

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଗୁଜରାଟ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ୧୧ ଅଭିଯୁକ୍ତଙ୍କୁ ଗୁଜରାଟ ସରକାର ମୁକ୍ତ କରିବା ଘଟଣାକୁ ନେଇ ବଢୁଛି ବିବାଦ ।  ଏ ନେଇ ସୁପ୍ରିମକୋର୍ଟରେ ଦାଏର ପିଟିସନର ଆଜି ଶୁଣାଣି କରିବେ ଖଣ୍ଡପୀଠ । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ । ବଳାତ୍କାର ମାମଲାରେ ଦୋଷୀଙ୍କୁ କିପରି ଜେଲରୁ ମୁକ୍ତ କରାଗଲା ତାକୁ ନେଇ ଟିଏମସି ଏମପି ମହୁଆ ମଇତ୍ରୋ, ସିପିଆଇଏମର ସୁବାଷିନୀ ଅଲ୍ଲୀଙ୍କ ବ୍ୟତୀତ ଅନ୍ୟ ମହିଳା ଅଧିକାର କର୍ମୀ ପିଟିସନ ଦାଏର କରିଥିଲେ ।

ସୂଚନା ଅନୁଯାୟୀ,  ୨୦୦୨ ଗୁଜରାଟ ଦଙ୍ଗା ସମୟରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ୫ ମାସର ଗର୍ଭବତୀ ଥିବା ବିଲକିସ ବାନୋ । ଏହା ସହ ତାଙ୍କର ୩ ବର୍ଷର ଶିଶୁକନ୍ୟାଙ୍କ ସମେତ ପରିବାରର ୭ଜଣଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ୨୦୦୮ ଜାନୁଆରୀ ୨୧ରେ ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ମୋଟ ୨୦ ଅଭିଯୁକ୍ତଙ୍କ ମଧ୍ୟରୁ ୧୧ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ପରେ ବମ୍ବେ ହାଇକୋର୍ଟ ଏହି ରାୟକୁ କାଏମ ରଖିଥିଲେ । ଫଳରେ ସମସ୍ତ ଅଭିଯୁକ୍ତ ଗୋଧ୍ରା ସବଜେଲରେ ରହିଥିଲେ ।

କିନ୍ତୁ ଗତ ଅଗଷ୍ଟ ୧୫ ତାରିଖରେ ଗୁଜରାଟ ସରକାର ସ୍ବତନ୍ତ୍ର ନୀତିକୁ ଆଧାର କରି ସେମାନଙ୍କୁ ମୁକ୍ତ କରିଦେଇଥିଲେ। ସେତେବେଳେ ସିବିଆଇ ଏହି ମାମଲାର ତଦନ୍ତ ଭାର ନେଇଥିଲା । ମାତ୍ର କେନ୍ଦ୍ର ସରକାରଙ୍କ ସହମତି ବିନା ଗୁଜରାଟ ସରକାର ଏଭଳି ଦୋଷୀଙ୍କୁ ମୁକ୍ତ କରିବାର କୌଣସି ଅଧିକାର ନାହିଁ ବୋଲି ପିଟିସନରେ ଦର୍ଶାଯାଇଛି ।