କେନ୍ଦ୍ର ଦେଉନି ଅନୁଦାନ; ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ପିଏଫଏମଏସ ବାହାନା। କେନ୍ଦ୍ର ଦେଉନି ମଧ୍ୟାହ୍ନ ଭୋଜନ ଅନୁଦାନ। ରାଜ୍ୟ ସରକାର ବହନ କରିବେ ସବୁ ବ୍ୟୟ। ବିଭିନ୍ନ ଆକାଉଣ୍ଟକୁ ଯିବ ପ୍ରାୟ ୨ଶହ କୋଟି ଟଙ୍କା । ଆସନ୍ତା ସପ୍ତାହେ ସୁଦ୍ଧା ମିଳିପାରେ ଏହି ବକେୟା ଅର୍ଥ। ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯାଉଛି।

କିନ୍ତୁ ୫ ମାସ ହେବ ସୃଷ୍ଟି ହୋଇଛି ଅଚଳାବସ୍ଥା। ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ ପରି ସିଙ୍ଗଲ ୱିଣ୍ଡୋକୁ ବାହାନା କରି କେନ୍ଦ୍ର ସରକାର ଏ ବାବଦରେ ଯୋଗାଇ ଦେଉଥିବା ସହାୟତା ରାଶି ପ୍ରଦାନରେ ବିଳମ୍ବ କରିଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ସମସ୍ୟା ଉପୁଜିଛି । ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ନିଜସ୍ବ ପ୍ରୟାସରେ କାର୍ଯ୍ୟକ୍ରମକୁ ଚାଲୁ ରଖିଛନ୍ତି। ବକେୟା ଅର୍ଥ ପ୍ରଦାନ ପାଇଁ ରାଜ୍ୟ ସରକାର ବାରମ୍ବାର ଦାବି କରିବା ସତ୍ତ୍ବେ ଏଥିପ୍ରତି କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହାନ୍ତି ।

କେନ୍ଦ୍ରର ଉଦାସିନତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଧ୍ୟାହ୍ନ ଭୋଜନ ବାବଦ ସମସ୍ତ ବ୍ୟୟ ନିଜେ ବହନ କରିବେ । ଏଥିସହ ୫ ମାସର ବକେୟା ଦେୟ ନିଜସ୍ବ ପାଣ୍ଠିରୁ ଭରଣା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏପ୍ରିଲରୁ କେନ୍ଦ୍ର ସରକାର ଏବାବଦ ଦେୟ ଦେଉନଥିବାରୁ ଚଳିତ ଆର୍ଥିକ ବର୍ଷରୁ ଶିକ୍ଷକ ନିଜ ପକେଟରୁ ମଧ୍ୟାହ୍ନ ଭୋଜନ ଅର୍ଥ ଭରଣା କରୁଛନ୍ତି । ସରକାର ନିଜର ୪୦ ପ୍ରତିଶତ ଆର୍ଥିକ ଅନୁଦାନ ସହ କେନ୍ଦ୍ରର ୬୦ପ୍ରତିଶତ ଅର୍ଥକୁ ମିଶାଇ ଦେବେ । କେନ୍ଦ୍ର ଅର୍ଥ ଦେଲେ ଭରଣା ହେବ । ଆସନ୍ତା ସପ୍ତାହେ ସୁଦ୍ଧା ସ୍କୁଲର ଆକାଉଣ୍ଟରେ ଅର୍ଥ ଜମା କରିବାକୁ ଲକ୍ଷ ରଖିଛନ୍ତି ସରକାର ।